ତିସ୍ତାଙ୍କୁ ମିଳିଲା ଜାମିନ, ଗୁଜରାଟ ସରକାରଙ୍କୁ ଶକ୍ତ ଝଟକା
ପ୍ରସାଦ ରାଓ
ନୂଆଦିଲ୍ଲୀ
ସେପ୍ଟେମ୍ବର ୦୨
ବରିଷ୍ଠ ସାମାଜିକ କର୍ମୀ ତିସ୍ତା ଶୀତଲୱାଡଙ୍କୁ ସୁପ୍ରମି କୋର୍ଟରୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । ଅଦାଲତରେ ଗୁଜରାଟ ସରକାରଙ୍କ ଆଡୁ ଦୃଢ ବିରୋଧ ସତ୍ତ୍ୱେ ସୁପ୍ରିମ କୋର୍ଟ ଖଣ୍ଡପୀଠ ତିସ୍ତାଙ୍କୁ ଜାମିନ ଦେଇଛନ୍ତି, ଯାାକି ଗୁଜରାଟ ସରକାରଙ୍କ ପାଇଁ ବଡ ଝଟକା ହୋଇଛି । ତିସ୍ତା ଗତ ଜୁନ ମାସରୁ ଜେଲରେ ଅଛନ୍ି । ସେସନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଅଗଷ୍ଟ ୩ ତାରିଖ ଦିନ ଗୁଜରାଟ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଗୁଜରାଟ ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ ମଧ୍ୟ ଛଅ ସପ୍ତାହ ପରେ ସେପ୍ଟେମ୍ବର ୧୯ ତାରିଖରେ ତାହାର ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରିଥିବାରୁ ତିସ୍ତା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜାମିନ ଆବେଦନ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ସୁପ୍ରିମ କୋର୍ଟ ତାହାକୁ ବିଚାର ପାଇଁ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ଗୁଜରାଟ ସରକାରଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ତେବେ, ଗୁଜରାଟ ପୁଲିସ ତିସ୍ତାଙ୍କ ବିରୋଧରେ ଯେଉଁ ଏତଲା କରିଛନ୍ତି ସେଥିରେ ୟୁଏପିଏ ବା ପୋଟା ଭଳି କୌଣସି ସଂଗୀନ ଅପରାଧର ଦଫା ଲାଗି ନଥିବାରୁ ତାଙ୍କୁ ଜାମିନ ଦେବାରେ ଅସୁବିଧା କେଉଁଠି ବୋଲି ସୁପ୍ରମି କୋର୍ଟ ପ୍ରଧାନ ବିଚାରପତି ୟୁ.ୟୁ.ଲଲିତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜଷ୍ଟିସ ଏସ.ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ପ୍ରଶ୍ନ କରିଥିଲେ । ସୁପ୍ରମି କୋର୍ଟ ଖଣ୍ଡପୀଠ ଗତକାଲି ତିସ୍ତାଙ୍କ ଜାମିନ ଆବେଦନର ଶୁଣାଣୀ କରିବା ସହ ଗୁଜରାଟ ସରକାରଙ୍କୁ ଉତ୍ତର ରଖିବାକୁ ୨୪ ଘଂଟା ସମୟ ଦେଇ ଆଜି ତିସ୍ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଂଜୁର କରିଛନ୍ତି । ତିସ୍ତାଙ୍କ ବିରୋଧରେ କୌଣସି ସଂଗୀନ ଅଭିଯୋଗ ନଥିବା ବେଳେ ଦୁଇ ମାସ ହେଲା ତାଙ୍କୁ ଜାମିନ ମିଳୁ ନଥିବା ଏବଂ ଗୁଜରାଟ ହାଇକୋର୍ଟ ଜାମିନ ଆବେଦନର ଶୁଣାଣୀକୁ ଛଅ ସପ୍ତାହ ପର୍ଯ୍ୟନ୍ତ ଟାଳିବା ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ କ୍ଷୁବ୍ଧ କରିଛି । ଗୁଜରାଟ ସରକାର ତିସ୍ତାଙ୍କ ଜାମିନ ଆବେଦନକୁ ଭିନ୍ନ ଭାବରେ ବିଚାର କରିବା କାରଣ କଣ (?) ବୋଲି ମଧ୍ୟ ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରଶ୍ନ କରି ଗୁଜରାଟ ହାଇକୋର୍ଟଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ ତିସ୍ତା ଜାମିନ ଆବେଦନ ଶୁଣାଣୀ କରି ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି । ୨୦୦୨ ଗୁଜରାଟ ଦଙ୍ଗା ସଂପର୍କିତ ଏକ ମାମଲାକୁ ନେଇ ଗତ ଜୁନ ମାସରେ ସୁପ୍ରିମ କୋର୍ଟଙ୍କ ଏକ ରାୟ ଆସିବାର ଠିକ ପରଦିନ ଗୁଜରାଟ ପୁଲିସ ତିସ୍ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରି ଥିଲେ । ଦୁଇ ମାସ ହେଲା ସେ ଜେଲରେ ଅଛନ୍ତି । ହାଇକୋର୍ଟ ଛଅ ସପ୍ତାହ ପରେ ତାଙ୍କ ଜାମିନ ଆବେଦନର ଶୁଣାଣୀ କରିବାକୁ ତାରିଖ ଦେବାରୁ ସେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତିସ୍ତାଙ୍କ ବିରୋଧରେ ୟୁଏପିଏ କିମ୍ବା ପୋଟା ଭଳି ସଂଗୀନ ଦଫା ଲାଗି ନାହିଁ । ପୁଲିସ ସାଧାରଣ ଦଫା ଲଗାଇ ମାମଲା ରୁଜୁ କରିଥିବାରୁ ତାଙ୍କୁ ଜାମିନ ମିଳିବାରେ ଅସୁୁବିଧା ରହିଲା କୋଉଁଠି ବୋଲି ଖଣ୍ଡପୀଠ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଗୁଜରାଟ ସରକାର ଶୀତଲୱାଡେ ମାମଲାକୁ ଅନ୍ୟ ମାମଲାଠାରୁ ଭିନ୍ନ ଦେଖିବା କାରଣ କଣ (?) ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ, ୨୦୦୨ ଦଙ୍ଗା ସମୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ । ଦଂଗାରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଜଣେ କଂଗ୍ରେସ ସାଂସଦ ମଧ୍ୟ ଦଂଗାରେ ପ୍ରାଣ ହରାଇ ଥିଲେ । ମୃତ ସାଂସଦଙ୍କ ପତ୍ନୀ ଜାକିଆ ଜାଫ୍ରି ନ୍ୟାୟ ପାଇବାକୁ ଅଦାଲତର ଆଶ୍ରୟ ନେଇଥିଲେ । ଦଙ୍ଗା ସମୟରେ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ତାହାକୁ ରୋକିବାରେ ଉଦାସୀନତାକୁ ପ୍ରଦର୍ଶନ କରିବାରୁ ବ୍ୟାପକ ଧନଜୀବନ ହାନୀ ହୋଇଥିଲା ବୋଲି ଜାକିଆ ଜାଫ୍ରି ଅଭିଯୋଗ କରିଥିବା ବେଳେ ମାମଲା ଚଳାଇବାରେ ତିସ୍ତା ଶୀତଲୱାଡେ ତାଙ୍କୁ ସହଯୋଗ କରିଥିଲେ । ତେବେ, କୋର୍ଟ ନିର୍ଦେଶକ୍ରମେ ଗୁଜରାଟ ଦଙ୍ଗାର ତଦନ୍ତ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ତତ୍କାଳୀନ ରାଜ୍ୟ ସରକାରଙ୍କୁ ‘କ୍ଲିନଚିଟ୍’ ଦେବା ସହ ତିସ୍ତା ଏବଂ ରାଜ୍ୟର କିଛି ବରିଷ୍ଠ ପୁଲିସ ଅଧିକାରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ମିଥ୍ୟା ଓ ମନଗଢା ତଥ୍ୟ, ପ୍ରମାଣ ଉପସ୍ଥାପନ କରିଥିବା ରିପୋର୍ଟରେ ଦର୍ଶାଇବାରୁ ସୁପ୍ରିମ କୋର୍ଟର ଗତ ଜୁନ ମାସରେ ଜାକିଆ ଜାଫ୍ରିଙ୍କ ଦ୍ୱାରା ହୋଇଥିବା ମାମଲାକୁ ଖାରଜ କରିବା ସହ ତିସ୍ତା ଏବଂ ଅନ୍ୟ ସଂପୃକ୍ତ ଅଧିକାରୀଙ୍କୁ କଠୋର ବାକ୍ୟରେ ଭର୍ଛନା କରିଥିଲେ । ତେବେ, ସୁପ୍ରିମ କୋର୍ଟଙ୍କ ରାୟରେ ତିସ୍ତା ବା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ବିଧିବଦ୍ଧ ନିର୍ଦେଶ ନଥିଲା । ତଥାପି, ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପର ଦିନ ଗୁଜରାଟ ପୁଲିସ ତିସ୍ତା ଓ ଅନ୍ୟମାନଙ୍କୁ ଗିରଫ କରି ଜେଲକୁ ପଠାଇ ଥିଲେ । ତିସ୍ତା ଶୀତଳୱାଡେ ଗିରଫ ହେବା ପରଠାରୁ ପୁଲିସ କଷ୍ଟୋଡିରେ ଅଛନ୍ତି । ପୁଲିସ ଥାନାରେ ତାଙ୍କୁ ଜେରା କରିଥିଲା । ଦୁଇ ମାସ ହେଲା ସେ ଜେଲରେ ଥିବାରୁ ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଜେଲରେ ମଧ୍ୟ ଜେରା କରିଥିବେ । ଜେରା ସମୟରେ ପୁଲିସକୁ ତିସ୍ତାଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି କି ? ଆଉ ଏମିତି କଣ ବାକି ରହିଲା ଯେ ତାଙ୍କ ଜାମିନ ଆବେଦନକୁ ଗୁଜରାଟ ସରକାର ବିରୋଧ କରୁଛନ୍ତ (?) ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଲଲିତଙ୍କ ଖଣ୍ଡପୀଠ ଗତକାଲି ପ୍ରଶ୍ନ କରିବାରୁ ଅଦାଲତାରେ ଗୁଜରାଟ ସରକାରଙ୍କ ପକ୍ଷ ରଖୁ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତିସ୍ତାଙ୍କ ଭଳି ବହୁ ଅଭିଯୁକ୍ତ ଜାମିନ ଆବେଦନ କରି ଅପେକ୍ଷାରେ ଥିବା ବେଳେ ଖଣ୍ଡପୀଠ ତିସ୍ତାଙ୍କ ଆବେଦନକୁ ଗୁରୁତ୍ୱ ଦେବା ଠିକ ନୁହେଁ ବୋଲି ଯୁକ୍ତି ରଖି ଥିଲେ । ସେ କହିଥିଲେ, ତିସ୍ତା ଗୁଜରାଟ ହାଇକୋର୍ଟରେ ଜାମିନ ପାଇଁ ଯେଉଁ ଆବେଦନ କରିଛନ୍ତି ତାହାର ରାୟକୁ ଅପେକ୍ଷା ନକରି ସୁପ୍ରିମ କୋର୍ଟରେ ଜାମିନ ଆବେଦନ କରିବା ଗ୍ରହଣୀୟ ନୁହେଁ । ଏହାଛଡା, ଜାମିନ ଆବେଦନଗୁଡିକୁ ସୁପ୍ରିମ କୋର୍ଟ ନିଜେ ବିଚାର ନକରି ହାଇକୋର୍ଟଙ୍କ ଉପରେ ଛାଡି ଦେବା ଉଚିତ ବୋଲି ପୂର୍ବରୁ ସୁପ୍ରିମ କୋର୍ଟ ରାୟ ଥିବା ମଧ୍ୟ ସେ ଦର୍ଶାଇ ଥିଲେ । ତେବେ, ଅଦାଲତରେ ଉପସ୍ଥାପିତ ତଥ୍ୟ ଓ ପାରିପାର୍ଶିକ ସ୍ଥିତିକୁ ଦେଖି ଖଣ୍ଡପୀଠ ଏହି ଜାମିନ ଆବେଦନ ଶୁଣାଣୀ ପାଇଁ ଗ୍ରହଣ କରିଛନ୍ତି ବୋଲି ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଲଲିତଙ୍କ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS