ଶିବସେନାର ଉତ୍ତରାଧିକାରୀ କିଏ ? ନିର୍ଣ୍ଣୟ ହେବ ଗୁରୁବାର !


ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୨୩
ଗଜ ଜୁନ ମାସରୁ ବିବାଦ ଘେରରେ ଥିବା ମହାରାଷ୍ଟ୍ରର ଶାସକ ଦଳ ‘ଶିବସେନା’ର ପ୍ରକୃତ ହିତାଧୀକାରୀ କିଏ ? ଦଳର ମୁଖ୍ୟ ଉଦ୍ଧବ ଠାକରେ ନା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ?? ଆସନ୍ତା ଗୁରୁବାର ଦିନ ଏସଂପର୍କରେ ନିର୍ଣ୍ଣୟ ନେବେ ସୁପ୍ରିମ କୋର୍ଟର ଏକ ବୃହତ୍ତର ସାମ୍ବିଧାନିକ ପୀଠ । ଶିବସେନାରେ ବିଭାଜନ ହୋଇ ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପରେ ଦଳର ମାଲିକାନା ଓ ନିର୍ବାଚନ ଚିହ୍ନକୁ ନେଇ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘନିଭୂତ ହୋଇଛି । ସୁପ୍ରିମ କୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣୀ କରି ଏକ ବୃହତ୍ତର ସାମ୍ବିଧାନିକ ବେଂଚ ମାମଲାର ଶୁଣାଣୀ କରିବେ ବୋଲି ଆଜି ଘୋଷଣା କରିଛନ୍ତି । ଗୁରୁବାର ଦିନ ଏକ ପାଂଚ ଜଣିଆ ସାମ୍ବିଧାନିକ ବେଂଚରେ ଶିବସେନା ସତ୍ତ୍ୱାଧୀକାର ବିବାଦର ବିଚାରଣା ହେବ । ସେଦିନ ବିବାଦକୁ ନେଇ ସାମ୍ବିଧାନିକ ବେଂଚ ନିର୍ଣ୍ଣୟ ନେବାକୁ ଥିବାରୁ ଦୁଇ ପକ୍ଷ ଦଳର ନିର୍ବାଚନ ଚିହ୍ନକୁ ନେଇ ଯେଉଁ ଦାବି ରଖିଛନ୍ତି ତାହା ଉପରେ ଭାରତୀୟ ନିର୍ବାଚନ ଆୟୁକ୍ତ ଗୁରୁବାର ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ନେବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ସାମ୍ବିଧାନିକ ବେଂଚ ଆଠଟି ପ୍ରଶ୍ନ ଆଧାରରେ ଗୁରୁବାର ଦିନ ମାମଲାର ବିଚାରଣା କରିବେ । ସାମ୍ବିଧାନିକ ବେଂଚ ପାଇଁ ଏହି ପ୍ରଶ୍ନାବଳୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ତେଣୁ, ଗୁରୁବାର ଦିନ ପାଂଚ ଜଣିଆ ସାମ୍ବିଧାନିକ ବେଂଚରେ ମାମଲାର ଶୁଣାଣୀ ପାଇଁ ମାମଲାକୁ ତାଲିକାଭୁକ୍ତ କରାଯିବାକୁ ଆଜି ତିନି ଜଣିଆ ଖଣ୍ଡପୀଠ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସାମ୍ବିଧାନିକ ବେଂଚ ଗୁରୁବାର ଦିନ ପ୍ରଥମେ ନିର୍ବାଚନ କମିସନ୍ ସହ ସଂପୃକ୍ତ ଶିବସେନାର ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ବିବାଦ ଉପରେ ଶୁଣାଣୀ କରି ନିଷ୍ଟତ୍ତି ନେବେ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହୀମା କୋହଲୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି କହିଛନ୍ତି । ଶିବସେନାର ଏକନାଥ ସିନ୍ଧେ ଗୋଷ୍ଠୀ ଗତ ମେ’ ମାସରେ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରି ଜୁନ ମାସରେ ରାଜ୍ୟର ଶିବସେନା-ଏନସିପି ଓ କଂଗ୍ରେସର ମେଂଟ ସରକାର ପତନ ଘଟାଇ ଥିଲେ ଏବଂ ବିଜେପି ସହ ହାତ ମିଳାଇ ସିନ୍ଧେ ନିଜେ ମୁଖ୍ୟମନ୍ତ୍ରୀ ହେବା ସହ ଏକ ମେଂଟ ସରକାର ଗଠନ କରିଥିଲେ । ଶିବସେନାରେ ବିଦ୍ରୋହ ସମୟରେ ଉଭୟ ଉଦ୍ଧବ ଠାକରେ ଗୋଷ୍ଠୀ ଓ ଏକନାଥ ସିନ୍ଧେ ଗୋଷ୍ଠୀ ପରିସ୍ପର ବିରୋଧୀ ଦଳୀୟ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରାଯିବାକୁ ଦାବି କରିବା ସହ ଅନ୍ୟାନ୍ୟ ବୈଷୟିକ ସମସ୍ୟା ଉପସ୍ଥାପନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ଦିଆଯିବାକୁ ସିନ୍ଧେ ଗୋଷ୍ଠୀ ପକ୍ଷରୁ ଗତ ମାସରେ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା । ଶିବସେନାର କେତେ ସଂଖ୍ୟକ ବିଧାୟକ କେଉଁ ଗୋଷ୍ଠୀ ସହ ଅଛନ୍ତି ତାହାରି ଆଧାରରେ ବାସ୍ତବ ଶିବସେନା କିଏ (?) ନିର୍ଣ୍ଣୟ କରିବା ଦାୟିତ୍ୱ ଭାରତୀୟ ନିର୍ବାଚନ କମିସନ୍ ଉପରେ ଛାଡି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ଗୋଷ୍ଠୀ କୋର୍ଟରେ ଆବେଦନ କରିଛନ୍ତି । ବାସ୍ତବରେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ ନକରି ଦଳର ସର୍ବାଧିକ ସଂଖ୍ୟକ ବିଧାୟକ ତାଙ୍କ ସହ ଥିବା ଦୃଷ୍ଟିରୁ ‘ପ୍ରକୃତ ଶିବସେନା କିଏ’ ତାହା ସଂଖ୍ୟାଗରିଷ୍ଠତା ଭିତ୍ତିରେ ଗଣତାନ୍ତ୍ରିକ ଉପାୟରେ ନିର୍ଣ୍ଣୟ କରାଯାଉ ବୋଲି ସିନ୍ଧେଙ୍କ ଆବେଦନ ରହିଛି । ଏଠାରେ ଉଲ୍ଲେଖନୀୟ ଯେ, ଗତ ଜୁନ ମାସରେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ ମହା ବିକାଶ ଅଘାଡି (ଏମଭିଏ) ସରକାରର ପତନ ଘଟାଇ ସିନ୍ଧେ ବିଜେପି ସହ ଏକ ମିଳିତ ସରକାର ଗଠନ କରିଛନ୍ତି । ବିଧାୟକ ସଂଖ୍ୟା ଅଧିକ ଥିଲେ ମଧ୍ୟ ବିଜେପି ବିଦ୍ରୋହୀ ଶିବସେନା ନେତା ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଛି । ରାଜ୍ୟ ବିଧାନସଭାରେ ଶିବସେନାର ୫୫ ବିଧାୟକ ଥିବା ବେଳେ ସେଥିରୁ ୩୯ ଜଣ ସିନ୍ଧେଙ୍କ ସହ ଥିବାରୁ ତାଙ୍କ ଗୋଷ୍ଠୀ ନିଜକୁ ଶିବସେନାର ପ୍ରକୃତ ଦାୟଦ ବୋଲି ଦାବି କରୁଛି । ଦଳର ନିର୍ବାଚନ ଚିହ୍ନ ପାଇବାକୁ ସେମାନେ ହକଦାର୍ ବୋଲି ସିନ୍ଧେ ଗୋଷ୍ଠୀ ନିର୍ବାଚନ କମିସନଙ୍କ ନିକଟରେ ଦାବି ରଖିଛନ୍ତି । ସିନ୍ଧେଙ୍କ ଗୋଷ୍ଠୀ ନିଜକୁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ପ୍ରକୃତ ଦାୟଦ ଦାବି କରି ବାଲାସାହେବଙ୍କ ସ୍ୱପ୍ନକୁ ସାର୍ଥକ କରିବା ସେମାନଙ୍କ ଦାୟିତ୍ୱ ବୋଲି କହୁଥିବା ବେଳେ ଉଦ୍ଧବ ଠାକରେ ଶିବସେନା ଓ ଦଳର ନିର୍ବାଚନ ଚିହ୍ନର ଦାବିଦାର ଅଛନ୍ତି । ସିନ୍ଧେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ବିଜେପି ନେତା ଫଡ଼ନାଭିସ ବାଲାସାହେବ ଠାକରେଙ୍କ ସ୍ୱପ୍ନ ପୂରଣ କଥା ମନେ ପକାଇ ଉଦ୍ଧବ ଗୋଷ୍ଠୀ ଦ୍ୱାରା ସମାଲୋଚିତ ହୋଇଛନ୍ତି । ଆଗକୁ ବୃହତ୍ତ ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଥିବାରୁ ଉଭୟ ସିନ୍ଧେ ଓ ଫଡ଼ନାଭିସ ‘ମରାଠୀ କାର୍ଡ’କୁ ଆଶ୍ରା କରିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଉଦ୍ଧବ ଗୋଷ୍ଠୀ କହୁଛି । ଶିବସେନା ମୁଖପତ୍ର ‘ସାମନା’ରେ ଫଡ଼ନାଭିସଙ୍କୁ ସମାଲୋଚନା କରାଯାଇ ରାଜ୍ୟରେ ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମକ ପଡି ଥିବାରୁ ଫଡ଼ନାଭିସ ବାଳାସାହେବଙ୍କ ‘ମରାଠୀ କାର୍ଡ’ର ଆଶ୍ରୟ ନେଇଛନ୍ତି ବୋଲି ସମାଲୋଚନା କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ହାତରେ ଶିବସେନାର ସର୍ବାଧିକ ସଂଖ୍ୟକ ବିଧାୟକ ଓ ସରକାର ଥିବା ବେଳେ ଶିବସେନା ସଂଗଠନ ଏଯାବତ୍ ଶିବସେନା ମୁଖ୍ୟ ଉଦ୍ଧବଙ୍କ ନିୟନ୍ତ୍ରଣରେ ଥିବାରୁ ଦଳ ସିନ୍ଧେଙ୍କ ହାତକୁ ଯିବ କି ଶିବସେନାର ପ୍ରତିଷ୍ଠାତା ବାଲାସାହେବଙ୍କ ପୁଅ ଉଦ୍ଧବଙ୍କ ହାତରେ ରହିବ, ତାହା ସୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନକ ବେଂଚ ଗୁରୁବାର ନିର୍ଣ୍ଣୟ କରିବେ । ତେଣୁ, ଗୁରୁବାର ଦିନ ମହାରାଷ୍ଟ୍ର ରାଜନୀତିର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ରାଜନୈତିକ ବିଶ୍ଲେଷକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS