ବିଜେପି ଜାଲରେ ଫସିବେ ନାହିଁ ତ ନବୀନ ?

ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୨୫
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ରେ ସାମିଲ କରିବାକୁ ବିଜେପି ଜାଲ ବିଛାଇଛି । ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କୁ ଦେଇଥିବା ପ୍ରସ୍ତାବ କେବଳ ଆଂଚଳିକସ୍ତରରେ ନୁହେଁ, ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅଗଷ୍ଟ ୨୨ ତାରିଖ ଦିନ ଏନଡ଼ିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟିର୍ ଅଫ୍ ଇଣ୍ଡିଆର ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେ ଭୁବନେଶ୍ୱର ଗସ୍ତରେ ଥିବା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ିକୁ ଏନଡ଼ିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି । ନବୀନ ଏନଡ଼ିଏ ସହିତ ରହି ଓଡ଼ିଶାରେ କ୍ଷମତାକୁ ଆସି ଥିଲେ ମଧ୍ୟ ୨୦୦୯ରେ ସଂପର୍କ ଛିନ୍ନ କରି ବିଜେପି ଓ କଂଗ୍ରେସ ସହ ସମଦୂରତା ନୀତି ଆପଣାଇଛନ୍ତି । ତେବେ, ବାସ୍ତବ କ୍ଷେତ୍ରରେ ସେ ଏନଡ଼ିଏ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ନୀତି ଓ ନିଷ୍ପତ୍ତିକୁ ସମର୍ଥନ ଦେଇ ଆସୁଛନ୍ତି । ବର୍ତ୍ତମାନ ଯଦି ସେ ଏନଡ଼ିଏରେ ସାମିଲ ହୁଅନ୍ତି ତେବେ ଅଧିକ ଫାଇଦାରେ ରହିବେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଅଧିକ ଆର୍ଥିକ ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ମନ୍ତ୍ରୀ ଅଠୱାଲେ ପ୍ରତିଶ୍ରୁତି ଦେଇଛନ୍ତି ।
ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି କେନ୍ଦ୍ର ମନ୍ତ୍ରୀ ଅଠୱାଲେଙ୍କ ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଛି, ଏହା ବିଜେପିର ପ୍ରସ୍ତାବ ନୁହେଁ, ଆରପିଆଇ ନେତା ଅଠୱାଲେଙ୍କ ପ୍ରସ୍ତାବ । ଏଥିରେ ବିଜେପିର କିଛି କହିବାର ନାହିଁ । ବିଜେଡ଼ିର ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସମଦୂରତା ନୀତିକୁ ଦୋହରାଇ ବିଜେପି ଆଡୁ ପ୍ରସ୍ତାବ ଆସିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହା ଉପରେ ଯାହା କିଛି ନିଷ୍ପତ୍ତି ନେବେ କହି ଅଠୱାଲେଙ୍କ ପ୍ରସ୍ତାବକୁ ଟାଳି ଦେଇଛନ୍ତି । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ସୁଦ୍ଧା ଏହି ପ୍ରସ୍ତାବକୁ ନେଇ କୌଣସି ପ୍ରତିକ୍ରିୟା ନରଖି ନୀରବ ରହିବା ଗଣମାଧ୍ୟମରେ ଚର୍ଚ୍ଚା ପାଇଁ ଅଧିକ ଖୋରାକ ଯୋଗାଇଛି ।
ଏବେ ପ୍ରଶ୍ନ ହେଉଛି, କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ କୌଣସି ଆଲୋଚନା ନକରି ଅଗଷ୍ଟ ୨୨ ତାରିଖ ଦିନ ଗଣମାଧ୍ୟମ ଜରିଆରେ ବିଜେଡ଼ି ସାମ୍ନାରେ ଏଭଳି ପ୍ରସ୍ତାବ ରଖିଲେ କି ? ଏହାଦ୍ୱାରା ଆରପିଆଇ କିଭଳି ଲାଭବାନ ହେବ ? ବିଜେପି କେନ୍ଦ୍ରୀୟ ନେତୃତ୍ୱ ଯଦି ବିଜେଡ଼ିକୁ ଏଭଳି ଏକ ପ୍ରସ୍ତାବ ଦେବା ସପକ୍ଷରେ ନାହାନ୍ତି ତେବେ ଅଠୱାଲେଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚୁପ ରହିଛନ୍ତି କାହିଁକି ? ରାଜ୍ୟ ବିଜେପି ନେତୃବର୍ଗ ଯାହା କହୁଛନ୍ତି ତାହା କେନ୍ଦ୍ରୀୟ ନେତୃତ୍ୱର ମତ ବୋଲି ବିଚାର କରାଯାଇ ନପାରେ । ବିଜେଡ଼ି ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଠୱାଲେଙ୍କ ପ୍ରସ୍ତାବକୁ ସିଧାସଳଖ ଖାରଜ ନକରି ବୁଲେଇ ବାଙ୍କେଇ ଗଣମାଧ୍ୟମରେ ଉତ୍ତର ରଖିବା ପ୍ରସଙ୍ଗକୁ ଅଧିକ ରହସ୍ୟବୃତ୍ତ କରିଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ଥିବା ବେଳେ ଦଳର ବରିଷ୍ଠ ନେତାମାନେ ହିଁ ଏହି ପ୍ରସଙ୍ଗକୁ ନେଇ ଯାହା କିଛି ମତ ରଖୁଛନ୍ତି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ଖେଳ ଆରମ୍ଭ ହୋଇଯାଇଛି । ଏନଡ଼ିଏର ବଡ଼ ଅଂଶୀଦାର ରହି ଆସି ଥିବା ଜେଡ଼ିୟୁ ଅଗଷ୍ଟ ୯ ତାରିଖ ଦିନ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରି ୟୁପିଏ ଆଡକୁ ଢଳିଛି । ଜେଡ଼ିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଗଷ୍ଟ ୯ ତାରିଖ ଦିନ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରିବା ପରେ ୧୦ ତାରିଖ ଦିନ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ବିଧାୟକଙ୍କ ସହଯୋଗରେ ରାଜ୍ୟରେ ନୂଆ ସରକାର କରିଛନ୍ତି । ନୀତିଶ ଏନଡ଼ିଏ ଛାଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଯେଉଁ ରଣ ହୁଂକାର ଦେଇଛନ୍ତି ସେଥିରେ ବିଜେପି ବିଚଳିତ ହେବା ସ୍ୱାଭାବିକ । ରାଜ୍ୟସଭାରେ ଏନଡ଼ିଏର ଆବଶ୍ୟକ ସଂଖ୍ୟା ନଥିବା ବେଳେ ଜେଡ଼ିୟୁ ଜାତୀୟ ଗଣତାନ୍ତ୍ରିକ ମେଂଟରୁ ଓହରି ଯିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା କରିବା ପାଇଁ ବିଜେପି ଓଡ଼ିଶାର ବିଜୁ ଜନତା ଦଳ ଓ ଆନ୍ଧ୍ର ପ୍ରଦେଶର ଶାସକ ୱାଇଏସଆରସିପି ଉପରେ ଅଧିକ ନିର୍ଭରଶୀଳ ହୋଇଛି ।
ୱାଇଏସଆରସିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏନଡ଼ିଏ ବାହାରେ ଥିଲେ ମଧ୍ୟ ଅଧିକଂଶ ଜାତୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଦେଇ ଆସିଛନ୍ତି । ସେହିଭଳି, ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୦୯ ସାଧାରଣ ନିର୍ବାଚନ ସମୟରୁ ବିଜେପି ଓ କଂଗ୍ରେସ ସହ ସମଦୂରତା କଥା କହି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅକୁଣ୍ଠ ସମର୍ଥନ ଦେଇ ଆସୁଛନ୍ତି । ୨୦୨୦ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ବିଜେପିକୁ ସମର୍ପି ଦେଇଛି । କେନ୍ଦ୍ର ରେଳବାଇ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (ବିଜେପି) ବିଜେଡ଼ି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଛନ୍ତି । ନିକଟରେ ଅନୁଷ୍ଠିତ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ବିଜେଡ଼ି ଖୋଲା ସମର୍ଥନ ଦେଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଆଦିବାସୀ ନେତ୍ରୀ ହୋଇଥିବାରୁ ବିଜେଡ଼ି ଅକୁଣ୍ଠ ଚିତ୍ତରେ ସମର୍ଥନ ଦେଇଥିବା ଗ୍ରହଣୀୟ । କିନ୍ତୁ, ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ଏନଡ଼ିଏ ପ୍ରାର୍ଥୀ ଜଗଦୀପ ଧନକରଙ୍କୁ ଖୋଲାଖୋଲି ସମର୍ଥନ ଦେବା ନେଇ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଛି । ନବୀନ ସମଦୂରତା କଥା କହୁଥିବା ବେଳେ ଠିକ୍ ସମୟରେ ବିଜେପି ପ୍ରତି ନିଜର ସମର୍ପଣ ଭାବ ପ୍ରଦର୍ଶନ କରି ଆସିଛନ୍ତି ବୋଲି ନିର୍ବାଚନରେ ପରେ ବିରୋଧୀ ସମାଲୋଚନା କରିଥିଲେ ।
ଅପରପକ୍ଷରେ, ନୀତିଶ କୁମାର ଏନଡ଼ିଏ ଛାଡି ବିରୋଧୀଙ୍କ ସହ ହାତ ମିଳାଇବା ପରେ ବିଜେପି ବିଜେଡ଼ିର ଏହି ସମର୍ପଣ ଭାବକୁ ଆନୁଷ୍ଠାନିକ ରୂପ ଦେବାକୁ ଚାହୁଁଥିବା କେନ୍ଦ୍ର ମନ୍ତ୍ରୀ ଅଠୱାଲେଙ୍କ ପ୍ରସ୍ତାବରୁ ଅନୁମାନ କରି ହେଉଛି । ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣ ସିଂହ ହେଉଛନ୍ତି ଜେଡ଼ିୟୁର ଜଣେ ବରିଷ୍ଠ ନେତା । ୨୦୧୮ ଓ ୨୦୨୦ରେ ସେ ଏନଡ଼ିଏରୁ ପ୍ରାର୍ଥୀ ହୋଇ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ନୀତିଶ କୁମାର ଓ ତାଙ୍କ ନେତୃତ୍ୱାଧୀନ ଜେଡ଼ିୟୁ ଏନଡ଼ିଏରୁ ଓହରି ଯିବା ପରେ ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ହରିବଂଶ ସିଂହଙ୍କୁ ହଟାଇବା ଉପକ୍ରମ ଆରମ୍ଭ ହୋଇଯାଇଛି । ୨୦୨୦ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୟରେ ବିଜେଡ଼ି ଉପାଧ୍ୟକ୍ଷ ପଦକୁ ଆଖେଇ ଥିଲା । କିନ୍ତୁ, ବିଜେପି ହରିବଂଶଙ୍କୁ ପୁନର୍ବାର ପ୍ରାର୍ଥୀ କରି ବିଜେଡ଼ିର ଆଶାକୁ ଧୂଳିସାତ କରିଥିଲା । ବାଧ୍ୟ ହୋଇ ବିଜେଡ଼ି ୨୦୧୮ ଭଳି ୨୦୨୦ରେ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶଙ୍କୁ ସମର୍ଥନ ଦେଇଥିଲା । ଏବେ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ହଟିବାକୁ ଯାଉଥିବାରୁ ବିଜେପି ଓଡ଼ିଶାର ବିଜେଡ଼ି ଓ ଆନ୍ଧ୍ରର ୱାଇଏସଆରସିପିକୁ ଏହି ପଦବୀର ଲାଲସା ଦେଖାଇ ଏନଡ଼ିଏରେ ସାମିଲ କରିବା ଯୋଜନାରେ ଥିବା ଆଲୋଚନା ହେଉଛି ।
କିଛି ବିଜେଡ଼ି ନେତାଙ୍କ କହିବା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ହରିଂବଶ ନାରାୟଣ ସିଂହଙ୍କୁ ପଦରୁ ହଟା ଗଲେ ସଂସଦର ଶୀତକାଳୀନ ଅଧିବେଶନରେ ହିଁ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସଂସଦ ଅଧିବେଶନ ନଭେମ୍ବର ଆଡକୁ ହେବାକୁ ଅଛି । ତେଣୁ, ବିଜେଡ଼ି ହଡବଡ ହୋଇ କିଛି ନିଷ୍ପତ୍ତି ନେବାର ଆବଶ୍ୟକତା ଅନୁଭବ କରୁନାହିଁ । ଠିକ୍ ସମୟ ଆସିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍ ନିଷ୍ପତ୍ତି ନେବେ । ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟସଭାରେ ବିଜେଡ଼ିର ନଅ ଜଣ ସାଂସଦ ଅଛନ୍ତି ଏବଂ ସଂସଦର ଉପର ଗୃହରେ ସରକାର ବିଭିନ୍ନ ବିଲ୍ ଗୃହୀତ କରାଇବା ପାଇଁ ବିଜେଡ଼ି ସାଂସଦଙ୍କ ଉପରେ ନିର୍ଭର କରିବେ । ବିଜେଡ଼ି ଏନଡ଼ିଏରେ ନଥାଇ ସରକାରଙ୍କୁ ବିଭିନ୍ନ ବିଲ୍ ଗୃହୀତ କରାଇବାରେ ସମର୍ଥନ ଦେଉଥିଲା । ଏବେ ମଧ୍ୟ ତାହା କରିବ । ତେବେ, ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପଦ ଯଦି ବିଜେଡ଼ିକୁ ଦେବ ଏବଂ ବିଜେଡ଼ି ତାହାକୁ ଗ୍ରହଣ କରି ନେବ ଦୁଇ ଦଳର ସଂପର୍କ ୨୦୦୯ ପୂର୍ବ ସ୍ଥିତିକୁ ଚାଲି ଆସିବ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ସମୀକରଣରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ପଟେ ବିଜେପି କଳେ, ବଳେ, କୌଶଳେ ତାହାର ଶକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏକ ବଡ଼ ସମ୍ଭାବନ ସୃଷ୍ଟି ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ର ନିର୍ବାଚନ ବିପର୍ଯ୍ୟୟ ପରେ ଦଳର ସଭାପତି ପଦରୁ ଇସ୍ତଫା ଦେବା ପରେ ଦଳରେ କେହି ସ୍ଥାୟୀ ସଭାପତି ନାହାନ୍ତି । ରାହୁଲ ପୁନର୍ବାର ଦଳର ମଂଗ ଧରିବାକୁ ଚାହୁଁ ନାହାନ୍ତି । ତେଣୁ, ଗାନ୍ଧୀ ପରିବାର ବାହାରୁ କେହି ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହେବା ସମ୍ଭାବନା ଦୃଢ ହେବାରେ ଲାଗିଛି । ଏହା ଯଦି ସମ୍ଭବ ହେଉଛି ତେବେ ବିଜେପି କଂଗ୍ରେସକୁ ନେଇ ତାହାର ପ୍ରଚାର କୌଶଳ ବଦଳାଇବାକୁ ବାଧ୍ୟ ହେବ । ସେହିପରି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏରୁ ଓହରି ବିରୋଧୀଙ୍କ ସହ ହାତ ମିଳାଇବା ପରେ ଏକ ବିରୋଧୀ ମେଂଟ ଗଠନ ଉଦ୍ୟମ ଆରମ୍ଭ କରି ଥିବା ସୂଚନା ଦେଇଛନ୍ତି । ସେ ବିରୋଧୀ ମେଂଟର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।
ଏନଡ଼ିଏ ବାହାରେ ଥିବା ବିରୋଧୀ ରାଜନୈତିକ ଦଳମାନେ ବିଜେପି ଆଡୁ ଆକ୍ରମଣାତ୍ମକ ରାଜନୀତିର ସାମ୍ନା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଗଠିତ ନୁହନ୍ତି । ସେମାନେ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ଜାରି ରଖିଛନ୍ତି । ତଥାପି, ୨୦୨୪ ସାଧାରଣ ନିର୍ବାଚନରେ ଶକ୍ତିଶାଳୀ ବିଜେପିକୁ ପରାଜିତ କରିବାକୁ ହେଲେ ସେମାନେ ଏକାଠି ହୋଇ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ଗଠନ କରିବାର ଆବଶ୍ୟକତାକୁ ଅନୁଭବ କରୁଥିବା ବିଶ୍ୱାସ କରାଯାଉଛି । ଏଭଳି ସ୍ଥିତିରେ ବିଜେଡ଼ି ତାହାର ରଣନୀତିକୁ ଖୁଲାସା ନକରି ସଠିକ୍ ସମୟକୁ ଅପେକ୍ଷା କରିବା ହିଁ ବୁଦ୍ଧିମତ୍ତାର ପରିଚୟ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ‘ସଠିକ୍ ସମୟକୁ ଅପେକ୍ଷା’ ରଣନୀତିକୁ ଗୁରୁତ୍ୱ ଦେଇଛନ୍ତି । ଏବେ ମଧ୍ୟ ସେହି ଏକା ରଣନୀତି ଆପଣାଇବେ ବୋଲି କୁହାଯାଉଥିବା ବେଳେ ବିଜେପିର ରାଜ୍ୟସଭା ଉପାଧ୍ୟକ୍ଷ ‘ଫାସ’ ନବୀନଙ୍କୁ ରଣନୀତି ବଦଳାଇବାକୁ ବାଧ୍ୟ କରିପାରେ ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS