କଂଗ୍ରେସ ସଭାପତି ହେବ କିଏ – ଗେହେଲୋଟ, ଥରୁରୁ ନା ନିଜେ ରାହୁଲ ଗାନ୍ଧୀ ?
ପ୍ରସାଦ ରାଓ
ସେପ୍ଟେମ୍ବର ୨୧
ଅକ୍ଟୋବର ୧୭ ତାରିଖ ଦିନ ଦେଶର ସର୍ବପୂରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ତାହାର ସଭାପତି ନିର୍ବାଚନ କରିବାକୁ ଯାଉଛି । ଏଥିସକାଶେ ସେପ୍ଟେମ୍ବର ୨୪ରୁ ନାମାଙ୍କନପତ୍ର ଦାଖଲ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଗାନ୍ଧୀ ପରିବାରରୁ କେହି ଏଆଇସିସି ସଭାପତି ଦାୟିତ୍ୱ ନେବାକୁ ଅମଙ୍ଗ ହେଉ ଥିବାରୁ ଏବଂ ସଭାପତି ହେବାକୁ ଦଳରେ ଏକାଧିକ ଆଶାୟୀ ଥିବାରୁ ଅକ୍ଟୋବର ୧୭ ତାରିଖ ଦିନ ଏହି ସର୍ବୋଚ୍ଚ ପଦବୀ ପାଇଁ ଭୋଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
୨୦୦୦ ନଭେମ୍ବରରେ ଶେଷ ଥର ପାଇଁ କଂଗ୍ରେସ ସଭାପତି ଚୟନ ଭୋଟ ମାଧ୍ୟମରେ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦ କଂଗ୍ରେସ ସଭାପତି ପଦ ପାଇଁ ଦୌଡ଼ରେ ରହିବାରୁ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ତେବେ, ଜିତେନ୍ଦ୍ର ପ୍ରସାଦଙ୍କୁ ପରାଜିତ କରି ସୋନିଆ ଗାନ୍ଧୀ ଏଆଇସିସି ସଭାପତି ନିର୍ବାଚିତ ହୋଇଥିଲେ । ପାଖାପାଖି ୨୦ ବର୍ଷ ସୋନିଆ ଗାନ୍ଧୀ ଏଆଇସିସି ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ପୁତ୍ର ରାହୁଲ ଗାନ୍ଧୀଙ୍କୁ ସଭାପତି ଦାୟିତ୍ୱ ହସ୍ତାନ୍ତର କରି ଦାୟିତ୍ୱମୁକ୍ତ ହୋଇଥିଲେ । ରାହୁଲ କଂଗ୍ରେସ ଉପ ସଭାପତି ପଦରୁ ସଭାପତି ପଦକୁ ଉନ୍ନିତ ହେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ରାହୁଲ ଗାନ୍ଧୀଙ୍କ ବ୍ୟଥିତ କରିଥିଲା । ଏହି ପରାଜୟ ପାଇଁ ସେ ଦଳର କିଛି ବରିଷ୍ଠ ନେତାଙ୍କୁ ଦାୟୀ କରିଥିଲେ ମଧ୍ୟ ନିଜେ ‘ପରାଜୟର ବୋଝ’ ମୁଣ୍ଡାଇ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ।
ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଗାନ୍ଧୀ ପରିବାର ବାହାରୁ କେହି କଂଗ୍ରେସ ସଭାପତି ପଦ ଭଳି ଗୁରୁ ଦାୟିତ୍ୱ ନେବାକୁ ରାଜି ନହେବାରୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ବା କଂଗ୍ରେସ ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ (ସିଡ଼ବ୍ଲୁସି)ର ଅନୁରୋଧକ୍ରମେ ଶ୍ରୀମତୀ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ସଭାପତି ଭାବେ ପୁନର୍ବାର ଦାୟିତ୍ୱ ନେଇଥିଲେ । ତେବେ, ଦଳରେ ଜଣେ ପୂର୍ଣ୍ଣକାଳୀନ ସଭାପତି ନିର୍ବାଚନ କରାଯିବାକୁ କଂଗ୍ରେସରେ ଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀ ୨୦୨୦ରୁ ଦାବି କରିଆସୁଛନ୍ତି । କଂଗ୍ରେସର ଅନ୍ତରୀଣ ସଭାପତି ଶ୍ରୀମତୀ ଗାନ୍ଧୀ ଅସନ୍ତୁଷ୍ଟ ଗୋଷ୍ଠୀ ଆଡୁ ଚାପରେ ଥିବା ବେଳେ ଗୁଲାମ ନବୀ ଆଜାଦ, କପିଲ ସିବଲଙ୍କ ଭଳି ପୁରୁଖା ନେତାମାନେ କଂଗ୍ରେସ ଛାଡି ଶ୍ରୀମତୀ ଗାନ୍ଧୀଙ୍କୁ ଅଧିକ ଚାପ ଭିତକୁ ଠେଲି ଦେଇଛନ୍ତି । ଗାନ୍ଧୀ ପରିବାର ବାହାରୁ କାହାରିକୁ କଂଗ୍ରେସର ସ୍ଥାୟୀ ସଭାପତି ଚୟନ କରାଯିବା ଅସନ୍ତୁଷ୍ଟ ଗୋଷ୍ଠୀର ପ୍ରମୁଖ ଦାବି ଥିଲା ।
ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁନର୍ବାର ସଭାପତି ହେବା କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ଚାହୁଁ ନଥିବା ବେଳେ ଗାନ୍ଧୀ ପରିବାରର ନିକଟତମ ବରିଷ୍ଠ କଂଗ୍ରେସ ନେତାମାନେ ରହୁଲ ଗାନ୍ଧୀ ବା ଗାନ୍ଧୀ ପରିବାରର ଅନ୍ୟ କାହାରିକୁ ଏଆଇସିସି ସଭାପତି ପଦରେ ଦେଖିବାକୁ ଚାହୁଁଛନ୍ତି । ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ଅକ୍ଟୋବର ୧୭ ତାରିଖରେ ଏଆଇସିସି ସଭାପତି ନିର୍ବାଚନ ହେବାକୁ ଯାଉଛି । ରାହୁଲ ଗାନ୍ଧୀ ପୁନର୍ବାର ଏଆଇସିସି ସଭାପତି ହେବାକୁ ଅମଂଗ ଥିବା ବେଳେ ଗାନ୍ଧୀ ପରିବାରର ଅନୁଗତ ନେତାଙ୍କ ପକ୍ଷରୁ ତାଙ୍କୁ ମନାଇବାକୁ ଉଦ୍ୟମ ଚାଲିଛି । ରାଜସ୍ଥାନ, ଗୁଜରାଟ, ହରିୟାଣା, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଛତିଶଗଡ଼, ଗୋଆ, ଜମ୍ମୁ-କଶ୍ମୀର ପ୍ରଭୃତି ୧୧ଟି ରାଜ୍ୟର କଂଗ୍ରେସ ନେତୃତ୍ୱ ରାହୁଲ ଗାନ୍ଧୀ ପୁନର୍ବାର ଏଆଇସିସି ସଭାପତି କରାଯିବା ସପକ୍ଷରେ ପ୍ରସ୍ତାବମାନ ଗୃହୀତ କରି ଏଆଇସିସିକୁ ପଠାଇ ଥିବା ବେଳେ ‘ଭାରତ ଯୋଡୋ’ ଯାତ୍ରାରେ କେରଳରେ ଥିବା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଂକନ ଦାଖଲ କରିବାକୁ ମଂଗି ନାହାନ୍ତି ।
ତେବେ, ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୨୪ ତାରିଖରୁ ଏଆଇସିସି ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲ ଆରମ୍ଭ ହେବାକୁ ଥିବାରୁ ଏବଂ ଅକ୍ଟୋବର ୧୭ରେ ଭୋଟ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇ ଥିବାରୁ କଂଗ୍ରେସ ରାଜନୀତି ସରଗରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ଏନଡ଼ିଏ-୨ ସରକାର ଗଲା ଆଠ ବର୍ଷ ହେଲା କଂଗ୍ରେସର ‘ପରିବାରବାଦ ରାଜନୀତି’ ଓ ଗାନ୍ଧୀ ପରିବାକୁ ଟାର୍ଗେଟ କରି କଂଗ୍ରେସ-ବିରୋଧୀ ପ୍ରଚାର ଅଭିଯାନକୁ ଦୁରୁସ୍ତ କରିଥିବାରୁ ଏଥର ପରିବାର (ଗାନ୍ଧୀ) ବାହାରୁ ଜଣକୁ ଏଆଇସିସି ସଭାପତି କରି ବିଜେପିର ମୁହଁ ବନ୍ଦ କରିବାକୁ କଂଗ୍ରେସ ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ଏଥିରେ ମୋହରା କରିବାକୁ ମନ ସ୍ଥିର କରିଥିବା ସୂଚନା ମିଳୁଛି ।
ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କୁ ଏଆଇସିସି ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲ କରିବାକୁ ଗାନ୍ଧୀ ପରିବାର ପକ୍ଷରୁ କୁହାଯାଇଥିବା ବେଳେ ସେ ରାଜସ୍ଥାନ ଛାଡି ଦିଲ୍ଲୀ ରାଜନୀତିକୁ ଆସିବାକୁ ଏକପ୍ରକାର ଅମଂଗ ଥିବା ଜଣାପଡିଛି । ଏଆଇସିସି ସଭାପତି ଶ୍ରୀମତୀ ଗାନ୍ଧୀଙ୍କୁ ଭେଟିବା ସକାଶେ ଗେହେଲୋଟ ଆଜି ଦିଲ୍ଲୀରେ ପହଂଚିଛନ୍ତି । ଦଳ ତାଙ୍କୁ ବାଧ୍ୟ କଲେ ଏଆଇସିସି ସଭାପତି ପଦ ପାଇଁ ସେ ନାମାଂକନ ଦାଖଲ କରିବେ । ତେବେ, କଂଗ୍ରେସ ନେତୃତ୍ୱ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସହ ଏଆଇସିସି ସଭାପତି ପଦରେ ରହିବାକୁ ଅନୁମତି ଦେଉ କିମ୍ବା ଦୁଇ ତିନି ମାସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦେଇ ତାଙ୍କରି ଜଣେ ଅନୁଗତଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରୁ ବୋଲି ଗେହେଲୋଟ ସର୍ତ୍ତ ଉପାସ୍ଥାପନ କରିଥିବା ସୂଚନା ମିଳିଛି । ଗେହେଲୋଟ ଗତକାଲି ରାଜସ୍ଥାନର ଜୟପୁରଠାରେ ଦଳୀୟ ବିଧାୟକଙ୍କ ସହ ବୈଠକ କରିଥିଲେ ଏବଂ ସେ ଏଆଇସିସି ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲ କରିବା ନିଶ୍ଚିତ ହେଲେ ଡକାଇବା କ୍ଷଣି ଦିଲ୍ଲୀରେ ପହଂଚିବାକୁ ଦଳୀୟ ବିଧାୟକମାନଙ୍କୁ ନର୍ଦେଶ ଦେଇଥିଲେ । ଗେହେଲୋଟ ଏଭଳି କରିବାର କାରଣ ହେଉଛି, ରାଜସ୍ଥାନରେ ତାଙ୍କ ରାଜନୈତିକ ଶତ୍ରୁ ଥିବା ପୂର୍ବତନ ଆରପିସିସି ସଭାପତି ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କ୍ଷମତାରୁ ଦୂରେଇ ରଖିବା ।
ଏଠାରେ ଉଲ୍ଲେଖନୀୟ ଯେ, ସଚିନ ପାଇଲଟ ୨୦୧୮ରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିବା ବେଳେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସକୁ କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ, ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବା ପରେ ସଚିନଙ୍କୁ ଉପେକ୍ଷା କରି ଦଳର ବୟୋଜ୍ୟେଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରିଥିଲା । ରାହୁଲ ଗାନ୍ଧୀଙ୍କ ଘନିଷ୍ଟ ଭାବେ ପରିଚିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ (୪୫) ଏଥିରେ କ୍ଷୁବ୍ଧ ହେବାରୁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । କିନ୍ତୁ, ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପାଇଲଟଙ୍କ ସଂପର୍କ ତୀକ୍ତ ରହିବା ସତ୍ତ୍ୱେ ତାହାକୁ ସୁଧାରିବା ଦିଗରେ କଂଗ୍ରେସ ନେତୃତ୍ୱ ଆଡୁ କୌଣସି ଉଦ୍ୟମ ହୋଇ ନଥିଲା । ହଠାତ ସଚିନ ୨୫ ଜଣ କଂଗ୍ରେସ ବିଧାୟକଙ୍କୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।
ବିଜେପି ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ସଚିନଙ୍କୁ ମାଧ୍ୟମ କରି ଗେହେଲୋଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ସୁଚିନ୍ତିତ ଯୋଜନା କରିଥିଲା । ତେବେ, ମୁଖ୍ୟମନ୍ତ୍ରୀ ଗେହେଲୋଟ କୌଣସି ପ୍ରକାର ଦଳୀୟ ବିଧାୟକଙ୍କ ବିଦ୍ରୋହକୁ ଦମନ କରି ପରିସ୍ଥିତି ସମ୍ଭାଳି ନେଇଥିଲେ । ସଚିନଙ୍କୁ ସମର୍ଥନ କରୁଥିବା କଂଗ୍ରେସ ବିଧାୟକଙ୍କ ସଂଖ୍ୟା କମିବାରେ ଲାଗିବାରୁ ବିଜେପି ନିଜକୁ ଏହି ଷଡଯନ୍ତ୍ରରୁ ଦୂରେଇ ନେଇଥିଲା ଏବଂ ସଚିନ ପାଇଲଟ ଗେହେଲୋଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ । ତେବେ, ଏହି ବିଦ୍ରୋହ ପାଇଁ ସଚିନଙ୍କୁ ରାଜସ୍ଥାନ ପିସିସି ମୁଖ୍ୟ ଓ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା ।
ସଚିନଙ୍କ ବିଦ୍ରୋହ ପରେ ମଧ୍ୟ କଂଗ୍ରେସ ନେତୃତ୍ୱ ଚେତି ନାହାନ୍ତି । ରାଜସ୍ଥାନରେ କଂଗ୍ରେସର ସରକାର ନିରଙ୍କୁଶ ଥିଲେ ମଧ୍ୟ ଗେହେଲୋଟ-ପାଇଲଟ ବିବାଦ ଅଧିକ ତୀବ୍ର ହୋଇଛି । ଏଭଳି ସ୍ଥିତିରେ କଂଗ୍ରେସ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କୁ ଏଆଇସିସି ସଭାପତି କରି ପାଇଳଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବା ଆତ୍ମଘାତୀ ହେବ ବୋଲି ଗେହେଲୋଟ ଓ ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି । ବର୍ତ୍ତମାନ ସଚିନ ପାଇଲଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହୋଇ କେରଳର କୋଚିରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଗେହେଲୋଟ ନିଜର ଉଦ୍ବେଗ ଜଣାଇବା ପାଇଁ ଦିଲ୍ଲୀରେ ପହଂଚିଛନ୍ତି । ସେ କୋଚି ଯାଇ ରହୁଲଙ୍କୁ ଭେଟିବେ ଏବଂ ଦଳର ସଭାପତି ଦାୟିତ୍ୱ ନେବାକୁ ତାଙ୍କୁ ଅନୁରୋଧ କରିବେ । ଯଦି ରାହୁଲ ଏଆଇସିସି ସଭାପତି ହୋକୁ ରାଜି ହେବେ ନାହିଁ ଏବଂ ଦଳ ତାଙ୍କୁ ଏଆଇସିସି ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲ କରିବାକୁ ବାଧ୍ୟ କଲେ ସେ ତାଙ୍କରି ସର୍ତ୍ତରେ ନାମାଂକନ ଦାଖଲ କରିବାକୁ ପ୍ରସ୍ତୁତ ବୋଲି ଗେହେଲୋଟ ଆଜି ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ।
କଂଗ୍ରେସ ନେତୃତ୍ୱ ଏଆଇସିସି ସଭାପତି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କୁ ଚୟନ କରି ନାମାଙ୍କନପତ୍ର ଦାଖଲ କରିବାକୁ କହିଥିବା ବେଳେ ଦଳର ଅନ୍ୟତମ ପ୍ରମୁଖ ନେତା ଶଶି ଥରୁର ସଭାପତି ହେବାକୁ ଆଗ୍ରହୀ । ସେ ନାମାଂକନପତ୍ର ଦାଖଲ କରିବାକୁ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ଅନୁମତି ମାଗି ଥିଲେ । ତେବେ, ଗଣତାନ୍ତ୍ରିକ ଉପାୟରେ ଦଳର ସଭାପତି ନିର୍ବାଚନ ହେଉଥିବାରୁ ନାମାଂକନ ଦାଖଲ ପାଇଁ କେହି ଦଳର ନେତାଙ୍କ ଅନୁମତି ନେବାର ଆବଶ୍ୟକତା ନାହିଁ, ସଭାପତି ନିର୍ବାଚନରେ ତାଙ୍କ ଭୂମିକା ନିରପେକ୍ଷ ରହିବ ବୋଲି ସୋନିଆ ସ୍ପଷ୍ଟ କରିଛନ୍ତି । ତେଣୁ, ଅକ୍ଟୋବର ୧୭ରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହେବା ସମ୍ଭାବନା ଦୃଢ ହୋଇଛି । ଥରୁରଙ୍କୁ ତାଙ୍କ ନିଜ ରାଜ୍ୟ କେରଳର କଂଗ୍ରେସ ନେତମାନେ ଏଭଳି ନିଷ୍ପତ୍ତି ପାଇଁ ବିରୋଧ କରୁଥିବା ସତ୍ତ୍ୱେ ସେ ପ୍ରତିଦ୍ୱନ୍ଦ୍ୱିତାରେ ରହିବାକୁ ମନ ବଳାଇଛନ୍ତି ।
ଏଭଳି ପରିସ୍ଥିତିରେ ରାହୁଲଙ୍କ ଭୂମିକା ହିଁ ନିର୍ଣ୍ଣାୟକ ହେବ । ଦଳ ଭିତରେ ଦେଖା ଦେଇଥିବା ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ରାହୁଲ ନିଜେ ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲ କରିବେ କି ଗେହେଲୋଟଙ୍କୁ ସମର୍ଥନ ଦେଇ ଥରୁରୁଙ୍କୁ ଅସନ୍ତୁଷ୍ଟ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସ ସଭାପତି ପଦ ପାଇଁ ନାମାଂକନପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିବାରୁ ମାସ ଶେଷ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ । ଏପରିକି, ରାଜସ୍ଥାନରେ ଗେହେଲୋଟଙ୍କ ସ୍ଥାନରେ ପାଇଲଟ୍ ନା ଅନ୍ୟ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଦୀର୍ଘ ବର୍ଷର ବ୍ୟବଧାନରେ କଂଗ୍ରେସ ସଭାପତି ପଦ ପାଇଁ ହେଉଥିବା ନିର୍ବାଚନକୁ ନେଇ କାଲି ସୁଦ୍ଧା ଦେଶବାସୀଙ୍କ ମନରେ ସେଭଳି କିଛି ଉତ୍କଂଠା ନଥିଲା । କିନ୍ତୁ, ପରିବର୍ତ୍ତି ରାଜନୈତିକ ପରିସ୍ଥିତି କେବଳ ଦିଲ୍ଲୀ ବା ରାଜସ୍ଥାନ ନୁହେଁ, ସମଗ୍ର ଦେଶରେ କଂଗ୍ରେସ ସଭାପତି ନିର୍ବାଚନକୁ ଉତ୍କଂଠାର ବାତାବରଣ ସୃଷ୍ଟି କରିଛି । ବିଶେଷକରି, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏହି ନିର୍ବାଚନ ଉପରେ ସତର୍କ ଦୃଷ୍ଟି ରଖିଥିବା ଏବଂ ରାଜସ୍ଥାନ କଂଗ୍ରେସରେ ଗୋଳିଆ ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ ଫାଇଦା ନେବାକୁ ସଜାଗ ଥିବା ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS