ରାଜ୍ୟ ସରକାରଙ୍କ ଇଭି ନୀତି, ଅଣ-ଇଭି ବ୍ୟବସାୟିକ ଯାନ ଉପରେ ଲାଗିବ ନୂଆ ଟିକସ
ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୧୬
ରାଜ୍ୟବାସୀଙ୍କୁ ନିରନ୍ତର ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ପାରୁନଥିବା ଓଡ଼ିଶା ସରକାର ଏବେ ବିଦ୍ୟୁତ ଚାଳିତ (ଇଭି) ଯାନ ବିକ୍ରିକୁ ପ୍ରୋତ୍ସାହିତ କରିବା ଦିଗରେ ନୂଆ ଟିକସ ନୀତି ଆଣୁଥିବା ସୂଚନା ମିଳିଛି । ଟ୍ରାଫିକ୍ ସମସ୍ୟା ଓ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଏହି ନୂଆ ନୀତି ଆସୁଥିବା କୁହାଯାଇଛି । ସରକାର ରାଜ୍ୟରେ ପେଟ୍ରୋଲ, ଡ଼ିଜେଲ ଚାଳିତ ଯାନକୁ ନିରୁତ୍ସାହିତ କରି ବିଦ୍ୟୁତ ଚାଳିତ ଯାନର ବିକ୍ରି ବଢାଇବା ପାଇଁ ପେଟ୍ରୋଲ ଓ ଡ଼ିଜେଲ ଚାଳିତ ବ୍ୟବସାୟିକ ଯାନ ଉପରେ କଂଜେସନ୍ ଫି, ପଲ୍ୟୁସନ୍ ସେସ୍ ଏବଂ ୧୫ ବର୍ଷରୁ ଅଧିକ ଦିନର ଯାନ ଉପରେ ଅତିରିକ୍ତ ରୋଡ ଟ୍ୟାକ୍ସ ଲଗାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ୨୦୨୫ ସୁଦ୍ଧା ରାଜ୍ୟରେ ଇଭି ଯାନ ପଂଜୀକରଣ ଯେପରି ୨୦ ପ୍ରତିଶତ ହେବ ତାହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ସଡ଼କ ପରିବହନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାର ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ୍ ପଲିସି, ୨୦୨୧କୁ ଅନୁସରଣ କରି ଅନୁଯାୟୀ ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ କ୍ରୟ ଉପରେ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି । ଆଇସିଇ (ଇଂଟରନାଲ କଂବଷ୍ଟନ ଇଂଜିନ) ପରିଚାଳିତ ଯାନ ବିକ୍ରିକୁ ନିରୁତ୍ସାହିତ କରାଯାଇ ବିଦ୍ୟୁତ ଚାଳିତ ଯାନ (ଇଭି)ର ବିକ୍ରି ବଢାଇବାକୁ ପରିବହନ ବିଭାଗ ଯୋଜନା ପ୍ରସ୍ତୁତ କରୁଛି । ବିଶେଷକରି, ପେଟ୍ରୋଲ ଓ ଡ଼ିଜେଲ ଚାଳିତ ବ୍ୟବସାୟିକ ଯାନ ଉପରେ କଂଜେସନ୍ ଫି, ପଲ୍ୟୁସନ୍ ସେସ୍ ପ୍ରଭୃତି ଲାଗୁ ହେବାକୁ ଥିବାରୁ ତାହାର ନିର୍ଦ୍ଧିଷ୍ଟ ପରିମାଣ ଏବଂ ଷ୍ଟ୍ରକଚର୍ କଣ ରହିବ, ସେନେଇ ବିଭାଗ ନିଷ୍ପତ୍ତି ନେବା ପରେ ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବକୁ ପଠାଇବ । ପ୍ରସ୍ତାବିତ କଂଜେସନ୍ ଫି ବିଦ୍ୟୁତ ଦ୍ୱାରା ଚାଳିତ ଯାନ (ଇଭି)ଗୁଡିକ ପାଇଁ ଲାଗୁ ହେବ ନାହିଁ ଏବଂ ପେଟ୍ରୋଲ ଓ ଡ଼ିଜେଲ ଚାଳିତ ବ୍ୟବସାୟିକ ଯାନଗୁଡିକରୁ କଂଜେସନ୍ ଫି ଓ ପଲ୍ୟୁସନ ସେସ୍ ବାବଦରେ ଯେଉଁ ଟିକସ ଆଦାୟ ହେବ ତାହା ଇଭି ପାଂଠିକୁ ଯିବ ଓ ବିଦ୍ୟୁତ ଚାଳିତ ଯାନ ଖର୍ଦ୍ଦି କରୁଥିବା ଗ୍ରାହକଙ୍କୁ ସେଥିରୁ ବିଭିନ୍ନ ଆର୍ଥିକ ରିହାତି ଓ ସୁବିଧା ଯୋଗାଇ ଦିଆଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀରେ ଚଳାଚଳ କରୁଥିବା ପେଟ୍ରୋଲ ଓ ଡ଼ିଜେଲ ଚାଳିତ ବ୍ୟବସାୟିକ କ୍ୟାବ୍ ଓ ଅଟୋ- ରିକ୍ସାକୁ କଂଜେସନ୍ ଟିକସ ପରିଧିକୁ ଆଣିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟବସାୟିକ ଯାନକୁ ଏହାର ପରିସରଭୁକ୍ତ କରାଯିବା ଯୋଜନା ରହିଛି । ବିଦ୍ୟୁତ ଚାଳିତ ଯାନ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ପାଇଁ ସରକାର ସର୍ବସାଧାରଣ ପାର୍କିଂ ସ୍ଥାନ, ରେସିଡେନ୍ସଆଲ ଓ ନନ୍ ରେସିଡେନ୍ସଆଲ ଅଂଚଳରେ ଅଧିକ ସଂଖ୍ୟକ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବେ । ଏଦିଗରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଶକ୍ତି ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି ।
ସରକାରୀ ଓ ଘରୋଇ ବ୍ୟବହାରରେ ବିନିଯୋଗ ହେବାକୁ ଥିବା ଇ-ବ୍ୟବସାୟିକ ଯାନଗୁଡିକର ଚାର୍ଜିଂ ସୁବିଧା ନିମନ୍ତେ ଇଭି ଚାର୍ଜିଂ ଷ୍ଟେସନଗୁଡିକରେ ସ୍ୱତନ୍ତ୍ର ତାରିଫ ଧାର୍ଯ୍ୟ କରାଯିବାକୁ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ନିୟାମକ କମିସନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ବିଦ୍ୟୁତ ଚାଳିତ ଯାନରେ ବ୍ୟବହାର ହେଉଥିବା ବ୍ୟାଟେରୀର ରି-ସାଇକ୍ଲିଂ ପାଇଁ ନୀତି ଧାର୍ଯ୍ୟ କରିବେ ଏବଂ ସଡ଼କ ପରିବହନ ବିଭାଗ ପର୍ଯ୍ୟାୟକ୍ରମେ ଇଭି ଗାଡ଼ିଚାଳକ ଓ ମେକାନିକମାନଙ୍କୁ ତାଲିମ ଦେବେ ।
ରାଜ୍ୟ ସରକାରଙ୍କ ୨୦୨୧ର ଇଭି ପଲିସି ଅନୁସାରେ ସରକାର ବିଭିନ୍ନ କିସମର ଇ-ଯାନ କ୍ରୟ ଉପରେ ପ୍ରାୟ ୧୫ ପ୍ରତିଶତ ପ୍ରୋତ୍ସାହନ ଦେଉଥିବା ଜଣାପଡିଛି । ଦୁଇ ଚକିଆ ଇଭି ଯାନ କ୍ରେତାଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ, ତିନି ଚକିଆ ଯାନ କ୍ରେତାଙ୍କୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଚାରି ଚକିଆ ଯାତ କ୍ରେତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହାତି ମିଳୁଛି । ରାଜ୍ୟ ସରକାର ଇଭି ଗାଡି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଶତପ୍ରତିଶତ ସୁଧ-ରହିତ ଋଣ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି । ସେହିପରି, ସରକାରଙ୍କ ବିଭିନ୍ନ ବିଭାଗ, ସରକାରୀ କାର୍ଯ୍ୟାଳୟ ଏବଂ ଉଦ୍ୟୋଗଗୁଡିକ କେବଳ ବିଦ୍ୟୁତ ଚାଳିତ ଗାଡି କିଣିବେ । ଭଡାରେ ନେଇ ପାରିବେ ବୋଲି ସରକାର ନୀତି ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । ସବୁ ଇଭି ଗାଡ଼ି ପାଇଁ ଭିନ୍ନ ପାର୍କିଂ ବ୍ୟବସ୍ଥା ଓ ରିହାତି ପାର୍କିଂ ଫି’ ଧାର୍ଯ୍ୟ କରିବାକୁ ପୌର ପ୍ରଶାସନଗୁଡିକୁ ସରକାର ନିର୍ଦେଶ ଦେଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁଲାଇ ମାସରେ ଭୁବନେଶ୍ୱରରେ ୧୦ଟି ଇଭି ବସ୍ ଓ ୫୦ଟି ଇ-ରିକ୍ସାକୁ ପ୍ଲାଗଅଫ୍ କରି ଇ-ଯାନ ସେବାର ଶୁଭାରମ୍ଭ କରିଥିଲେ । ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂୂଚନା ଅନୁଯାୟୀ, ରାଜ୍ୟରେ ପାଖାପାଖି ୬୫ ଲକ୍ଷ ଯାନ ପଂଜୀକୃତ ହୋଇ ଚଳାଚଳ କରୁଥିବା ବେଳେ ସେଥିରୁ ଅନ୍ୟୁନ ୨୫ ଲକ୍ଷ ଯାନ ଭୁବନେଶ୍ୱର, କଟକରେ ଚାଲୁଛି । ଭୁବନେଶ୍ୱର, କଟକ ଦ୍ୱୈତ ନଗରରେ ଚଳାଚଳ କରୁଥିବା ୨୫ ଲକ୍ଷ ଯାନରୁ ପାଖାପାଖି ୧୫ ପ୍ରତିଶତ ହେଉଛି ବ୍ୟବସାୟିକ ଯାନ । ଦ୍ୱୈତ ନଗରୀରେ ପାଖାପାଖି ୨୦ ହଜାର ସରକାରୀ ଯାନ ରହିଛି । ଅତିଶୀଘ୍ର ସରକାରୀ ଯାନଗୁଡିକୁ ଇଭି ମୋଡ୍ କୁ ଅଣାଯିବ ବୋଲି ପରିବହନ ବିଭାଗ କହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS