ଋଷରୁ ତୈଳ ଆମଦାନୀ କରି ଭାରତ ୩୫ ହଜାର କୋଟି ଟଙ୍କା ବଂଚାଇଛି !
ପ୍ରସାଦ ରାଓ
ନୂଆଦିଲ୍ଲୀ
ସେପ୍ଟେମ୍ବର ୧୯
ୟୁକ୍ରେନ-ଋଷ ଯୁଦ୍ଧ ସମୟରେ ଭାରତ ଋଷରୁ ରିହାତି ମୂଲ୍ୟର ଅଶୋଧିତ ତୈଳ ଆମଦାନୀ କରି ୩୫ ହଜାର କୋଟି ଟଙ୍କା ବଂଚାଇ ଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ୨୦୨୨ ଫେବୃୟାରୀରେ ଋଷ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଋଷର ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ କ୍ଷୁବ୍ଧ ହୋଇ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ (ନାଟୋ ରାଷ୍ଟ୍ର ସମୂହ) ଋଷ ବିରୋଧରେ ଅର୍ଥନୈତିକ ଅବରୋଧ ଲାଗୁ କରିଥିଲେ । କୌଣସି ପାଶ୍ଚାତ୍ୟ ରାଷ୍ଟ୍ର ଋଷରୁ ଅଶୋଧିତ ତୈଳ ଆମଦାନୀ ନ କରିବାକୁ ନିଷ୍ପତ୍ତି ଋଷ ପାଇଁ ଚିନ୍ତାର କାରଣ ହୋଇଥିଲା । ଆମେରିକା ନାଟୋ ବାହାରେ ଥିବା ରାଷ୍ଟ୍ରଙ୍କୁ ମଧ୍ୟ ୟୁକ୍ରେନ ଉପରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବାକୁ ଚାପ ପକାଇବା ସହ ଋଷ ସହ ଅର୍ଥନୈତିକ କାରବାର ଛିନ୍ନ କରିବାକୁ ଆହ୍ୱାନ ଦେଇଥିଲା । ଫଳରେ, ଋଷରେ ଉତ୍ପାଦିତ ବିପୁଳ ପରିମାଣର ଅଶୋଧିତ ତୈଳ ରପ୍ତାନୀ ହୋଇ ନପାରି ଋଷ ଅର୍ଥନୀତିକୁ ବଡ ଝଟକା ଦେଇଥିଲା । ନିଜ ଦେଶରେ ଗଚ୍ଛିତ ଥିବା ବିପୁଳ ପରିମାଣର ଅଶୋଧିତ ତୈଳ ବିକ୍ରି ହେଉ ନଥିବା ଦେଖି ଋଷ ଆଶାତୀତ ରିହାତି ଦେଇ ତେଲ ବିକିବାକୁ ପ୍ରସ୍ତାବ ରଖିଥିଲେ ଏବଂ ଭାରତ ଆମେରିକାର ଚାପ ନିକଟରେ ମୁଣ୍ଡ ନ ନୁଆଁଇ ଋଷରୁ କମ୍ ମୂଲ୍ୟରେ ମିଳୁଥିବା ଅଶୋଧିତ ତୈଳ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା । ଏନେଇ ଆମେରିକା ସମେତ ଅନ୍ୟ ବିକଶିତ ରାଷ୍ଟ୍ରମାନେ ଭାରତକୁ କଡା ସମାଲୋଚନା କରିଥିଲେ ମଧ୍ୟ ତୈଳ ଆମଦାନୀ ଉପରେ ରୋକ୍ ଲଗାଇ ନାହାନ୍ତି । ଭାରତ ତାହାର ଘରୋଇ ଆବଶ୍ୟକତା ମେଂଟାଇବାକୁ ଶସ୍ତାରେ ମିଳୁଥିବା ଅଶୋଧିତ ତୈଳ ଋଷରୁ ଖର୍ଦ୍ଦି କରୁଛି ବୋଲି ଭାରତ ସରକାର ଆମେରିକାକୁ ସୂଚିତ ସାରିଛନ୍ତି । ୨୦୨୨ ଫେବୃୟାରୀ ପରରୁ ଭାରତ ଋଷରୁ ଶସ୍ତାରେ ଅଶୋଧିତ ତୈଳ ଖର୍ଦ୍ଦି କରୁଥିବା ବେଳେ ଋଷ ତେଲ ଆମଦାନୀ କ୍ଷେତ୍ରରେ ଚୀନ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ଜଣାପଡିଛି । ୟୁକ୍ରେନ-ଆମେରିକା ଯୁଦ୍ଧ ସମୟରେ ଭାରତ ଋଷରୁ ଖର୍ଦ୍ଦି କରିଥିବା ଅଶୋଧିତ ତୈଳର ପରିମାଣ ଦେଶର ମୋଟ ଆମଦାନୀର ୧୨ ପ୍ରତିଶତ ବୋଲି ଜଣାପଡିଛି । ଯାହାକି ୟୁକ୍ରେନ ଯୁଦ୍ଧ ପୂର୍ବରୁ ଏକ ପ୍ରତିଶତରୁ କମ୍ ଥିଲା । ଗତ ଜୁଲାଇ ମାସରେ ସାଉଦୀ ଆରବକୁ ପଛରେ ପକାଇ ଋଷ ଭାରତକୁ ଦ୍ୱତୀୟ ବୃହତ ତୈଳ ବିକ୍ରେତା ଥିଲା । ଭାରତକୁ ତୈଳ ବିକ୍ରିରେ ସାଉଦି ଆରବ ତୃତୀୟ ସ୍ଥାନକୁ ଖସି ଥିଲା । ଅଗଷ୍ଟ ମାସରେ ସାଉଦି ଆରବ ପୂର୍ବ ସ୍ଥିତିକୁ ଫେରିଥିବା ବେଳେ ଋଷ ଭାରତକୁ ଅଶୋଧିତ ତୈଳ ବିକ୍ରିରେ ତୃତୀୟ ସ୍ଥାନରେ ରହିଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୨ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ଭାରତର ଋୁଷରୁ ୧୧.୨ ହଜାର ନିୟୁତ ଡଲାର ମିନେରାଲ ଅଏଲ ଆମଦାନୀ କରିଥିଲା, ଯାହାକି ପୂର୍ବ ବର୍ଷର ସେହି ସମୟ ସୀମା ମଧ୍ୟରେ ହୋଇଥିବା ଆମଦାନୀରୁ ଆଠ ଗୁଣ ଅଧିକ । ୨୦୨୧ ଏପ୍ରିଲରୁ ଜୁଲାଇ ମଧ୍ୟରେ ଭାରତ ଋଷରୁ ୧.୩ ହଜାର ନିୟୁତ ଡଲାର ମୂଲ୍ୟର ମିନେରାଲ ଅଏଲ ଆମଦାନୀ କରିଥିଲା । ୨୦୨୨ ମାର୍ଚ୍ଚରୁ ଭାରତ ଋଷରୁ ତୈଳ ଆମଦାନୀ ପରିମାଣ ବଢାଇବାରୁ ଆମଦାନୀ ପରିମାଣ ୧୨ ହଜାର ନିୟୁତ ଡଲାର ହୋଇଥିଲା, ଯାହାକି ପୂର୍ବ ବର୍ଷର ସେହି ସମୟ ସୀମା ମଧ୍ୟରେ ହୋଇଥିବା ଆମଦାନୀଠାରୁ ବହୁ ଗୁଣ ଅଧିକ । ପୂର୍ବ ବର୍ଷ ସେହି ସମୟ ମଧ୍ୟରେ ଭାରତ ୧.୫ ହଜାର ନିୟୁତ ଡ଼ଲାର ମୂଲ୍ୟର ତେଲ ଆମଦାନୀ କରିଥିଲା । ଭାରତ ଜୁନ, ଜୁଲାଇରେ ପ୍ରାୟ ୭ ବିଲିଅନ ଡଲାର ମୂଲ୍ୟର ତୈଳ ଆମଦାନୀ କରିଛି । ଭାରତ ତାହାର ମୋଟ ତୈଳ ଚାହିଦାର ୮୩ ପ୍ରତିଶତ ବିଦେଶରୁ ଆଣିଥାଏ । ୟୁକ୍ରେନରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ବିଦେଶରୁ ତୈଳ ଆମଦାନୀକୁ ଗୁରୁତର ଭାବେ ପ୍ରଭାବିତ କରିବାରୁ ଭାରତ ତାହାର ଘରୋଇ ଆବଶ୍ୟକତାକୁ ମେଂଟାଇବା ପାଇଁ ଚିନ୍ତାରେ ଥିଲା । ଦେଶରେ ତୈଳ ଦର ଆକାଶଛୁଆଁ ହୋଇଥିଲା । ଋଷ ବିକ୍ରି ହୋଇ ନପାରି ଗଚ୍ଛିତ ରହୁଥିବା ଅଶୋଧିତ ତୈଳ ଶସ୍ତାରେ ବିକ୍ରି କରିବାକୁ ପ୍ରସ୍ତାବ ଦେବାରୁ ଭାରତ କୌଣସି ଚାପକୁ ଭୃକ୍ଷେପ ନକରି ଋଷରୁ ତେଲ ଆମଦାନୀ ଉପରେ ଗୁରୁତ୍ୱ ଦେଇଥିଲା । କୋଭିଡ଼ ପରିସ୍ଥିତି ପରେ ୨୦୨୧-୨୨ରେ ଦେଶର ତୈଳ ଆମଦାନୀ ବିଲ୍ ଦ୍ୱିଗୁଣିତ ହୋଇ ୧୧୯ ହଜାର ନିୟୁତ ଡଲାରରେ ପହଂଚିବା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧିର ବଡ କାରଣ ଥିଲା । ୨୦୨୨ରେ ଋଷରୁ କମ୍ ମୂଲ୍ୟରେ ମିଳୁଥିବା ଅଶୋଧିତ ତୈଳ କିଛି ଭାରତ ତାହାର ମୁଦ୍ରାସ୍ଫୀତିକୁ କମାଇ ପାରିଛି । ମୁଦ୍ରାସ୍ଫୀତି ପରିଚାଳନାରେ ଋଷ ତେଲ ବିଶେଷ ସହାୟକ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ମଧ୍ୟ ନିକଟରେ ଏକ ଆଲୋଚନା ଚକ୍ରରେ ମନ୍ତବ୍ୟ ରଖି ଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS