ମୋଦୀଙ୍କ ଶାସନରେ ବିରୋଧୀ ନେତାଙ୍କ ଉପରେ ସିବିଆଇ ଚଢାଉ ବଢିଛି !
ପ୍ରସାଦ ରାଓ
ସେପ୍ଟେମ୍ବର ୨୨
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଲା ଆଠ ବର୍ଷର ଶାସନରେ ଦେଶର ଅଧିକ ସଂଖ୍ୟକ ବିରୋଧୀ ରାଜନେତା ଓ ସେମାନଙ୍କ ସଂପର୍କିୟ ସିବିଆଇ ମାମଲାର ସମ୍ମୁଖୀନ ହୋଇଥିବା ଦେଶର ଏକ ପ୍ରମୁଖ ଇଂରାଜୀ ଦୈନିକର ଅନୁଧ୍ୟାନରୁ ଜଣାପଡିଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୨ ମଧ୍ୟରେ ଏନଡ଼ିଏ-୨ ସରକାରରେ ୧୨୪ ଜଣ ପୁରୁଖା ରାଜନେତାଙ୍କ ବିରୋଧରେ ସିିବିଆଇ ମାମଲା ରୁଜୁ କରି ସେମାନଙ୍କୁ ଗିରଫ ବା ଜେରା କରିଥିବା ବେଳେ ସେଥିରୁ ୯୫ ପ୍ରତିଶତ ଅର୍ଥାତ ୧୧୮ ଜଣ ହେଉଛନ୍ତି ବିରୋଧୀ ଦଳର ରାଜନେତା । ୨୦୦୪ରୁ ୨୦୧୪ ୟୁପିଏ ସରକାରରେ ମଧ୍ୟ ସିବିଆଇ ୭୨ ଜଣ ରାଜନେତାଙ୍କ ବିରୋଧରେ ମାମଲା କରିଥିଲା । ତେବେ, ସେଥିରୁ ୪୩ ଜଣ ଅର୍ଥାତ ୬୦ ପ୍ରତିଶତ ଥିଲେ ବିରୋଧୀ ରାଜନେତା । କୋର୍ଟ ରେକର୍ଡ, ସରକାରୀ ନଥିପତ୍ର, ତଦନ୍ତକାରୀ ସଂସ୍ଥାଙ୍କ ବୟାନ ଓ ରିପୋର୍ଟକୁ ଅନୁଧ୍ୟାନ କରି ସଂପୃକ୍ତ ଇଂରାଜୀ ଦୈନିକ ଏହି ରିପୋର୍ଟ ପ୍ରକାଶ କରିଥିବା କହିଛି ।
ମୋଦୀଙ୍କ ଶାସନରେ ସିବିଆଇ ଓ ଇଡ଼ି ସର୍ବଦା ଚର୍ଚ୍ଚିତ ରହି ଆସିଛି । ଏହା ନୁହେଁ ଯେ ପୂର୍ବ ସରକାରରେ ସିବିଆଇ ଚର୍ଚ୍ଚାରେ ନଥିଲା । ଯେତେବେଳେ ଯେଉଁ ରାଜନୈତିକ ଦଳ କେନ୍ଦ୍ରରେ କ୍ଷମତାକୁ ଆସିଛନ୍ତି ରାଜନୈତିକ କାରଣରୁ ହେଉ ବା ଅନ୍ୟ କାରଣରୁ ସିବିଆଇ ଭଳି ପ୍ରମୁଖ କେନ୍ଦ୍ରୀୟ ଅପରାଧ ତଦନ୍ତକାରୀ ସଂସ୍ଥାକୁ ଦୁରୁପଯୋଗ କରି ଆସିଛନ୍ତି । ତେବେ, ୨୦୧୪ରୁ ୨୦୨୨ ମଧ୍ୟରେ ବିରୋଧୀ ରାଜନେତାଙ୍କ ଉପରେ ସିବିଆଇ ଓ ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ)ର ଚଢାଉ ବଢିଛି । ୨୦୦୪ରୁ ୨୦୧୪ ଥିବା ୟୁପିଏ-୧ ଓ ୨ର ଶାସନ । ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱରେ ସିବିଆଇକୁ ସରକାର ସପକ୍ଷବାଦୀ କାର୍ଯ୍ୟକଳାପ ପାଇଁ ‘ପଂଜୁରୀ ଭିତରେ ଶୁଆ’ ବୋଲି ଆକ୍ଷେପର ସାମ୍ନା କରିବାକୁ ପଡିଥିଲା । ଏନଡ଼ିଏ-୨ ଶାସନରେ ମଧ୍ୟ ସିବିଆଇ ସରକାରଙ୍କ ଗୋଡାଣିଆ ଭାବେ କାର୍ଯ୍ୟ କରୁଥିବା ଏବଂ କେନ୍ଦ୍ର ସରକାରଙ୍କ ‘ଜ୍ୱାଇଁ ପୁଅ’ ସାଜିଥିବା ବିରୋଧୀଙ୍କ ଆଡୁ ଅଭିଯୋଗ ହେଉଛି ।
ମୋଦୀ ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)କୁ ଇଚ୍ଛାଅନୁସାରେ ବ୍ୟବହାର କରୁଛନ୍ତି ଏବଂ ବିରୋଧୀ ରାଜନେତାଙ୍କ ଗିରଫଦାରୀ, ଜେରା ଏବଂ ଜେଲ୍ ପଠାଇବା କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ସମେତ ଦେଶର ପ୍ରାୟ ସମସ୍ତ ଅଣ-ବିଜେପି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ଗୁରୁତର ଅଭିଯୋଗର ସାମ୍ନା କରୁଥିବା ବିରୋଧୀ ନେତାମାନେ ଦଳତ୍ୟାଗ କରି ବିଜେପିରେ ଯୋଗଦେଲେ ସେମାନଙ୍କ ବିରୋଧରେ ଥିବା ସିବିଆଇ ଓ ଇଡ଼ି ମାମଲା ଦବି ଯାଉଛି ଏବଂ ସେମାନଙ୍କୁ ବିଜେପି ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ କରାଯାଉଛି ବୋଲି ଦେଶବ୍ୟାପୀ ଏକ ଧାରଣା ସୃଷ୍ଟି ହେଲାଣି ।
ବିହାରରେ ବିଜେପି-ଜେଡ଼ିୟୁ ମେଂଟ ସରକାରର ପତନ ପରେ ସିବିଆଇ ଓ ଇଡ଼ର ଚଢାଉ ଜୋରଦାର ହୋଇଥିବାରୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ନେତା ତେଜସ୍ୱୀ ଯାଦବ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡ଼ିକୁ ବିଜେପି ସରକାରଙ୍କ ‘ଜ୍ୱାଇଁ ପୁଅ’ ବୋଲି ଆକ୍ଷେପ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ସିବିଆଇ ତେଜସ୍ୱୀଙ୍କୁ ଏକ ପୁରୁଣା ମାମଲାରେ ମିଳିଥିବା ସର୍ତ୍ତମୂଳକ ଜାମିନକୁ ରଦ୍ଦ କରିବା ପାଇଁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଛି । ସ୍ୱତନ୍ତ୍ର ଅଦାଲତର ବିଚାରପତି ମଧ୍ୟ ଏହି ଆବେଦନକୁ ଗ୍ରହଣ କରି ତେଜସ୍ୱୀ ଯାଦବଙ୍କୁ ନୋଟିସ କରିବା ସହ ଆସନ୍ତା ୨୮ ତାରିଖ ଦିନ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୧ ସରକାରରେ ତେଜସ୍ୱୀଙ୍କ ବିରୋଧରେ ଥିବା ମାମଲାଟି ହେଉଛି ଏହିଭଳି । ତାଙ୍କ ପିତା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ୟୁପିଏ-୧ ସରକାରରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଥିବା ସମୟରେ ଆଇଆରସିଟିସି ଦୁଇଟି ହୋଟେଲ ଏକ ଘରୋଇ ସଂସ୍ଥାକୁ ଅପରେସନାଲ କଂଟ୍ରାକ୍ଟରେ ଦିଆଯାଇଥିଲା । ଏହି ଅପରେସନାଲ କଂଟ୍ରାକ୍ଟ ଦେବାରେ ବ୍ୟାପକ ବେନିୟମ କାର୍ଯ୍ୟ ଓ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ କରୁଛି ସିବିଆଇ । ୨୦୧୭ରେ ସିବିଆଇ ଲାଲୁ, ତାଙ୍କ ପରିବାର ଓ କିଛି ରେଳବାଇ ଅଧିକାରୀଙ୍କ ବିରୋଧରେ ଆପରାଧୀକ ମାମଲା ରୁଜୁ କରି ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ସେଥିରେ, ପୂର୍ବତନ ରେଳବାଇ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ (ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ) ଓ ପୁଅ ତେଜସ୍ୱୀ ଯାଦବଙ୍କୁ ଅଭିଯୁକ୍ତ ଦର୍ଶାଇଛି ।
ସ୍ୱତନ୍ତ୍ର ସିବିଆଇ ବିଚାରପତି ଗୀତାଂଜଳୀ ଗୋଏଲଙ୍କ ଅଦାଲତରେ ଚାର୍ଜସିଟ୍ ଦାଖଲ ହେବା ପରେ ତାହା ବିଚାର ପାଇଁ ଗ୍ରହଣ କରାଯିବା ସହ ଅଦାଲତରେ ତେଜସ୍ୱୀ ଓ ଅନ୍ୟମାନଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଏବେ, ତେଜସ୍ୱୀ ଯାଦବ ବିହାରର ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ବିହାରରେ ସିବିଆଇ ଓ ଇଡ଼ି ପକ୍ଷରୁ ପୁରୁଖା ଆରଜେଡ଼ି ନେତା ଓ ସେମାନଙ୍କ ସହ ସଂପର୍କ ଥିବା ଲୋକଙ୍କ ଉପରେ ଘନ ଘନ ଚଢାଉ ହେବାରୁ ତେଜସ୍ୱୀ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ଓ ଇଡ଼ି ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ସିବିଆଇ ଅଧିକାରୀମାନେ କେବେ କଣ ଅବସର ନେବେ ନାହିଁ କି (?), ସେମାନଙ୍କ ପିଲାଛୁଆ ନାହାନ୍ତି କି (?) ବୋଲି ତେଜସ୍ୱୀ ଅଗଷ୍ଟ ମାସରେ ଦେଇଥିବା ମନ୍ତବ୍ୟ ଧମକ ଦେଲା ଭଳି ଦର୍ଶାଇ ତାଙ୍କ ଜାମିନ ବାତିଲ କରିବାକୁ ସିବିଆଇ ଅଧିକାରୀମାନେ ଗତ ଶନିବାର ଦିନ ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟରେ ଆବେଦନ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଗୀତାଂଜଳୀ ଗୋଏଲ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ତେଜସ୍ୱୀଙ୍କୁ ନୋଟିସ ଜାରି କରିଛନ୍ତି ଓ ଆସନ୍ତା ୨୮ ତାରିଖ ଦିନ ଶୁଣାଣୀ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।
କେବଳ ବିହାର ନୁହେଁ, ଦେଶର ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟରେ ମଧ୍ୟ ସିବିଆଇ ଓ ଇଡ଼ି ଭୟ ଲାଗି ରହିଛି । ଦିଲ୍ଲୀରେ କ୍ଷମତାରେ ଥିବା ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ସରକାରକୁ ଅସ୍ଥିର କରିବା ପାଇଁ ସିବିଆଇ ଓ ଇଡ଼ିକୁ ବ୍ୟବହାର କରାଯାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଅଭିଯୋଗ କରି ଆସୁଛନ୍ତି । ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଅଛନ୍ତି । ନିକଟରେ ଜଣେ ‘ଆପ୍’ ବିଧାୟକଙ୍କୁ ଏକ ଦୁଇ ବର୍ଷ ପୁରୁଣା ମାମଲାରେ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି । ଦିଲ୍ଲୀରେ ନୂଆ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରୁଥିବା ବେଳେ ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜିଙ୍କ ଅଭିଯୋଗ ଭିତ୍ତିରେ ସିବିଆଇ ଓ ଇଡ଼ିର ତଦନ୍ତ ଚାଲିଛି । ରାଜ୍ୟରେ ଅବକାରୀ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ବୋଲି ‘ଆପ୍’ ସରକାର ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ମାଇନିଂ ଲିଜ୍ ଦୁର୍ନୀତି ଅଭିଯୋଗରେ ସିବିଆଇ ତଦନ୍ତ ଏବଂ ତାଙ୍କ ନିକଟତମ ବ୍ୟକ୍ତିଙ୍କ ଉପରେ ସିବିଆଇର ଚଢାଉ ଚାଲିଛି । ମହାରାଷ୍ଟ୍ରରେ ପୂର୍ବ ଏମଭିଏ ସରକାରରେ ଗୃହ ମନ୍ତ୍ରୀ ଥିବା ଅନୀଲ ଦେଶମୁଖ, ଏନସିପିର ବରିଷ୍ଠ ନେତା ନୱାବ ମଲ୍ଲିକ, ଶିବସେନା ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କ ଭଳି ବିରୋଧୀ ନେତା ଦୁର୍ନୀତି ଅଭିଯୋଗରେ ସିବିଆଇ ଓ ଇଡ଼ି ଦ୍ୱାରା ଯାଂଚର ସମ୍ମୁଖୀନ ହୋଇ ଏବେ ଜେଲରେ ଅଛନ୍ତି । କଂଗ୍ରେସ ଦଳର ସରକାର ଥିବା ଛତିଶଗଡ଼ରେ ମଧ୍ୟ ସିବିଆଇ, ଇଡ଼ିର ଆତଙ୍କ ରହିଛି । ପ୍ରାୟତଃ ଅଣ-ବିଜେପି ଶାସିତ ରାଜ୍ୟରେ ‘ଅପରେସନ୍ କମଲ୍’ ମାଧ୍ୟମରେ ସରକାର ପତନ ଉଦ୍ୟମ ହେଉଥିବା, ବିରୋଧୀଙ୍କୁ ଭୟଭିତ କରିବା ପାଇଁ ସିବିଆଇ ଓ ଇଡ଼ିର ଦୁରୁପଯୋଗ ହେଉଥିବା ରାଜ୍ୟ ସରକାରମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି ।
୨୦୦୪ରୁ ୨୦୨୨ (ଉଭୟ ୟୁପିଏ ଓ ଏନଡ଼ିଏ ସରକାର ସମୟରେ) ମଧ୍ୟରେ ଦେଶରେ ପ୍ରାୟ ୨୦୦ ରାଜନେତା ସିବିଆଇ ମାମଲାରେ ଛନ୍ଦି ହୋଇଥିବା ବେଳେ ସେଥିରୁ ୮୦ ପ୍ରତିଶତ ହେଉଛନ୍ତି ବିରୋଧୀ ରାଜନେତା ବୋଲି ସଂପୃକ୍ତ ଇଂରାଜୀ ଦୈନିକ ରିପୋର୍ଟରେ କୁହାଯାଇଛି । ୨୦୦୪ରୁ ୨୦୧୪ ମଧ୍ୟରେ ୭୨ ଜଣ ରାଜନେତାଙ୍କ ବିରୋଧରେ ସିବିଆଇ ମାମଲାର ହୋଇଥିବା ବେଳେ ସେଥିରୁ ୪୩ ଜଣ (୬୦ ପ୍ରତିଶତ) ଥିଲେ ବିରୋଧୀ ରାଜନେତା । ୨୦୧୪ରୁ ୨୦୨୨ ମଧ୍ୟରେ ୧୨୪ ଜଣ ରାଜନେତାଙ୍କ ବିରୋଧରେ ସିବିଆଇ ମାମଲା ହୋଇଛି । ସେଥିରୁ ୧୧୮ ଜଣ (୯୫ ପ୍ରତିଶତ) ହେଉଛନ୍ତି ବିରୋଧୀ ନେତା । ୟୁପିଏ ସରକାରରେ ଟୁ-ଜି ସ୍ପେକ୍ଟ୍ରମ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, କୋଇଲା ଦୁର୍ନୀତି ଭଳି ଗୁରୁତର ଦୁର୍ନୀତି ଅଭିଯୋଗ ହୋଇଥିଲା ଏବଂ ୨୦୦୪ରୁ ୧୪ ମଧ୍ୟରେ ସିବିଆଇ ତଦନ୍ତ ସାମ୍ନା କରିଥିବା ୭୨ ଜଣ ପ୍ରମୁଖ ରାଜନେତାଙ୍କ ମଧ୍ୟରେ ୨୯ ଜଣ ଥିଲେ କଂଗ୍ରେସ ବା ତାହାର ସହଯୋଗୀ ଦଳର । ଏନଡ଼ିଏର ମାତ୍ର ୬ ଜଣ ନେତା ସିବିଆଇ ତଦନ୍ତର ସାମ୍ନା କରୁଥିବା ସୂଚନା ମିଳିଛି । ଏନଡ଼ିଏ ସରକାର ନିଜର ଅପାରଗତାକୁ ଘୋଡାଇବା ପାଇଁ ସିବିଆଇ ଓ ଇଡ଼ିର ସାହାରା ନେଉଛନ୍ତି ବୋଲି ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।
ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ଅଭିଷେକ ମନୁ ସିଂଘଭୀ ପ୍ରମୁଖ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ‘ଦି ଇଂଡ଼ିଆନ ଏକ୍ସପ୍ରେସ୍’ରେ ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେମାନେ କହିଛନ୍ତି, ୨୦୧୪ରୁ ୨୦୨୨ ମଧ୍ୟରେ ବିରୋଧୀ ରାଜନେତାଙ୍କ ବିରୋଧରେ ଇଡ଼ି ମାମଲା ଚାରି ଗୁଣ ବୃଦ୍ଧି ପାଇଛି । ମାମଲାର ସମ୍ମୁଖୀନ ହୋଇଥିବା ନେତାଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ବିରୋଧୀ ଦଳର । ୨୦୧୪ ପରେ ୧୨୧ ଜଣ ପୁରୁଖା ରାଜନେତା ଇଡ଼ି ତଦନ୍ତର ସାମ୍ନା କରୁଥିବା ବେଳେ ସେଥିରୁ ୧୧୫ ଜଣ ବିରୋଧୀ ଦଳର । ୟୁପିଏର ୧୦ ବର୍ଷର ଶାସନରେ ମାତ୍ର ୨୬ଜଣ ରାଜନେତାଙ୍କ ବିରୋଧରେ ଇଡ଼ି ତଦନ୍ତ କରୁଥିଲା । ସେଥିରୁ ୧୪ ଜଣ ଥିଲେ ବିରୋଧୀ ଦଳର । ସରକାର ଅନ୍ୟାନ୍ୟ ସମସ୍ୟାରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ସିବିଆଇ ଓ ଇଡ଼ିକୁ ବ୍ୟବହାର କରୁଛନ୍ତି କଂଗ୍ରେସ ଜାତୀୟ ମୁଖପାତ୍ର ସିଂଘଭୀ ଅଭିଯୋଗ କରିଛନ୍ତି । ମୋଦୀ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ‘ଦି ଇଂଡ଼ିଆନ ଏକ୍ସପ୍ରେସ୍’ ରିପୋର୍ଟ କଂଗ୍ରେସକୁ ଖୋରାକ ଯୋଗାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS