ସୁପ୍ରିମ କୋର୍ଟ ରାୟ ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତ କରିଛି


ପ୍ରସାଦ ରାଓ
ଭୁବନେଶ୍ୱର
ଜୁନ ୦୩
ପୁରୀ ଶ୍ରୀମନ୍ଦିର ଚାରି ପାଖ ଶହେ ମିଟର ପରିଧି ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ରୋକ୍ ଲଗା ଯିବାକୁ ହୋଇଥିବା ଦୁଇଟି ଆବେଦନକୁ ସୁପ୍ରିମ କୋର୍ଟ ଆଜି ଖାରଜ କରି ଦେଇଛନ୍ତି । ପୁରୀ ଆସୁଥିବା ଭକ୍ତମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ପାଖରେ ପୁନଃନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ସରକାରଙ୍କ ବିରୋଧରେ ଉପର ଠାଉରିଆ ଅଭିଯୋଗ କରି ଅଦାଲତଙ୍କ ସମୟ ବରବାଦ ନ କରିବାକୁ ସୁପ୍ରିମ କୋର୍ଟ ଦୁଇ ଆବେଦନକାରୀଙ୍କୁ ତାଗିଦ କରିବା ସହ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଦୁଇଟି ଭିନ୍ନ ଭିନ୍ନ ଜନସ୍ୱାର୍ଥ ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ଥିଲା, ଶ୍ରୀମନ୍ଦିର ଚାରି ପାଖ ଶହେ ମିଟର ପରିଧି ଅଂଚଳ ‘ଆମସାର୍’ ଆଇନ ଅନୁଯାୟୀ ‘ନିଷିଦ୍ଧାଂଚଳ’ ଥିବାରୁ ଏଏସଆଇ (ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ)ର ଅନୁମୋଦନ ନଥାଇ କୌଣସି ନିର୍ମାଣ କାର୍ଯ୍ୟ ହେବା କଥା ନୁହେଁ । ତେବେ, ରାଜ୍ୟ ସରକାର ଏଏସଆଇର ଅନୁମୋଦନ ନଥାଇ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ କାର୍ଯ୍ୟ ଚଳାଇଛନ୍ତି । ଫଳରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟ ଫଳରେ ମନ୍ଦିରର ମୂଳଦୂଆରେ ଫାଟ ସୃଷ୍ଟି ହେବା ସହ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଓଡ଼ିଶା ହାଇକୋର୍ଟ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ନ ଲଗାଇ ନିର୍ମାଣ କାର୍ଯ୍ୟ ଦ୍ୱାରା ଶ୍ରୀମନ୍ଦିରର କିଭଳି କ୍ଷତି ହୋଇଛି ତାହା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଏସଆଇକୁ ନିର୍ଦେଶ ଦେବା ଉଚିତ ହୋଇ ନାହିଁ । ତେଣୁ, ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କରି ଶ୍ରୀମନ୍ଦିର ଚାରି ପାଖରେ ଚାଲି ଥିବା ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା । ଅର୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇ ନାମକ ଦୁଇ ଜଣ ସୁପ୍ରିମ କୋର୍ଟରେ ଅଲଗା ଅଲଗା ଆବେଦନ କରିଥିଲେ । ସେମାନେ ମାମଲାର ତ୍ୱରିତ ଶୁଣାଣୀ ପାଇଁ ମଧ୍ୟ ନିବେଦନ କରି ଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନିର୍ଦେଶକ୍ରମେ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ ହିମା କୋହିଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇଟି ଆବେଦନର ଶୁଣାଣୀ କରିଥିଲେ । ଗତକାଲି ଏକ ଘଂଟାରୁ ଅଧିକ ସମୟ ଧରି ଖଣ୍ଡପୀଠ ଦୁଇ ଆବେଦନକାରୀ ଏବଂ ରାଜ୍ୟ ସରକାରଙ୍କ ଓକିଲଙ୍କ ଯୁକ୍ତି ଶୁଣି ଥିଲେ । ଶୁଣାଣୀ ପରେ ରାୟ ଆଜି ପାଇଁ ସଂରକ୍ଷିତ ଥିଲା । ଆଜି ମାମଲାର ରାୟ ପ୍ରକାଶ ପାଇଛି । ସରକାର ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ବୃହତ୍ତର ସ୍ୱାର୍ଥକୁ ନଜରରେ ରଖି ଶ୍ରୀମନ୍ଦିର ଚାରି ପାଖରେ ପୁନଃନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ସୁପ୍ରିମ କୋର୍ଟ କହିବା ସହ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । ଦୁଇଟି ଯାକ ଆଦେନକୁ ଖଣ୍ଡପୀଠ ଖାରଜ କରିବା ସହ ଏଭଳି ଉପର ଠାଉରିଆ ଆବେଦନ ଦ୍ୱାରା ଅଦାଲତଙ୍କ ସମୟ ଅଯଥା ବରବାଦ ହେଉଛି ବୋଲି ଦର୍ଶାଇ ଖଣ୍ଡପୀଠ ଅର୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କୁ ଓଲଟା ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଗତକାଲି ସୁପ୍ରିମ କୋର୍ଟରେ ମାମଲାର ଶୁଣାଣୀ ବେଳେ ଅର୍ଧେନ୍ଦୁଙ୍କ ପକ୍ଷରୁ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଏବଂ ସୁମନ୍ତ ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନଭା ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ପକ୍ଷ ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ନିର୍ମାଣ କାର୍ଯ୍ୟ ‘ଆମସାର୍’ ଆଇନ ପରିସରକୁ ଆସୁ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ହୋଇଥିଲା । ପ୍ରଚଳିତ ଷ୍ଟ୍ରକ୍ଚର ବା କୋଠାର ପୁନଃ ନିର୍ମାଣ, ମରାମତି, ନବୀକରଣ, ରକ୍ଷଣାବେକ୍ଷଣ, ନାଳ ନର୍ଦ୍ଦମା ସଫେଇ, ସର୍ବସାଧାରଣ ଶୌଚାଳୟ ଓ ପରିଶ୍ରାଗାର ନିର୍ମାଣ, ସର୍ବସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଉଦ୍ଦେଶ୍ୟରେ ନିର୍ମାଣ ବା ରକ୍ଷଣାବେକ୍ଷଣ କାର୍ଯ୍ୟ ଆଇନ ଅନୁଯାୟୀ ନିର୍ମାଣ ପରିସରଭୁକ୍ତ ନୁହେଁ ବୋଲି ଆଡଭୋକେଟ ଜେନେରାଲ ପରିଜା ଯୁକ୍ତି ଦର୍ଶାଇ ଥିବା ବେଳେ ଆମିକସ୍ କ୍ୟୁରି ରଂଜିତ କୁମାର ମଧ୍ୟ ଅଧିକ ଶୌଚାଳୟ ନିର୍ମାଣ ଓ ଭକ୍ତଙ୍କ ସୁବିଧା ନିମନ୍ତେ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ସପକ୍ଷରେ ମତ ରଖି ଥିଲେ । ପୁରୀ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ମଧ୍ୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯୁକ୍ତି ରଖି ଚାଲିଥିବା ନିର୍ମାଣ କାର୍ଯ୍ୟ ଆଇନସମ୍ମତ ଦର୍ଶାଇ ଥିଲେ । ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ ଦେଇଥିବା ରାୟ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରିଥିବା ବେଳେ ବିରୋଧୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି । ପୁରୀ ଶ୍ରୀମନ୍ଦିର ମେଘନାଦ ପ୍ରଚେରୀକୁ ଲାଗି ଶହେ ମିଟର ପରିଧି ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଖନନ ଓ ଚାଲି ଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ବିରୋଧୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣୀ ହୋଇ ନିର୍ମାଣ କାର୍ଯ୍ୟ ଦ୍ୱାରା ମନ୍ଦିରର କିଭଳି କ୍ଷତି ହୋଇଛି ଆକଳନ କରି ଅଦାଲତକୁ ଜଣାଇବାକୁ ଏଏସଆଇକୁ ଗତ ମେ’ ୯ ତାରିଖରେ ନିର୍ଦେଶ ଦିଆଯାଇଥିଲା । ତେବେ, ରାଜ୍ୟ ସରକାରଙ୍କ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ କୌଣସି ପ୍ରକାର ରୋକ୍ ଲଗାଇ ନଥିଲେ । ଓଡ଼ିଶା ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଂଜ କରି ଅର୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇ ସୁପ୍ରମି କୋର୍ଟରେ ଏସଏଲପି ଦାଏର କରିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS