ସାଇରସଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ସବକ୍…
ପ୍ରସାଦ ରାଓ
ସେପ୍ଟେମ୍ବର ୦୬
ମହାରାଷ୍ଟ୍ରର ପାଲଘର ଜିଲ୍ଲା ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ରବିବାର ଅପରାହ୍ନରେ ସୂର୍ଯ୍ୟ ନଦୀ ପୋଲ ଉପରେ ଘଟିଥିବା କାର୍ ଦୁର୍ଘଟଣା ଏବଂ ଏଥିରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ‘ଟାଟା ସନ୍ସ୍’ର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ସବକ୍ ବା ଶିକ୍ଷା ହୋଇଛି । ସାଇରସ ତାଙ୍କ ବନ୍ଧୁ ଜାହାଂଗୀର ପାଣ୍ଡୋଲେ ଓ ଅନ୍ୟ ଦୁଇ ଜଣଙ୍କ ସହ ମର୍ସିର୍ଡିସ ବେଂଜ କଂପାନୀର ଏକ ମୂଲ୍ୟବାନ କାରରେ ଗୁଜରାଟର ଉଦୱାଡାରୁ ମୁମ୍ବାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋିଛନ୍ତି । କାରଟି ଘଂଟାକୁ ୧୩୩ କିମି ବେଗରେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ସୂର୍ଯ୍ୟ ନଦୀ ପୋଲ ଉପରେ ଏକ ଡ଼ିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରର ପଛ ସିଟ୍ରେ ବସି ଥିବା ସାଇରସ ଘଟଣା ସ୍ଥଳରେ ପ୍ରାଣ ହରାଇ ଥିବା ବେଳେ ଓ ଜାହାଙ୍ଗୀରଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ନିଆ ଯିବା ବେଳେ ତାଙ୍କ ମୃତ୍ୟୁ ଘଟିଛି । ସାଇରସଙ୍କ ଅନ୍ୟତମ ବନ୍ଧୁ ଡାରିଅସ୍ ପାଣ୍ଡୋଲେ ଗାଡ଼ି ଚଲାଉ ଥିଲେ ଏବଂ ପାଖ ସିଟ୍ରେ ଡ଼ାରିଅସଙ୍କ ଡାକ୍ତର ପତ୍ନୀ ଅନାହିତା ବସି ଥିଲେ । ଦୁର୍ଘଟଣାରେ ଡ଼ାରିଅସ ଓ ଅନାହିତା ଗୁରୁତର ଭାବେ ଆହତ ହୋଇ ମୁମ୍ବାଇର ସାର୍ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ଆଣ୍ଡ ରିସର୍ଚ୍ଚ ସେଂଟର ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗାଡ଼ିଟି ଏତେଦୂର ଦୃତ ଗତିରେ ଯାଉଥିଲା ଯେ ମୁମ୍ବାଇଠାରୁ ୧୨୦ କିମି ଦୂର ପାଲଘର ଚାରୋଟି ଚେକପୋଷ୍ଟ୍ ଅତିକ୍ରମ କରିବା ପରେ ମାତ୍ର ୯ ମିନିଟରେ ୨୦ କିମି ରାସ୍ତା ଅତିକ୍ରମ କରିଥିବା ସିସିଟିଭି ଫୁଟେଜ୍ ଦେଇ ପୁଲିସ କହିଛନ୍ତି । ବିଡମ୍ବନାର ବିଷୟ ହେଉଛି, ଯେଉଁ ମର୍ସିଡିସ ବେଂଜ ୨୦୧୭ ମଡେଲ ଏସୟୁଭି କାରରେ ସାଇରସ ଓ ତାଙ୍କ ବନ୍ଧୁମାନେ ମୁମ୍ବାଇ ଅଭିମୁଖେ ଯାଉଥିଲେ ସେଥିରେ ସାତଟି ଏୟାରବ୍ୟାଗ୍ ଥିଲେ ମଧ୍ୟ ପଛରେ ବସୁ ଥିବା ଯାତ୍ରୀଙ୍କ ପାଇଁ ସାମନା ପଟରୁ ସୁରକ୍ଷା ଦେବାକୁ ଏୟାରବ୍ୟାଗ୍ ବ୍ୟବସ୍ଥା ନଥିଲା । ଦୁଇ କଡରେ କେବଳ କର୍ଟେନ ଏହାରବ୍ୟାଗ୍ ଥିଲା । ସାଇରସ ସିଟ୍ ବେଲ୍ଟ ବାନ୍ଧି ନଥିଲେ । ଡ଼ିଭାଇଡରରେ ପିଟି ହେବା ବେଳେ କାରର ଯେଉଁ ଗତି ଥିଲା ସେଥିରେ ସାଇରସ ସାମ୍ନାକୁ ଛିଟିକି ପଡି ଗୁରୁତର ହେବା ସହ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ମୁମ୍ବାଇ ପୁଲିସ ଅନୁମାନ କରୁଛି । ପୁଲିସ ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, କାରଟି ମାତ୍ରାଧିକ ବେଗରେ ଯାଉଥିଲା ଏବଂ ଗାଡି ଚାଳକଙ୍କ ‘ଏରର ଅଫ ଜଜମେଂଟ’ କାରଣରୁ ଏହି ଦୁର୍ଘଟଣା ଘଟିଲା । ଚୂଡାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନାହିଁ । ତେବେ, ପୁଲିସକୁ ମିଳି ଥିବା ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଦୃତ ବେଗରେ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସାଇରସ୍ ମସ୍ତିଷ୍କ, ହୃଦୟ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅର୍ଗାନଗୁଡିକ ବିଶେଷ କ୍ଷତିଗ୍ରସ୍ତ ହେବା ସହ ପଲିଟ୍ରାଉମାରେ ତାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ‘ସବକ୍’ ବା ‘ଶିକ୍ଷା’ କୁହାଯିବା କାରଣ ହେଉଛି, ଆମେମାନେ ସାଧାରଣତଃ ଦୁଇ ଚକିଆ ବା ଚାରି ଚକିଆ ଯାନ୍ତ୍ରିକ ଯାନରେ ଯିବା ଆସିବା କରିବା ସମୟରେ ବାଧ୍ୟବାଧକତାରେ ସୁରକ୍ଷା ନିୟମ ମାନୁଛେ ସିନା ପ୍ରାୟତଃ ସ୍ୱଇଚ୍ଛାରେ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରି ନଥାଉ । ଦୁଇ ଚକିଆ ଯାନରେ ଯାତ୍ରା ସମୟରେ ଉଭୟ ଚାଳକ ଓ ପଛରେ ବସି ଥିବା ଯାତ୍ରୀ ଦୁହେଁ ମୁଣ୍ଡରେ ହେଲମେଟ୍ ପିନ୍ଧିବା ନିୟକ ରହିଛି । ସରକାର ଫାଇନ ବ୍ୟବସ୍ଥାକୁ କଡାକଡି କରିବା ପରେ ପୁଲିସ, ଟ୍ରାଫିକ ପୁଲିସ ବା ଏମଭି ଯାଂଚ ଭୟରେ ଗାଡ଼ି ଚାଳକ ବାଧ୍ୟ ହୋଇ ହେଲମେଟ ପିନ୍ଧୁଥିଲେ ମଧ୍ୟ ଦୁଇ ଚକିଆରେ ପଛରେ ବସି ଥିବା ଯାତ୍ରୀ ବା ପିଲିଅନ୍ ଡ୍ରାଇଭର ହେଲମେଟ୍ ପିନ୍ଧିବାକୁ କୁଣ୍ଠିତ ହେଉଥିବା ଦେଖିବାକୁ ମିଳୁଛି । କୋଉଠି ଯାଂଚ ଚାଲିଛି ଜାଣିଲେ ପାଖରେ ହେଲମେଟ୍ ଥିଲେ ପିନ୍ଧ ନେଉଛନ୍ତି, ନଥିଲେ ଯାଂଚକାରୀ ଦଳ ରାସ୍ତାରେ ଥିବା ପର୍ଯ୍ୟନ୍ତ ଆଗକୁ ନଯାଇ ରାସ୍ତା କଡ଼ରେ ଠିଆ ରହୁଛନ୍ତି । ଚାରି ଚକିଆ ଯାନରେ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟ । ସେହିଭଳି, କାରରେ ଯିବା ଆସିବା କରୁଥିବା ଯାତ୍ରୀ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବା ଆଇନରେ ବ୍ୟବସ୍ଥା ରହିଛି । ଆଜି ଦିନରେ ମାର୍କେଟକୁ ଆସୁଥିବା କାର୍ ସବୁରେ ଡ୍ରାଇଭର ପାଖ ସିଟ୍ରେ ବସୁ ଥିବା ଯାତ୍ରୀଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ପାଇଁ ଆଲାରମ୍ ମାଧ୍ୟମରେ ବାଧ୍ୟ କରାଯାଉଛି । ତେବେ, ପଛ ସିଟ୍ ରେ ବସୁଥିବା ଯାତ୍ରୀ ପ୍ରାୟତଃ ସିଟ୍ ବେଲ୍ଟ୍ ବାନ୍ଧିବା ଦେଖିବାକୁ ମିଳେ ନାହିଁ । ଗାଡ଼ି ଚାଳକ ମଧ୍ୟ କେବେ ସେମାନଙ୍କୁ ସଜାଗ କରିବା ନଜିର ନାହିଁ । ଫଳରେ, ଗାଡ଼ି ଦୁର୍ଘଟଣାଗସ୍ତ ହେଲେ ସିଟ୍ ବେଲ୍ଟ୍ ନ ପିନ୍ଧିବା କାରଣରୁ ଆଘାତପ୍ରାପ୍ତ ହୋଇ ମୃତ୍ୟୁସଂଖ୍ୟା ବଢୁଛି । ସାଇରସ୍ ମିସ୍ତ୍ରୀଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି । ଭାରତୀୟ ସଡ଼କରେ ଚଳାଚଳ କରୁଥିବା ୯୦ ପ୍ରତିଶତ ଚାରି ଚକିଆ ଯାନରେ ଏଯାବତ୍ ଛଅଟି ଏୟାରବ୍ୟାଗ୍ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନାହିଁ । ଅତି ଦାମିକା କିଛି ଗାଡିରେ ହିଁ ଏହି ବ୍ୟବସ୍ଥା ରହିଛି । ଅଧିକାଂଶ ଗାଡ଼ି କ୍ରେତା ଶସ୍ତା ଗାଡି ପସନ୍ଦ କରୁଥିବାରୁ ଅଟୋ ମୋବାଇଲ କଂପାନୀମାନେ ଗାଡିର ସାମ୍ନା ପଟରେ ଦୁଇଟି ଏୟାରବ୍ୟାଗ ଦେଇ କାମ ଚଳାଉଛନ୍ତି । ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ଅଧିକାଂଶ ଗାଡିରେ ଏୟାରବ୍ୟାଗ ବ୍ୟବସ୍ଥା ରହୁନି । ଚଳିତ ବର୍ଷ ଜାନୁୟାରୀରୁ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ନିର୍ଦେଶନାମା ଜାରି କରିବା ପରେ ମାର୍କଟକୁ ଆସୁଥିବା ଚାରି ଚକିଆ ଯାନଗୁଡିକରେ ଦୁଇଟି ଏୟାରବ୍ୟାଗ ରହିବା ଷ୍ଟାଣ୍ଡାର୍ଡ ଫିଚର ହୋଇଛି । ବିଶ୍ୱର ସର୍ବାଧିକ ସଡ଼କ ଦୁର୍ଘଟଣା ଭାରତରେ ହେଉଥିବାରୁ ତାହାକୁ ରୋକିବା ପାଇଁ ଅଟୋ ମୋବାଇଲ କଂପାନୀମାନେ ନିର୍ମାଣ କରୁଥିବା ଗାଡିରେ ଅଧିକ ସୁରକ୍ଷା ବ୍ୟବସ୍ଥା ରଖିବା ଉଚିତ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଅଟୋ ମୋବାଇଲ କଂପାନୀମାନେ ରାସ୍ତାରେ ଚଳାଚଳ କରୁଥିବା ଗାଡିଗୁଡିକରେ ସଟ୍ ବେଲ୍ଟର ବ୍ୟବହାର ନିୟମ ଅନୁସାରେ ହେଉଛି କି ନାହିଁ ତାହାର କଡାକଡି ଓ ନିୟମିତ ଯାଂଚ, ମଦ୍ୟପାନ କରି ଗାଡି ଚାଳନା ଏବଂ ରଂଗ୍ ଲେନ୍ ଡ୍ରାଇଭିଂକୁ ରୋକାଯିବା ଦ୍ୱାରା ହିଁ ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ମତ ରଖୁଛନ୍ତି । ୨୦୨୮ରୁ ୨୦୨୦ ମଧ୍ୟରେ ହୋଇଥିବା ପୁଲିସ ଏତଲାରୁ ମିଳୁ ଥିବା ସୂଚନା ଅନୁଯାୟୀ, ସେହି ସମୟ ଖଣ୍ଡରେ ଦେଶରେ ଘଟି ଥିବା ୬୦,୪୬୬ କାର୍ ଦୁର୍ଘଟଣାଜନିତ ମୃତ୍ୟୁରୁ ୫୦ ପ୍ରତିଶତରେ ସିଟ୍ ବିଲ୍ଟ ପିନ୍ଧି ନଥିବା ପ୍ରମୁଖ କାରଣ ରହିଛି । ୨୦୧୭ରେ ମାରୁତି ପକ୍ଷରୁ ହୋଇଥିବା ସର୍ଭେରେ କାର୍ ପଛ ସିଟରେ ବସି ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪ ପ୍ରତିଶତ ସିଟ୍ ବେଲ୍ଟ ବ୍ୟବହାର କରୁଥିବା କହିଥିବା ବେଳେ ପରବର୍ତ୍ତୀ ସମୟରେ ହୋଇଥିବା ସର୍ଭେଗୁଡିକରେ ୭୦ ପ୍ରତିଶତରୁ ଅଧିକ ଯାତ୍ରୀ କାର୍ ପଛ ସିଟ୍ ରେ ବସିବା ବେଳେ ମୋଟେ ସିଟ୍ ବେଲ୍ଟ ବ୍ୟବହାର କରୁନଥିବା ମାନିଛନ୍ତି । କାର୍୍ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ବୀମା ବାବଦ ଅର୍ଥ ପ୍ରଦାନ କରିବା ସମୟରେ ବୀମା କଂପାନୀମାନେ ଦୁର୍ଘଟଣାର ଶିକର ହୋଇଥିବା ବ୍ୟକ୍ତି ସିଟ୍ ବେଲ୍ଟ ପିନ୍ଧି ନଥିଲେ ବୋଲି ଜାଣିବା ପରେ ମିଳିବାକୁ ଥିବା ବୀମା ରାଶି ମଧ୍ୟ କମାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ମୋଟର ଯାନ ଆଇନ ଅନୁଯାୟୀ, ଚାରି ଚକିଆ ଯାନର ଚାଳକ ସମେତ ସେଥିରେ ଆଗ ଓ ପଛ ସିଟରେ ବସି ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବାକୁ ବାଧ୍ୟ । ତେବେ, ପୁଲିସ ବା ଏମଭି ଯାଂଚ ସମୟରେ କେବଳ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧିଛନ୍ତି କି ନାହିଁ ପୁଲିସ ବା ଏମଭିଆଇମାନେ ଦେଖୁଛନ୍ତି ଏବଂ ଯେଉଁଠି ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧି ନଥାଉଛନ୍ତି ହଜାରେ ଟଙ୍କା ଜରିମାନା କାଟି ଛାଡି ଦେଉଛନ୍ତି । ଏମଭି ଆଇନ କଡାକଡି ଭାବେ କାର୍ଯ୍ୟକାରୀ ହେଉ ନଥବାରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢୁଥିବା ଅନୁଧ୍ୟାନରୁ ଜଣାପଡିଛ । ୨୦୨୦ରେ ଓଡ଼ିଶାରେ ସିଟ୍ ବେଲ୍ଟ ବାନ୍ଧି ନଥିବା କାରଣରୁ ୧୯୦ ଜଣ ଗାଡି ଚାଳକ ଓ ୨୬୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୨ ଜଣ ଡ୍ରାଇଭର ଓ ୯୬୬ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୦୧୮ରୁ ୨୦୨୦ ମଧ୍ୟରେ ଦେଶରେ ଘଟି ଥିବା ସଡ଼କ ଦୁର୍ଘଟଣାରେ ସିଟ୍ ବେଲ୍ଟ ପିନ୍ଧି ନଥିବା କାରଣରୁ ୧୯୫୩ ଜଣ ଗାଡି ଚାଳକ ଓ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି କାରଣରୁ ୫,୫୪୩ ଜଣ ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଛନ୍ତି । ୨୦୧୪ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟି ଥିଲା । ସେ ମଧ୍ୟ କାର୍ ରେ ପଛ ସିଟ୍ ରେ ବସି ଯାଉଥିବା ସମୟରେ ସିଟ୍ ବେଲ୍ଟ ବାନ୍ଧି ନଥିଲେ । ରବିବାର ଦିନ ଏକାଭଳି ଦୁର୍ଘଟଣାରେ ସାଇରସ ମସ୍ତ୍ରୀ ଓ ତାଙ୍କ ବନ୍ଧୁ ଜାହାଂଗୀରଙ୍କ ମୃତ୍ୟୁ ଘଟି ଥିବା ବେଳେ ସମ୍ମୁଖ ଭାଗରେ ବସି ଥିବା ଅନ୍ୟତମ ବନ୍ଧୁ ଡ଼ାରିଅସ ଓ ତାଙ୍କ ଡାକ୍ତର ପତ୍ନୀ ଅନାହିତା ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ସାଇରସଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଓ ତାହାର କାରଣ ଆଜି ଦେଶବ୍ୟାପୀ ଗଣମାଧ୍ୟମରେ ତର୍ଜମାର ବିଷୟ ହୋଇଛି । ଏବେ ଅନ୍ତତଃ ପ୍ରତ୍ୟେକ ଭାରତୀୟ ଦୁଇ ଓ ଚାରି ଚକିଆ ଯାନରେ ଯାତ୍ରା ସମୟରେ ହେଲମେଟ୍ ଓ ସିଟ୍ ବେଲ୍ଟକୁ ନେଇ ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS