କଂଗ୍ରେସ ଛାଡିଲେ ଗୁଲାମ ନବୀ, ରାହୁଲଙ୍କ ଉପରେ ବର୍ଷିଲେ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୨୬
କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଦଳର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ଦେଶବ୍ୟାପୀ କଂଗ୍ରେସକୁ ସଂଗଠିତ କରିବା ଉଦ୍ଦେଶରେ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଏଭଳି ଏକ ଘଡିସନ୍ଧି ସମୟରେ କଂଗ୍ରେସକୁ ବଡ଼ ଝଟକା ଦେଇଛନ୍ତି ଦଳର ବରିଷ୍ଠ ତଥା ଅଭିଜ୍ଞ ନେତା ଗୁଲାମ ନବୀ ଆଜାଦ । ସେ କଂଗ୍ରେସ ଛାଡିବା ସହ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ବର୍ଷିଛନ୍ତି । ରାହୁଲଙ୍କ ଅନଭିଜ୍ଞତା ପାଇଁ ଆଜି କଂଗ୍ରେସ ଦଳ ରସାତଳକୁ ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ରାହୁଲ କଂଗ୍ରେସ ରାଜନୀତିରେ ପ୍ରବେଶ କରିବା ଓ ଦଳର ନେତୃତ୍ୱ ନେବା ପରେ ଦଳ ଭିତରେ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଷ କରି ସାମୁହିକ ନିଷ୍ପତ୍ତି ନେବାର ବ୍ୟବସ୍ଥା ସଂପୂର୍ଣ୍ଣ ଉଜୁଡି ଯାଇଛି ଏବଂ ଏଭଳି ଅନଭିଜ୍ଞତା କାରଣରୁ କଂଗ୍ରେସ ଦଳର ପରିବ୍ୟାପ୍ତି ୨୦୧୪ ପରରୁ ସଂକୁଚିତ ହୋଇ ଆଜି ଦିନରେ ମାତ୍ର ଦୁଇଟି ରାଜ୍ୟରେ ଦଳର ସରକାର ସୀମିତ ରହିଛି । ତେଣୁ, କଂଗ୍ରେସ ନେତୃତ୍ୱ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଥମେ ‘କଂଗ୍ରେସ ଯୋଡୋ’ ପ୍ରକ୍ରିୟା ଆରମ୍ଭ କରିବାକୁ ଗୁଲାମ ନବୀ ଦଳର ନେତୃତ୍ୱକୁ ପରାମର୍ଶ ଦେଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ଦେଶରେ କଂଗ୍ରେସର ବିପର୍ଯ୍ୟୟ ପରେ ସେଥିପାଇଁ ନିଜେ ଦାୟିତ୍ୱ ମୁଣ୍ଡାଇ ରାହୁଲ ଗାନ୍ଧୀ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଦଳର ବରିଷ୍ଠ ନେତାମାନେ ରାହୁଲଙ୍କୁ ମନାଇବାକୁ ଦୀର୍ଘ ଦିନ ଉଦ୍ୟମ କରି ବିଫଳ ହେବାରୁ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତଃରୀଣ ସଭାପତି କରିଥିଲେ । ସୋନିଆ ରାହୁଲଙ୍କ ପୂର୍ବରୁ ୨୦ ବର୍ଷ ଧରି ଦଳର ସଭାପତି ଥିଲେ । ତେବେ, ୨୦୧୯ ନିର୍ବାଚନ ବିପର୍ଯ୍ୟୟ ପାଇଁ ଗାନ୍ଧୀ ପରିବାରକୁ ଦାୟି କରୁଥିବା କିଛି କଂଗ୍ରେସ ନେତା ଏହି ପରିବାର ବାହାରୁ ଜଣକୁ ଏଆଇସିସିର ପୂର୍ଣ୍ଣ ସମୟ ସଭାପତି ନିଯୁକ୍ତ କରାଯିବାକୁ ଏବଂ ଦଳ ଭିତରେ ମିଳିତ ନିଷ୍ପତ୍ତି ନେବାର ପରଂପରାର ପୁନଃପ୍ରଚଳନ କରାଯିବାକୁ ଦାବି କରି ୨୦୨୦ରେ ଦଳର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ମିଳିତ ପତ୍ର ଲେଖିଥିଲେ । ଗୁଲାମ ନବୀ ଆଜାଦଙ୍କ ସମେତ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ଏହି ଚିଠିରେ ସ୍ୱାକ୍ଷର କରି ଦଳ ଭିତରେ ହୃତକଂପ ସୃଷ୍ଟି କରିଥିବା ବେଳେ ଗାନ୍ଧୀ ପରିବାର ହାତରେ ହିଁ କଂଗ୍ରେସର ନେତୃତ୍ୱ ରହିବା ଚାହୁଁଥିବା ନେତାମାନେ ଗୁଲାମ ନବୀ ଗୋଷ୍ଠୀକୁ ‘ଜି-୨୩’ ଗୋଷ୍ଠୀ ଭାବେ ନାମିତ କରି ଦଳରେ କୋଣଠେସା କରି ରଖିଛନ୍ତି ।ଫଳରେ, ଗଲା ଦୁଇ ବର୍ଷ ହେଲା କଂଗ୍ରେସରେ ଏକପ୍ରକାର ଅଶ୍ୱସ୍ତିକର ବାତାବରଣ ରହିଛି ।
ନିକଟରେ, ଜି-୨୩ ଗୋଷ୍ଠୀର ଅନ୍ୟତମ କୁହାଳିଆ ନେତା କପିଲ ସିବଲ୍ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରୁ ରାଜ୍ୟସଭାକୁ ଯାଇଛନ୍ତି । ଅନ୍ୟ କିଛି କଂଗ୍ରେସ ନେତା ଦଳ ଛାଡି ଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି କଂଗ୍ରେସ ଛାଡିଛନ୍ତି । କଂଗ୍ରେସ ଛାଡି ଥିବା କଥା ସେ ଆଜି ଦଳର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେବା ସହ ଏକ ପାଂଚ ପୃଷ୍ଠାର ଚିଠି ଲେଖିଛନ୍ତି, ଯେଉଁଥିରେ କି ରାହୁଲଙ୍କୁ କଡା ସମାଲୋଚନା କରାଯାଇଛି । ଗୁଲାମ ନବୀ ଆଜାଦ ତାଙ୍କ ଚିଠିରେ ଲେଖିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ରାଜନୀତିରେ ପ୍ରବେଶ କରିବା ପରରୁ, ବିଶେଷକରି ୨୦୧୩ ଜାନୁୟାରୀରେ ତାଙ୍କୁ ଦଳର ଉପ ସଭାପତି ଭାବେ ନିଯୁକ୍ତ ଦିଆଯିବା ପରରୁ ଦଳରେ ରହି ଆସିଥିବା ସାମୁହିକ ନିଷ୍ପତ୍ତି ନେବାର ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦ୍ୱାରା ଜାରି ହୋଇଥିବା ଏକ ଅଧ୍ୟାଦେଶରକୁ ରାହୁଲ ଗାନ୍ଧୀ ଗଣମାଧ୍ୟମ ସମ୍ମୁଖରେ ଚିରି ଫିଙ୍ଗିବା ଥିଲା ତାଙ୍କ ‘ପିଲାଳିଆମୀ’, ଯାହାକି ଦେଶର ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ କର୍ତ୍ତୃତ୍ୱ ପ୍ରତି ଅପମାନସୂଚକ ଥିଲା । ରାହୁଲଙ୍କ ଏହି ଗୋଟିଏ ଆକ୍ସନ୍ ୨୦୧୪ ସାଧାରଣ ନିର୍ବାଚନରେ ୟୁପିଏର ବିପର୍ଯ୍ୟୟା କାରଣ ହେଲା । ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ଥିବା ଦକ୍ଷିଣପନ୍ଥୀ ରାଜନୈତିକ ଦଳ ଏବଂ କିଛି ଅସାଧୁ କର୍ପୋରେଟକ ସଂସ୍ଥା ନିଜ ସ୍ୱାର୍ଥ ପାଇଁ ରାହୁଲଙ୍କ ଏହି କାର୍ଯ୍ୟକୁ ୟୁପିଏ ବିରୋଧରେ ପ୍ରଚାର ଅସ୍ତ୍ର କରିଥିଲେ ।
ଗାନ୍ଧୀ ପରିବାର ନେତୃତ୍ୱରେ ଦଳ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଲଜ୍ୟାଜନକ ପରାଜୟର ସାମ୍ନା କରିଛି । ୨୦୧୪ରୁ ୨୦୨୨ ମଧ୍ୟରେ ହୋଇଥିବା ୪୯ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୩୯ଟିରେ କଂଗ୍ରେସର ପରାଜୟ ଘଟିଛି । ଆଜି ଦିନରେ କେବଳ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ବେଳେ ଅନ୍ୟ ଦୁଇଟି ରାଜ୍ୟରେ ଦଳ ସେଠାରେ ସରକାରରେ କନିଷ୍ଠତମ ଭାଗିଦାର ରହିଛି । ଯାହାକି ଦୁର୍ଭାଗ୍ୟର ବିଷୟ । ସୋନିଆ ଗାନ୍ଧୀ ଦଳର ଅନ୍ତଃରୀଣ ସଭାପତି ଥାଇ ମଧ୍ୟ ଗଲା ତିନି ବର୍ଷ ହେଲା ଯାହା କିଛି ନିଷ୍ପତ୍ତି ହେଉଛି ‘ରିମୋଟ କଂଟ୍ରୋଲ’ମାଧ୍ୟମରେ । ରାହୁଲ ଗାନ୍ଧୀ ଓ ତାଙ୍କ ଅଧସ୍ଥନ କର୍ମଚାରୀମାନେ ଏସବୁ ନିଷ୍ପତ୍ତି ନେଉଛନ୍ତି ବୋଲି ଗୁଲାମ ନବୀ ତାଙ୍କ ଚିଠିରେ ଅଭିଯୋଗ କରିଥିବା ଜଣାପଡିଛି । ରାଜନୀତିରେ ରୁଚି ରଖୁନଥିବା ଜଣେ ବ୍ୟକ୍ତିଙ୍କୁ ଗତ ଆଠ ବର୍ଷ ହେଲା ଦଳର ନେତୃତ୍ୱ ନେବାକୁ ଛାଡି ଦିଆଯିବାରୁ କଂଗ୍ରେସର ଏଭଳି ବିପର୍ଯ୍ୟୟ ଘଟିଥିବା ଗୁଲମ ନବୀ ଅଭିଯୋଗ କରିବା ସହ ବର୍ତ୍ତମାନ ଦଳରେ ଯେଉଁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି ତାହା ମଧ୍ୟ ଏକ ପ୍ରହଶନ ବୋଲି କହିଛନ୍ତି ।
ଗୁଲାମ ନବୀଙ୍କ ଏହି ଚିଠି ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ କଂଗ୍ରେସ ନେତୃତ୍ୱର ଅଡୁଆ ବଢିଛି । ସେପ୍ଟେମ୍ବର ୨୧ ତାରିଖରେ ଦଳର ନୂତନ ସଭାପତି ନିର୍ବାଚନ ହେବା ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଥିଲା । ତେବେ, ସଭାପତି ନିର୍ବାଚନ କିଛି ସପ୍ତାହ ପାଇଁ ଘୁଂଚି ଯାଇପାରେ ବୋଲି କୁହାଯାଉଛି । ଗୁଲାମ ନବୀ ଆଜାଦଙ୍କ ସମତେ ଜି-୨୩ ନେତାମାନେ ୨୦୨୦ରୁ ଦଳରେ କୋଣଠେସା ହୋଇ ରହି ଥିଲେ । ଦଳ ସେମାନଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଭାଗିଦାର କରୁନଥିଲା । ଆଜି ଗୁଲାମ ନବୀଙ୍କ କଂଗ୍ରେସ ଛାଡିବା ନିଷ୍ପତ୍ତି ଦଳର ନେତୃତ୍ୱ ପାଇଁ କୌଣସି ଫରକ ପକାଉ ନଥିବା ଗାନ୍ଧୀ ପରିବାରର ସମର୍ଥକ ନେତାମାନେ ଯୁକ୍ତି କରୁଛନ୍ତି । ତଥାପି, ୨୦୨୨ ଶେଷ ଓ ୨୦୨୩ରେ ଦେଶର କିଛି ପ୍ରମୁଖ ରାଜ୍ୟରେ ବିଧାନସଭା ଓ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ସଂଗଠିତ ହେବା ବଦଳରେ ଛିଡି ଛିଡି ଯାଉଥିବା ବିରୋଧୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ବିଶେଷକରି, ଗୁଲାମ ନବୀ ଅଜାଦଙ୍କ ଭଳି ନେତା କଂଗ୍ରେସ ଛାଡି କଂଗ୍ରେସ ନେତୃତ୍ୱ ବିରୋଧରେ ବିଷୋଦଗାର କରିବା ବିଜେପିକୁ ସୁହାଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS