ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ କଂଗାରୁ କୋର୍ଟ ଚଳାଇଛନ୍ତି : ପ୍ରଧାନ ବିଚାରପତି
ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୨୩
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଆଜି ରାଂଚିରେ ଅନୁଷ୍ଠିତ ଏକ ଏକାଡ଼େମିକ କାର୍ଯ୍ୟକ୍ରମରେ ଦେଶର ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମକୁ କଡା ସମାଲୋଚନା କରିଛନ୍ତି । ବିତର୍କ ନାମରେ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଯେଭଳି କଂଗାରୁ କୋର୍ଟ ଚାଲିଛି ତାହା ଦେଶକୁ ଦୁଇ ପାଦ ପଛକୁ ଟାଣୁଛି ବୋଲି ସେ ମନ୍ତବ୍ୟ ରଖିଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ‘ଏକପାଖିଆ’, ‘ଅଧା ପନ୍ତୁରିଆ’ ଏବଂ ‘ଆଜେଣ୍ଡା ଦ୍ୱାରା ପରିଚାଳିତ’ ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି ।
ସାମାଜିକ ଗଣମାଧ୍ୟମରେ ବିଚାରପତିଙ୍କୁ ଯୋଜନାବଦ୍ଧ ଭାବେ ସମାଲୋଚନା କରାଯାଉଥିବାରୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟସ ରମଣା କ୍ଷୋଭ ପ୍ରକାଶ କରି କହିଛନ୍ତି, ବିଚାରପତିମାନେ ତୁରନ୍ତ ଏହାର ପ୍ରତିକ୍ରିୟା ବ୍ୟକ୍ତ କରୁନଥିଲେ ମଧ୍ୟ ଏହା ସେମାନଙ୍କ ଦୁର୍ବଳତା ବା ଅସହାୟତା ବୋଲି ଧରି ନେବା ଠିକ୍ ନୁହେଁ । ଉଲ୍ଲେଖନୀୟ ଯେ, ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମା ଗତ ମାସ ପ୍ରାରମ୍ଭରେ ଏକ ଟିଭି ବିତର୍କରେ ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇ ଦେଶବ୍ୟାପୀ ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ । ଏହାକୁ ନେଇ ନୂପୁରଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରେ ଏତଲାମାନ ହୋଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସବୁ ଏତଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଉ ବୋଲି ନୂପୁର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ତେବେ, ସୁପ୍ରିମ କୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରି ନୂପୁରଙ୍କ ଆବେଦନକୁ ଖାରଜ କରିବା ସହ ନୂପୁର ନିଜର ଜିହ୍ୱାକୁ ନିୟନ୍ତ୍ରଣ କରିପାରୁନଥିବାରୁ ଦେଶବ୍ୟାପୀ ଏଭଳି ବିଷ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମନ୍ତବ୍ୟ ଦେଇଥିଲେ । ଏହାଛଡା, ନୂପୁର ପ୍ରଫେଟ୍ ମହମ୍ମଦଙ୍କ ପ୍ରତି ନିଜର ଅରୁଚିକର ମନ୍ତବ୍ୟ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ।
ନୂପୁରଙ୍କ ପ୍ରତି ଖଣ୍ଡପୀଠର ଏଭଳି ଟିପ୍ପଣୀକୁ ନେଇ ସାମାଜିକ ଗଣମାଧ୍ୟମରେ ସୁପ୍ରମି କୋର୍ଟ ଖଣ୍ଡପୀଠର ଦୁଇ ବିଚାରପତିଙ୍କୁ ଯୋଜନାବଦ୍ଧ ଭାବେ ଟ୍ରୋଲ୍ ବା ସମାଲୋଚନା କରାଯାଇଥିଲା । ପରେ ଅବଶ୍ୟ ନୂପୁରଙ୍କ ଆଉ ଏକ ଆବେଦନକୁ ବିଚାର କରି ସୁପ୍ରିମ କୋର୍ଟ ତାଙ୍କୁ ରିଲିଫ୍ ବା ସୁରକ୍ଷା ଦେଇଛନ୍ତି । ତେବେ, ପୂର୍ବ ରାୟକୁ ନେଇ ଦୁଇ ବିଚାରପତିଙ୍କୁ ଯେଭଳି ଯୋଜନାବଦ୍ଧ ଭାବେ ସମାଲୋଚନା କରା ଗଲା ତାହାକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରମାଣା ନାପସନ୍ଦ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଆସନ୍ତା ମାସରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଗଣମାଧ୍ୟମ ବାସ୍ତବ ସତ୍ୟ କଣ ନ ଜାଣି ଅଧିପନ୍ତୁରିଆ ତଥ୍ୟକୁ ଭିତ୍ ତି କରି ଏକପାଖିଆ ବିଚାର ରଖିବା ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ବିଚାର ବ୍ୟବସ୍ଥାର ମଧ୍ୟ କ୍ଷତି ପହଂଚାଉଛି ଏବଂ ନ୍ୟାୟିକ ପ୍ରକ୍ରିୟାରେ ବ୍ୟାଘାତ ସୃ୍େଟି କରୁଛି ବୋଲି ଜଷ୍ଟିସ ରମଣା କହିଛନ୍ତି ।
ସେ କହିଛନ୍ତି, ଅନେକ ମାମଲାରେ ଅଭିଜ୍ଞ ବିଚାରପତିମାନେ କି ଫଇସଲା ନେବେ ନିର୍ଣ୍ଣୟ କରିବାରେ ଦୋଦୋପାଂଚ ହେଉଥିବା ବେଳେ ମିଡ଼ିଆରେ କଂଗାରୁ କୋର୍ଟ ଚାଲୁଛି ଏବଂ ବିଚାର ବ୍ୟବସ୍ଥାକୁ ଦିଗ୍ଦର୍ଶନ ଦେବାର ଉଦ୍ୟମ କରାଯାଉଥିବା ଲକ୍ଷ୍ୟ କରାଯାଉଛି । କୌଣସି ମାମଲାର ଫଇସଲା ପାଇଁ ମିଡ଼ିଆ ଟ୍ରାଏଲ୍ ମାର୍ଗଦର୍ଶକ ହୋଇପାରିବ ନାହିଁ ବୋଲି ମନ୍ତବ୍ୟ ଦେଇ ଜଷ୍ଟିସ ରମଣା ଦେଶରେ ଛାପା ଗଣମାଧ୍ୟମ କିଛି ମାତ୍ରାରେ ପ୍ରଶଂସା କରିଛନ୍ତି । ଛାପା ଗଣମାଧ୍ୟମ କେତେକାଂଶରେ ଦାୟିତ୍ୱ ସଂପନ୍ନ ହୋଇ କାର୍ଯ୍ୟ କରୁଥିବା ବେଳେ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ଉତ୍ତରଦାୟିତ୍ୱ ନଥାଇ କାର୍ଯ୍ୟ କରୁଥିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି । ଉଭୟ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଦାୟିତ୍ୱବାନ ହେବାକୁ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସଚେତନ କରିବାରେ ନିୟୋଜିତ ହୋଇ ଦେଶର ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ପରାମର୍ଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS