‘ରିସର୍ଟ’ ରାଜନୀତି, ବିଜେପି ନିକଟରୁ ଶିଖୁଛନ୍ତି ବିରୋଧୀ !
ପ୍ରସାଦ ରାଓ
ଅଗଷ୍ଟ ୨୭
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ‘ଅଫିସ ଅଫ୍ ପ୍ରଫିଟ୍’ ମାମଲାରେ ଛନ୍ଦି ହୋଇ ବିଧାନସଭା ସଭ୍ୟ ପଦ ହରାଇବା ଏକପ୍ରକାର ନିଶ୍ଚିତ ଥିବା ସମୟରେ ଦଳର ବିଧାୟକମାନଙ୍କୁ ବିଜେପିର ସମ୍ଭାବ୍ୟ ‘ଘୋଡା ବେପାର’ରୁ ସୁରକ୍ଷିତ ରଖିବା ପାଇଁ ‘ରିସର୍ଟ’ ରାଜନୀତିର ଆଶ୍ରୟ ନେଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ଆରଜେଡ଼ିର ମିଳିତ ସରକାର ରହିଛି । ବିଜେପି କିଛି କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରି ସୋରେନଙ୍କ ନେତୃତ୍ୱାଧୀନ ମେଂଟ ସରକାରକୁ ଭାଂଗିବାକୁ ଷଡଯନ୍ତ୍ର ଚଳାଇଥିବା ପୂର୍ବରୁ ଅଭିଯୋଗ ହେଉଥିଲା । କିଛି କଂଗ୍ରେସ ବିଧାୟକ ବିପୁଳ ଅର୍ଥ ସହ ନିକଟରେ ପଶ୍ଚିମ ବଂଗ ପୁଲିସ ହାତରେ ଧରାପଡିବା ପରେ ଝାଡ଼ଖଣ୍ଡରେ ଚାଲିଥିବା ସରକାରକୁ ଭାଂଗିବା ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା । ବିଜେପିର ଏହି ଷଡଯନ୍ତ୍ର ସଂପର୍କରେ ମୁଖ୍ୟମନ୍ତ୍ରୀ ସୋରେନ ନିଜେ ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ‘ବିଲେଇ କପାଳକୁ ଶିକା ଛିଣ୍ଡିବା’ ନ୍ୟାୟରେ ଏବେ ‘ଅଫିସ ଅଫ୍ ପ୍ରଫିଟ୍’ ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହେବାକୁ ଯାଉଛି । ଏନେଇ ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବ୍ୟାସଙ୍କ ସୁପାରିଶକୁ ନିର୍ବାଚନ କମିସନ୍ ଗ୍ରହଣ କରି ସଭ୍ୟ ପଦ ରଦ୍ଦ ସପକ୍ଷରେ ମତ ଦେବା ପରେ ରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି । ଆଜି ଏହି କାର୍ଯ୍ୟାନୁଷ୍ଠା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ କମିସନ୍ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସଭ୍ୟ ପଦ ରଦ୍ଦ ସପକ୍ଷରେ ମତାମତ ଦେଇଥିଲେ ମଧ୍ୟ ଆଗାମୀ ଦିନରେ ସେ ନିର୍ବାଚନ ଲଢିବା ଉପରେ କୌଣସି କଟକଣା ଜାରି କରିନାହାନ୍ତି । ତେଣୁ, ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡ଼ି ମେଂଟ ସରକାର ବିଜେପିର ସମ୍ଭାବ୍ୟ ‘ଘୋଡା ବେପାର’କୁ ଏଡାଇବା ପାଇଁ ବିଧାୟକମାନଙ୍କୁ ଗୋଟିଏ ଛାତ ତଳେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନ ‘ରିସର୍ଟ’ ରାଜନୀତିର ଆଶ୍ରୟ ନେଇ ଥିବା ବେଳେ ବିଜେପି ନିକଟରୁ ହିଁ ଏହା ସେମାନେ ଶିଖିଛନ୍ତି ବୋଲି କହିଛନ୍ତି । ଶାସକ ମେଂଟର ବିଧାୟକମାନେ ବ୍ୟାଗପତ୍ର ସହ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ସୋରନଙ୍କ ବାସଭବନରେ ମାରାଥନ ବୈଠକ ଚାଲି ଥିଲା । ରାଜ୍ୟରେ ବତତର୍୍ମାନ ଯେଉଁ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି ତାହାର କିଭଳି ମୁକାବିଲା କରାଯିବ ସେନେଇ ବିସ୍ତୃତ ଆଲୋଚନା ପରେ ପରେ ବାସଭବନ ବାହାରେ ଅପେକ୍ଷାରେ ଥିବା ଏକ ବସ୍ ରେ ୪୩ ଜଣ ବିଧାୟକଙ୍କୁ ରାଂଚି ବାହାରକୁ ପଠାଇ ଦିଆଯାଇଛି । ଏହି ବିଧାୟକମାନେ ବ୍ୟାଗପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ ଘରୁ ବାହାରି ସିଧା ବସ୍ ରେ ବସି ଥିଲେ । ସେଠାରୁ ସେମାନଙ୍କୁ ରାଂଚିରୁ ୩୦ କିମି ଦୂର ଖୁଂଟି ନିଆଯାଇଥିବା ସୂଚନା ମିଳିଛି । ତେବେ, ଝାଡ଼ଖଣ୍ଡ ସରକାରଙ୍କ ସହ ବଂଧୁତ୍ୱପୂର୍ଣ୍ଣ ସଂପର୍କ ଥିବା ପଡୋଶୀ ପଶ୍ଚିମ ବଂଗ ବା ଛତିଶଗଡ଼କୁ ବିଧାୟକମାନଙ୍କୁ ନିଆଯାଇପାରେ ବୋଲି ପୂର୍ବରୁ ସୂଚନା ଆସିଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ସର୍ବାଧିକ ୩୦ ଜଣ ବିଧାୟକ ଥିବା ବେଳେ ଶାସକ ମେଂଟ ବିଧାୟକ ସଂଖ୍ୟା ହେଉଛି ୪୯ । କଂଗ୍ରେସ ଦଳର ୧୮ ଜଣ ଓ ଆରଜେଡ଼ିର ଏକମାତ୍ର ବିଧାୟକ ଶାସକ ମେଂଟ ସହ ଅଛନ୍ତି । ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୨୬ ରହିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ମେଂଟ ବିଧାୟକଙ୍କ ମଧ୍ୟରେ ବିଭାଜନ କରି ଝାଡ଼ଖଣ୍ଡ ଦଖଲର ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି । ଜେଏମଏମ ମନ୍ତ୍ରୀ ମିଥିଳେଶ ଠାକୁର କହିଛନ୍ତି, ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କୁ ମିଶାଇ ଶାସକ ମେଂଟର ବିଧାୟକ ସଂଖ୍ୟା ୫୦ ରହିଛି । ଏହା ୫୬ରେ ପହଂଚି ପାରେ । ରାଜ୍ୟ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସଭ୍ୟ ପଦ ରଦ୍ଦ ସପକ୍ଷରେ ରାଜ୍ୟପାଳଙ୍କ ସୁପାରିଶକୁ ଭାରତୀୟ ନିର୍ବାଚନ କମିସନ ଅନୁମୋଦନ ଦେଇଥିଲେ ମଧ୍ୟ ସୋରେନ ଆଗକୁ ନିର୍ବାଚନ ଲଢିବା ନେଇ କମିସନଙ୍କ ଆଡୁ କୌଣସି କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ସୋରେନ ଉପ ନିର୍ବାଚନ ମାଧ୍ୟମରେ ବିଧାନସଭାକୁ ଫେରି ତାଙ୍କ ପଦବୀ ବଜାୟ ରଖି ପାରିନ୍ତି ବୋଲି ଆଲୋଚନା ହେଉଥିବା ବେଳେ ସୋରେନ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟରେ ନିର୍ବାଚନ କରାନ୍ତୁ ବୋଲି ବିଜେପି ଦାବି କରିଛି । ଏଠାରେ ଉଲ୍ଲେଖନୀୟ ଯେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗୋଟିଏ ଖଣି ଲିଜ୍ ଥିବା ବେଳେ ସେ ୨୦୧୯ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ନିର୍ବାଚନରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ସୋରନ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଦର୍ଶାଇ ତାଙ୍କ ବିଧାୟକ ପଦ ରଦ୍ଦ କରାଯିବାକୁ ଆବେଦନ କରିଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ବ୍ୟାସ ଏହି ଆବେଦନପତ୍ରକୁ ଭାରତୀୟ ନିର୍ବାଚନ କମିସନଙ୍କ ନକଟକୁ ପଠାଇ ଦେଇ ମତାମତ ଲୋଡି ଥିଲେ । ନିର୍ବାଚନ କମିସନ୍ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରାଯିବା ସପକ୍ଷରେ ମତ ଦେଇ ମେଂଟ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ରାଜ୍ୟରେ ଜେଏମଏମ-କଂଗ୍ରେସ-ଆରଜେଡ଼ି ମେଂଟ ସରକାରକୁ ଭାଂଗି ମହାରାଷ୍ଟ୍ର ଭଳି ବିଜେପି ନେତୃତ୍ୱାଧୀନ ଏକ ସରକାର ପ୍ରତିଷ୍ଠା ପାଇଁ ଯେଉଁ ଷଡଯନ୍ତ୍ର ଚାଳିଛି ସେଥିରେ ସମସ୍ତେ ସାମିଲ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୋରେନ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ ବିଜେପି ଶିବସେନାରେ ବିଭାଜନ କରି ଗୋଟିଏ ଗୋଷ୍ଠୀକୁ ନେଇ ସରକାର କରିବା ପରେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟରେ ‘ବିଜେପି ଭୟ’ ଘାରିଛି । ବିହାରରେ ବିଜେପି ଜେଡ଼ିୟୁ ସହ ମିଳିତ ଭାବେ କ୍ଷମତାରେ ଥିଲେ ମଧ୍ୟ ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ କରି ମହାରାଷ୍ଟ ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିବା ଅନୁଭବ କରିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଗୁଆ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରିଛନ୍ତି ଏବଂ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ବିଧାୟକଙ୍କ ସହଯୋଗ, ସମର୍ଥନରେ ନୂଆ ସରକାର ପ୍ରତିଷ୍ଠା କରିଛନ୍ତି । ଏବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ହେଉଛି । ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟି’ ବିଧାୟକଙ୍କୁ ପ୍ରଲୋଭିତ କରି ସରକାର ଭାଂଗିବାର ଷଡଯନ୍ତ୍ର ଚାଲିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କିଛି ଦିନ ହେଲା ଲଗାତର ଅଭିଯୋଗ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ-ବିଜେପି ଶାସିତ ରାଜ୍ୟରେ ସରକାରକୁ ବଂଚାଇବା ପାଇଁ ଏବେ ‘ରିସର୍ଟ ରାଜନୀତି’ ଏକମାତ୍ର ବାଟ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS