ବିିରୋଧୀ ମେଂଟରେ ‘ଆପ୍’ ସାମିଲ ହେବ ନାହିଁ : କେଜରୀୱାଲ


ପ୍ରସାଦ ରାଓ
ସେପ୍ଟେମ୍ବର ୧୯
୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ଅଣ-ବିଜେପି ରାଜନୈତିକ ଦଳକୁ ନେଇ ଏକ ବିଜେପି-ବିରୋଧୀ ମେଂଟ ଗଠନ କରିବାକୁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଆମ୍ ଆଦମୀ ପାର୍ଟି (ଆପ୍) ସାମିଲ ହେବ ନାହିଁ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜରୀୱାଲ ଆଜି ସ୍ପଷ୍ଟ କରିଛନ୍ତି । ‘ଆପ୍’ର ନିର୍ବାଚିତ ପ୍ରତିନିଧିମାନଙ୍କ ପ୍ରଥମ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ କେଜରୀୱାଲ କହିଛନ୍ତି ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଦଳର ମୁଖ୍ୟ ଫୋକସ୍ ରହିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ଅଣ-ବିଜେପି ବିରୋଧୀ ମେଂଟରେ ଦଳ ସାମିଲ ହେବାର କୌଣସି ଯୋଜନା ନାହିଁ । ଅପରପକ୍ଷରେ, ଦଳର ସଦସ୍ୟମାନେ ‘ଆପ୍’ର ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ଅଭିଯାନ ମାଧ୍ୟମରେ ଦେଶର ୧୩୦ କୋଟି ଜନତାଙ୍କ ମେଂଟ ଗଠନ ଉପରେ ଫୋକସ୍ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଗୁଜରାଟରେ ‘ଆପ୍’ର ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ବିଜେପି ଆତଙ୍କିତ । ତେଣୁ, ‘ଆପ୍’କୁ ଦମନ କରିବା ପାଇଁ ଦିଲ୍ଲୀରେ ଦଳର ବିଧାୟକମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିବା ଅଭିଯାନ ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଟାର୍ଗେଟ୍ କରି କେଜରୀୱାଲ ‘ମାଗଣା ବଂଟନ’ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ଓ ପଂଜାବରେ ବିଜେପିର ‘ଅପରେସନ୍ ଲୋଟୋସ୍’ ଅଭିଯାନ ବିଫଳ ହୋଇଛି । ଦଳର ନିର୍ବାଚିତ ପ୍ରତିନିଧିମାନଙ୍କ ଏହି ଜାତୀୟ ସମ୍ମିଳନୀରେ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଏକ ପ୍ରସ୍ତାବ ଗୃହୀତ କରାଯାଇଛି । ଦେଶର କୌଣସି ରାଜନୈତିକ ଦଳ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’କୁ ମିଶନ୍ ଭାବେ ଗ୍ରହଣ କରି ନାହାନ୍ତି । ବିଜେପି, କଂଗ୍ରେସ ସମେତ ଦେଶର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଏହି ମିଶନକୁ ସଫଳ କଲେ ବିଶ୍ୱର ନେତତ୍ୱ ନେଇ ପାରିବେ ଏବଂ ଦେଶର ୧୩୦ କୋଟି ଜନତାଙ୍କ ହାତକୁ କ୍ଷମତା ଯିବ ବୋଲି ଗୃହୀତ ପ୍ରସ୍ତାବରେ କୁହାଯାଇଛି । ବିଜେପି ଦେଶର ନିର୍ବାଚିତ ଅଣ ବିଜେପି ସରକାରଗୁଡିକୁ ଅସ୍ଥିର କରି କ୍ଷମତ ହଡପ କରିବାକୁ ଯେଉଁ ଅଭିଯାନ ଚଳାଇଛି ତାହାକୁ ନିନ୍ଦା କରି ‘ଆପ୍’ର ଏହି ଜାତୀୟ ସମ୍ମିଳନୀରେ ଆଉ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଦଳର ମୁଖ୍ୟ କେଜରୀୱାଲ କହିଛନ୍ତି, ୨୦୨୪ ନିର୍ବାଚନରେ ‘ଆପ୍’ କାହା ସହିତ ମେଂଟରେ ରହିବ ବୋଲି ତାଙ୍କୁ ବିଭିନ୍ନ ସ୍ଥାନରେ ପ୍ରଶ୍ନ ହେଉଛି । ତେବେ, ଯେଉଁ ଦିନ ଦେଶର ୧୩୦ କୋଟି ଜନତାଙ୍କୁ ଏକାଠି କରି ଏକ ମେଂଟ ଗଠନ ହେବ ସେଦିନ ଦେଶକୁ ‘ଏକ ନିମ୍ବର’ ହେବାରେ କେହି ରୋକି ପାରିବ ନାହିଁ ବୋଲି ତାଙ୍କ ବିଶ୍ୱାସ ଥିବା କେଜରୀୱାଲ କହିଛନ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆଜି ପ୍ରବଳ ଉତ୍ସାହ ମଧ୍ୟରେ ‘ଆପ୍’ ନିର୍ବାଚିତ ପ୍ରତିନିଧିମାନଙ୍କ ଏହି ଜାତୀୟ ସମ୍ମିଳନୀ ହୋଇଛି । ‘ଇନକିଲାବ ଜିନ୍ଦାବାଦ’, ‘ଭାରତ ମାତାକି ଜୟ’ ସ୍ଲୋଗାନ ସହ ‘ରଂଗଦେ ବାସନ୍ତୀ ଚୋଲା…’ ନୈପଥ୍ୟ ସଂଗୀତ ଭିତରେ ଷ୍ଟାଡିୟମ ପ୍ରକଂପିତ ହେଉଥିଲା । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ‘ଆପ୍’ ସାଂସଦ ସଂଜୟ ସିଂହ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହି ଜାତୀୟ ସମ୍ମିଳନୀରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଆପ୍ ମୁଖ୍ୟ କେଜରୀୱାଲ କହିଛନ୍ତି, ୧୦ ବର୍ଷ ତଳେ ଦଳ ଗଠନ ସମୟରେ କେହି ବିଶ୍ୱାସ କରି ନଥିଲା ଅଳ୍ପ ଦିନରେ ‘ଆପ୍’ ଏତେ ସଂଖ୍ୟାରେ ନିର୍ବାଚିତ ପ୍ରତିନିଧିଙ୍କୁ ପାଇବ ଏବଂ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଦଳର ନିର୍ବାଚିତ ପ୍ରତନିଧିଙ୍କୁ ନେଇ ଭରପୁର ହୋଇଯିବ । ଦଳର ସଫଳତା ଆର ଅଧିବେଶନର ସଫଳତାରୁ ପ୍ରତିଫଳିତ ହେଉଛି । ‘ଆମ୍ ଆଦମୀ ପାର୍ଟି’ ଦିଲ୍ଲୀ ପରେ ପଂଜାବରେ ସରକାର ଗଠନ କରିବାରେ ସଫଳ ହୋଇଛି । ଗୁଜରାଟରେ ପଂଜାବର ସଫଳତାକୁ ଦୋହରାଇବା ପାଇଁ ଆପ୍ ମୁଖ୍ୟ କେଜରୀୱାଲ ଘନ ଘନ ଗୁଜରାଟ ଗସ୍ତ କରୁଛନ୍ତି । ପଂଜାବ ବିଧାନସଭା ନିର୍ବାଚନରେ ‘ଆପ୍’ର ବିଜୟର ଶ୍ରେୟ ନେଇ ଥିବା ଦଳର ରାଜ୍ୟସଭା ସାଂସଦ ରାଘବ ଚଢ୍ଢାଙ୍କୁ ଆଜି ଦଳର ଜାତୀୟ ଆବାହକ କେଜରୀୱାଲ ଗୁଜରାଟରେ ଦଳୀୟ ବ୍ୟାପାର ପରିଚାଳନା ଦାୟିତ୍ୱ ଦେଇ ‘କୋ-ଇନଚାର୍ଜ’ ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS