‘ଆପ୍’ କ୍ଷମତା ଆସିଲେ ଗୁଜରାଟରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି !
ପ୍ରସାଦ ରାଓ
ଜୁଲାଇ ୨୧
ପଂଜାବ ଭଳି ଗୁଜରାଟରେ ‘ଆପ୍’ ବିପୁଳ ସଂଖ୍ୟାରେ ଜନମତ ପାଇ କ୍ଷମତାକୁ ଆସିଲେ ରାଜ୍ୟର ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ଦିଆଯିବ ବୋଲି ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି ସୁରଟରେ ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେଜରୀୱାଲ ବାରମ୍ବାର ରାଜ୍ୟ ଗସ୍ତରେ ଯାଉଛନ୍ତି । ଜୁଲାଇ ୩ ତାରିଖ ଦିନ ମଧ୍ୟ ସେ ଗୁଜରାଟ ଗସ୍ତରେ ଯାଇଥିଲେ ଏବଂ ଜନସାଧାରଣଙ୍କ ସହ ବାର୍ତ୍ତା ବିନିମୟ ସମୟରେ ମାଗଣା ବିଦ୍ୟୁତ ଯୋଗାଣ କଥା କହିଥିଲେ ।
ଆଜି ସୁରଟରେ ଟାଉନ ହଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ କେଜରୀୱାଲ ଏହି ପ୍ରତିଶ୍ରୁତିକୁ ଦୋହରାଇଛନ୍ତି । ଆସନ୍ତା ନିର୍ବାଚନରେ ଦଳ ଯଦି ବିପୁଳ ଜନସମର୍ଥନରେ କ୍ଷମତାକୁ ଆସେ ତେବେ ରାଜ୍ୟର ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ଦେବ ଏବଂ ଡ଼ିସେମ୍ବର ୩୧ ପୂର୍ବର ଥିବା ସେମାନଙ୍କ ସମସ୍ତ ବିଦ୍ୟୁତ ବକେୟାକୁ ଛାଡ କରି ଦିଆଯିବ ବୋଲି କେଜରୀୱାଲ କେଜରୀୱାଲ କହିଛନ୍ତି । ତେବେ, ଯଦି କେହି ଘରୋଇ ବିଦ୍ୟୁତ ଉପଭୋକ୍ତା ୩୦୦ ଯୁନିଟରୁ ଗୋଟିଏ ବି ୟୁନିଟ ଅଧିକ ବିଦ୍ୟୁତ ବ୍ୟବହାର କରିଥିବେ ତେବେ ତାଙ୍କୁ ସଂପୂର୍ଣ୍ଣ ବିଲ୍ ପୈଠ କରିବାକୁ ପଡିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଉପଭୋକ୍ତାଙ୍କୁ ମାଗଣାରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦେବା କେତେଦୂର ସମ୍ଭବ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ କେଜରୀୱାଲ କହିଥିଲେ, ଦିଲ୍ଲୀ ଓ ପଂଜାବରେ ‘ଆପ୍’ ସରକାର ଯେତେବେଳେ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୩୦୦ ଯୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ପାରୁଛନ୍ତି ଗୁଜରାଟରେ ତାହା ଦେବାରେ କି ଅସୁବିଧା ହେବ ?
‘ଆପ୍’ର ଘୋଷଣାକୁ ଅନ୍ୟମାନେ ବିରୋଧ କରୁଛନ୍ତି କାହିଁକି (?) ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଅନ୍ୟମାନେ ନୁହେଁ, କେବଳ ବିଜେପି ତାହାର ବିରୋଧ କରୁଛି, କାରଣ ଦଳ ‘ଆପ୍’କୁ ଭୟ କରୁଛି ବୋଲି କେଜରୀୱାଲ କହିଥିଲେ । ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଇତିମଧ୍ୟରେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଧିକ ଥର ଗୁଜରାଟ ଗସ୍ତରେ ଗଲେଣି । ବୁଧବାର ରାତିରେ ସେ ସୁରଟରେ ପହଂଚିବା ପରେ ଗୁରୁବାର ସ୍ଥାନୀୟ ଟାଉନ ହଲରେ ସାମ୍ବାଦିକଙ୍କୁ ଭେଟି ମାଗଣା ବିଦ୍ୟୁତ ଯୋଗାଣ କଥା ଘୋଷଣା କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଯାଇଥିବା ବେଳେ ଏକ ସାଧାରଣ ସଭାରେ ଦେଶରେ ଚାଲି ଥିବା ‘ରେବଡି’ ସଂସ୍କୃତି’ ବା ମାଗଣା ବଂଟା ସଂସ୍କୃତିର କଡ଼ା ସମାଲୋଚନା କରିଥିଲେ । ବିରୋଧୀଙ୍କୁ, ବିଶେଷକରି ଗୁଜରାଟ ରାଜନୀତିରେ କଂଗ୍ରେସର ବିକଳ୍ପ ଭାବେ ଉଭା ହୋଇଥିବା ‘ଆମ୍ ଆଦମୀ ପାର୍ଟି’କୁ ପରୋକ୍ଷ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ନିର୍ବାଚନ ଆସିଲେ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ମାଗଣା ସେବା ଯୋଗାଇ ଦେବାର ଘୋଷଣା କରୁଥିବା ଦେଶର ବିକାଶରେ ସବୁଠାରୁ ବଡ ଅନ୍ତରାୟ ହୋଇଛି । ଗୁଜରାଟବାସୀ ଏଥିରେ ବିଭ୍ରାନ୍ତ ନହେବାକୁ ସେ ପରାମର୍ଶ ଦେଇଥିଲେ ।
‘ଆପ୍’ ମୁଖ୍ୟ କେଜରୀୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନାର ଉତ୍ତର ଦେବାକୁ ଯାଇ ଆଜି କହିଛନ୍ତି, ଜନସାଧାରଣଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଭଳି ବିଭିନ୍ନ ମାଗଣା ସେବା ଯୋଗାଇ ଦିଆଯିବା ‘ପ୍ରସାଦ’ ବାଂଟିବା ଭଳି । କିନ୍ତୁ, ନିଜ ମନ୍ତ୍ରୀ ଓ ବ୍ୟବସାୟୀ ବନ୍ଧୁଙ୍କୁ ମାଗଣା ସେହି ସବୁ ସେବା ଯୋଗାଇ ଦେବା ଏବଂ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ କରିବା ହେଉଛି ‘ପାପ’ । ଯଦି ବିଜେପି ‘ରେବଡି’ ସଂସ୍କୃତି ବା ‘ମାଗଣା ବଂଟା’ ସଂସ୍କୃତିର ବିରୋଧୀ, ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଦଳର ପ୍ରମୁଖ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କେମିତି ନିର୍ବାଚନ ଇସ୍ତାହରରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇ ଦେବ ବୋଲି ଘୋଷଣା କରିଥିଲେ (?) ଏବଂ ହିମାଂଚଳ ପ୍ରଦେଶରେ ସରକାର କେମିତି ଉପଭୋକ୍ତାଙ୍କୁ ବିଦ୍ୟୁତ ଓ ପାନୀୟ ଜଳ ମାଗଣାରେ ଯୋଗାଉଛନ୍ତି (?) ବୋଲି କେଜରୀୱାଲ ପ୍ରଶ୍ନ କରିଛନ୍ତି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପି ମାଗଣା ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତି ଦେଇ ଗୁଜରାଟରେ ‘ରେବଡି’ ସଂସ୍କୃତି କଥା କହିବା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କଲା ଭଳି । ବିଜେପି ଭାବୁଛି ଗୁଜରାଟବାସୀ ବିଜେପି ସହ ଅଛନ୍ତି ଏବଂ ଦଳର ହାତ ଛାଡି ପାରିବେ ନାହିଁ । ତେଣୁ, ରାଜ୍ୟବାସୀଙ୍କୁ ହେୟଜ୍ଞାନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଜେପି ‘ଆମ୍ ଆଦମୀ ପାର୍ଟି’କୁ ଭୟ କରୁଥିବାରୁ ‘ରେବଡି’ ସଂସ୍କୃତି ନାମରେ ଅପପ୍ରଚାର କରୁଛି । ରାଜ୍ୟବାସୀ ଥରେ ଅନ୍ତତଃ ‘ଆପ୍’କୁ ବିପୁଳ ସଂଖ୍ୟାରେ ବିଜୟୀ କରି କ୍ଷମତାକୁ ଆଣନ୍ତୁ । ସରକାର ଯଦି ପ୍ରତିଶ୍ରୁତି ପାଳନରେ ବିଫଳ ହେବ ତେବେ ପରବର୍ତ୍ତୀ ନିର୍ବାଚନରେ ଦଳକୁ ପ୍ରତ୍ୟାଖାନ କରି ଦେବେ ବୋଲି କେଜରୀୱାଲ ଆହ୍ୱାନ ଦେଇଛନ୍ତି । ‘ଆପ୍’ ମୁଖ୍ୟ କେଜରୀୱାଲ ବୁଧବାର ରାତିରେ ସୁରଟ ବିମାନ ବନ୍ଦରରେ ପହଂଚିିବା ପରେ କହିଛନ୍ତି, ଇତିମଧ୍ୟରେ ସେ ଏକାଧିକ ଥର ଗୁଜୁରାଟ ଗସ୍ତ କରି ଲୋକଙ୍କ ସହ ମିଶିଲେଣି । ‘ଆପ୍’ ପ୍ର୍ରତି ଜନସାଧାରଣରେ ଭଲ ପାଇବା ଥିବା ସେ ଅନୁଭବ କରୁଛନ୍ତି । ବିଜେପି ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଛି । ରାଜ୍ୟବାସୀ ବିଜେପି ସରକାରକୁ ନେଇ ଅତିଷ୍ଟ । ତେଣୁ, ପରିବର୍ତ୍ତନ ଚାହୁଁଛନ୍ତି । ଏଥର ଗୁଜରାଟରେ ‘ଆପ୍’ ସରକାର ପ୍ରତିଷ୍ଠା ହେବା ନିଶ୍ଚିତ ବୋଲି ସେ ଦୃଢତାର ସହ କହିଛନ୍ତି । ‘ଆପ୍’ ମୁଖ୍ୟ କେଜରୀୱାଲଙ୍କ ସୁରଟ ଗସ୍ତ ପୂର୍ବରୁ ବିଜେପିର ଗୁଜରାଟ ଶାଖା ମୁଖ୍ୟ ସି.ଆର.ପାଟିଲ ଗତକାଲି ରାଜ୍ୟବାସୀଙ୍କୁ ବିରୋଧୀଙ୍କ ‘ରେବଡି’ ସଂସ୍କୃତିକୁ ନେଇ ସତର୍କ କରାଇ ଦେଇଥିଲେ । ଜନସାଧାରଣ ରେବଡି ସଂସ୍କୃତି ଦ୍ୱାରା ପ୍ରଭାବିତ ହେଲେ ଗୁଜରାଟ ତଥା ଦେଶରେ ଶ୍ରୀଲଙ୍କା ଭଳି ଘୋର ଅର୍ଥନୈତିକ ସଂକଟ ଦେଖା ଦେବ ବୋଲି ପାଟିଲ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS