୨୦୨୪ରେ ଭାରତ ‘ବିଜେପି ମୁକ୍ତ’ ହେବ ନା ‘ବିରୋଧୀ ମୁକ୍ତ’ ?
ପ୍ରସାଦ ରାଓ
ସେପ୍ଟେମ୍ବର ୦୮
୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ । ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେପି ବନାମ ବିରୋଧୀ ହେବାକୁ ଥିବା ବେଳେ ଦେଶରେ ଏଯାବତ୍ ସେଭଳି କିଛି ଉତ୍କଂଠା ସୃଷ୍ଟି ହୋଇ ନାହିଁ । ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଚରମରେ ପହଂଚିଛି । ଦେଶରେ ବେକାର ସମସ୍ୟା ମଧ୍ୟ ଉକ୍ରଟ ରହିଛି । ସ୍ୱଚ୍ଛଳତା ଓ ଦାରିଦ୍ର୍ୟ ମଧ୍ୟରେ ଅନ୍ତର ବହୁଗୁଣ ବଢିଛି । ଧାର୍ମିକ ଅଶୂୟା ଭାବ ଏବଂ ହିଂସା ସମଗ୍ର ଦେଶକୁ କବଳିତ କରି ରଖିଛି । ବାକ୍ ସ୍ୱାଧୀନତାକୁ ନେଇ ଦେଶରେ ରାଜନୈତିକ ବ୍ୟାଖ୍ୟା ମଧ୍ୟ ବଦଳି ଯାଇଛି । ସମଗ୍ର ଦେଶରେ ଏଭଳି ଏକ ଅଶ୍ୱସ୍ତିର ବାତାବରଣ ରହିଥିବା ବେଳେ ଗୋଟିଏ ବର୍ଷ ପରେ ଦେଶ ଏକ ସାଧାରଣ ନିର୍ବାଚନର ସାମ୍ନା କରିବାକୁ ଯାଉଛି ।
ଦେଶରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଶାସକ ବିଜେପି ଓ ଆରଏସଏସକୁ ବହୁମାତ୍ରାରେ ଦାୟି କରାଯାଉଥିବା ବେଳେ ପରିସ୍ଥିତିରେ ସୁଧାର ଆଣିବା ଦିଗରେ ବିରୋଧୀ କେତେଦୂର ସକ୍ଷମ ହେବେ, ତାହା ଆଜି ଦିନରେ ବଡ଼ ପ୍ରଶ୍ନ ହୋଇଛି । ସ୍ୱାଧୀନତା ପରେ ଦୀର୍ଘ ବର୍ଷ ଧରି ଦେଶ କଂଗ୍ରେସ ଶାସନରେ ଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଡକ୍ଟର ମନମୋହନ ସିଂହଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଶାସନର ମଂଗ ଧରି ଥିଲେ । ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳକୁ ସ୍ୱର୍ଣିମ ସମୟ ବୋଲି ଅଧିକାଂଶ ସ୍ୱୀକାର କରନ୍ତି । କାରଣ, ଏହି ସମୟ ଖଣ୍ଡରେ ଦେଶର ବିକାଶ ସହ ସାଂପ୍ରଦାୟିକ ସୌହାର୍ଦ୍ଧ୍ୟର ବାତାବରଣ ରହିଥିଲା ।
ବାଜପେୟୀଙ୍କ ପରେ ୨୦୧୪ରୁ ଦେଶର ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ବିକାଶ, ଜାତୀୟତାବାଦ ଓ ହିନ୍ଦୁତ୍ୱକୁ ନେଇ ଗଲା ଆଠ ବର୍ଷ ହେଲା ଯେଉଁ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ତାହା ଦେଶକୁ ଶକ୍ତିଶାଳୀ କରିଥିଲେ ମଧ୍ୟ ଦେଶବାସୀଙ୍କ ମୌଳିକ ସମସ୍ୟା ସବୁର ସମାଧାନରେ ବିଫଳ ହୋଇଛି । ଦେଶରେ ବେରୋଜଗାରୀ ବଢିଛି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ସରକାରଙ୍କ ନିୟନ୍ତ୍ରଣ ବାହାରେ । ଗଣମାଧ୍ୟମରୁ ଆରମ୍ଭ କରି ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ ଗଣତନ୍ତ୍ରର କବଜ ହେବା ବଦଳରେ ସରକାରଙ୍କ ବଚସ୍କର ହେବାକୁ ବାଧ୍ୟ ହୋଇଛନ୍ତି । ସାଂପ୍ରଦାୟିକ ସଂପ୍ରିତି ଆଉ ନାହିଁ କହିଲେ ଚଳେ । ଭିନ୍ନମତ ରଖୁଥିବା ବ୍ୟକ୍ତିବିଶେଷ, ଯେତେବଡ ହୋଇଥାଆନ୍ତୁ ନା କାହିଁକି, ସରକାରୀ କଳ ଦ୍ୱାରା ଦମନର ଶିକାର ହେବା ଭୟରେ ସର୍ବଦା ଉଦ୍ବିଗ୍ନ । ଏଭଳି ଏକ ବାତାବରଣ ସୃଷ୍ଟି ହେବାର କାରଣ ହେଉଛି ବିରୋଧୀଙ୍କ ଦୁର୍ବଳତା ।
୨୦୧୪ ପରଠାରୁ ଦେଶର ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି କଂଗ୍ରେସ । ଗତ ଆଠ ବର୍ଷ ମଧ୍ୟରେ ଦଳର ସାଂଗଠନିକ ସ୍ଥିତି ଏତେଦୂର ଦୁର୍ବଳ ହେଲାଣି ଯେ ଯେଉଁ ସବୁ ରାଜ୍ୟରେ ଦିନେ ଦଳ ଶାସନ କରୁଥିଲା ସେସବୁ ରାଜ୍ୟରେ ଆଜି ବିଜେପି ବା ଅନ୍ୟ ଆଂଚଳିକ ରାଜନୈତିକ ଦଳ ଦ୍ୱାରା ଅବଦମିତ ହୋଇ ରହିଛି । ଦେଶର ଦୁଇଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଶାସନ ସୀମିତ ଥିବା ବେଳେ ଅନ୍ୟ କିଛି ରାଜ୍ୟରେ ଆଂଚଳିକ ଦଳଙ୍କ କନିଷ୍ଠ ସହଯୋଗୀ ରହିଛି । ବିଜେପି ଭଳି କଂଗ୍ରେସ ଏକ ଜାତୀୟ ରାଜନୈତିକ ଦଳ ହୋଇ ମଧ୍ୟ ତାହାର ରାଜନୈତିକ ଚରିତ୍ର ବଜାୟ ରଖିବାରେ ବିଫଳ ହୋଇଥିବାରୁ ବିଜେପି-ବିରୋଧୀ ଆଂଚଳିକ ଦଳମାନେ କଂଗ୍ରେସକୁ ଯେଭଳି ଗୁରୁତ୍ୱ ଦେବା କଥା ଦେଉ ନାହାନ୍ତି । ଅଧିକାଂଶ ରାଜ୍ୟରେ କଂଗ୍ରେସ ଜାତୀୟ ଦଳ ବିଜେପି ସମତେ ସେସବୁ ରାଜ୍ୟର ଆଂଚଳିକ ଦଳମାନଙ୍କ ସହ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ବହୁ ପଛରେ ରହି ବିରୋଧୀଙ୍କ ନେତୃତ୍ୱ ନେବା ଭଳି ସ୍ଥିତିରୁ ବହୁ ଦୂରକୁ ଚାଲି ଯାଇଛି ।
କଂଗ୍ରେସ ଏଭଳି ବିପର୍ଯ୍ୟୟ ଜାତୀୟ ରାଜନୀତିରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିଥିବା ବେଳେ ରାଜ୍ୟସ୍ତରରେ ଆଂଚଳିକ ଦଳମାନେ କଂଗ୍ରେସ ଭୋଟବ୍ୟାଙ୍କ ଦ୍ୱାରା ପରିପୃଷ୍ଟ ହୋଇ କଂଗ୍ରେସକୁ ବହୁ ପଛକୁ ଠେଲି ଦେଇଛନ୍ତି । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ ପାର୍ଟି’ ହେଉ ବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’, ବିଜେପି ବିରୋଧୀ ହୋଇ ସୁଦ୍ଧା କଂଗ୍ରେସ ନେତୃତ୍ୱକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ବିଜୁ ଜନତା ଦଳ’ ୨୦୦୯ରୁ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ଆସୁଛି । କଂଗ୍ରେସ ଦଳ କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ବିଜେଡ଼ି ଦଳ ସହ ସୁସଂପର୍କରେ ଥିଲା । ଗଲା ଆଠ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସହ ସୁସଂପର୍କରେ ଅଛି ଏବଂ ଏନଡ଼ିଏର ସମସ୍ତ ନୀତିଗତ ନିଷ୍ପତ୍ତିକୁ ସମର୍ଥନ ଦେଇ ଆସୁଛି ।
ଆନ୍ଧ୍ର ପ୍ରଦେଶ, ତେଲେଂଗାନା, ତାମିଲନାଡୁ, କେରଳରେ ଅଣ-କଂଗ୍ରେସ ଓ ଅଣ-ବିଜେପି ଶାସିତ ଆଂଚଳିକ ଦଳର ସରକାର ଥିବା ବେଳେ କେରଳ ଓ ତାମିଲନାଡୁ ବ୍ୟତୀତ ଅନ୍ୟ ଦୁଇ ରାଜ୍ୟରେ କଂଗ୍ରେସର ସ୍ଥିତି ଗୌଣ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଏସଆରସିପି ସରକାର ଏନଡିଏରେ ନଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ଭାବେ ଜଣାଶୁଣା । ତେଲେଂଗାନାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ସରକାର ରହିଛି । କେସିଆର ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ରାଓ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ କରୁଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱରେ ବିରୋଧୀ ମେଂଟ ଗଠନ ସପକ୍ଷରେ ନାହାନ୍ତି । ଦେଶରେ ଏକ ତୃତୀୟ ସାମ୍ମଖ୍ୟ (ବର୍ତ୍ତମାନ ଦୁଇଟି ସମ୍ମୁଖ୍ୟ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ରହିଛି) ଗଠନ ଦିଗରେ ସେ କାର୍ଯ୍ୟ କରୁଥିବା କହୁଛନ୍ତି ।
ରାଓ ଅଣ-କଂଗ୍ରେସ ଓ ଅଣ-ବିଜେପି ଶାସିତ ରାଜ୍ୟର ଆଂଚଳିକ ରାଜନୈତିକ ଦଳଙ୍କୁ ଏକାଠି କରି ଏକ ବିରୋଧୀ ସାମ୍ମୁଖ୍ୟ ଗଠନ ଦିଗରେ କାର୍ଯ୍ୟ କରୁଥିବା ବେଳେ ସେଥିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡ଼ିଏମକେ ନେତା ଏମ.କେ.ଷ୍ଟାଲିନ, ମହାରାଷ୍ଟ୍ରର ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କର୍ଣ୍ଣାଟକର ଜେଡ଼ିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡା, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରାକ ଅବଦୁଲ୍ଲା (ଜାତୀୟ କନଫରେନ୍ସ ନେତା) ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ମମତା ଓ କେସିଆରଙ୍କ ପରୀକ୍ଷା ନିରୀକ୍ଷା ତରଳ ଅବସ୍ଥାରେ ଥିବା ବେଳେ ବିଜେପି-ବିରୋଧୀ ରାଜନୀତିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅନୁପ୍ରବେଶ ଦେଶରେ ଏକ ବିରୋଧୀ ମେଂଟ ଗଠନ ଉଦ୍ୟମକୁ ନୂଆ ମୋଡ ଦେଇଛି ।
ଜେଡ଼ିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୀର୍ଘ ବର୍ଷ ଧରି ବିଜେପି ଓ ଏନଡ଼ିଏ ସହ ମେଂଟରେ ଥିଲେ ଏବଂ ବିହାରରେ ମିଳିତ ସରକାର ଚଳାଇ ଥିଲେ । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡ଼ିୟୁ ବିଜେପି ସହ ମେଂଟରେ ନିର୍ବାଚନ ଲଢି ଥିଲେ ମଧ୍ୟ ବିଜେପି ତୁଳନାରେ କମ୍ ସଂଖ୍ୟକ ବିଧାନସଭା ଆସନ ପାଇ ଥିଲା । ଏହା ପଛରେ ବିଜେପିର ଷଡଯନ୍ତ୍ର ଥିବା ଜେଡ଼ିୟୁ ମୁଖ୍ୟ ନୀତିଶ କୁମାର ସନ୍ଦେହ କରିବା ସହ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅପମାନବୋଧର ଶରବ୍ୟ ଥିଲେ । ଜେଡ଼ିୟୁକୁ ତଳିତଳାନ୍ତ କରିବାକୁ ବିଜେପି ଚକ୍ରାନ୍ତ ଚଳାଇ ଥିବା ଅନୁଭବ କରିବା ପରେ ନୀତିଶ ନିକଟରେ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରି ୟୁପିଏରେ ସାମିଲ ହୋଇଛନ୍ତି ଏବଂ ବିହାରରେ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କୁ ନେଇ ନୂଆ ସରକାର ଗଠନ କରିଛନ୍ତି ।
କଂଗ୍ରେସ ତୀବ୍ର ନେତୃତ୍ୱ ସଂକଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳମାନେ ବିଜେପି ସହ ଏକା ଏକା ମୁକାବିଲା କରିବା ସ୍ଥିତିରେ ନାହାନ୍ତି । ଦେଶ ଏକପ୍ରକାର ବିରୋଧୀ-ଶୂନ୍ୟ ମନେ ହେଉଥିବା ସମୟରେ ବିହାର ମୁଖମନ୍ତ୍ରୀ ନୀତିଶ କୁମାର ନିଜ ରାଜନୈତିକ ପଇଁତରା ବଦଳାଇ ଏନଡ଼ିଏରୁ ୟୁପିଏକୁ ଆସିବା ଏବଂ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଏକ ବିରୋଧୀ ମେଂଟ ଗଠନ ଉଦ୍ୟମ ଆରମ୍ଭ କରିବା ଦେଶରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ଏନଡ଼ିଏ ବାହାରେ ରହି ଥିବା ବିରୋଧୀ ରାଜନୈତିକ ଦଳମାନେ ନୀତିଶଙ୍କ ଘର ବାହୁଡାକୁ ପ୍ରଶଂସା କରିଛନ୍ତି । ତେବେ, ଏକ ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ତାଙ୍କ ଉଦ୍ୟମକୁ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବ୍ୟତୀତ ଅନ୍ୟ କେହି ଏପର୍ଯ୍ୟନ୍ତ ଖୋଲା ସମର୍ଥନ ଦେଇ ନାହାନ୍ତି । ସେମାନଙ୍କ ମଧ୍ୟରେ ଥିବା ରାଜନୈତିକ ବିରୋଧାଭାସ ଯୋଗୁଁ ନୀତିଶଙ୍କ ଉଦ୍ୟମ ବିଶେଷ ଗତିଶୀଳ ହୋଇପାରିନାହିଁ ।
ତଥାପି, ଦେଶରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ଥିବା ଜନସାଧାରଣ ଅନୁଭବ କରୁଥିବାରୁ ନୀତିଶଙ୍କ ଭଳି ଜଣେ ଦକ୍ଷ ଓ ଅଭିଜ୍ଞ ରାଜନେତାଙ୍କୁ ଭରସା କରିବାକୁ ବାଧ୍ୟ ହେଉଛନ୍ତି । ନୀତିଶ ମଧ୍ୟ ଦେଶବାସୀଙ୍କ ନାଡି, ନକ୍ଷତ୍ରକୁ ଭଲରେ ଜାଣନ୍ତି ଓ ବୁଝନ୍ତି । ତେଣୁ, ୨୦୨୪ରେ ବିଜେପିର ମୁକାବିଲା ପାଇଁ ବିରୋଧୀ ଏକତାର ସ୍ଲୋଗାନ ଦେଇ ସେ ବିହାରରୁ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି । ନୀତିଶଙ୍କ ଅଭିଯାନ କେବଳ ବିଜେପିକୁ ନୁହେଁ, ବିଜେପିର ପ୍ରଚାର ଅସ୍ତ୍ର ହୋଇଥିବା ଜାତୀୟ ଗଣମାଧ୍ୟମକୁ ମଧ୍ୟ ଆଶଙ୍କା ଭିତରକୁ ଟାଣି ଆଣିଛି । ନୀତିଶଙ୍କ ‘ପଲଟୁ’ ଚରିତ୍ରକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରଚାର ଜୋର ଧରିଛି । ୨୦୨୪ରେ ସେ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଅଭିଳାଷ ରଖି ଥିବାରୁ ସବୁ ବିଜେପି-ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା କରାଯାଉଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ମଧ୍ୟ ହେଉଛି । ତେବେ, ନୀତିଶ ଚତୁର ଭାବେ ଏହାର ଉତ୍ତର ରଖୁଥିବା ଦେଖିବାକୁ ମିଳୁଛି ।
ପ୍ରଥମେ ଦେଶର ସମସ୍ତ ଅଣ-ବିଜେପି ବିରୋଧୀ ଦଳମାନେ ଏକାଠି ହୁଅନ୍ତୁ, ଦେଶ ସାମ୍ନାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚା କରନ୍ତୁ, ବିରୋଧୀ ମେଂଟ ଗଠନ ଉଦ୍ୟମ ସଫଳ ହେଲେ ସବୁ ନେତା ବସି ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ମୁହଁ କିଏ ହେବ, ତାହା ନିର୍ଣ୍ଣୟ କରିବେ ବୋଲି ନୀତିଶ କହୁଥିବା ବେଳେ ବିଜେପି କିନ୍ତୁ ତାହାକୁ ଗ୍ରହଣ କରିପାରୁନାହିଁ । ନୀତିଶଙ୍କ ଭଳି ଦାଗ ନଥିବା ଜଣେ ଜାତୀୟସ୍ତରର ନେତା ଅନ୍ୟ ଦେଶର ଅନ୍ୟ ବିରିଷ୍ଠ ବିରୋଧୀ ନେତାଙ୍କୁ ଭେଟି ମେଂଟ ଗଠନ ଦିଗରେ ଆଲୋଚନା କରୁଥିବା ବିଜେପିର ଚକ୍ଷୁଶୂଳ ହୋଇଛି । ଏହା ବିରୋଧୀ ମେଂଟ ନୁହେଁ, ଦୁର୍ନୀତିଗ୍ରସ୍ତଙ୍କ ମେଂଟ ଗଠନ ଉଦ୍ୟମ ହେଉଛି ବୋଲି ଶାସକ ବର୍ଗ ଅଭିଯୋଗ କରି ଏକ ସଂଦେହର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଜାତୀୟସ୍ତରରେ ଏକାକୀ ବିଜେପିର ବିକଳ୍ପ ହେବା ସ୍ଥିତିରେ ନଥିବା ଟିଏମସି, ‘ଆପ୍’ ଭଳି ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ନୀତିଶଙ୍କ ଅଭିଯାନ ସହ ଯୋଡି ହୋଇ ନାହାନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ‘ଭାରତ ଯୋଡୋ’ ଅଭିଯାନ ମାଧ୍ୟମରେ କଂଗ୍ରେସକୁ ପୁନର୍ବାର ରାଜନୀତିର କେନ୍ଦ୍ରକୁ ଫେରାଇ ଆଣିବା ଉଦ୍ୟମରେ ଅଛନ୍ତି ।
ଦେଶର ଅନେକ ଆଂଚଳିକ ରାଜନୈତିକ ଦଳ କଂଗ୍ରେସକୁ ବାଦ ଦେଇ ବିରୋଧୀ ମେଂଠ ଗଠନ ସପକ୍ଷରେ ଥିବା ବେଳେ ନୀତିଶ କଂଗ୍ରେସକୁ ସାଂଗରେ ନେଇ ବିରୋଧୀ ମେଂଟ ଗଠନ ପ୍ରୟାସରେ ଥିବାରୁ ୨୦୨୪ ପୂର୍ବରୁ ଏଭଳି କିଛି ରୂପରେଖ ନେବା ନେଇ ଅନେକଙ୍କ ମନରେ ସନ୍ଦେହ ରହିଛି । ତେବେ, ଦେଶର ସବୁ ବିରୋଧୀ ଦଳ ଗୋଟିଏ ମଂଚରେ ଏକାଠି ହେଲେ ହିଁ ୨୦୨୪ରେ ବିଜେପି ସହ କଡା ମୁକାବିଲା ସମ୍ଭବ ବୋଲି ନୀତିଶ କହି ସାରିଲେଣି । ନିକଟରେ ବିହାରର ପାଟନାଠାରେ ଜେଡ଼ିୟୁର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ସମୟରେ ‘ଦେଶ୍ କେ ନେତା କୈସେ ହୋ, ନୀତିଶ କୁମାର ଜୈସେ ହୋ’ ସ୍ଲୋଗାନ ଦିଆଯାଇଥିଲା । ଏହା କିଛି ବିରୋଧୀ ଦଳ ନେତାଙ୍କ ଅହଂକାରକୁ ଆଘାତ ଦେଇଥିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ‘କଂଗ୍ରେସ ମୁକ୍ତ ଭାରତ’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲେ । ନୀତିଶ କୁମାର ଏବେ ୨୦୨୪ରେ ‘ବିଜେପି ମୁକ୍ତ ଭାରତ’ ସ୍ଲୋଗାନ ଦେଇ ବିରୋଧୀଙ୍କୁ ସଂଗଠିତ କରିବା ଉଦ୍ୟମ କରୁଛନ୍ତି । ଏବେବି ଯଦି ବିରୋଧୀ ସଂଗଠିତ ହେବେ ନାହିଁ ଏବଂ ପ୍ରଧାନମନ୍ତ୍ରୀ ହେବା ଆଶାରେ ଏକାକୀ ମାଟି ତାଡିବାର ଉପକ୍ରମ କରିବେ ତେବେ ୨୦୨୪ ‘ବିରୋଧୀ ମୁକ୍ତ ଭାରତ’ ହେବ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS