ସିସୋଦିଆଙ୍କ ବାସଭବନରେ ସିବିଆଇ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୯
ଦିଲ୍ଲୀରେ କ୍ଷମତାରେ ଥିବା ‘ଆମ୍ ଆଦମୀ ପାର୍ଟି’ (ଆପ୍) ଯାହା ଅନୁମାନ କରୁଥିଲା ତାହା ହିଁ ଆଜି ହୋଇଛି । ଗତ ନଭେମ୍ବର ମାସରେ ଦିଲ୍ଲୀ ସରକାର ଯେଉଁ ନୂଆ ଅବକାରୀ ନୀତି ଆଣିଥିଲେ ସେଥିରେ ଘରୋଇ ବ୍ୟକ୍ତିବିଶେଷଙ୍କୁ ଅବକାରୀ ଦୋକାନ ଖୋଲିବା ସକାଶେ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ସିବିଆଇ ଏକ ମାମଲା ରୁଜୁ କରିବା ସହ ଆଜି ରାଜ୍ୟର ଅବକାରୀ ମନ୍ତ୍ରୀ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବାସଭବନରେ ଚଢାଉ କରିଛି । ସିସୋଦିଆଙ୍କ ବାସଭବନ ଓ ସାତଟି ରାଜ୍ୟର ଅନ୍ୟ ୨୦ଟି ସ୍ଥାନରେ ଏହି ସିବଆଇ ଚଢାଉ ଚାଲି ଥିବା ଜଣାପଡିଛି । ତେବେ, ତାଙ୍କ ସରକାର ଯେଉଁ ନୂଆ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ ସେଥିରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ଏବଂ ଦୁର୍ନୀତିକୁ ରୋକିବା ପାଇଁ ହିଁ ଏହି ନୂଆ ନୀତି ଅଣା ଯାଇଥିଲା ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି । ‘ଆମ୍ ଆଦମୀ ପାର୍ଟି’ ପକ୍ଷରୁ ମଧ୍ୟ ନୂଆ ଅବକାରୀ ନୀତି କାର୍ଯ୍ୟକାରିତାରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ବୋଲି ଦୃଢତାର ସହ କୁହାଯାଇଛି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ନିଜେ ସକାଳେ ଟ୍ୱିଟ୍ କରି ତାଙ୍କ ଘରେ ସିବିଆଇ ଚଢାଉ ହୋଇଥିବା ସୂଚନା ଦେବା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦିଲ୍ଲୀ ସରକାର ଭଲ କାମ କରି ଥିବାରୁ କେନ୍ଦ୍ର ସରକାରଙ୍କ ଟାର୍ଗେଟ୍ ହୋଇଛନ୍ତି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଗତ ମେ’ ମାସରୁ ଗିରଫ ହୋଇ ଜେଲରେ ଥିବା ବେଳେ ଶିକ୍ଷା ମନ୍ତ୍ରୀ ଥିବା ତାଙ୍କୁ (ସିସୋଦିଆଙ୍କୁ) ଏବେ ନୂଆ ଅବକାରୀ ନୀତି ନାମରେ ଟାର୍ଗେଟ୍ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ମାଧ୍ୟମରେ ସରକାରଙ୍କ କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଦେଶବାସୀଙ୍କ ସେବା କରିବାରୁ ତାଙ୍କ ଦଳକୁ ରୋକି ପାରିବ ନାହିଁ । ଦିଲ୍ଲୀର ‘ଆପ୍’ ସରକାରଙ୍କୁ ନିନ୍ଦିତ କରିବା ପାଇଁ ଅତୀତରେ ଏଭଳି ବହୁବାର ଚଢାଉ ହୋଇଛି । ସେତେବେଳେ ଚଢାଉ କରିଥିବା ସଂସ୍ଥାଙ୍କ ହାତରେ କିଛି ଲାଗି ନାହିଁ । ଆଜି ମଧ୍ୟ ଯେଉଁ ଚଢାଉ ଚାଲିଛି ସେଥିରୁ ସେମାନଙ୍କୁ କିଛି ମିଳିବ ନାହିଁ । ‘ଆମେ ସିବିଆଇକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବୁ’ ବୋଲି ସେ କହିଛନ୍ତି । କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ବିରୋଧୀ ଦଳ ଓ ନେତାଙ୍କୁ ଦମନ କରିବା ପାଇଁ ଅବିରତ ଭାବେ ଯେଉଁ ରାଜନୈତିକ ଗୋଟିଚାଳନା କରୁଛି ତାହାର ଅଂଶ ହେଉଛି ‘ଆପ୍’ ସରକାରର ମନ୍ତ୍ରୀମାନଙ୍କୁ ଟାର୍ଗେଟ୍ କରିବା ବୋଲି ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି, ‘ଆପ୍’ ସରକାରଙ୍କ ଦିଲ୍ଲୀ ‘ଶିକ୍ଷା ମଡେଲ’ ବିଶ୍ୱବ୍ୟାପୀ ପ୍ରଶଂସିତ ହେଉଛି । ଏହି ଶିକ୍ଷା ମଡେଲକୁ ପ୍ରଶଂସା କରି ଆମେରିକାର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍ସ’ (ଏନୱାଇଟି)ର ପ୍ରଥମ ପୃଷ୍ଠାରେ ଏକ ଲେଖା ପ୍ରକାଶ ପାଇଥିଲା, ଯେଉଁଥିରେ କି ଶିକ୍ଷା ମନ୍ତ୍ରୀ ଥିବା ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଫଟୋ ରହିଥିଲା । ଏନୱାଇଟିରେ ଲେଖା ପ୍ରକାଶ ପାଇବା ଦିନରୁ ହିଁ ସିସୋଦିଆ କେନ୍ଦ୍ର ସରକାର ଓ ସିବିଆଇର ଟାର୍ଗେଟ ହୋଇସାରି ଥିଲେ । ଅପରପକ୍ଷରେ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା ଅନୁରାଗ ଠାକୁର କହିଛନ୍ତି, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ‘ଶିକ୍ଷା’ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକୁ ନେଇ ନୁହେଁ, ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାକୁ ନେଇ ସିବିଆଇ ଚଢାଉ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ସିବିଆଇ ତଦନ୍ତକୁ ଭୟ କରି ଏଭଳି ବିବୃତିମାନ ଦେଉଛନ୍ତି । ନୂଆ ଅବକାରୀ ନୀତି କାର୍ଯ୍ୟକାରିତାରେ ହୋଇଥିା ଦୁର୍ନୀତି ସେମାନଙ୍କ ମୁଖା ଖୋଲି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଠାକୁର ପାଲଟା ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ଗଲା କିଛି ମାସ ହେଲା କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିି ହୋଇଥିଲା । କିଛି ପ୍ରଭାବଶାଳୀ ଘରୋଇ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରି ଆର୍ଥିକ ଫାଇଦା ଉଠାଇବା ସକାଶେ ‘ଆପ୍’ ସରକାର ଏହି ନୂଆ ନୀତି ଆଣି ଥିବା କେନ୍ଦ୍ର ସରକାରଙ୍କ ଆଡୁ ଅଭିଯୋଗ ହୋଇଥିଲା । ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ସିସୋଦିଆଙ୍କ ପର୍ଯ୍ୟନ୍ତ ଆଥିର୍କ ଫାଇଦା ପହଂଚି ଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀର ଲ୍ୟୁଟିନାଂଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅଧିକ ବିବାଦୀୟ ହୋଇପଡିବାରୁ ‘ଆପ୍’ ସରକାର ଗତ ଜୁଲାଇ ୩୦ ତାରିଖ ଦିନ ତାହାକୁ ପ୍ରତ୍ୟାହାର କରି ନେଇଥିଲେ । ବିଜେପି ଶାସିତ ଗୁଜରାଟରେ ମଦ ବିକ୍ରୀ ନିଷିଦ୍ଧ ଥିବା ବେଳେ ରାଜ୍ୟରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁମାନ ଘଟିଛି । କେନ୍ଦ୍ର ସରକାର ତାହାର କାହିଁକି ସିବିଆଇ ତଦନ୍ତ କରାଉ ନାହାନ୍ତି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ପ୍ରଶ୍ନ କରିଛନ୍ତି । ‘ଆମ୍ ଆଦମୀ ପାର୍ଟି’ ଜାତୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ୍ଢା ଆଜି ଦିଲ୍ଲୀରେ କହିଛନ୍ତି, ୨୦୧୫ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଅଫିସରେ ଚଢାଉ କରି ସିବିଆଇ ମାତ୍ର ଚାରିଟି ମଫଲର୍ ପାଇଥିଲେ । ଆଜିର ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଘରେ ହୋଇଥିବ ଚଢାଉରୁ ସିବିଆଇକୁ କେବଳ ପେନସିଲ, ନୋଟବୁକ୍ ଓ ଜୋମେଟ୍ରି ହିଁ ବକ୍ସ ମିଳିବ । କେନ୍ଦ୍ର ସରକାର ଶତାଧିକ ‘ଆପ୍’ ନେତାଙ୍କ ବିରୋଧରେ ମିଥ୍ୟା ମାମଲା କରି ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ‘ଆମ୍ ଆଦମୀ ପାର୍ଟି’କୁ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ‘ମୋଦୀ ବନାମ କିଏ ?’ ବୋଲି ଜନସାଧାରଣରେ ପ୍ରଶ୍ନ ହେଉ ଥିଲା । ପଂଜାବ ବିଧାନସଭା ନିର୍ବାଚନରେ ‘ଆପ୍’ର ବିପୁଳ ବିଜୟ ପରେ ଏବେ ସେମାନେ ପ୍ରଶ୍ନ କରୁଛନ୍ତି – ‘ମେଦୀ ବନାମ କେଜରୀୱଲ୍ କି ?’ ବୋଲି ରାଘବ କଟାକ୍ଷ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS