ସବୁଠି ‘ଘୋଡା ବେପାର’ ଭୟ !
ପ୍ରସାଦ ରାଓ
ସେପ୍ଟେମ୍ବର ୦୧
କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟରେ ବେଧଡକ ‘ଘୋଡା ବେପାର’ ଚାଲି ଥିବା ଅଭିଯୋଗ ହୋଇ ଆସୁଛି । କର୍ଣ୍ଣାଟକରେ ଜେଡ଼ିଏସ-କଂଗ୍ରେସ ମେଂଟ ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ୟେଦୁରାପ୍ପା ସରକାରର ପୁନର୍ବାହାଲ କରିଥଲା । ମଧ୍ୟ ପ୍ରଦେଶରେ କମଲନାଥଙ୍କ କଂଗ୍ରେସ ସରକାରକୁ ସଂଖ୍ୟାଲଘୁରେ ପରିଣତ କରି ଶିବରାଜ ସିଂହଙ୍କ ସରକାରର ପୁନର୍ବାହାଲ କରିବା ସକାଶେ ମଧ୍ୟ ସେହି ଏକା ଫର୍ମୁଲା କାର୍ଯ୍ୟକାରୀ କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବହୁ ସଂଖ୍ୟାକ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ଥିବା କମଲନାଥଙ୍କ ବିରୋଧରେ ବିଦ୍ରୋହ କରି ବିଜେପିରେ ସାମିଲ ହେବା ସହ କମଲନାଥ ସରକାରର ପତନ ଘଟାଇ ଥିଲେ । ଏହାପରେ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ସରକାରର ପତନ ଘଟାଇବା ପାଇଁ କଂଗ୍ରେସ ନେତା ତଥା ସେହି ସମୟର ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମୋହରା କରାଯାଇଥିଲା । ପାଇଲଟ୍ କିଛି କଂଗ୍ରେସ ବିଧାୟକଙ୍କୁ ଧରି ଗେହେଲୋଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିଲେ ମଧ୍ୟ ସଫଳ ହୋଇ ନଥିଲେ । ବିଜେପି ଗେହେଲୋଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବାରେ ବିଫଳ ହେଲା ।
ଗତ ଜୁନ ମାସରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା, ଏନସିପି, କଂଗ୍ରେସର ମିଳିତ ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ନେଇ ସରକାର କରିଛି । ବିଜେପି ସମର୍ଥନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ଶିବସେନା ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ କରି ଉଦ୍ଧବ ଠାକରେଙ୍କ ମହାଗଠବନ୍ଧନ ସରକାରର ପତନ ଘଟାଇବାରେ ମୁଖ୍ୟ କାରକ ହୋଇଛନ୍ତି । ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି ଶାସକ ଦଳର ବିଧାୟକମାନଙ୍କୁ ଖର୍ଦ୍ଦି କରି ବା ଦଳୀୟ ବିଧାୟକଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ କରି କ୍ଷମତା ହଡପ କରିବାର ଯେଉଁ ପ୍ରୟାସ ଚଳାଇ ଆସିଛି ତାହାକୁ ବିଜେପିର ‘ଅପରେସନ୍ ଲୋଟୋସ୍’ ଅଭିଯାନ କୁହାଯାଉଛି । ବିଜେପି ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାରରେ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଥିବା ଅଭିଯୋଗ ହେଉଥିବା ବେଳେ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ ସହ ସରକାର ମିଳିତ ସରକାର କରିଥିଲେ ମଧ୍ୟ ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ ସୃଷ୍ଟି ପାଇଁ କ୍ଷମତା ହଡପର ଷଡଯନ୍ତ୍ର କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଅଭିଯୋଗ କରିଛନ୍ତି ।
ବିହାରରେ ବିଜେପିର ଏହି କଥିତ ଷଡଯନ୍ତ୍ରକୁ ଅକାମୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚତୁର ଗୋଟି ଚାଳନା କରିଥିଲେ । ବିଜେପି ନେତୃବର୍ଗଙ୍କୁ କୌଣସି ପୂର୍ବାଭାସ ନଦେଇ ସେ ଅତର୍କିତ ଭାବେ ବିଜେପି ସହ ସଂପର୍କ ତୁଟାଇ ଥିବା ଘୋଷଣା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୂର୍ବ ଯୋଜନା ଅନୁଯାୟୀ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଆରଜେଡ଼ି ଓ କଂଗ୍ରେସ ସହ ମିଶି ନୂଆ ସରକାର ଗଠନ କଲେ । ବାମପନ୍ଥୀ ବିଧାୟକମାନେ ସରକାର ବାହାରେ ରହି ନୀତିଶ ସରକାରଙ୍କୁ ସମର୍ଥନ ଦେଉଛନ୍ତି । ବିହାରରେ ବିଜେପିର ‘ଅପରେସନ୍ ଲୋଟୋସ୍’ ବିଫଳ ହୋଇଥିବା ଜେଡ଼ିୟୁ କହିଛି । ମହାରାଷ୍ଟ୍ରରେ ସଫଳତା ଓ ବିହାରର ବିଫଳତା ବିଜେପିର ଅଣ-ବିଜେପି ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ଲଗାତର ଅଭିଯାନକୁ ରୋକି ପାରିନି । ଏବେ, ଦିଲ୍ଲୀ ଓ ଝାଡ଼ଖଣ୍ଡରେ ‘ଅପରେସନ୍ ଲୋଟୋସ୍’ ଚାଲି ଥିବା ଉଭୟ ଦିଲ୍ଲୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅଭିଯୋଗ କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଅଭିଯୋଗ ହେଉଛି, ଦିଲ୍ଲୀର ‘ଆମ୍ ଆଦମୀ ପାର୍ଟି’ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଉଦ୍ଦେଶ୍ୟ ରଖି ବିଜେପି ତାଙ୍କ ଦଳ (‘ଆପ୍’)ର ବିଧାୟକଙ୍କୁ ମୋଟା ଅଂକର ପ୍ରଲୋଭନ ଦେଇଥିଲା । ତେବେ, ‘ଆପ୍’ ର ଜଣେ ହେଲେ ବିଧାୟକ ପ୍ରଲୋଭିତ ହୋଇ ନାହାନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ନିଜ ସରକାର ସପକ୍ଷରେ ଆସ୍ଥା ଭୋଟ କରାଇବାକୁ ସୋମବାର ଦିନ ବିଧାନସଭାର ଦିନିକିଆ ଅଧିବେଶନ ଡ଼କାଇ ଥିଲେ । ତେବେ, ଏହି ଦିନିକିଆ ଅଧିବେଶନ ଚାରି ଦିନ ଲମ୍ବିବା ସହ ଆଜି (ଗୁରୁବାର) ଆସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍’ର ୬୨ ଜଣ ବିଧାୟକ ଥିବା ବେଳେ ଆଜି ୫୮ ଜଣ ବିଧାୟକ ସରକାରଙ୍କ ପ୍ରତି ଆସ୍ଥା ପ୍ରକଟ କରି ଭୋଟ ଦେଇଛନ୍ତି । ବିଧାନସଭାରେ ବିଜେପିର ମାତ୍ର ୮ ଜଣ ବିଧାୟକ ଅଛନ୍ତି । ସେହିପରି, ଝାଡ଼ଖଣ୍ଡରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଓ କଂଗ୍ରେସର ମିଳିତ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଡୁ ଅଭିଯୋଗ ହୋଇଛି । ‘ଅଫିସ ଅଫ୍ ପ୍ରଫିଟ୍’ ମାମଲାରେ ସୋରେନଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ ଝାଡଖଣ୍ଡ ରାଜ୍ୟପାଳଙ୍କୁ ସବୁଜ ସଂକେତ ଦେଇଥିଲେ ସୁଦ୍ଧା ରାଜ୍ୟପାଳ ସେସଂପର୍କରେ କୌଣସି ନିର୍ଦେଶନାମା ଜାରି ନକରି ବିଜେପିକୁ ‘ଘୋଡା ବେପାର’ କରିବାକୁ ସୁଯୋଗ ଦେଇଥିବା ଜେଏମଏମ ଓ କଂଗ୍ରେସ ଆଡୁ ଅଭିଯୋଗ ହେଉଛି ।
୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଶାସକ ଜେଏମଏମର ସର୍ବାଧିକ ୩୦ ଜଣ ବିଧାୟକ ଥିବା ବଳେ କଂଗ୍ରେସର ୧୮ ଜଣ ଓ ଆରଜେଡ଼ିର ଏକମାତ୍ର ବିଧାୟକଙ୍କ ନେଇ ମୋଟ ୪୯ ବିଧାୟକଙ୍କ ସମର୍ଥନରେ ହେମନ୍ତ ସୋରେନଙ୍କ ମେଂଟ ସରକାର ଚାଲିଛି । ଅପରପକ୍ଷରେ, ବିଧାନସଭାରେ ବିଜେପି ବିଧାୟକ ସଂଖ୍ୟା ରହିଛି ୨୬ । ସରକାର ଗଠନ କରିବା ପାଇଁ ଅନ୍ୟୁନ ୪୧ ବିଧାୟକଙ୍କ ସମର୍ଥନ ଲୋଡା । ବିଜେପି ଉଭୟ କଂଗ୍ରେସ ଓ ଜେଏମଏମ ବିଧାୟକଙ୍କ ଉପରେ ଆଖି ପକାଇ ଥିବା କୁହାଯାଉଛି । ନିକଟରେ, ମୋଟା ଅଂକର ଅର୍ଥ ଧରି ଏକ ଦାମୀ କାରରେ ସନ୍ଦେହଜନକ ଭାବେ ଘୁରି ବୁଲୁଥିବା ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମ ବଂଗ ପୁଲିସ ଅଟକ ରଖି ପଚର ଉଚୁରା କରିବା ସମୟରେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ସରକାରର ପତନ ଘଟାଇବା ଉଦ୍ୟମ ଚାଲିଥିବା ଖୁଲାସା ହୋଇଛି । ସଂପୃକ୍ତ କଂଗ୍ରେସ ବିଧାୟକମାନେ ଆସାମରୁ ମୋଟା ଅଂକର ଟଙ୍କା ପାଇ ପଶ୍ଚିମ ବଂଗ ଆସିଥିବା କୁଆଡେ ପୁଲିସକୁ କହିଥିଲେ । ପୁଲିସ ସେମାନଙ୍କୁ ଗିରଫ କରି ଜେଲ ପଠାଇଛନ୍ତି ।
ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ତୁରନ୍ତ ପ୍ରତିକ୍ରିୟା ରଖି ଝାଡ଼ଖଣ୍ଡରେ ବିଜେପି ‘ଅପରେସନ୍ ଲୋଟୋସ୍’ ଅଭିଯାନ ଚଳାଇ ଥିବା ଅଭିଯୋଗ କରିଥିଲେ । ସୋରେନ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନାମରେ ଖଣି ଲିଜ୍ ଥିବା ଦର୍ଶାଇ ବିଜେପି ପକ୍ଷରୁ ‘ଅଫିସ ଅଫ୍ ପ୍ରଫିଟ୍’ ମାମଲା ହୋଇଥିଲା । ସିବିଆଇ ରାଜ୍ୟରେ ହୋଇଥିବା ଖଣି ଦୁର୍ନର୍ୀତିର ତଦନ୍ତ କରୁଛି । ଝାଡ଼ଖଣ୍ଡ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିରୋଧରେ ହୋଇଥିବା ‘ଅଫିସ ଅଫ୍ ପ୍ରଫିଟ’ ମାମଲା ଉପରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ମତାମତ ଲୋଡି ଥିଲେ । ନିର୍ବାଚନ କମିସନ୍ ନିକଟରେ ସୋରେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କୁ ସବୁଜ ସଂକେତ ଦେଇଛନ୍ତି । ସେରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ନିର୍ବାଚନ କମିସନ୍ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଅନୁମୋଦନ ଦେଇଥିଲେ ମଧ୍ୟ ଆଗକୁ ସେ ନିର୍ବାଚନ ଲଢିବା ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି । ତେଣୁ, ସୋରେନ ବିଧାୟକ ପଦ ହରାଇଲେ ମଧ୍ୟ ପୁନଃ ନିର୍ବାଚିତ ହୋଇ ଗୃହକୁ ଆସିବା ଓ ମୁଖ୍ୟମନ୍ତ୍ରୀ ହେବା ଉପରେ କୌଣସି ଅଂକୁଶ ନାହିଁ । ତେଣୁ, ବିଜେପି ଆଡୁ ‘ଘୋଡା ବେପାର’ ଭୟରେ ସେ ଶାସକ ମେଂଟରେ ଥିବା ଜେଏମଏମ, କଂଗ୍ରେସ ଓ ଏକମାତ୍ର ଆରଜେଡ଼ି ବିଧାୟକଙ୍କୁ ‘ବିଲେଇ ତା’ର ଛୁଆଙ୍କୁ ବୁଲାଇବା’ ଭଳି ବିଧାୟକଙ୍କୁ ବୁଲାଉଛନ୍ତି ।
ସୋରେନଙ୍କ କହିବା ଅନୁଯାୟୀ, ସରକାରୀ ଦଳର ବିଧାୟକ କେଉଁଠି ସ୍ୱଇଚ୍ଛାରେ ବିକ୍ରି ହେଉଛନ୍ତି ତ ଆନ୍ୟ କେଉଁଠି ଧରା ପଡିଯିବା ଭୟରେ ବିକ୍ରି ହେଉ ନାହାନ୍ତି । ଆଉ କିଛି ଅଛନ୍ତି ବିଧାୟକ ଅଛନ୍ତି ଯେଉଁମାନେ କି ‘ବିକାଉ’ ନୁହନ୍ତି । ତେଣୁ, ସରକାରକୁ ସୁରକ୍ଷିତ ରଖିବା ସକାଶେ ସବୁ ବିଧାୟକଙ୍କୁ ଗୋଟିଏ ଛାତ ତଳେ ରଖି ଜଗିବାକୁ ପଡୁଛି । ସୋରେନ ତାଙ୍କ ବିଧାୟକ ପଦ ରଦ୍ଦ ହେବାକୁ ଥିବା ଜାଣିବା ପରେ ମେଂଟ ବିଧାୟକଙ୍କ ସହ ଘନ ଘନ ବୈଠକ କରିଥିଲେ ଏବଂ ୪୩ ବିଧାୟକଙ୍କୁ ରାଂଚି ବାହାରକୁ ନେଇ ଆପ୍ୟାୟିତ କରାଇ ଥିଲେ । ମଂଗଳବାର ଦିନ ଜେଏମଏମ-କଂଗ୍ରେସ-ଆରଜେଡ଼ିର ୩୯ ବିଧାୟକଙ୍କୁ ଏକ ଚାଟର୍ଡ ବିମାନରେ ରାଂଚିରୁ ଛତିଶଗଡ଼ର ରାୟପୁରକୁ ପଠାଇ ଦିଆଯାଇଥିଲା । ସେଠାରେ ସେମାନଙ୍କୁ ଏକ ବହୁ ତାରକା ବିଶିଷ୍ଟ ହୋଟେଲରେ ରଖା ଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୋରେନ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକି ଥିବାରୁ ତାଙ୍କ ନିଷ୍ପତ୍ତି କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସୋରେନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ କମିସନ୍ ଅନୁମୋଦନ ଦେବା ପରେ ମଧ୍ୟ ଝାଡ଼ଖଣ୍ଡ ରାଜ୍ୟପାଳ ତାହାକୁ କାର୍ଯ୍ୟାରୀ ନ କରି ଝୁଲାଇ ରଖିବା ପଛରେ ବିଜେପିର ଷଡଯନ୍ତ୍ର ଥିବା ଜେଏମଏମ-କଂଗ୍ରେସ ମେଂଟ ସନ୍ଦେହ କରୁଛି ।
ଦିଲ୍ଲୀରେ ବିଜେପି ‘ଆପ୍’ ସରକାରକୁ ଅସ୍ଥିର କରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମୋହରା କରିବାକୁ ଉଦ୍ୟମ କରିଥିଲା । ସିସୋଦିଆ ବିଜେପି ପ୍ରସ୍ତାବରେ ରାଜି ନହେବାରୁ ତାଙ୍କୁ ସିବିଆଇ ଓ ଇଡ଼ି ଜରିଆରେ ହାରାଶ କରାଯାଉଛି ବୋଲି ସିସୋଦିଆ ନିଜେ ଅଭିଯୋଗ କରିଛନ୍ତି । ତେବେ, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରିତି ହୋଇଥିବା ବିଜେପି ଅଭିଯୋଗ କରୁଛି ଏବଂ ଦିଲ୍ଲରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି (ଉପ ରାଜ୍ୟପାଳ)ଙ୍କ ଅଭିଯୋଗ ଭିତ୍ତିରେ ସିିବିଆଇ ମାମଲାର ତଦନ୍ତ କରୁଛି । ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ସହ ଦିଲ୍ଲୀର ଶିକ୍ଷା ଓ ଅବକାରୀ ମନ୍ତ୍ରୀ ମଧ୍ୟ ଅଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନର୍ୀତି ମାମଲାରେ ସିବିଆଇ ୧୫ ଜଣଙ୍କ ନାମରେ ଏତଲା କରିଥିବା ବେଳେ ସିସୋଦିଆଙ୍କୁ ତାଲିକାରେ ସର୍ବାଗ୍ରେ ରଖିଛି । ଅଗଷ୍ଟ ୧୯ ତାରିଖ ଦିନ ସିସୋଦିଆଙ୍କ ବାସଭବନ ଓ ୩୧ଟି ଠିକଣାରେ ସିବିଆଇ ଚଢାଉ ହୋଇଥିଲା । ୩୦ ତାରିଖ ଦିନ ଗାଜିଆବାଦସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ସିସୋଦିଆଙ୍କ ‘ଲକର୍’କୁ ସିବିଆଇ ଯାଂଚ କରିଛି ।
ଯାଂଚ ବେଳେ ବ୍ୟାଙ୍କ୍ ଲକରରୁ ମାତ୍ର ୭୦ରୁ ୮୦ ହଜାର ଟଙ୍କାର ଗହଣା ମିଳିଛି, ଯାହାକି ତାଙ୍କ ପତ୍ନୀ ଓ ପିଲାମାନଙ୍କର ବୋଲି ସିସୋଦିଆ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସିବିଆଇ ଚଢାଉ କରାଇ ଥିବାରୁ ସେ ଖୁସି । ତାଙ୍କ ଘରେ ଚଉଦ ଘଂଟା ଓ ବ୍ୟାଙ୍କରେ ଦୁଇ ଘଂଟା ଯାଂଚ ପଡତାଳ ପରେ ମଧ୍ୟ ଅବକାରୀ ଦୁର୍ନୀତି ସଂପର୍କିତ କାଣିଚାଏ ପ୍ରମାଣ ସିବିଆଇକୁ ମିଳି ନାହିଁ । ଏହା ହେଉଛି ତାଙ୍କ ସାଧୁତାର ପରିଚୟ ବୋଲି ସିସୋଦିଆ ଏହି ବ୍ୟାଙ୍କ ଲକର୍ ଯାଂଚ ପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ, ସିବିଆଇ ଏସଂପର୍କରେ ମୁହଁ ଖୋଲିନି । କେବଳ ସିବିଆଇ ନୁହେଁ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ମଧ୍ୟ ଅବକାରୀ ଦୁର୍ନୀତିକୁ ନେଇ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବିରୋଧରେ ଏକ ମନିଲଣ୍ଡରିଂ ମାମଲା କରିଥିବା ଜଣାପଡିଛି । ଦିଲ୍ଲୀ ବିଧାନସଭାରେ ସରକାର ଆସ୍ଥା ପ୍ରସ୍ତାବ ଆଣି ସୋମବାରରୁ ଭୋଟିଂ ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି ବିଧାୟକମାନେ ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗ ଉଠାଇ ତାହା ଉପରେ ଆଲୋଚନା ପାଇଁ ଦାବି କରିବାରୁ ବିଧାନସଭା ରାଜନୈତିକ ରଣଭୂମୀରେ ପରିଣତ ହୋଇଥିଲା । ବିଧାନସଭା ବାଚସ୍ପତି କିଛି ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିବା କାରଣରୁ ବିଜେପି ଓ ଆପ୍ ମଧ୍ୟରେ ରାଜନୈତିକ ଯୁଦ୍ଧ ଦିଲ୍ଲୀର ସଡ଼କକୁ ଚାଲି ଆସିଛି ।
ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତାହାର ସିବିଆଇ ତଦନ୍ତ କରାଯିବାକୁ ସୁପାରିଶ କରିଥିବା ଦିଲ୍ଲୀ ଉପ ରାଜ୍ୟପାଳ ବିନିତ କୁମାର ସାକ୍ସେନା ଏବେ ‘ଆପ୍’ ସରକାରଙ୍କ ଟାର୍ଗେଟ୍ ହୋଇଛନ୍ତି । ସାକ୍ସେନା ଖଦୀ ଓ ଗ୍ରାମଦ୍ୟୋଗ କମିସନ ଅଧ୍ୟକ୍ଷ ଥିବା ବେଳେ ୧୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କେଜରୀୱାଲ ସରକାର ଅଭିଯୋଗ କରିବା ସହ ସାକ୍ସେନାଙ୍କ କ୍ଷେତ୍ରରେ ସିବିଆଇ, ଇଡ଼ି କୁଆଡେ ଗଲେ (?) ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ‘ଆପ୍’ ବିଧାୟକମାନେ ବିଧାନସଭାରେ ତୁମ୍ବିତୋଫାନ କରିଥିବା ବେଳେ ସାକ୍ସେନାଙ୍କ ଅଭିଯୋଗକୁ ମିଥ୍ୟା ଦର୍ଶାଇ ‘ଆପ୍’ ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ଧମକ ଦେଇଛନ୍ତି । ଦିଲ୍ଲୀରେ ବିଜେପି ଓ ‘ଆପ୍’ ମଧ୍ୟରେ ଚାଲି ଥିବା ରାଜନୈତିକ ଯୁଦ୍ଧ ସଂପୂର୍ଣ୍ଣ ବାତାବରଣକୁ କଳୁଷିତ କରିଥିବା ବେଳେ କେହି ପଛକୁ ଫେରିବା ସ୍ଥିତିରେ ନାହାନ୍ତି । ଦିଲ୍ଲୀ ସରକାର ସିବିଆଇ ତଦନ୍ତ ଆରମ୍ଭ ପରେ ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ ସୁଦ୍ଧା ବିଜେପିର ଆକ୍ରୋଶରୁ ବର୍ତ୍ତିପାରୁ ନାହାନ୍ତି । ଏବେ, ବିଜେପି ଆପ୍ ସରକାର ବିରୋଧରେ ଶିକ୍ଷା ଦୁର୍ନୀତି ଅଭିଯୋଗ ଆଣିଲାଣି । ଦିଲ୍ଲୀରେ ସରକାରୀ ସ୍କୁଲଗୁଡିକରେ ଶ୍ରେଣୀ ଗୃହ ନିର୍ମାଣରେ ୫ ଲକ୍ଷ ଟଙ୍କା ସ୍ଥାନରେ ୩୩ ଳକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ସରକାର କହୁଛନ୍ତି । ଏଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି ବୋଲି ଦିଲ୍ଲୀର ବରିଷ୍ଠ ବିଜେପି ନେତା ମନୋଜ ତିୱାରୀ ମଂଗଳବାର ଦିନ ଅଭିଯୋଗ କରିଛନ୍ତି । ତେଣୁ, ଅବକାରୀ ପରେ ଶିକ୍ଷା ଦୁର୍ନୀତିକୁ ନେଇ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ତଦନ୍ତର ସାମ୍ନା କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।
‘ଆପ୍’ ସରକାରଙ୍କୁ କୌଣସି ବାଟରେ ବଦନାମ କରିବା ପାଇଁ ବିଜେପି ଉଦ୍ୟମ ଜାରି ରଖିଛି । ଗଲା କିଛି ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶ, ବିହାର, ଗୋଆ, ମହାରାଷ୍ଟ୍ର, ଆସାମ ସମେତ ଅନ୍ୟ କିଛି ରାଜ୍ୟରେ କ୍ଷମତା ହଡଡପିବା ପାଇଁ ଦଳ ଏଭଳି ଉଦ୍ୟମ କରିଥିଲା । ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟର ୨୭୭ ବିଧାୟକଙ୍କ କିଣା ଯାଇଛି । ଏତେ ଟଙ୍କା ଦଳ କେଉଁଠୁ ପାଇଲା (?) ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ପ୍ରଶ୍ନ କରି ବିଜେପିକୁ କାଠଗଡ଼ାରେ ଠିଆ କରିଥିବା ବେଳେ ବିଜେପି ଏହି ପ୍ରଶ୍ନକୁ ଏଡାଇ ଦିଲ୍ଲର ସରକାରଙ୍କ ଅବକାରୀ ଓ ଶିକ୍ଷା ଦୁର୍ନୀତିକୁ ନେଇ ବିତର୍କକୁ ସୀମିତ ରଖିବାକୁ ଉଦ୍ୟମ କରୁଛି । ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ କଥିତ ଅବକାରୀ ଦୁର୍ନୀତିରେ ଫସି ସରକାର ଭାଂଗିବା ଷଡଯନ୍ତ୍ର ଚାଲି ଥିବା ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ନିଜ ସରକାରକୁ ବଂଚାଇବା ପାଇଁ ‘ବାର ଦୁଆର ଶୁଣ୍ଢି ପିଣ୍ଡା’ ହେଉଛନ୍ତି । କଂଗ୍ରେସ ଶାସନରେ ମଧ୍ୟ ଘୋଡା ବେପାର ହେଉଥିଲା । ତେବେ, ବିଜେପି ଶାସନରେ ତାହା ଅଧିକ ବ୍ୟାପକ ହୋଇଥିବା କିଛି ବର୍ଷ ହେଲା ଦେଖିବାକୁ ମିଳୁଛି । ଏହାକୁ ରୋକିବା ପାଇଁ ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ଖସିବା ପାଇଁ ଗଳାବାଟ ମଧ୍ୟ ଥିବାରୁ ରାଜନୈତିକ ଦଳମାନେ ସୁଯୋଗ ପାଇଲେ ତାହା ହାତଛଡା କରିବାକୁ ପ୍ରସ୍ତୁତ ନଥିବାରୁ ‘ଘୋଡା ବେପାର’ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS