‘ଭାରତ ଯୋଡୋ’ରୁ ଆରମ୍ଭ ହୋଇଛି ୨୦୨୪ ରାଜନୀତି !
ପ୍ରସାଦ ରାଓ
ସେପ୍ଟେମ୍ବର ୧୩
ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ପଦଯାତ୍ରାରୁ ଦେଶରେ ପୁରା ଦମ୍ ରେ ଆରମ୍ଭ ହୋଇଛି ୨୦୨୪ର ‘ବିଜେପି ହଟାଅ’ ରାଜନୀତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରଠାରୁ କଂଗ୍ରେସ ଦଳ ଘୋର ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଛି । ଦଳର ବହୁ ବରିଷ୍ଠ ଓ ଯୁବ ନେତା ନେତୃତ୍ୱ ବିରୋଧରେ ବିଦ୍ରୋହ କରି ଅନ୍ୟ ଦଳକୁ ଚାଲି ଗଲେଣି । ବିଶେଷକରି, କଂଗ୍ରେସ ଛାଡି ବିଜେପିକୁ ଯାଇଥିବା ନେତାଙ୍କ ମଧ୍ୟରୁ ଅଧିକାଂଶ ଭଲ ଭାବେ ଥଇଥାନ ହୋଇଥିବାରୁ ଦଳର ଅନ୍ୟ ନେତାମାନେ ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି । ଗତ ଆଠ ବର୍ଷ ମଧ୍ୟରେ କଂଗ୍ରେସ ଭାରତୀୟ ରାଜନୀତିର ମୁଖ୍ୟସ୍ରୋତରୁ ଅପସରି ଯାଇଥିବା ଏବଂ ଦେଶବାସୀ ଦଳକୁ ଆଉ ଗୁରୁତ୍ୱ ଦେଉ ନଥିବା ଅନୁଭବ କରିବା ପରେ ରାହୁଲ ଗାନ୍ଧୀ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଦେଶବାସୀଙ୍କ ଭାବନାକୁ ପୁଣି ଥରେ କଂଗ୍ରେସ ସହ ଯୋଡିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି କେନ୍ଦ୍ରରେ କ୍ଷମତା ଦଖଲ କରିବା ରାହୁଲ ଗାନ୍ଧୀଙ୍କ ଏହି ଅଭିଯାନର ମୂଳ ଉଦ୍ଦେଶ କୁହାଯାଉଥିବା ବେଳେ ବିଜେପି ପାଇଁ ଏହି ପଦଯାତ୍ରା ଚିନ୍ତାର କାରଣ ହୋଇଛି ।
ଦେଶର ଦକ୍ଷିଣାଂଚଳ ରାଜ୍ୟରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ପଦଯାତ୍ରାକୁ ନେଇ ବିଜେପି ଚିନ୍ତାରେ ପଡିବାର କାରଣ ହେଉଛି, ବିଗତ ଆଠ ବର୍ଷ ମଧ୍ୟରେ ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ଅପରିପକ୍ୱ ରାଜନେତା’ ଭାବେ ପ୍ରମାଣିତ କରିବାକୁ ତାହାର ସାମାଜିକ ଗଣମାଧ୍ୟମକୁ ପୂର୍ଣ୍ଣତଃ ବ୍ୟବହାର କରି ଆସିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କଠାରୁ ଆରମ୍ଭ କରି ଗୁଲାମ ନବୀ ଆଜାଦଙ୍କ ପର୍ଯ୍ୟନ୍ତ କଂଗ୍ରେସ ଦଳର ବହୁ ଯୁବ ଓ ବରିଷ୍ଠ ନେତା କଂଗ୍ରେସ ଛାଡିବା ପରେ ବିଜେପିର ରାହୁଲ ବିରୋଧୀ ପ୍ରଚାର ଅଭିଯାନର ପ୍ରମୁଖ ଅସ୍ତ୍ର ହୋଇଛନ୍ତି । ନିକଟରେ, କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (୭୩) ଦଳରୁ ଇସ୍ତଫା ଦେବା ଅବସରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଯେଉଁ ଲମ୍ବା ଚିଠି ଲେଖି ଥିଲେ ସେଥିରେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ‘ଅପରିପକ୍ୱ ନେତୃତ୍ୱ’ ଓ ଏକଛତ୍ର ରାଜନୀତିକୁ ଟାର୍ଗେଟ କରିଥିଲେ । ରାହୁଲଙ୍କ ପାଇଁ ଦଳରେ ‘ବିଚାର ବିମର୍ଷ ଏବଂ ମିଳିତ ନିଷ୍ପତ୍ତି ନେବା’ ପରଂପରା ଧ୍ୱସ୍ତ ହୋଇଛି ବୋଲି ଅଭିଯୋଗ କରିବା ସହ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟି କରିଥିଲେ ।
କଂଗ୍ରେସ ଛାଡୁ ଥିବା ନେତାମାନଙ୍କ ଏଭଳି ଆକ୍ରମଣ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ବେଶ୍ ସୁହାଉଛି । ତେବେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଭାରତକୁ ଯୋଡିବା ଆଳରେ ଯେଉଁ ପଦଯାତ୍ରା ଆରମ୍ଭ କରିଛନ୍ତି ତାହା କଂଗ୍ରେସକୁ ପୁଣି ଥରେ ଦେଶବାସୀଙ୍କ ନିକଟତର କରି ଦଳକୁ ଭାରତୀୟ ରାଜନୀତିର ମୁଖ୍ୟସ୍ରୋତକୁ ଫେରାଇ ଆଣିପାରେ ବୋଲି ଏକ ସମ୍ଭାବନା ସୃଷ୍ଟି ହୋଇଛି । ଏହାଛଡା, ଗତ ଆଠ ବର୍ଷ ମଧ୍ୟରେ ଶାସକ ବିଜେପି ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରି ରାହୁଲଙ୍କ ସଂପର୍କରେ ଯେଉଁ ଅବଧାରଣା ସୃଷ୍ଟି କରିଛି ତାହା ପଦଯାତ୍ରା ସମୟରେ ଦୂର ହୋଇ ଏକ ଅନୁକୂଳ ଧାରଣା ସୃଷ୍ଟି କରିବା ସମ୍ଭାବନା ମଧ୍ୟ ରହିଛି । ଏସବୁ ବ୍ୟତୀତ, ଦେଶରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ମୁଦ୍ରସ୍ଫୀତି ଏବଂ ଧାର୍ମିକ ଅସହିଷ୍ଣୁତା ବଢି ଚାଲିଛି । ବିରୋଧୀ ଶକ୍ତିଶାଳୀ ହେଲେ ଦେଶବାସୀଙ୍କ ମନରେ ଅବଦମିତ ଅବସ୍ଥାରେ ଥିବା ବିଜେପି ବିରୋଧୀ ମନୋଭାବ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ମଧ୍ୟ ରହିଛି । ତେଣୁ, ରାହୁଲଙ୍କ ପଦଯାତ୍ରାକୁ ନେଇ ବିଜେପିର ଚିନ୍ତା ବଢିବା ସ୍ୱାଭାବିକ ।
ରାହୁଲଙ୍କ ପଦଯାତ୍ରାକୁ ନେଇ ବିଜେପି ଯେଭଳି ପ୍ରତିକ୍ରିୟାଶୀଳ ହୋଇଛି ସେଥିରୁ ବିଜେପି ନେତୃତ୍ୱର ଅଶଙ୍କା ପ୍ରତିଫଳିତ ହେଉଛି । ପଦଯାତ୍ରାରେ ବ୍ୟବହାର କରାଯାଉଥିବା ଏୟାର କଂଡ଼ିସନ୍ ଯୁକ୍ତ କଂଟେନର ବା ଗାଡି ଏବଂ ପଦଯାତ୍ରା ସମୟରେ ରାହୁଲ ପରିଧାନ କରୁଥିବା ଟି-ସାର୍ଟର ମୂଲ୍ୟକୁ ନେଇ ବିଜେପି ତାଙ୍କୁ ଘେରିବାକୁ ଉଦ୍ୟମ କରୁଛି । ଶାସକ ଦଳର ସମର୍ଥନରେ ଥିବା ମିଡ଼ିଆରେ ମଧ୍ୟ ଏହା ବିତର୍କର ପ୍ରମୁଖ ପ୍ରସଙ୍ଗ ରହିଛି । କଂଗ୍ରେସର ଅଫିସିଆଲ ଟ୍ୱିଟର ପୃଷ୍ଠାରେ ପ୍ରସାରିତ ଏକ ‘ଟ୍ୱିଟ୍’ରେ ବ୍ୟବହୃତ ପ୍ରତିକାତ୍ମକ ଛବି (ହାଫ୍ ପ୍ୟାଂଟରେ ନିଆଁ ଲାଗି ଧୂଆଁ ଉଠୁଥିବା) ଏବେ କଂଗ୍ରେସ-ବିଜେପି ବିବାଦର ପ୍ରମୁଖ ପ୍ରସଙ୍ଗ ହୋଇଛି । କଂଗ୍ରେସ ଦଳ ପ୍ରସାରିତ ଛବିକୁ ‘ପ୍ରତିକାତ୍ମକ’ କହୁଥିବା ବେଳେ ଜଳୁଥିବା ହାଫ୍ ପ୍ୟାଂଟ ଛବିକୁ ଆରଏସଏସ୍ ସହ ଯୋଡି ବିଜେପି ରାହୁଲଙ୍କ ପଦଯାତ୍ରା ‘ଭାରତକୁ ଯୋଡିବା ପାଇଁ ନୁହେଁ, ଭାରତକୁ ହିଂସା ମୁହଁକୁ ଠେଲି ଦେବାକୁ ଉଦ୍ଦିଷ୍ଟ’ ବୋଲି ସମାଲୋଚନା କରୁଛି । ଦଳର ଜାତୀୟ ମୁଖପାତ୍ରମାନେ ଏହି ପ୍ରସଙ୍ଗକୁ ନେଇ ବେଶ୍ ମୁଖର ।
ରହୁଲ ଗାନ୍ଧୀ ତମିଲନାଡୁର କନ୍ୟାକୁମାରୀରୁ ପଦଯାତ୍ରା ଆରମ୍ଭ କରିଥିବା ବେଳେ କନ୍ୟାକୁମାରୀରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ସ୍ମାରକୀ ଦର୍ଶନ କରି ବିବେକାନନ୍ଦଙ୍କୁ ଉପଯୁକ୍ତ ସମ୍ମାନ ଜଣାଇଲେ ନାହିଁ କାହିଁକି (?) ଏବଂ ୟୁପି ଗାନ୍ଧୀ ପରିବାରର ମୌଳିକ ରାଜନୈତିକ କ୍ଷେତ୍ର ହୋଇଥିଲେ ମଧ୍ୟ ରାହୁଲ ଦକ୍ଷିଣାଂଚଳରୁ ପଦଯାତ୍ରା ଆରମ୍ଭ କରି ସାଂସଦ ଥିବା କେରଳ ରାଜ୍ୟରେ ୧୮ ଦିନ ପଦଯାତ୍ରା କାର୍ଯ୍ୟକ୍ରମ ରଖିଥିବା ବେଳେ ୟୁପିରେ ମାତ୍ର ଦୁଇ ଦିନ ପଦଯାତ୍ରା କରିବାକୁ ଧାର୍ଯ୍ୟ କରିଛନ୍ତି କାହିଁକି (?) ବୋଲି ପ୍ରଶ୍ନ ଗଣମାଧ୍ୟମ ସାମ୍ନାକୁ ଆଣି ବିଜେପି ରାହୁଲଙ୍କ ଠାରୁ ଉତ୍ତର ଦାବି କରୁଥିବା ବେଳେ ଏସବୁକୁ ‘ଅପ୍ରସଙ୍ଗ’ ଦର୍ଶାଇ କଂଗ୍ରେସ ଦରବୃଦ୍ଧି, ମୁଦ୍ରାସ୍ଫୀତି ଓ ଧାର୍ମିକ ଅସହିଷ୍ଣୁତା ଉପରେ ବିଜେପି ଚର୍ଚ୍ଚା କରୁ ବୋଲି ଦାବି କରିଛି । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଦେଶବାସୀଙ୍କ ଉପରେ କିଛି ପ୍ରଭାବ ପକାଉ ବା ନପକାଉ ଏହାକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା ଓ କଂଗ୍ରେସର ଉତ୍ତର ପଦଯାତ୍ରାର ଗୁରୁତ୍ୱ ବଢାଇ ଦେଇଛି ।
ନଜର ହଟାଇବା ଉଦ୍ୟମ ?
ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ‘ଭାରତ ଯୋଡୋ’ ପଦଯାତ୍ରା ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିବା ବେଳେ ଆଜି ବେଂଗଲରେ ବିଜେପିର ‘ହଲ୍ଲା ବୋଲ୍’ ପଦଯାତ୍ରାରୁ ଲୋକଙ୍କ ନଜର ହଟାଇବା ଉଦ୍ୟମ ବୋଲି ଆଲୋଚନା ହେଉଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରର ଦୁର୍ନୀତି ଏବଂ ତାନାଶାହୀ ବିରୋଧରେ କୋଲକତା ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ବ୍ୟାପକ ହିଂସା ଓ ଜଳାପୋଡା ହୋଇଥିବା ଖବର ମିଳିଛି । ପୁଲିସ ପକ୍ଷରୁ ମଧ୍ୟ ହିଂସାର ଆଶ୍ରୟ ନେଇଥିବା ବିଜେପି ସମର୍ଥକଙ୍କ ଉପରେ ଲୁହବୁହା ବାଷ୍ପ ପ୍ରୟୋଗ ଓ ପାଣିମାଡ କରାଯାଇଥିଲା । କଲିକତାରେ ବହୁସଂଖକ ବିଜେପି ସମର୍ଥକ ସଚିବାଳୟ ଘେରିବାକୁ ପଦଯାତ୍ରା ଯିବା ସମୟରେ ଦ୍ୱିତୀୟ ହୁବୁଳି ବ୍ରିଜ୍ ନିକଟରୁ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲେ । ପଶ୍ଚିମ ବଂଗ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀ, ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କ ସମେତ ବହୁ ନେତା ପୁଲିସ ଦ୍ୱାରା ଅଟକ ଅଛନ୍ତି ।
ଶୁଭେନ୍ଦୁ ଅଧିକାରୀ ସାନ୍ତ୍ରାଗାଛିରୁ ବିଜେପି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ବିଜେପିର ଜାତୀୟ ଉପ ସଭାପତି ଦିଲ୍ଲୀପ ଘୋଷ ଉତ୍ତର କୋଲକାତାରୁ ବିକ୍ଷୋଭକାରୀଙ୍କ ନେତୃତ୍ୱ ନେଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ରାଜ୍ୟବାସୀଙ୍କ ସମର୍ଥନ ନାହିଁ । ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସରକାର ଅନୁମତି ଦେଉ ନାହାନ୍ତି । ମମତା ରାଜ୍ୟକୁ ଉତ୍ତର କୋରିଆରେ ପରିଣତ କରିଛନ୍ତି ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ନେତାମାନେ ଅଭିଯୋଗ କରିଛନ୍ତି ।
‘କଂଗ୍ରେସ ସମାପ୍ତ ହୋଇ ଗଲାଣି’.. କହିଲେ କେଜରୀୱାଲ
ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବେ ଗୁଜରାଟ ଗସ୍ତରେ ଅଛନ୍ତି । ଆଜି ସେ ଅହମ୍ମଦାବାଦ ଟାଉନ ହଲଠାରେ ସାନିଟାରୀ କର୍ମଚାରୀଙ୍କୁ ଉଦବୋଧନ ଦେବା ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ‘ଗୁଜରାଟରେ କଂଗ୍ରେସ ସମାପ୍ତ ହୋଇ ଗଲାଣି’ ବୋଲି କହିଛନ୍ତି । ପଂଜାବରେ କ୍ଷମତାରେ ଥିବା ‘ଆପ୍’ ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ବେଳେ ଓ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେବା ସ୍ଥିତିରେ ନଥିବା ବେଳେ ଗୁଜରାଟରେ ‘ଆପ୍’ର ନିର୍ବାଚନ ପ୍ରଚାର (ବିଜ୍ଞାପନ) ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜଣେ ସମ୍ବାଦଦାତା କେଜରୀୱାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ‘କିଏ ଅଭିଯୋଗ କରିଛି’ ବୋଲି କେଜରୀୱାଲ ପ୍ରଶ୍ନ କରିଥିଲେ । କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ହୋଇଥିବା ଜାଣିବା ପରେ ସେ ପ୍ରତିକ୍ରିୟା ରଖି ‘ଗୁଜରାଟରେ କଂଗ୍ରେସ ସମାପ୍ତ ହୋଇ ସାରିଛି, ତେଣୁ ସେମାନଙ୍କ ପ୍ରଶ୍ନକୁ ଗୁରୁତ୍ୱ ଦିଆଯିବା ଅନାବଶ୍ୟକ’ ବୋଲି କହିଥିଲେ । ଜନସାଧାରଣ ସେମାନଙ୍କ କଥା ଜାଣନ୍ତି । ତେଣୁ, କେହି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ମଧ୍ୟ କେଜରୀୱାଲ ଟିପ୍ପଣୀ ଦେଇଥିଲେ ।
ଗୁଜରାଟରେ ‘ଆପ୍’ ନିଜକୁ ବିଜେପିର ଏକମାତ୍ର ବିକଳ୍ପ ଭାବେ ବିଚାର କରୁଛି ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ରାଜ୍ୟର ସମସ୍ତ ବିଧାନସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବ ବୋଲି ଦଳର ନେତା କେଜରୀୱାଲ ଘୋଷଣା କରିସାରିଛନ୍ତି । ଗୁଜରାଟ କଂଗ୍ରେସକୁ ନେଇ କେଜରୀୱାଲଙ୍କ ମନ୍ତବ୍ୟ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଦେଶରେ ଏକ ବିରୋଧୀ ମେଂଟ ଗଠନ ଉଦ୍ୟମକୁ ପ୍ରଭାବିତ କରିବା ନିଶ୍ଚିତ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡ଼ିଏ ଛାଡିବା ପରେ ଦେଶର ସମସ୍ତ ଅଣ-ବିଜେପି ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ସେଥିରେ କଂଗ୍ରେସକୁ ସାମିଲ କଲେ ହିଁ ଦେଶରେ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ଗଠନ ସମ୍ଭବ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ଗୁଜରାଟ କଂଗ୍ରେସକୁ ନେଇ ‘ଆପ୍’ ମୁଖ୍ୟଙ୍କ ପ୍ରତିକୂଳ ମନ୍ତବ୍ୟ ବିରୋଧୀ ମେଂଟ ଉଦ୍ୟମ ପ୍ରତି ଏକ ଝଟକା ବୋଲି କହିବା ଭୁଲ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS