ଆସ୍ଥା ଭୋଟ ପୂର୍ବରୁ ସିବିଆଇ ଚଢାଉ ‘ସଂଯୋଗ’ ନା ଆଉ କିଛି ?

ପ୍ରସାଦ ରାଓ
ଅଗଷ୍ଟ ୨୪
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଅଗଷ୍ଟ ୧୦ ତାରିଖ ଦିନ ଗଠିତ ଜେଡ଼ିୟୁ-ଆରଜେଡ଼ି-କଂଗ୍ରେସ ମହାଗଠବନ୍ଧନ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ ଲୋଡିବାର କିଛି ଘଂଟା ପୂର୍ବରୁ ସରକାରର ମୁଖ୍ୟ ଅଂଶୀଦାର ଥିବା ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)ର କିଛି ନେତାଙ୍କ ଘରେ ହୋଇଥିବା ସିବିଆଇ ଚଢାଉ ଦେଶବାସୀଙ୍କୁ ଆଚମ୍ବିତ କରିନଥିଲେ ମଧ୍ୟ ଏହା କେବଳ ଏକ ‘ସଂଯୋଗ’ ନା ଏହା ପଛରେ ବିଜେପିର ଆକ୍ରେଶମୂଳକ ରାଜନୀତି ରହିଛି (?), ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଅଣ-ବିଜେପି ଶାସିତ ରାଜ୍ୟରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଦୂରୁପଯୋଗ କରି କ୍ଷମତା ଦଖଲ କରିବାର ଷଡଯନ୍ତ୍ର ଚଳାଇ ଆସୁଥିବାରୁ ବିହାରରେ ଆରଜେଡ଼ି ନେତାଙ୍କ ଉପରେ ହୋଇଥିବା ସିବିଆଇ ଚଢାଉକୁ କେହି ସ୍ୱାଭାବିକ ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୦ରେ ଏନଡ଼ିଏର ଅଂଶୀଦାର ଭାବେ ବିଜେପି ସହ ମିଳିତ ହୋଇ ବିହାର ବିଧାନସଭା ନିର୍ବାଚନ ଲଢି ଥିଲେ । ରାଜ୍ୟ ବିଧାନସଭାର ୨୪୩ ଆସନରୁ ନୀତିଶଙ୍କ ଜେଡ଼ିୟୁ (ସଂଯୁକ୍ତ ଜନତା ଦଳ)କୁ ମାତ୍ର ୪୩ଟି ଆସନ ମିଳି ଥିବା ବେଳେ ବିଜେପିକୁ ୭୪ ଆସନ ମିଳି ଥିଲା । ତଥାପି, ବିଜେପି ତାଙ୍କୁ ମିଳିତ ବିଧାୟକ ଦଳ ନେତା ନିର୍ବାଚିତ କରି ସପ୍ତମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସୁଯୋଗ ଦେଇଥିଲା । କିନ୍ତୁ, ନୀତିଶ କୌଣସି କାରଣରୁ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ୨୦୨୨ ଅଗଷ୍ଟ ୯ ତାରିଖ ଦିନ ବିଜେପି-ଜେଡ଼ିୟୁ ସରକାରକୁ ଭାଂଗି ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଏନଡ଼ିଏରୁ ଓହରି ଯାଇଥିବା ଘୋଷଣା କରିଥିଲେ । ସେହି ଦିନ ସେ ବିହାର ରାଜ୍ୟପାଳଙ୍କୁ ଭେଟି ତାଙ୍କ ପଛରେ ରାଜ୍ୟ ବିଧାନସଭାର ୧୬୪ ବିଧାୟକଙ୍କ ସମର୍ଥନ ଥିବାର ଚିଠି ଧରାଇ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକଙ୍କ ସହ ମେଂଟରେ ନୂଆ ସରକାର ଗଠନର ଦାବି ରଖିଥିଲେ ।
ଅଗଷ୍ଟ ୧୦ ତାରିଖ ଦିନ ନୀତିଶ କୁମାର ମହାଗଠବନ୍ଧନ ସରକାର ଗଠନ କରି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ବିଜେପିକୁ କ୍ଷୁବ୍ଧ କରିଛି । ଏହା ନୀତିଶଙ୍କ ବିଜେପି ପ୍ରତି ‘ବିଶ୍ୱାସଘାତକତା’ ବୋଲି ଦର୍ଶାଇ ବିଜେପି ନେତୃବର୍ଗ ତାଙ୍କୁ କଠୋର ସମାଲୋଚନା କରିଆସୁଛନ୍ତି । ସରକାରରେ ମୁଖ୍ୟ ଅଂଶୀଦାର ଥିବା ଆରଜେଡ଼ି ଏବେ ବିଜେପିର ଟାର୍ଗେଟ ରହିଛି । ନୀତିଶ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ ଲୋଡିବାର କିଛି ଘଂଟା ପୂର୍ବରୁ ସିବଆଇ କିଛି ଆରଜେଡ଼ି ନେତାଙ୍କ ଘରେ ଚଢାଉ କରିଛି । ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୟୁପିଏ-୧ ସରକାରରେ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ସମୟରେ ‘ଜମି ବଦଳରେ ଚାକିରୀ’ ବା ‘ଲ୍ୟାଣ୍ଡ ଫର୍ ଜବ୍’ ଦୁର୍ନୀତିକୁ ନେଇ ଏହି ଚଢାଉ ହୋଇଥିବା କୁହାଯାଉଛି ।
ଆରଜେଡ଼ି ନେତା ସୁନିଲ ସିଂହ, ସୁବୋଧ ରାୟ, ଡ଼କ୍ଟର ଫୟାଜ ଅହମ୍ମଦ ଓ ଅସଫାକ କରିମଙ୍କ ଘରେ ସିବିଆଇ ଚଢାଉ ହୋଇଥିବା ବେଳେ ନୀତିଶ ସରକାର ଆସ୍ଥା ଭୋଟ ଲୋଢିବା ପୂର୍ବରୁ ହୋଇଥିବା ଚଢାଉ ବିରୋଧୀଙ୍କୁ ଡରାଇବା ପାଇଁ ବିଜେପି ରାଜନୀତିର ଅଂଶ ବୋଲି ଆରଜେଡ଼ି ଅଭିଯୋଗ କରିଛି । ଏହି ଚଢାଉ ଆସ୍ଥା ଭୋଟକୁ କୌଣସି ଭାବେ ପ୍ରଭାବିତ କରୁନଥିବା ଜେଡ଼ିୟୁ (ସଂଯୁକ୍ତ ଜନତା ଦଳ) କହିଛି । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ରାଜ୍ୟ ବିଧାନସଭାର ୨୪୩ ଆସନରୁ ୧୨୫ଟି ବିଜୟୀ ହୋଇଥିବା ବେଳେ ଆରଜେଡ଼ି, କଂଗ୍ରେସ, ସିପିଆଇ-ଏମଏଲ, ସିପିଆଇ, ସିପିଏମର ମହାଗଠବନ୍ଧନ (ୟୁପିଏ)କୁ ୧୧୦ ଆସନ ମିଳିଥିଲା । ନୀତିଶ କୁମାର ଏନଡ଼ିଏର ୧୨୫ ବିଧାୟକଙ୍କ ନେତା ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୨ ଅଗଷ୍ଟରେ ସେ ଏନଡ଼ିଏରୁ ଓହରି ଆସିବ ପରେ ବିଧାନସଭା ଗଣିତ ବଦଳିଛି ।
ଅଗଷ୍ଟ ୧୦ ତାରିଖରେ ଆରଜେଡ଼ି-କଂଗ୍ରେସ ଓ ବାମପନ୍ଥୀ ଦଳଙ୍କୁ ନେଇ ଗଠିତ ନୂତନ ମହାଗଠବନ୍ଧ ସରକାର ପ୍ରତି ବିଧାନସଭାର ୧୬୪ ବିଧାୟକଙ୍କ ସମର୍ଥନ ଥିବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଶ୍ଚିନ୍ତ । ବିଜେପି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳର ବିଧାୟକ ମହାଗଠବନ୍ଧନ ସରକାର ସହ ଅଛନ୍ତି । ବିହାର ବିଧାନସଭାରେ ବର୍ତ୍ତମାନ ବିଧାୟକ ସଂଖ୍ୟା ୨୪୧ ଥିବାରୁ ଯେକୌଣସି ଦଳକୁ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବା ସକାଶେ ୧୨୧ ବିଧାୟକଙ୍କ ସମର୍ଥନର ଆବଶ୍ୟକ । ଏହି ସଂଖ୍ୟାଠାରୁ ଢେର ଅଧିକ ସଂଖ୍ୟା ମହାଗଠବନ୍ଧନ ସରକାର ପଛରେ ରହିଛି । ତେଣୁ, ଆଜି କେବଳ ଔପଚାରିକତା ରକ୍ଷା ପାଇଁ ଆସ୍ଥା ଭୋଟ ହୋଇଛି ।
ଆସ୍ଥା ଭୋଟ ପୂର୍ବରୁ ବିଧାନସଭା ବାଚସ୍ପତି ଥିବା ବିଜୟ କୁମାର ସିହ୍ନା (ବିଜେପି)ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ନୂଆ ସରକାର କ୍ଷମତାକୁ ଆସିବା ପୂର୍ବରୁ ବାଚସ୍ପତି ସିହ୍ନାଙ୍କ ବିରୋଧରେ ବିଧାନସଭାରେ ଆନାସ୍ଥା ପ୍ରସ୍ତାବ ଆଣି ଥିଲେ । ସିହ୍ନା ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ‘ଗ୍ରହଣୀୟ’ ନୁହେଁ ବୋଲି ଦର୍ଶାଇ ବାଚସ୍ପତି ପଦରୁ ହଟିବାକୁ ରାଜି ନଥିଲେ । ତେବେ, ଆଜି ବିଧାନସଭା ଅଧିବେଶନର ପ୍ରାରମ୍ଭରେ ସେ ପଦତ୍ୟାଗ କରିଛନ୍ତି ଓ ବିଧାନସଭା ଉପ ବାଚସ୍ପତି ମହେଶ୍ୱର ହଜାରୀ (ଜେଡ଼ିୟୁ) ଆସ୍ଥା ଭୋଟ ପରିଚାଳନା କରିଛନ୍ତି । ଆରଜେଡ଼ିର ବରିଷ୍ଠ ବିଧାୟକ ଅୱଧ ବିହାରୀ ଚୌଧୁରୀଙ୍କୁ ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ କରିବାକୁ ସରକାର ମନସ୍ତ କରିଥିବା ସୂଚନା ମିଳିଛି ।
ଆସ୍ଥା ଭୋଟର କିଛି ଘଂଟା ପୂର୍ବରୁ ରାଜଧାନୀ ପାଟନାରେ କିଛି ଆରଜେଡ଼ି ନେତାଙ୍କ ଉପରେ ସିବିଆଇ ଚଢାଉ କରାଯିବା ବିଜେପିର ଏକ ଆକ୍ରେଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଆରଜେଡ଼ି ପକ୍ଷରୁ କୁହାଯିବା ସହ ଆସ୍ଥା ଭୋଟ ସରିବା ପରେ ବିଧାନସଭାରେ ତାହାର ଜବାବ ଦିଆଯିବ ବୋଲି ଆରଜେଡ଼ି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ କହିଛନ୍ତି । ଏହି ଚଢାଉ ବିଜେପି ପ୍ରାୟୋଜିତ ବୋଲି ଦଳର ସାଂସଦ ମନୋଜ ଝା କହିଥିବା ବେଳେ ଆରଜେଡ଼ି ନେତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏହି ଚଢାଉରେ ଆରଜେଡ଼ି ବା ମହାଗଠବନ୍ଧନ ସରକାର ବିବଅତ ନୁହନ୍ତି ବୋଲି କହିଛନ୍ତି । ସେ କହିଛନ୍ତି, ବିଧାନସଭାରେ ବିଜେପି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳର ବିଧାୟକ ମହାଗଠବନ୍ଧନ ସରକାର ସହିତ ଅଛନ୍ତି । ତେଣୁ, ସରକାର ସିବିଆଇ ଚଢାଉକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନିଜର ନୂତନ ମନ୍ତ୍ରୀ ପରିଷଦ ଗଠନ ସମୟରେ ସମସ୍ତ ସହଯୋଗୀଙ୍କୁ ସନ୍ତୁଷ୍ଟ କରିବାକ କୁଣ୍ଠିତ ହୋଇ ନଥିଲେ । ତାଙ୍କର ନୂତନ ୩୧ ଜଣିଆ ମନ୍ତ୍ରୀ ପରିଷଦରେ ଆରଜେଡ଼ିକୁ ସର୍ବାଧିକ ୧୬ଟି ସ୍ଥାନ ଦେଇଥିବା ବେଳେ ନିଜ ଦଳରୁ ୧୧ ଜଣଙ୍କୁ ମନ୍ତ୍ରୀ କରିଥିଲେ । ଏହାଛଡା, ସହଯୋଗୀ କଂଗ୍ରେସକୁ ଦୁଇଟି ମନ୍ତ୍ରୀ ପଦ ମିଳିଛି । ମହାଗଠବନ୍ଧନ ସରକାରକୁ ସମର୍ଥନ ଦେଇଥିବା ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ହାମ୍)ର ନେତା ଜୀତନ ରାମ ମାଂଝି ନୀତିଶ କ୍ୟାବିନେଟରେ ସ୍ଥାନ ପାଇଥିବା ବେଳେ ଏକମାତ୍ର ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂହଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ହାତ ଛାଡି ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସହଯୋଗରେ ରାଜ୍ୟରେ ମହାଗଠବନ୍ଧନ ସରକାର ଗଠନ କରିବା ପଛରେ ବଡ଼ କାରଣ ହେଉଛି, ବିଜେପି ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଭାଜନ କରି ଯେଭଳି ଗୋଟିଏ ଗୋଷ୍ଠୀର ସହଯୋଗରେ ସରକାର କଲା ସେଭଳି ବିହାରରେ ନହେଉ ।
ଚଳିତ ମାସରେ ନୀତିଶ ବିଜେପି ଓ ଏନଡ଼ିଏର ହାତ ଛାଡିବା ସମୟରେ ତାଙ୍କ ଅଭିଯୋଗ ଥିଲା, ବିଧାନସଭାରେ ଜେଡ଼ିୟୁର ସଂଖ୍ୟା କମ୍ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବିଜେପି ଦ୍ୱାରା ଅପମାନିତ ହେଉଥିଲେ ଏବଂ ତାଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଉ ନଥିଲା । ବିଜେପି ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଭାଜନ ସୃଷ୍ଟି କରି କ୍ଷମତା ହଡପିଲା ଭଳି ବିହାରରେ ମଧ୍ୟ ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ କରି କ୍ଷମତା ସଂପୂର୍ଣ୍ଣ କ୍ଷମତା ନିଜ ହାତକୁ ନେବାର ଷଡଯନ୍ତ୍ର ଚଳାଇ ଥିଲା । ଏହା ଜାଣିବା ପରେ ସେ ଦଳକୁ ବିଭାଜନ ମୁହଁରୁ ରକ୍ଷା କରିବା ପାଇଁ ବିଜେପି ଓ ଏନଡ଼ିଏର ହାତ ଛାଡିଲେ । ନୀତିଶଙ୍କ ଏହି ଅଭିଯୋଗକୁ ବିଜେପି ଅସ୍ୱୀକାର କରି ଆସୁଛି । ନୀତିଶ ୨୦୨୪ରେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଅଭିଳାଷ ରଖି ଥିବାରୁ ବିଜେପି ହାତ ଛାଡିଲେ ବୋଲି ବିଜେପିର ବରିଷ୍ଠ ନେତାମାନେ ପାଲଟା ଅଭିଯୋଗ କରୁଛନ୍ତି ।
କେବଳ ମହାରାଷ୍ଟ୍ର ଓ ବିହାର ନୁହେଁ, ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଶାସିତ ଝାଡଖଣ୍ଡରେ ବିଜେପି ଜେଏମଏମ-କଂଗ୍ରେସ ମେଂଟ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରୁଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଭିଯୋଗ କରୁଛନ୍ତି । ରାଜସ୍ଥାନ ଓ ଛତିଶଗଡ଼ର କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ବାରଂବାର ଉଦ୍ୟମ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଦିଲ୍ଲୀର ‘ଆମ୍ ଆଦମୀ ପାର୍ଟି’ ସରକାରଙ୍କ ପକ୍ଷରୁ ମଧ୍ୟ ବିଜେପି ବିରୋଧରେ ସମାନ ଅଭିଯୋଗ ଆସିଛି । ‘ଆପ୍’ ସରାକର ଦିଲ୍ଲୀରେ ଯେଉଁ ନୂଆ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ ସେଥିରେ ବ୍ୟାପକ ଦୁର୍ନୀତି ଓ ପ୍ରୀୟାପ୍ରୀତି ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରାଉଥିବା ବେଳେ ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଦଳକୁ ନିନ୍ଦିତ କରିବା ପାଇଁ ବିଜେପି ଏହି ଷଡଯନ୍ତ୍ର ରଚିଛି ବୋଲି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।
ଗଲା କିଛି ଦିନ ହେଲା ବିଜେପି ଓ ‘ଆପ୍’ ମଧ୍ୟରେ ଏହାକୁ ନେଇ ଆକ୍ଷେପ, ପ୍ରତ୍ୟାକ୍ଷେପ ଚାଲିଛି । ବିଜେପି ‘ଆପ୍’ ବିଧାୟକ ଦଳରେ ଅସ୍ଥିରତା ସୃଷ୍ଟି କରି ସରକାର ଭାଂଗିବା ପାଇଁ ଦଳର ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ଯାଚୁଥିବା ଏବେ ଅଭିଯୋଗ ହେଲାଣି । ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏଭଳି ଅଭିଯୋଗ କରୁଥିବା ବେଳେ ବିଜେପି ଏହାକୁ ‘ଶଠତା’ ବୋଲି ଦର୍ଶାଇ ସିବିଆଇ ତଦନ୍ତରେ ବିବ୍ରତ ଦିଲ୍ଲୀ ସରକାର ଏଭଳି ଅବାନ୍ତର କଥା କହୁଛନ୍ତି ବୋଲି ପାଲଟା ଅଭିଯୋଗ କରୁଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ନୂଆ ଅବକାରୀ ନୀତି କଣ ଥିଲା ଏବଂ ବିଜେପି ପକ୍ଷରୁ ହେଉଥିବା ଅଭିଯୋଗରେ କେତେ ସତ ବା ମିଛ ରହିଛି, ତାହା ଉପରେ ଫୋକସ୍ କରିବା ବଦଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଆଣି ତାହାକୁ ‘ଆପ୍’ ବିରୋଧୀ ଷଡଯନ୍ତ୍ର ବୋଲି କହିବା ମଧ୍ୟ ଗ୍ରହଣୀୟ ହୋଇପାରୁନି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ବିରୋଧରେ ସମଗ୍ର ଦେଶର ଅଣ-ବିଜେପି ଶାସିତ ରାଜ୍ୟରେ ଏଭଳି ଏକ ଅବିଶ୍ୱାସ ଭାବ ରହିଥିବା ବେଳେ ବିହାରରେ ନୀତିଶ ସରକାର ଆସ୍ଥା ଭୋଟ ଲୋଡିବାର କିଛି ଘଂଟା ପୂର୍ବରୁ ଆରଜେଡ଼ି ନେତାଙ୍କ ଉପରେ ସିବିଆଇ ଚଢାଉ ହେବା କଥା ‘ସଂଯୋଗ’ କୁହାନଯାଇ ଆକ୍ରମଣାତ୍ମକ ରାଜନୀତି କୁହାଯିବା ଭୁଲ ହୋଇନପାର । ବିଜେପି ଏଥିରେ ଏକମତ ନ ହେଲେ ମଧ୍ୟ ବିରୋଧୀ ତାହା ହିଁ ବିଶ୍ୱାସ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS