୨୦୨୪ ମଧ୍ୟ ବିଜେପିର ?
ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୨୩
୨୦୨୨ ଜୁଲାଇରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାହାର ରଣନୀତି ଘୋଷଣା କରି ସାରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ନିର୍ବାଚନ ପୂର୍ବରୁ ଆଦିବାସୀ ସଂପ୍ରଦାୟ ଭୋଟର ଧୃବୀକରଣ କରି ଦଳ ବିରୋଧୀଙ୍କୁ ମାତ୍ ଦେବାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛି ତାହା ରାଷ୍ଟ୍ରପତି ନିର୍ବାଚନରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଚତୁର ଗୋଟି ଚାଳନା କରିଥିଲେ ସେଥିରେ ତାଙ୍କୁ ଆଶାତୀତ ସଫଳତା ମିଳିବା ସହ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ବିରୋଧୀ ରାଜନୈତିକ ଦଳଙ୍କ ପରିକଳ୍ପନାକୁ ଧୂଳିସାତ କରିଛି । ‘୨୦୨୪ରେ ମଧ୍ୟ ଦେଶରେ ବିଜେପି ସରକାର’ – ଦେଶବାସୀଙ୍କୁ ଏଭଳି ଏକ ବାର୍ତ୍ତା ଦେବାରେ ପ୍ରଧାନମନ୍ତ୍ରୀ ସକ୍ଷମ ହୋଇଛନ୍ତି । ଅପରପକ୍ଷରେ, ରାଷ୍ଟ୍ରପତି ନିର୍ବାଚନ ଫଳାଫଳରୁ ଦେଶରେ ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ଥିବା ଘୋର ସମନ୍ୱୟର ଅଭାବ, ବ୍ୟକ୍ତିଗତ ଅହଂକାର ଏବଂ ନେତୃତ୍ୱ ବିବାଦ ପଦାକୁ ଆସିଛି, ଯାହାକି ଆଗାମୀ ଦିନରେ ବିଜେପିକୁ ଭରପୁର ଫାଇଦା ଦେବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ବିଜେପି ଓ ଆରଏସଏସ୍ ର ଏଭଳି ଗୋଟି ଚଳାନାର ଉଦ୍ଦେଶ ହେଉଛି, ଦେଶର କୋଣ ଅନୁକୋଣରେ ରହୁଥିବା ଆଦିବାସୀ ସଂପ୍ରଦାୟକୁ ଗୌରାବାନ୍ୱିତ ହେବାର ସୁଯୋଗ ଦେଇ ୨୦୨୪ ନିର୍ବାଚନ ପୂର୍ବରୁ ଆଦିବାସୀ ସଂପ୍ରଦାୟକୁ ନେଇ ଏକ ରାଜନୈତିକ ଧୃବୀକରଣ କରାଯିବା । ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟାର ୮.୭ ପ୍ରତିଶତ ହେଉଛନ୍ତି ଆଦିବାସୀ ଏବଂ ବିଭିନ୍ନ ରାଜ୍ୟରେ ସେମାନଙ୍କ ଅସ୍ତିତ୍ୱ ରହିଛି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସେମାନେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ । ସେମାନଙ୍କ ଉତ୍ଥାନ ଦିଗରେ କାର୍ଯ୍ୟ କରିବା ପାଇଁ ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡରେ ସକ୍ରୀୟ ଥିବା ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’ ଭଳି ଆଂଗୁଠି ଆଗରେ ଗଣି ହେଲା ଭଳି ଅଳ୍ପ କିଛି ରାଜନୈତିକ ଦଳ ଅଛନ୍ତି । ଭୋଟ ଆସିଲେ ରାଜନୈତିକ ଦଳମାନେ ସେମାନଙ୍କ ପାଖକୁ ଯାଇଥା’ନ୍ତି । ଅନ୍ୟ ସମୟରେ ସେମାନେ ଭାଗ୍ୟକୁ ଆଦରି ଦାରିଦ୍ର ମଧ୍ୟରେ ଷଢନ୍ତି । ତେବେ, ଦେଶର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବର୍ଷ ବର୍ଷ ଧରି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ସକ୍ରୀୟ ରହିଛି ଏବଂ ‘ବନବାସୀ କଲ୍ୟାଣ ଆଶ୍ରମ’ମାନ ପ୍ରତିଷ୍ଠା କରି ଦୁର୍ଗମ ଅଂଚଳରେ ଆଦିବାସୀ ସଂପ୍ରଦାୟର ଶିକ୍ଷା, ସାଂସ୍କୃତିକ ବିକାଶରୁ ଆରମ୍ଭ କରି ଧର୍ମାନ୍ତରୀକରଣକୁ ରୋକିବା ଦିଗରେ କାର୍ଯ୍ୟ କରି ଆସୁଛି । ୨୦୨୪ ନିର୍ବାଚନ ପାଇଁ ବିଜେପି ଓ ଆରଏସଏସ୍ କୁ ଯେଉଁ ନୂଆ ଉର୍ଜାର ଆବଶ୍ୟକତା ରହିଛି ତାହା ଆଦିବାସୀ ବହୁଳ ଅଂଚଳରେ ଥିବା ମୋଦୀ ସରକାର ଅନୁଭବ କରିବା ପରେ ୧୫ତମ ରାଷ୍ଟ୍ରପତି ନିର୍ବାଚନରୁ ତାହାର ପରୀକ୍ଷା ଆରମ୍ଭ କରିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ଅଧିଷ୍ଠିତ କରି ବିରୋଧୀଙ୍କ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରିଛନ୍ତି ।
ବିଜେପି ଓ ଆରଏସଏସ୍ ର ଏହି ରଣନୀତି ସେମାନଙ୍କ ପାଇଁ ଘାତକ ହେବାକୁ ଯାଉଥିବା ୧୫ତମ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରୁ ବିରୋଧୀ ଅନୁଭବ କରୁଥିଲେ ମଧ୍ୟ ବ୍ୟକ୍ତିଗତ ଅହଂକାରରୁ ଉପରକୁ ଉଠି ପାରୁ ନଥିବାରୁ ସେମାନଙ୍କ ପାଇଁ ୨୦୨୪ ସ୍ୱପ୍ନ ଯେ ହାତପାଆନ୍ତାରେ ନାହିଁ, ତାହା ଅନୁମାନ କରି ହେଉଛି । ୨୦୧୪ ସାଧାରଣ ନିର୍ବାଚନରେ ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଜାତୀୟସ୍ତରରେ ଦଳର ନେତୃତ୍ୱ ନେଇ ଥିଲେ ଏବଂ ସେହି ସମୟରେ ୟୁପିଏ ସରକାର ବିରୋଧରେ ଥିବା ପ୍ରବଳ ଜନଅସନ୍ତୋଷକୁ ସଫଳତାର ସହ ନିଜ ପକ୍ଷକୁ ନେଇଥିଲେ ଏବଂ ଦେଶବ୍ୟାପୀ ମନମୋହନ ସରକାର ବିରୋଧରେ ପ୍ରବଳ ଜନମତ ସୃଷ୍ଟି କରି କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡ଼ିଏ ସରକାର ପ୍ରତିଷ୍ଠା କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିମୁଦ୍ରୀକରଣ, ଜିଏସଟି, କର୍ମ ନିଯୁକ୍ତି ସୃ୍େଟି କରିବାରେ ସରକାରଙ୍କ ବିଫଳତା ଭଳି ପ୍ରସଙ୍ଗ ମୋଦୀଙ୍କ ନେତୃତ୍ୱକୁ ଫିକା କରି ଦେଇଥିବା ବେଳେ ‘ହିନ୍ଦୁତ୍ୱ’ ଓ ‘ଜାତୀୟତାବାଦ’କୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା ଏବଂ ଦେଶବାସୀ ଲଗାତର ଦ୍ୱିତୀୟ ଥର ପାଇଁ ମୋଦୀଙ୍କୁ କ୍ଷମତାସୀନ କରିଥିଲେ ।
ଗଲା ତିନି ବର୍ଷ ମଧ୍ୟରେ ଦେଶବ୍ୟାପୀ ସାଂପ୍ରଦାୟିକ ଅଶୂୟା ବଢିଛି । ଅର୍ଥନୀତି ମଧ୍ୟ ବିଭିନ୍ନ କାରଣରୁ ବିପର୍ଯ୍ୟସ୍ତ ହୋଇଛି । ସାମ୍ବିଧାନିକ ଅନୁଷ୍ଠାନ ସବୁ ଅସୁରକ୍ଷିତ ରହିଥିବା ବେଳେ ବାକ୍ ସ୍ୱାଧୀନତା ମଧ୍ୟ ବିପନ୍ନ ହୋଇଛି । ଏସବୁ ପାଇଁ ବିରୋଧୀ ମୋଦୀ ସରକାରଙ୍କୁ ଦାୟି କରି ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ତାହାକୁ ଆଲୋଚନାର ପ୍ରସଙ୍ଗ କରିଥିବା ବେଳେ ବିଜେପି ଓ ଆରଏସଏସ୍ ରାଜନୀତିର ମୋଡ ବଦଳାଇବାକୁ ଆଦିବାସୀ କାର୍ଡକୁ ପ୍ରାଧାନ୍ୟ ଦେଇଛନ୍ତି । ଏନଡ଼ିଏ ତାହାର ନିଜସ୍ୱ ଭୋଟ ସହ ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦୀବାସୀ ସଂପ୍ରଦାୟଙ୍କ ଭୋଟର ଧୃବୀକରଣ କରି ନିଜ ସ୍ଥିତିକୁ ଅଧିକ ସୁଦୃଢ କରିବା ଦିଗରେ ରଣନୀତି ପ୍ରସ୍ତୁତି କରିଥିବା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱରୁ ସ୍ପଷ୍ଟ ହେଉଛି । ଦ୍ରୌପଦୀ ମୁର୍ମୁ ଏନଡ଼ିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ଥିବାରୁ ତାଙ୍କ ବିଜୟ ସୁନିଶ୍ଚିତ ଥିଲା । ତଥାପି, ‘ଆଦିବାସୀ ଭାବନା’କୁ ନେଇ ଦେଶବ୍ୟାପୀ ସମର୍ଥନର ଭିତ୍ତିଭୂମି ତିଆରି କରିବାକୁ ଏନଡ଼ିଏ ପକ୍ଷରୁ ଚତୁର ରଣନୀତି ପ୍ରସ୍ତୁତ କରାଯାଇଥିଲା । ଏନଡ଼ିଏର ଏହି ଚତୁର ରଣନୀତିର ଶିକାର ହୋଇଥିଲେ ଏନଡ଼ିଏ ବାହାରେ ଥିବା ଅଧିକାଂଶ ଆଂଚଳିକ ରାଜନୈତିକ ଦଳ ।
ଜୁଲାଇ ୨୧ରେ ପ୍ରକାଶିତ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଦେଶବାସୀଙ୍କୁ ବିସ୍ମିତ କରିଛି । ଇଲୋକ୍ଟୋରାଲ କଲେଜର ମୋଟ ଗଣତି ଯୋଗ୍ୟ ଭୋଟରୁ ୬୪ ପ୍ରତିଶତ ଏନଡ଼ିଏ ପ୍ରାର୍ଥୀ ମୁର୍ମୁଙ୍କୁ ମିଳି ଥିବା ବେଳେ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ପାଇଛନ୍ତି ୩୬ ପ୍ରତିଶତ ଭୋଟ । ଭାବମୂର୍ତ୍ତୀ ଦୃଷ୍ଟିରୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ସିହ୍ନା ଏନଡ଼ିଏ ପ୍ରାର୍ଥୀ ମୁର୍ମୁଙ୍କଠାରୁ କୌଣସି ଗୁଣରେ କମ୍ ନଥିଲେ । ତେବେ, ବିରୋଧୀ ଦଳମାନେ ଏକାଠି ନଥିବାରୁ ଏବଂ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଓ କ୍ଷମତା ବାହାରେ ଥିବା ଆଂଚଳିକ ଦଳମାନଙ୍କୁ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରବର୍ତ୍ତାଇବାରେ ବିଫଳ ହେବାରୁ ସିହ୍ନା ପରାଜୟର ସାମ୍ନା କରିଛନ୍ତି । ଏହା କେନ୍ଦ୍ରରେ ୨୦୧୪ରୁ କ୍ଷମତାରେ ଥିବା ବିଜେପିର ଦୂରଦୃଷ୍ଟି ଏବଂ ସଫଳ ରଣନୀତିକୁ ପ୍ରମାଣିତ କରୁଛି । ବିଜେପି ବିରୋଧରେ ଏକାଠି ହେବାର ଉପକ୍ରମ ଚଳାଇ ଥିବା ବିରୋଧୀଙ୍କ ଦୁର୍ବଳତାକୁ ମଧ୍ୟ ପଦାରେ ପକାଇଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ବିରୋଧୀଙ୍କ ରଣନୀତିକୁ ବିଜେପିର ଆଦିବାସୀ କାର୍ଡ ସଂପୂର୍ଣ୍ଣ ଧ୍ୱସ୍ତ କରି ଦେଇଛି । ୨୦୧୪ ଓ ୨୦୧୯ ପରି ୨୦୨୪ ମଧ୍ୟ ବିଜେପିର, ତାହା ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ସ୍ପଷ୍ଟ କରି ଦେଇଛନ୍ତି ।
ରାଷ୍ଟ୍ରପତି ନିର୍ବାଚନ ଫଳାଫଳ କଣ ହେବ ବିରୋଧୀ ଆଗରୁ ଜାଣି ଥିଲେ ମଧ୍ୟ ସୁନାମୀକୁ ରୋକିବାରେ ବିଫଳ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବା ନିଶ୍ଚିତ । ଅବଶ୍ୟ, ‘ଓବିସି’ ପ୍ରାର୍ଥୀତ୍ୱକୁ ନେଇ । ପଶ୍ଚିମ ବଙ୍ଗ ରାଜ୍ୟପାଳରୁ ଏନଡ଼ିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜଗଦୀପ ଧନକଡ଼ ହେଉଛନ୍ତି ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ର ପ୍ରତିନିଧି । ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଆଦିବାସୀ ମହିଳା କାର୍ଡ ଖେଳିବା ଭଳି ଉପ ରାଷ୍ଟ୍ରପତି ନିର୍ବାଚନରେ ଓବିସି ବିଧାୟକ ଓ ସାଂସଦଙ୍କ ନିଜ ସପକ୍ଷରେ ସଂଗଠିତ କରିବାର ରଣନୀତି ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି । ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା ମିଳିତ ବିରୋଧୀ ଦଳର ଉପ ରାଷ୍ଟ୍ରପତି ହେବା ପରେ ବିରୋଧୀ ଶିବିରରେ ଯେଉଁ ମତାନ୍ତର ସୃଷ୍ଟି ହେଲାଣି ତାହା ବିଜେପିକୁ ସୁହାଇବ ।
ଆଲଭାଙ୍କ ନାମ ମିଳିତ ବିରୋଧୀ ଦଳର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପୂର୍ବରୁ ତାଙ୍କ ସହ ଆଲୋଚନା କରି ନାହାନ୍ତି । ତେଣୁ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିରତ ରହିବ ବୋଲି ଟିିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା ବିରୋଧୀଙ୍କ ପାଇଁ ‘ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା’ ସଦୃଶ ହୋଇଛି । କଂଗ୍ରେସ ମଧ୍ୟ ମମତାଙ୍କୁ ‘ଏହା ବ୍ୟକ୍ତିଗତ ଅହଂକର’ ବୋଲି ପାଲଟା ଆକ୍ରମଣ କରିବାକୁ ପଛାଇ ନାହିଁ । ମମତା ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ତାଙ୍କର କଟ୍ଟର ବିରୋଧୀ ଏନଡ଼ିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଧନକଡଙ୍କୁ ଭେଟି ଆଲୋଚନା କରିଥିବା ଏବଂ ଧନକଡଙ୍କ ସପକ୍ଷରେ ଟିଏମସି ଭୋଟ ଦେବାକୁ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିବା ଖବର ବାହାରକୁ ଆସିବାରେ ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଂଟ ଗଠନ ଉଦ୍ୟମ ଟ୍ରାକ୍ ବାହାରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି ।
ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ମୁର୍ମୁ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବିଚାରଧାରାକୁ ସମ୍ମାନ ଓ ସୁରକ୍ଷା ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ମୁର୍ମୁ ମଧ୍ୟ ତାହାର ଉତ୍ତରରେ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବିଚାରଧାରାକୁ ସୁରକ୍ଷା ଦେବେ ବୋଲି ମମତାଙ୍କୁ ଆଶ୍ୱାସନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ମୁର୍ମୁଙ୍କୁ ୬ ଲକ୍ଷ ୭୬ ହଜାର ୮୦୩ ମୂଲ୍ୟରେ (ମୋଟ ଗଣତି ଯୋଗ୍ୟ ଭୋଟର ୬୪ ପ୍ରତିଶତ) ଭୋଟ ମିଳିବା ଓ ବିରୋଧୀ ପ୍ରାର୍ଥୀ ସିହ୍ନା ୩ ଲକ୍ଷ ୮୦ ହଜାର ୧୭୭ ମୂଲ୍ୟର ଭୋଟରେ ସୀମିତ ରହି ଯିବା ଯେତିକି ଚିନ୍ତାର କାରଣ ନୁହେଁ ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଉଦ୍ୟମରେ ଫାଟ ସୃଷ୍ଟି ହୋଇ କଂଗ୍ରେସ ଓ ଟିଏମସି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯିବା ସେତିକି ଚିନ୍ତାର କାରଣ ହୋଇଛି ।
ଓଡ଼ିଶାର ବିଜୁ ଜନତା ଦଳ, ଆନ୍ଧ୍ରର ୱାଏସଆରସିପି, ଝାଡ଼ଖଣ୍ଡର ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’, କର୍ଣ୍ଣାଟକରେ ବିରୋଧୀ ଜନତା ଦଳ (ଏସ୍), ପଂଜାବର ଅକାଳୀ ଦଳ, ମହାରାଷ୍ଟ୍ରରେ ଶିବସେନା ପଭୃତି ଏନଡ଼ିଏ ବାହାରେ ଥିବା ପ୍ରମୁଖ ରାଜନୈତିକ ଦଳ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ଭୋଟ ଦେବାକୁ ଆଗୁଆ ଘୋଷଣା କରିସାରିଥିଲେ । ତେବେ, ୧୮ଟି ରାଜ୍ୟର ୧୨୬ ବିଧାୟକ ଓ ୧୭ ଜଣେ ଅଣ-ଏନଡ଼ିଏ ସାଂସଦ ମୁର୍ମୁୁଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିବା ବିରୋଧୀ ରାଜନୈତିକ ଦଳଙ୍କୁ ନିରାଶ କରିଛି । ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଭଳି କ୍ରସ୍ ଭୋଟିଂ ହେଲେ ମୁର୍ମୁୁଙ୍କ ଭଳି ଏନଡ଼ିଏ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଧନକଡ ମଧ୍ୟ ବହୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବା ନିଶ୍ଚିତ । ଏହା ବିରୋଧୀ ଏକତାକୁ ନେଇ ଦେଶବାସୀଙ୍କ ନିକଟରେ କି ବାର୍ତ୍ତା ପହଂଚାଇବ ଯେ କେହି ଅନୁମାନ କରି ପାରିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS