‘ଭାରତ ଯୋଡୋ’ ଯାତ୍ରାରେ ୬ତାରିଖ ସାମିଲ ହେବେ ସୋନିଆ ଗାନ୍ଧୀ
ପ୍ରସାଦ ରାଓ
ଅକ୍ଟୋବର ୦୩
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ । ଏଥିସକାଶେ ସେ ଆଜି ଅପରାହ୍ନରେ କର୍ଣ୍ଣାଟକର ମହୀଶୂରଠାରେ ପହଂଚିଛନ୍ତି । ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କେରଳ ଦେଇ କର୍ଣ୍ଣାଟକରେ ପହଂଚିବା ପରେ ୩୦ ତାରିଖରୁ କର୍ଣ୍ଣାଟକରେ ଚାଲିଛି । ପଦଯାତ୍ରା ଆରମ୍ଭ ସମୟରେ ସୋନିଆ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଥିଲେ । ବିଦେଶରୁ ଫେରିବା ପରେ ପ୍ରଥମ କରି ସେ ଏହି ପଦଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି । ସୋନିଆ ଦୁଇ ଦିନ କୁର୍ଗରେ ଅବସ୍ଥାନ କରିବା ପରେ ୬ ତାରିଖ (ଗୁରୁବାର)ରୁ ଏଥିରେ ସାମିଲ ହେବେ ବୋଲି ସୂଚନା ମିଳିଛି । କର୍ଣ୍ଣାଟକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସୋନିଆ ସେଥିରେ ସାମିଲ ହେବାକୁ ସାଇଥିବା ରାଜନୈତିକ ଦୃ୍େଟିରୁ ବିଶେଷ ଗୁରୁତ୍ୱ ବହନ କରୁଛି । କଂଗ୍ରେସ ଦଳ ଗଲା କିଛି ବର୍ଷ ମଧ୍ୟରେ ସାଧାରଣ ଜନତାଠାରୁ ଦୂରେଇ ଯାଇଥିବା ଅନୁଭବ କରିବା ପରେ ରାହୁଲ ଗାନ୍ଧୀ ଦଳକୁ ପୁନରୁଜ୍ଜୀବିତ କରିବା ପାଇଁ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି କଂଗ୍ରେସର ଯୋଧପୁର ଅଧିବେଶନ ସମୟରେ ଘୋଷଣା କରିଥିଲେ । ତାମିଲନାଡୁ ଓ କେରଳରେ ରାହୁଲଙ୍କ ‘ଭାରତ ଯୋଡୋ’ ଯାତ୍ରା କଂଗ୍ରେସ କର୍ମୀଙ୍କ ମଧ୍ୟ ବିଶେଷ ଉତ୍ସାହ ସୃଷ୍ଟି କରି ଥିବାରୁ ଏବଂ ପଦଯାତ୍ରା ପ୍ରତି ଜନସାଧାରଣରେ ବିପୁଳ ସମର୍ଥନ ମିଳୁ ଥିବାରୁ କଂଗ୍ରେସ ଦଳ ଉତ୍ସାହିତ । କର୍ଣ୍ଣାଟକରେ ମଧ୍ୟ ପଦଯାତ୍ରା ପ୍ରତି ଢେର ସମର୍ଥନ ମିଳୁଥିବା ଦେଖି ସେଥିରେ ଭାଗ ନେଇଥିବା କଂଗ୍ରେସ କର୍ମୀ, କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ସୋନିଆ ଗାନ୍ଧୀ ସେଥିରେ ସାମିଲ ହେଉଥିବା ଜଣାପଡିଛି । କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଅନ୍ୟ କୌଣସି ତାରିଖରେ ଏହି ପଦଯାତ୍ରାରେ ସାମିଲ ହୋଇପାରନ୍ତି ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ଗଲା କିଛି ବର୍ଷ ମଧ୍ୟରେ ହୋଇଥିବା ନିର୍ବାଚନଗୁଡିକରେ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଉନଥିଲେ । କର୍ଣ୍ଣାଟକରେ ରାହୁଲଙ୍କ ପଦଯାତ୍ରାରୁ ସେ ସକ୍ରିୟ ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ଯାଉଛନ୍ତି । ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ୩,୫୭୦ କିମି ପଦଯାତ୍ରାରେ ଥିବା ବେଳେ ଆଜି ତାହା ୨୬ତମ ଦିବସରେ ପହଂଚିଛି । ରାହୁଲ ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର ଶ୍ରୀପେରୁମବୁଦ୍ଦୁରରେ ପିତା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ମାରକୀରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଭାଗ ନେବା ପରେ ୮ ତାରିଖରୁ କନ୍ୟାକୁମାରୀରୁ ‘ଭାରତ ଯୋଡୋ’ ଯାତ୍ରାରେ ବାହାରି ଥିଲେ । ତାମିଲନାଡୁ ଓ କେରଳରେ ପଦଯାତ୍ରା ସାରି ସେପ୍ଟେମ୍ବର ୩୦ ତାରିଖରେ ପଦଯାତ୍ରୀ ଦଳ କର୍ଣ୍ଣାଟକରେ ପହଂଚିବା ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା କେକାନାହାଲା ଚେକ୍ ପୋଷ୍ଟ ନିକଟରେ ସେମାନଙ୍କୁ ସ୍ୱାଗତ କରିଥିଲେ । କର୍ଣ୍ଣାଟକରେ ରାହୁଲଙ୍କ ପଦଯାତ୍ରା ୨୧ ଦିନ ଚାଲିବ ଏବଂ ୫୧୧ କିମି ପଦଯାତ୍ରା ହେବ । ଗତକାଲି ପଦଯାତ୍ରାର ୨୫ତମ ଦିବସରେ ସନ୍ଧ୍ୟାରେ ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ୱେ ରାହୁଲଙ୍କ ସଭାରେ ପ୍ରବଳ ଜନସମାଗମ ହୋଇଥିଲା । ତାହା ଦେଖି ରାହୁଲ ବିଶେଷ ଉତ୍ସାହିତ ହେବା ସହ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ବା ଶକ୍ତି ‘ଭାରତ ଯୋଡୋ’ ଯାତ୍ରାକୁ ରୋକି ପାରିବ ନାହିଁ ବୋଲି କହିଛନ୍ତି । ଦଳର ଗଣ ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ମଧ୍ୟ ଟ୍ୱିଟ୍ କରି ବିଜେପି ଶାସନରେ ଘୃଣାର ପ୍ରସାର, ବେକାରୀ ଏବଂ ଦରଦାମ ବୃଦ୍ଧି ବିରୋଧରେ ଚାଲି ଥିବା ଏହି ପଦଯାତ୍ରା କୌଣସି ପରିସ୍ଥିତିରେ ଅଟକିବ ନାହିଁ ବୋଲି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS