ଆରଏସଏସ୍ ନେତାଙ୍କ ବିବାଦୀୟ ପୋଷ୍ଟ୍, ଥଣ୍ଡା ପଡୁନି ଅଂକିତା ହତ୍ୟା ମାମଲା
ପ୍ରସାଦ ରାଓ
ସେପ୍ଟେମ୍ବର ୨୯
ଉତ୍ତରାଖଣ୍ଡର ପୌରୀ ଗଡ଼ୱାଲ ଜିଲ୍ଲାରେ ସେପ୍ଟେମ୍ବର ୧୯ ତାରିଖରେ ଘଟି ଥିବା ଅଂକିତା ଭଣ୍ଡାରୀ (୧୯) ହତ୍ୟାକାଣ୍ଡକୁ ନେଇ ବିବାଦ ଥମିବା ନାଁ ନେଉ ନାହିଁ । ଏହି ହତ୍ୟା ଘଟଣାକୁ ନେଇ ଅରୁଚିକର ଟିପ୍ପଣୀ ଦେଇ ଏକ ଫେସବୁକ୍ ପୋଷ୍ଟ କରିଥିବା ଜଣେ ଆରଏସଏସ ନେତାଙ୍କ ବିରୋଧରେ ଡ଼େରାଡୁନର ରାଇୱାଲା ଥାନାରେ ଏକ ମାମଲା ରୁଜୁ ହୋଇଛି । ଆରଏସଏସ ନେତା ବିପିନ କର୍ଣ୍ଣୱାଲ ତାଙ୍କ ଫେସବୁକ୍ ପୋଷ୍ଟରେ ଅଂକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ପିତା ଓ ପରିବାରକୁ ଦାୟି କରିଥିଲେ । ‘ଭୋକିଲା ବିଲେଇଙ୍କ ସାମ୍ନାରେ କଂଚା କ୍ଷୀର ରଖିଲେ ଯାହା ହେବା କଥା ତାହା ହିଁ ହେଲା’ ବୋଲି କର୍ଣ୍ଣୱାଲ ମନ୍ତବ୍ୟ ରଖି ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ସଂପୃକ୍ତ ରିସର୍ଟରେ ଅନୈତିକ କାର୍ଯ୍ୟ ହେଉଥିବା ଖବର ପାଇ ଥିଲେ ମଧ୍ୟ ଅଂକିତାଙ୍କ ପିତା ବିରେନ୍ଦ୍ର ଭଣ୍ଡାରୀଝିଅକୁ କେମିତି ସେଠାରେ କାମ କରିବାକୁ ପଠାଉ ଥିଲେ ବୋଲି କର୍ଣ୍ଣୱାଲ ପ୍ରଶ୍ନ କରିବା ସହ ଝିଅର ରୋଜଗାରରେ ଚଳିବା ପ୍ରବୃତ୍ତି ଯୋଗୁଁ ପରିବାର ଅଂକିତାଙ୍କୁ ହରାଇଲେ ବୋଲି ଟିପ୍ପଣୀ ଦେଇଥିବା ସୂଚନା ମିଳିଛି । ରାଇୱାଲ ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହେବା ପରେ କର୍ଣ୍ଣୱାଲ ‘ଫେସବୁକ୍’ରୁ ତାଙ୍କ ପୋଷ୍ଟ ହଟାଇ ନେଇଛନ୍ତି । ତେବେ, ପୁଲିସ ଏହି ‘ପୋଷ୍ଟ୍’କୁ ନେଇ ସାମାଜିକ କର୍ମୀ ବିଜୟପାଲ ରାୱତଙ୍କ ଅଭିଯୋଗ ଭିତ୍ତିରେ ଆରଏସଏସ ନେତା କର୍ଣ୍ଣୱାଲଙ୍କ ବିରୋଧରେ ଆଇପିସିର ୧୫୩ଏ, ୫୦୫, ୫୦୯ ଓ ୬୬ ଦଫାରେ ମାମଲା ପଂଜୀକରଣ କରିଛନ୍ତି । ରିଷିକେଶର ସର୍କଲ ଅଫିସର ଓ ଦନଧିଆଲର ଡେପୁଟୀ କମିସନର କର୍ଣ୍ଣୱାଲଙ୍କୁ ଖୋଜୁଥିବା ଆଜି ଅପରାହ୍ନ ସୁଦ୍ଧା ସୂଚନା ମିଳିଛି ।
ଉତ୍ତରାଖଣ୍ଡରେ ବିଜେପି ସରକାର ଥିବା ବେଳେ ଜଣେ ବିଜେପି ନେତାଙ୍କ ପୁଅଙ୍କ ରିସର୍ଟରେ କାର୍ଯ୍ୟ କରୁଥିବା ଅଂକିତା ଭଣ୍ଡାରୀଙ୍କୁ ରିସର୍ଟ ମାଲିକ ଏବଂ ତାଙ୍କ ଦୁଇ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ରହିଛି । ସଂପୃକ୍ତ ରିସର୍ଟରେ ଅନୈତିକ କାର୍ଯ୍ୟକଳାପ ଚାଲି ଥିଲା । ଅଂକିତା ଘୃଣ୍ୟ ‘ଦେହ ସେବା’ରେ ନିଜକୁ ସାମିଲ କରିବାକୁ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତ ମଧ୍ୟ ପୃଷ୍ଟି କରୁଛି । ସେପ୍ଟେମ୍ବର ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଉତ୍ତରାଖଣ୍ଡ ପୁଲିସ ୨୩ ତାରିଖ ଦିନ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ ଓ ତାଙ୍କ ଦୁଇ ସହଯୋଗୀ କର୍ମଚାରୀଙ୍କୁ ଗିରଫ କରି ଥିଲେ । ୨୪ ତାରିଖ ଦିନ ଅଂକିତାଙ୍କ ଶବ ଏକ ପାୱାର ହାଉସ୍ କେନାଲରୁ ଉଦ୍ଧାର କରାଯାଇଥିଲା । ପୁଲକିତଙ୍କ କୁକର୍ମ ପାଇଁ ତାଙ୍କ ପିତା ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତେବେ, ଘଟଣା ସହ ଶାସକ ଦଳ ନେତାଙ୍କ ପୁଅର ସଂପୃକ୍ତି ଥିବାରୁ ପ୍ରଥମେ ପୁଲିସ ତାହାକୁ ଚପାଇବାକୁ ଉଦ୍ୟମ କରିଥିଲେ । ସେହି ଅଂଚଳରେ ପଟୱାରୀ ବା ରାଜସ୍ୱ ପୁଲିସ ସବ୍ ଇନିସପେକ୍ଟର ଥିବା ବୈଭବ ପ୍ରତାପ ସିଂହ ୧୯ ତାରିଖ ଅଂକିତା ନିଖୋଜ ଥିବା ଖବର ପାଇ ମଧ୍ୟ ଏତଲା ପଂଜୀକରଣ ନକରି ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ପଳାଇ ଥିଲେ । ଅଂକିତା ନିଖୋଜ ରହିବା ନେଇ ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖା ଦେବାରୁ ପୁଲିସ ସିସିଟିଭି ଯାଂଚ କରି ପୁଲକିତ ଓ ତାହାର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲେ । ପୁଲକିତ ଗିରଫ ହେବା ପରଦିନ ଶକ୍ତି କେନାଲରୁ ଅଂକିତାଙ୍କ ଶବ ଉଦ୍ଧାର ହୋଇଥିଲା । ରାଜସ୍ୱ ପୁଲିସ ସବ୍ ଇନିସପେକ୍ଟର ବୈଭବ ପ୍ରତାପ ସିଂହ ୧୯ ତାରିଖ ଏତଲା ପଂଜୀକରଣ କରିନଥିଲେ ବା ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସଂପର୍କରେ ସୂଚିତ କରିନଥିଲେ । ଓଲଟା ଚାରି ଦିନ ଛୁଟିରେ ପଳାଇଥିଲେ । ତେଣୁ, କାର୍ଯ୍ୟରେ ଘୋର ଅବହେଳା ଦର୍ଶାଇ ମଂଗଳବାର (୨୭ ତାରିଖ) ଦିନ ପୌରୀ ଗରୱାଲ ଜିଲ୍ଳାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ।
ତେବେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୧୯ ତାରିଖ ଘଟଣାକୁ ଅତ୍ୟନ୍ତ ଜଘଣ୍ୟ ବୋଲି ସ୍ୱୀକାର କରି ଘଟଣାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିବା ଏବଂ ଏହାର ମୁଖ୍ୟ ଭାବେ ଆଇନ ଶଅଙ୍ଖଳା ଦାୟିତ୍ୱରେ ଥିବା ଡ଼ିଆଇଜି ରେଣୁକା ଦେବୀଙ୍କୁ ନିଯୁକ୍ତି କରିଥିବା ଆଶ୍ୱସ୍ତିକର ବିଷୟ ରହିଛି । ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟଙ୍କ ବିରୋଧରେ ରିସର୍ଟରେ ସ୍ୱତନ୍ତ୍ର ଅତିଥିମାନଙ୍କୁ ନାରୀ ଦେହ ଓ ମାଦକ ଦ୍ରବ୍ୟ ଯୋଗାଉ ଥିବାର ଗୁରୁତର ଅଭିଯୋଗ ରହିଛି । ରିଷିକେଶ ନିକଟସ୍ଥ ଲକ୍ଷ୍ମଣ ଝୁଲାରେ ଥିବା ପୁଲକିତଙ୍କ ‘ବନାନ୍ତର’ ରିସର୍ଟରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ ଏହି ‘ସ୍ୱତନ୍ତ୍ର ସେବା’ରେ ନିୟୋଜିତ କରାଯାଉଥିଲା । କେହି ଅରାଜି ହେଲେ ଚୋରୀ ଭଳି ଅପରାଧ ମାମଲାରେ ଫସାଇ ନିର୍ଯ୍ୟାତନା ଦିଆଯାଉଥିଲା ଓ ସ୍ଥାନୀୟ ଗ୍ରାମାଂଚଳ ରାଜସ୍ୱ ପୁଲିସ ବା ପଟୱାରୀ ପୀଡ଼ିତଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ମାଲିକଙ୍କ ପକ୍ଷ ନେଇ ସେମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି କିଛି ପୁରୁଣା କର୍ମଚାରୀ ଅଭିଯୋଗ କରିଛନ୍ତି । ଅଂକିତା ଭଣ୍ଡାରୀ ଅଗଷ୍ଟ ମାସରେ ପୁଲକିତଙ୍କ ରିସର୍ଟରେ ରିସପ୍ସେନିଷ୍ଟ ଚାକିରୀ ପାଇଥିଲେ । ରିସର୍ଟକୁ ଆସୁଥିବା ସ୍ୱତନ୍ତ୍ର ଅତିଥିଙ୍କୁ ‘ସ୍ୱତନ୍ତ୍ର ସେବା’ ଯୋଗାଇ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ତେବେ, ସେ ଏହି ଘୃଣ୍ୟ କାର୍ଯ୍ୟରେ ସାମିଲ ହେବାକୁ ରାଜି ନହେବାରୁ ସେପ୍ଟେମ୍ବର ୧୯ ତାରିଖ ଦିନ ତାଙ୍କୁ ଗାଏବ କରାଯାଇ ହତ୍ୟା କରାଯାଇଥିଲା । ପୁଲିସ ୨୪ ତାରିଖ ଦିନ ଚିଲ୍ଲା ଶକ୍ତି କେନ୍ଦ୍ର (ପାୱାର ହାଉସ) ନିକଟସ୍ଥ ଶକ୍ତି କେନାଲରୁ ତାଙ୍କ ଶବ ଉଦ୍ଧାର କରିଥିଲେ । ରିଷିକେଶ ସ୍ଥିତି ଏଆଇଆଇଏମଏସ୍ (ଏମ୍ସ୍)ରେ ଶବ ବ୍ୟବଚ୍ଛଦ କରିଥିବା ଅଭିଜ୍ଞ ଡ଼ାକ୍ତରୀ ଟିମ୍ ଅଂକିତାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଜନିତ ବୋଲି ରିପୋର୍ଟ ଦେଇଛନ୍ତି । ତେବେ, ତାଙ୍କ ଶରୀରରେ କିଛି କ୍ଷତ ଥିବାରୁ ହତ୍ୟା ପୂର୍ବରୁ ତାଙ୍କ ସହ ହାତାହାତି ହୋଇଥିବା ଓ ପରେ କେନାଲକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଅଂକିତା ହତ୍ୟାକାଣ୍ଡରେ ରାଜସ୍ୱ ପୁଲିସର ପ୍ରାଥମିକ ପ୍ରତିକ୍ରିୟା ଶାସକ ଦଳ ପ୍ରତି ରାଜସ୍ୱ ପୁଲିସର ଅନୁଗତ୍ୟକୁ ସ୍ପଷ୍ଟ କରୁଛି । ଜିଲ୍ଲାପାଳ ସଂପୃକ୍ତ ପଟୱାରୀଙ୍କୁ ନିଲମ୍ବିତ କରି ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ ବୋଲି ଅଂଚଳବାସୀ କହୁଛନ୍ତି । ଉତ୍ ତରାଖଣ୍ଡ ଗ୍ରାମାଂଚଳରୁ ପଟୱାରୀ ନିଯୁକ୍ତି ପରଂପରା ଉଚ୍ଛେଦ କରାଯିବାକୁ ଏହି ହତ୍ୟା ଘଟଣା ପରେ ଦାବି ହୋଇଆସୁଛି । ରିସର୍ଟର ପୂର୍ବତନ ରିସେପ୍ସନିଷ୍ଟ ରିସିତା ଓ ତାଙ୍କ ସ୍ୱାମୀ ବିବେକ ଗଣମାଧ୍ୟମକୁ ଦେଇଥିବା ବୟାନରୁ ରିସର୍ଟ ମାଲିକ ପୁଲକିତା ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ସହକାରୀ ମ୍ୟାନେଜର ଅଂକିତ ଗୁପ୍ତାଙ୍କ ଘୃଣ୍ୟ କାର୍ଯ୍ୟକଳାପ ପଦାକୁ ଆସିଛି । ରିସର୍ଟରେ କାର୍ଯ୍ୟ କରୁଥିବା ସେମାନେ ମହିଳା କର୍ମଚାରୀଙ୍କୁ ‘ସ୍ୱତନ୍ତ୍ର ସେବା’ରେ ନିୟୋଜିତ କରାଯାଉଥିଲା ଓ ଅତିଥିଙ୍କୁ ମାଦକ ଦ୍ରବ୍ୟ ମଧ୍ୟ ଯୋଗାଇ ଦିଆଯାଉଥିଲା ବୋଲ ରିସିତା ଓ ବିବେକ କହିଛନ୍ତି । ପୁଲକିତଙ୍କ କାର୍ଯ୍ୟକଳାପରେ ବିତସ୍ପୃହ ହୋଇ ସେମାନେ ଚାକିରୀ ଛାଡିଥିବା ସ୍ୱୀକାର କରିଛନ୍ତି । ରିସିତା ଓ ବିବିକେ ଚାକିରୀ ଛାଡିବାର ଦୁଇ ମାସ ପରେ ଅଂକିତା ଅଗଷ୍ଟ ମାସରେ ରିସର୍ଟରେ ରିସେପ୍ସନିଷ୍ଟ ଭାବେ ଯୋଗ ଦେଇଥିଲେ । ମାସିକ ୧୦ ହଜାର ଟଙ୍କା ଦରମାରେ ପୁଲକିତ ତାଙ୍କୁ ନିଯୁକ୍ତି ଦେଇଥିଲେ । ଅଂକିତା ସେପ୍ଟେମ୍ବର ୧୯ ତାରିଖ କର୍ମକ୍ଷେତ୍ରକୁ ଆସି ଘରକୁ ନ ଫେରିବାରୁ ପିତା ବିରେନ୍ଦ୍ର ଭଣ୍ଡାରୀ ରାଜସ୍ୱ ଥାନାରେ ଏତଲା ଦେଇଥିଲେ । ତେବେ, ପୁଲିସ ତାଙ୍କ ଏତଲା ପ୍ରତି ଗୁରୁତ୍ୱ ଦେଇନଥିଲେ । ପରେ ରିସର୍ଟ ମାଲିକ ପୁଲିକିତ ୧୯ ତାରିଖରୁ ଅଂକିତା ନିଖୋଜ ଥିବା ଜଣାଇବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ।
ପୁଲକିତ ଅଂକିତା ହତ୍ୟା ଘଟଣାକୁ ଏକ ‘ନିଖୋଜ’ ମାମଲାରେ ସୀମିତ କରି ଦେବାକୁ ଚାହିଁଥିଲେ ମଧ୍ୟ ‘ବନାନ୍ତର’ରେ ଲାଗି ଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ତାଙ୍କ ପଦାରେ ପକାଇ ଦେଲା । ଅଂକିତା ସେପ୍ଟେମ୍ବର ୧୯ ତାରିଖ ଦିନ ପୁଲକିତ ଓ ତାଙ୍କ ଦୁଇ ମ୍ୟାନେଜରଙ୍କ ସହ ବାହାରକୁ ଯାଉଥିବା ଫୁଟେଜରେ ଥିଲା । କିନ୍ତୁ, ଫେରିବା ଫୁଟେଜରେ ଅଂକିତା ସେମାନଙ୍କ ସହ ନଥିଲେ । ପୁଲକିତ ପ୍ରଥମେ ପ୍ରଥମେ ଗାଲୁ ପେଲି ଥିଲେ ସିନା ପରେ ଅଂକିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ବୋଲି ଉତ୍ତରାଖଣ୍ଡ ପୁଲିସ କହିଛନ୍ତି । ପୁଲିସ ‘ବନାନ୍ତର’ ରିସର୍ଟର ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଓ ସହକାରୀ ମ୍ୟାନେଜର ଅଂକିତ ଗୁପ୍ତାଙ୍କ ବିରୋଧରେ ଅପହରଣ, ହତ୍ୟା ଓ ପ୍ରମାଣ ନଷ୍ଟ ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଅଦାଲତ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛି । ଅଭିଯୁକ୍ତଙ୍କୁ ଥାନାରୁ ଅଦାଲତକୁ ନିଆଯିବା ସମୟରେ ଅଂଚଳବାସୀ ସେମାନଙ୍କୁ ପୁଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମାରିବା ଜନଆକ୍ରୋଶର ସ୍ପଷ୍ଟ ପ୍ରତିଫଳନ କୁହାଯାଇପାରେ ।
ପୌରୀ ଗଡ଼ୱାଲ ଜିଲ୍ଲା ପ୍ରଶାସନ ଓ ପୁଲିସ ୨୩ ତାରିଖ ପୁଲକିତଙ୍କୁ ଗିରଫ କରିବା ପରେ ୨୪ ତାରିଖ ତାଙ୍କ ରିସର୍ଟ ଉପରେ ବୁଲଡୋଜର ଚଳାଇବା ଓ କିଛି ଅଂଶ ଭାଂଗି ଦେବା ସନ୍ଦେହର ବାତାବରଣ ସୃଷ୍ଟି କରିଛି । ପୁଲକିତ ଶାସକ ଦଳ ନେତାଙ୍କ ପୁଅ ହୋଇଥିବା ଦୃଷ୍ଟିରୁ ରିସର୍ଟ ଚାଲି ଥିବା ଅନୈତିକ କାର୍ଯ୍ୟର ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ତରବରିଆ କାର୍ଯ୍ୟାନୁଷ୍ଠାନ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତମାନଙ୍କ ବିଚାର ଫାଷ୍ଟ୍ ଟ୍ରାକ୍ କୋର୍ଟରେ ହୋଇ ସେମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବାକୁ ଅଂକିତାଙ୍କ ପିତା ବିରେନ୍ଦ୍ର ଭଣ୍ଡାରୀ ଓ ଅଂଚଳବାସୀ ଦାବି କରୁଥବା ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ଘଟଣାର ଏସଆଇଟି ତଦନ୍ତ ନିର୍ଦେଶ ଦେଇ ପୂର୍ଣ୍ଣଛେଦ ପକାଇବାକୁ ଚାହୁଁଥିଲେ । ତେବେ, ଆରଏସଏସ ନେତା କର୍ଣ୍ଣୱାଲଙ୍କ ଭଳି ଲୋକମାନେ ସାମାଜିକ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟ ରଖି ଘଟଣାକୁ ଚର୍ଚ୍ଚାରେ ରଖୁ ଥିବାରୁ ମାମଲା ଏତେଶୀଘ୍ର ଥଣ୍ଡା ପଡିବା ସେମାନେ ଚାହୁଁ ନଥିବା ଅନୁମାନ କରାଯାଇପାରେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS