ନାଗରିକତା (ସଂଶୋଧନ) ଆଇନ ଉପରେ ସୁପ୍ରିମ କୋର୍ଟରେ ଶୁଣାଣୀ ୧୯ରେ
ପ୍ରସାଦ ରାଓ
ନୂଆଦିଲ୍ଲୀ
ସେପ୍ଟେମ୍ବର ୧୨
୨୦୨୦ ଜାନୁୟାରୀ ୧୦ ତାରିଖରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାରଙ୍କ ନୂତନ ନାଗରିକତ୍ୱ (ସଂଶୋଧନ) ଆଇନକୁ ବିରୋଧ କରି ସୁପ୍ରିମ କୋର୍ଟରେ ଆଗତ ଅନ୍ୟୁନ ୨୨୦ଟି ଆବେଦନ ଉପରେ ଆସନ୍ତା ୧୯ ତାରିଖ ଶୁଣାଣୀ ହେବ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଲିତ ଓ ବିଚାରପତି ଏସ.ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ତାରିଖ ଧାର୍ଯ୍ୟ କରିଛନ୍ତି । ବାସ୍ତବରେ, ଆଜି ଏସବୁ ଆବେଦନର ଶୁଣାଣୀ ହେବାକୁ ଥିଲା । କିନ୍ତୁ, ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜିର ଶୁଣାଣୀକୁ ସ୍ଥଗିତ ରଖି ପରବର୍ତ୍ତୀ ଶୁଣାଣୀ ୧୯ ତାରିଖରେ ହେବ ବୋଲି କହିଛନ୍ତି । କେନ୍ଦ୍ର ସରକାର ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଲୋକସଭା ଓ ୧୧ ତାରିଖରେ ରାଜ୍ୟସଭାରେ ସିଏଏ ବା ନାଗରିକତ୍ୱ (ସଂଶୋଧନ) ଆଇନ, ୨୦୧୯ ବିଲ୍ ଗୃହୀତ କରାଇବା ପରେ ୧୨ ତାରିଖ ଦିନ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । ତେବେ, ସଂସଦରେ ସିଏଏ ଗୃହୀତ ହେବା ପୂର୍ବରୁ ଆସାମରେ ପ୍ରଥମେ ତାହା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସଂସଦରେ ସିଏମଏ ବିଲ୍ ଗୃହୀତ ହେବା ପରେ ସମଗ୍ର ଦେଶରେ ତାହା ବିରୋଧରେ ପ୍ରତିକ୍ରୀୟା ଦେଖିବାକୁ ମିଳି ଥିଲା । ସିଏଏକୁ ବିରୋଧ କରି ୨୦୧୯ ଡ଼ିସେମ୍ବର ୧୮ ତାରିଖରେ ପ୍ରଥମ ମାମଲା ସୁପ୍ରିମ କୋର୍ଟରେ ବିଚାର ପାଇଁ ଆସି ଥିଲା । ଇତିମଧ୍ୟରେ ନାଗରିକତ୍ୱ (ସଂଶୋଧନ) ଆଇନ, ୨୦୧୯କୁ ବିରୋଧ କରି ସୁପ୍ରିମ କୋର୍ଟରେ ଅନ୍ୟୁନ ୨୨୦ ଆବେଦନ ପଂଜୀକୃତ ରହିଛି । ଜଷ୍ଟିସ ଲଲିତ ନିକଟରେ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବା ପରେ ସିଏଏକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ପଂଜୀକୃତ ଥିବା ସମସ୍ତ ଆବେଦନକୁ ଏକାଠି ତାଲିକାଭୁକ୍ତ କରାଇଛନ୍ତି ଏବଂ ଏହି ପ୍ରସଙ୍ଗ ଉପରେ ଶୁଣାଣୀ ଆରମ୍ଭ କରିଛନ୍ତି । ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମଏଲ), ତୃଣମୂଳ କଂଗ୍ରେସ ପାର୍ଟି ସାଂସଦ ମହୁଆ ମୈତ୍ର, ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ଏଆଇଏମଆଇଏମ ମୁଖ୍ୟ ଅସାଉଦ୍ଦିନ ଓୱେସୀ, କଂଗ୍ରେସ ନେତା ଦେବବ୍ରତ ସାଇକିଆ ପ୍ରମୁଖଙ୍କ ସମେତ ବିଭିନ୍ନ ଏନଜିଓ ଏବଂ ଆଇନ ଛାତ୍ରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ସିଏଏକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଛି । କେରଳ ସରକାର ହେଉଛନ୍ତି ଦେଶର ପ୍ରଥମ ରାଜ୍ୟ ସରକାର ଟିଏକି ସିଏଏକୁ ବିରୋଧ କରି ୨୦୨୦ରେ ସୁପ୍ରିମ କୋର୍ଟରେ ମାମଲା କରିଛନ୍ତି । ସିଏଏରେ ଥିବା ବ୍ୟବସ୍ଥା ଅନୁସାରେ ଆଫଗାନିସ୍ଥାନ, ବାଂଲାଦେଶ ଓ ପାକିସ୍ତାନରେ ଧାର୍ମିକ ଉତ୍ପିଡନର ଶିକାର ହୋଇ ୨୦୧୪ ଡ଼ିସେମ୍ବର ୩୧ ତାରିଖ ବା ତା’ ପୂର୍ବର ଭାରତକୁ ପଳାଇ ଆସି ଦେଶରେ ଆଶ୍ରୟ ନେଇ ଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ଶି ଓ ଖ୍ରୀଷ୍ଟିଆନ ସଂପ୍ରଦାୟ ଲୋକଙ୍କୁ ଫାଷ୍ଟଟ୍ରାକ୍ ମାଧ୍ୟମରେ ସରକାର ଦେଶର ନାଗରିକତ୍ୱ ପ୍ରଦାନ କରି ପାରିବେ । ତେବେ, ଆଇନରେ ମୁସଲମାନ ସଂପ୍ରଦାୟ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବା କଥା ଉଲ୍ଲେଖ ନାହିଁ, ଯାହାକି ବିବାଧର କାରଣ ହୋଇଛି । ଏହି ଆଇନ ମୁସଲିମ୍ ବିରୋଧୀ ବୋଲି କହି ଏହାର ବିରୋଧ ହେଉଛି । ସିଏଏକୁ ବିରୋଧ କରି ପ୍ରଥମେ ଆସାମରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ପରେ ତାହା ଦେଶର ଅନ୍ୟତ୍ର ବ୍ୟାପିଥିଲା । ୨୦୧୯ ଡ଼ିସେମ୍ବରରେ ଦିଲ୍ଲୀ ସମେତ ପୂର୍ବାଂଚଳ ଓ ଉତ୍ତର-ପୂର୍ବାଂଚଳ ରାଜ୍ୟରେ ସିଏଏ ବିରୋଧରେ ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳି ଥିଲା । ବିଭିନ୍ନ ଅଣ-ବିଜେପି ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ବିରୋଧୀ ଚାଲିଥିବା ଆନ୍ଦୋଳନକୁ ସମଥନ ଜଣାଇ ତାହାକୁ ବ୍ୟାପକ କରିଥିଲେ । ଦିଲ୍ଲୀର ସାହିନ ବାଗ୍ ଠାରେ ମୁସଲିମ୍ ମହିଳାମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲୁ ରଖିବା ଦ୍ୱାରା ତାହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ହିଂସାତ୍ମକ ପ୍ରତିବାଦ ଓ ବ୍ୟାପକ ଜଳାପୋଡା ହେବାରୁ ପୁଲିସ ବଳପୂର୍ବକ କ୍ୟାଂପସରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାଂପସରେ ଛାତ୍ରଙ୍କ ହିଂସା ଓ ପୁଲିସର କାର୍ଯ୍ୟାନୁଷ୍ଠାନରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହେବା ସହ ଶତାଧିକ ଗିରଫ ହୋଇଥିଲେ । ୨୦୧୯ ଡ଼ିସେମ୍ବର ୨୭ ସୁଦ୍ଧା ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଗିରଫ ହୋଇଥିଲେ ଏବଂ ହିଂସାକାଣ୍ଡରେ ଅନ୍ୟୁନ ୨୭ଟି ମୃତ୍ୟୁ ଘଟିଥିଲା । ୨୦୧୯ ଡ଼ିସେମ୍ବର ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ ସିଏଏ ବିଲ୍ ଆଗତ କରିଥିଲେ । ଡ଼ିସେମ୍ବର ୧୦ ତାରିଖ ଦିନ ତାହା ଲୋକସଭାରେ ଓ ୧୧ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ୨୦୧୯ ଡ଼ିସେମ୍ବର ୧୨ ତାରିଖ ଦିନ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନଲ୍ଲାଭ କରିବା ପରେ ଆଇନରେ ପରିଣତ ହୋଇଥିଲା । ରାଜ୍ୟସଭାରେ ବିଲ୍ ଗୃହୀତ କରାଇବାରେ ଜେଡ଼ିୟୁ, ଏଆଇଏଡ଼ିଏମକେ, ବିଜୁ ଜନତା ଦଳ ଭଳି ରାଜନୈତିକ ଦଳମାନେ ବିଜେପିକୁ ସମର୍ଥନ ଦେଇଥିଲେ । ଏହି ଆଇନକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନଗୁଡିକ ଉପରେ ସୁପ୍ରିମ କୋର୍ଟ ପ୍ରଥମେ କୌଣସି ଅନ୍ତରୀଣ ଆଦେଶ ଜାରି କରିବାକୁ ମନା କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିବା ପରେ ହିଁ ଅଦାଲତ ଯାହା ଆଦେଶ ଜାରି କରିବେ ବୋଲି କହିଥିଲେ । କୋଭିଡ଼ ପରିସ୍ଥିତିରେ ସୁପ୍ରିମ କୋର୍ଟରେ ସିଏଏ, ଏନଆରସି ବିରୋଧୀ ଆବେଦନଗୁଡିକ ଉପରେ ଶୁଣାଣୀ ହୋଇପାରିନଥିଲା । ଜଷ୍ଟିସ ୟୁ.ୟୁ.ଲଲିତ ଦେଶର ପ୍ରଧାନ ବିଚାରପତି ହେବା ପରେ ସିଏଏକୁ ଥିବା ଆବେଦନଗୁଡିକ ଉପରେ ଶୁଣାଣୀ ଆରମ୍ଭ ହେବାକୁ ଯାଉଛି । କେବଳ ନାଗରିକତ୍ୱ (ସଂଶୋଧନ) ଆଇନ ବା ସିଏଏ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଜାତୀୟ ନାଗରିକତା ପଂଜୀକରଣ ଆଇନ (ଏନଆରସି)କୁ ମଧ୍ୟ ଦେଶବ୍ୟାପୀ ବିରୋଧ କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS