ସୁପ୍ରିମ କୋର୍ଟରେ ଶିବସେନା ବିବାଦ, ଅଗଷ୍ଟ ୧ରେ ପରବର୍ତ୍ତୀ ଶୁଣାଣୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୦
ଶିବସେନାର ଦୁଇ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ପରସ୍ପର ବିରୋଧୀ ଆବେଦନ ଉପରେ ଆଜି ଶୁଣାଣୀ ହୋଇଛି । ଉଭୟ ପକ୍ଷ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅପର ଗୋଷ୍ଠୀର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯିବାକୁ ଆବେଦନ କରିଛନ୍ତି । ସୁପ୍ରିମ କୋର୍ଟ ଆଜି ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ସଂପୃକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧ ତାରିଖକୁ ଧାର୍ଯ୍ୟ କରିବା ସହ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ବୋଲି ନିର୍ଦେଶ ଦେଇଛନ୍ତି । ମାସକ ତଳେ ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ ବିଧାୟକ ପ୍ରଥମେ ମୁମ୍ବାଇରୁ ବିଜେପି ଶାସିତ ଗୁଜରାଟର ସୁରଟ ଓ ପରେ ସେଠାରୁ ଆସାମର ଗୌହାଟୀ, ଗୋଆକୁ ପଳାଇ ସେଠାରୁ ଉଦ୍ଧବ ସରକାରଙ୍କ ବିରୋଧରେ ଅଭିଯାନ ଚଳାଇ ଥିଲେ । ଶିବସେନାର ବିଦ୍ରୋହୀ ବିଧାୟକମାନେ ଗୌହାଟୀରୁ ଉଦ୍ଧବଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ‘ମହା ବିକାଶ ଅଘାଡି’ ସରକାରର ପତନ ଘଟାଇବାକୁ ଅଭିଯାନ ଚଳାଇ ଥିବା ବେଳେ ମହାରାଷ୍ଟ୍ର ବିଧାନସଭାର ତତ୍କାଳୀନ ଉପ ବାଚସ୍ପତି ନରହରି ଜିରାୱାଲ ସଂପୃକ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ, ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୋଷ୍ଠୀ ଉପ ବାଚସ୍ପତି ଜିରାୱାଲଙ୍କ ଏହି ପ୍ରକ୍ରୟାକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ବିଦ୍ରୋହୀ ନେତା ସିନ୍ଧେ ଶିବସେନାର ସର୍ବାଧିକ ସଂଖ୍ୟକ ବିଧାୟକ ତାଙ୍କୁ ସମର୍ଥନ କରୁଥିବା ଦର୍ଶାଇ ଉଦ୍ଧବ ଠାକରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲେ । ମହାରାଷ୍ଟ୍ରର ଶିବସେନା ବିଧାୟକଙ୍କ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳର ସୁଯୋଗ ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦେଶ ଦେବା ସହ ତାରିଖ ମଧ୍ୟ ଧାର୍ଯ୍ୟ କରି ଦେଇଥିଲେ । ରାଜ୍ୟପାଳ କୋଶିୟାରୀଙ୍କ ଏହି ନିର୍ଦେଶକୁ ଚ୍ୟାଲେଂଜ କରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ତୁରନ୍ତ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ଆସ୍ଥା ଭୋଟ ସପକ୍ଷରେ ରାୟ ଦେବାରୁ ଉଦ୍ଧବ ଠାକରେ ଆସ୍ଥା ଭୋଟ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ କୋଶିୟାରୀଙ୍କ ପୂର୍ବ ନିର୍ଦେଶ ଅନୁସାରେ ନିର୍ଦ୍ଧାରିତ ଦିବସରେ ରାଜ୍ୟ ବିଧାନସଭା ଅଧିବେଶନ ବସି ରାହୁଲ ନରୱାରେକରଙ୍କୁ ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ପର ଦିନ ବିଦ୍ରୋହୀ ଗୋଷ୍ଠୀ ନେତା ସିନ୍ଧେ ବିଜେପି ସମର୍ଥନରେ ରାଜ୍ୟରେ ନୂତନ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ଥିଲେ । ଉଦ୍ଧବ ଠାକରେ ଗୋଷ୍ଠୀ ନୂତନ ବାଚସ୍ପତି ନରୱରେକରଙ୍କ ନିର୍ବାଚନର ବୈଧତା, ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳ କୋଶିୟାରୀ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଦେଇଥିବା ନିର୍ଦେଶକୁ ଚ୍ୟାଲେଂଜ କରି ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସିନ୍ଧେଙ୍କ ସମର୍ଥକ ଶିବସେନା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସିନ୍ଧେ ଗୋଷ୍ଠୀର ଗୋଟିଏ ଆବେଦନ ଏବଂ ଉଦ୍ଧବ ଗୋଷ୍ଠୀର ୫ଟି ଆବେଦନ ଏଭଳି ମୋଟ ଛଅଟି ଆବେଦନ ଉପରେ ସୁପ୍ରିମ କୋର୍ଟ ଆଜି ସବୁ ପକ୍ଷଙ୍କୁ ନୋଟିସ ଜାରି କରିବା ସହ ଅଗଷ୍ଟ ୧ ତାରିଖ ପୂର୍ବରୁ ସେମାନଙ୍କୁ ପକ୍ଷ ରଖିବାକୁ ନିରଦେଶ ଦେଇଛନ୍ତି । ଉଭୟ ପକ୍ଷଙ୍କ ଆଡୁ ହୋଇଥିବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧ରେ ହେବ । ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ସିନ୍ଧେ ଗୋଷ୍ଠୀ ପକ୍ଷରୁ ଅନ୍ୟତମ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ସିନ୍ଧେ ଗୋଷ୍ଠୀ ବିଧାୟକମାନେ ଦଳୀୟ ହୁଇପ୍ କୁ ଅମାନ୍ୟ କରିଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସପକ୍ଷରେ ସିବଲ୍ ଯୁକ୍ତି ବାଢି ଥିଲେ । ସେହିଭଳି, ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ଥିବା ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ସଂପୃକ୍ତ ବିଧାୟକମାନଙ୍କୁ ଶପଥ ପାଠ ପାଇଁ ଅନୁମତି ଦେବା ଉଚିତ ନଥିଲା । ଯେଉଁ ବିଧାୟକମାନଙ୍କ ଭୋଟରେ ରାହୁଲ ନରୱେକର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ କୋର୍ଟରେ ଆବେଦନ ହୋଇଥିବା ଦୃଷ୍ଟିରୁ ବାଚସ୍ପତି ନିର୍ବାଚନ ଅବୈଧ ବୋଲି ସିବଲ୍ କହିଥିଲେ । ଅପରପକ୍ଷରେ, ସିନ୍ଧେ ଗୋଷ୍ଠୀର ଓକିଲ ହରିଶ ସାଲଭେ କୋର୍ଟରେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଥିବା ଆଇନର ତର୍ଜମା କରିବା ସହ ଯଉଁ ବ୍ୟକ୍ତିଙ୍କ ପଛରେ ରାଜ୍ୟ ବିଧାନସଭାର ୨୦ ବିଧାୟକଙ୍କ ମଧ୍ୟ ସମର୍ଥନ ନାହିଁ ତାଙ୍କୁ କେମିତି ଅଦାଲତ କ୍ଷମତାକୁ ଫେରାଇ ଆଣି ପାରିବେ (?) ବୋଲି ପ୍ରଶ୍ନ କରିଥିଲେ । ଦଳ ଭିତରେ ରହି ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରିବା ଗଣତାନ୍ତ୍ରିକ ଅଧିକାର ବିଧାୟକମାନଙ୍କ ରହିଛି । ଏହାକୁ ଦଳ ବଦଳ କୁହାଯାଇ ପାରିବ ନାହିଁ କିମ୍ବା ତାହାକୁ ଭିତ୍ତି କରି ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ ବୋଲି ସାଲଭେ ଯୁକ୍ତି ଦର୍ଶାଇଛନ୍ତି । ସାଲଭେଙ୍କୁ ଶୁଣିବା ପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି, ଆଇନ ଉଭୟ ଗୋଷ୍ଠୀ ପାଇଁ ସମାନ । ଅତୀତରେ ଏଭଳି ମାମଲା ସବୁରେ ସଂପୃକ୍ତ ପକ୍ଷଙ୍କୁ ପ୍ରଥମେ ହାଇକୋର୍ଟକୁ ଯିବାକୁ ଏବଂ ପରେ ସୁପ୍ରିମ କୋର୍ଟକୁ ଆସିବାକୁ କୁହାଯାଇଛି । ସିନ୍ଧେ ଗୋଷ୍ଠୀ ପକ୍ଷରୁ ଓକିଲ ସାଲଭେ ସବୁ ପ୍ରସଙ୍ଗ ଉପରେ ଉତ୍ତର ରଖିବାକୁ ଏକ ସପ୍ତାହ ସମୟ ମାଗି ଥିଲେ । ତେବେ, ସାଲଭେ ଆଜି ହି ଉତ୍ତର ରଖନ୍ତୁ ବୋଲି ସିବଲ୍ ଜୋର୍ ଦେଇଥିଲେ । ଉଭୟ ପକ୍ଷରୁ ଗରମାଗରମ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ଉଭୟ ପକ୍ଷର ଆବେଦନ ଉପରେ ଅଗଷ୍ଟ ୧ ତାରିଖରେ ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରିବା ସହ ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବ ବୋଲି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS