ସୋନିଆଙ୍କୁ ଇଡ଼ିର ତିନି ଘଂଟା ଜେରା
ପ୍ରସାଦ ରାଓ
ଜୁଲାଇ ୨୧
‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ର ସହ ସଂପୃକ୍ତ ଏକ ଅର୍ଥ ଲେଣଦେଣ (ମନିଲଂଡରିଂ) ମାମଲାରେ ଆଜି ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ) କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦୀର୍ଘ ତିନି ଘଂଟା ଜେରା କରିଛି । ୭୫ ବର୍ଷ ବୟସ୍କା ସୋନିଆ ଇଡ଼ିର ତୃତୀୟ ସମନ ପାଇବା ପରେ ମଧ୍ୟାହ୍ନରେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଆଜିର ଜେରା ସରି ଥିଲେ ମଧ୍ୟ ଦ୍ୱିତୀୟ ଦଫା ଜେରା ପାଇଁ ତାଙ୍କୁ କିଛି ଦିନ ମଧ୍ୟରେ ଡକା ଯିବ ବୋଲି ସୂଚନା ମିଳିଛି । ଶ୍ରୀମତୀ ଗାନ୍ଧୀ କୋଭିଡ଼ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଜେରାର ସାମ୍ନା କରୁଥିବାରୁ ଇଡ଼ି ପକ୍ଷରୁ କୋଭିଡ଼ ପ୍ରୋଟୋକଲ୍ ପୂର୍ଣ୍ଣତଃ ପାଳନ କରାଯାଇଥିଲା । ଜଣେ ମହିଳା ଅତିରିକ୍ତ ନିର୍ଦେଶକଙ୍କ ସମେତ ଇଡ଼ିର ୫ ଜଣ ଅଧିକାରୀ ଆଜି ସୋନିଆଙ୍କୁ ଜେରା କରି ଥିଲେ । ଅନ୍ୟୁନ ୫୦ଟି ପ୍ରଶ୍ନ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା ବୋଲି ସୂଚନା ମିଳିଛି । ଇଡ଼ି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟାହ୍ନରେ ରାହୁଲ ଓ ପ୍ରିୟଙ୍କାଙ୍କ ସହ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଇଡ଼ି ମୁଖ୍ୟାଳୟରେ ପହଂଚିବା ପରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି କେବଳ ଝିଅ ପ୍ରିୟଙ୍କାଙ୍କୁ ନିକଟସ୍ଥ ଏକ କୋଠରୀରେ ଅପେକ୍ଷା କରିବାର ଅନୁମତି ମିଳି ଥିଲା । ଆଜି ସୋନିଆଙ୍କୁ ଇଡ଼ି ଜେରା ପାଇଁ ଡାକିବା ଘଟଣାକୁ କଂଗ୍ରେସ ଦଳ ପକ୍ଷରୁ ସମଗ୍ର ଦେଶରେ ବିରୋଧ କରାଯାଇଛି । ରାଜନୈତିକ ଅଭିସନ୍ଧି ରଖି କେନ୍ଦ୍ର ସରକାର ବରୋଧୀଙ୍କୁ ହାରାଶ କରିବା ସକାଶେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ସମୟରେ ବହୁ ନେତା ଗିରଫ ହୋଇଛନ୍ତି । ପାର୍ଲାମେଂଟ ପରିସରରେ ମଧ୍ୟ କଂଗ୍ରେସ ପକ୍ଷରୁ ଆଜି ଶକ୍ତି ପ୍ରଦର୍ଶନ ହୋଇଥିଲା । ‘ଇଡ଼ିର ଅପବ୍ୟବହାର ବନ୍ଦ କରାଯାଉ’ ବୋଲି ବ୍ୟାନର ଧରି ଥିବା କଂଗ୍ରେସ ନେତାମାନେ ପାର୍ଲାମେଂଟ ପରିସରରେ ଶୋଭାଯାତ୍ରା କରିଥିବା ବେଳେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ନିଜ ନେତାଙ୍କୁ ସମର୍ଥନ ଦେଇ ବିକ୍ଷୋଭ କରିଥିଲେ । ବିକ୍ଷୋଭକାରୀମାନେ କେତେକ ସ୍ଥାନରେ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିଥିବା ଏବଂ ରାସ୍ତାରେ ଯାନବାହନରେ ନିଆଁ ଲଗାଇ ଥିବା ଖବର ମିଳିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୂର୍ବରୁ ଇଡ଼ି ଜୁନ ୮ ଓ ଜୁନ ୨୩ରେ ସମନ କରିଥିଲେ ମଧ୍ୟ ସେ କରୋନା ଆକ୍ରାନ୍ତ ଥିବାରୁ ସମୟ ମାଗି ଥିଲେ । ଆଜି ହାଜର ହେବାକୁ ଏହା ଥିଲା ଇଡ଼ିର ତୃତୀୟ ସମନ । ‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ରର ପରିଚାଳନା ଦାୟିତ୍ୱରେ ଥିବା ଆସୋସିଏଟେଡ଼ ଜର୍ଣ୍ଣାଲ୍ସ ଲିମିଟେଡ଼ (ଏଜେଏଲ)କୁ ୟଂଗ୍ ଇଂଡ଼ିଆ ନାମକ ସଂସ୍ଥା ଅଧିଗ୍ରହଣ କରିବାରେ ଘୋର ଆର୍ଥିକ ଅନିୟମିତତା ହୋଇଥିବା ଏବଂ ଗାନ୍ଧୀ ପରିବାରର ଏଥିରେ ପ୍ରତ୍ୟକ୍ଷ ସଂପର୍କ ଥିବା ଅଭିଯୋଗ ଉପରେ ଇଡ଼ି ତଦନ୍ତ କରୁଛି । ଏହି କାରବାରରେ ଗାନ୍ଧୀ ପରିବାରର ଭୂମିକା କଣ ଥିଲା ଏବଂ ଅର୍ଥ ଲେଣଦେଣ କିଭଳି ହୋଇଥିଲା ଜାଣିବା ସକାଶେ ଇଡ଼ି ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଗାନ୍ଧୀ ପରିବାରର ଦାୟଦ ରାହୁଲ ଗାନ୍ଧୀଙ୍କୁ ନିକଟରେ ଇଡ଼ି ଦୀର୍ଘ ୫୦ ଘଂଟା ଜେରା କରିଥିଲେ । ଦେଶରେ ବ୍ରିଟିଶ ଶାସନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ଏହି ସମ୍ବାଦପତ୍ରର ପ୍ରତିଷ୍ଠା ହୋଇଥିଲେ । ଅନ୍ୟ କେତେକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଏଥିରେ ଅଂଶୀଦାର ରହି ଥିଲେ । ସ୍ୱାଧୀନତା ଆନ୍ଦୋଳନରେ ‘ନ୍ୟାସନାଲ ହେରାଲ୍ଡ’ କଂଗ୍ରେସର ମୁଖପତ୍ର ଥିଲା । ସ୍ୱାଧୀନତା ପରେ ସମ୍ବାଦପତ୍ର ଘୋର ଆର୍ଥିକ ସଂକଟର ସାମ୍ନା କରିବାରୁ ଏହାର ପରିଚାଳନା ଦାୟିତ୍ୱରେ ଥିବା ‘ଏଜେଏଲ୍’ଠାରୁ ଗାନ୍ଧୀ ପରିବାର ନିୟନ୍ତ୍ରଣରେ ଥିବା ‘ୟଂଗ୍ ଇଂଡ଼ିଆ’ ନାମକ ସଂସ୍ଥା ତାହାକୁ ଅଧିଗ୍ରହଣ କରିଛି । ଏଥିରେ ହୋଇଥିବା ଆର୍ଥିକ ଲେଣଦେଣକୁ ନେଇ ପ୍ରଥମେ ସିବିଆଇ ଓ ପରେ ଇଡ଼ି ତଦନ୍ତ ଜାରି ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS