କେସିଆର ଘୋଷଣା କଲେ ନୂଆ ଜାତୀୟ ଦଳ ‘ଭାରତ ରାଷ୍ଟ୍ରୀୟ ସମିତି’
ପ୍ରସାଦ ରାଓ
ଅକ୍ଟୋବର ୦୫
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଆଜି ପବିତ୍ର ବିଜୟା ଦଶମୀରେ ତାଙ୍କ ନୂଆ ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ଦଳର ନାମ ‘ଭାରତ ରାଷ୍ଟ୍ରୀୟ ସମିତି’ (ବିଆରଏସ୍) ରଖାଯାଇଛି । କେସିଆର ତାଙ୍କ ଆଂଚଳିକ ଦଳ ‘ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି’ (ଟିଆରଏସ୍)କୁ ‘ବିଆରଏସ୍’ରେ ବିଲୟ ଘୋଷଣା କରିଛନ୍ତି । ‘ଟିଆରଏସ୍’ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ବୈଠକରେ ଏନେଇ ଏକ ପ୍ରସ୍ତାବ ଗୃହୀତ କରାଯିବା ପରେ ଆଜି ଅପରାହ୍ନ ଠିକ୍ ଗୋଟାଏ ୧୯ ମିନିଟରେ ମିଶ୍ରଣ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଛି । ‘ଟିଆରଏସ୍’କୁ ‘ବିଆରଏସ୍’ରେ ବିଲୟ କରାଯାଇଥିବା ନେଇ ଗୃହୀତ ପ୍ରସ୍ତାବ ଆସନ୍ତା କାଲି (ଗୁରୁବାର) କିମ୍ବା ଶୁକ୍ରବାର ଦିନ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି । ଆଜି ଟିଆରଏସ୍ ମୁଖ୍ୟାଳୟରେ ନୂତନ ଜାତୀୟ ରାଜନୈତିକ ଦଳ ନାମ ଘୋଷଣା ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ, ଜେଡ଼ିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ସମେତ ତାଙ୍କ ଦଳର ୨୦ ଜଣ ବିଧାୟକ ଯୋଗ ଦେଇଥିଲେ । କେସିଆର ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ ନେବାକୁ ଆଗ୍ରହୀ ଥିବା ୨୦୧୯ରେ ଘୋଷଣା କରିଥିଲେ । ‘ଟିଆରଏସ୍’କୁ ଏକ ଜାତୀୟ ରାଜନୈତିକ ଦଳରେ ପରିଣତ କରିବା ଯୋଜନାରେ ଥିବା ସେ ସେ ଗତ ଏପ୍ରିଲ ମାସ ଦଳୀୟ ଅଧିବେଶନ ପରେ ସୂଚନା ଦେଇଥିଲେ । ଏହି ଘୋଷଣା ପରେ କେସିଆରଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ଆଜି ଭାରତ ରାଷ୍ଟ୍ରୀୟ ସମିତି ଗଠନ ମାଧ୍ୟମରେ କେସିଆର ତାଙ୍କ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଅଭିଳାଷ ପୂରଣ କରିଛନ୍ତି । କେସିଆର୍ ଇତିମଧ୍ୟରେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର କଟ୍ଟର ବିରୋଧୀ ଭାବେ ନିଜକୁ ସାବ୍ୟସ୍ତ କରିବା ସହ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଜାତୀୟସ୍ତରରେ ଏକ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି । ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ବିରୋଧୀ ରାଜନେତାଙ୍କ ସହ ଆଲୋଚନା କରୁଛନ୍ତି । ପୂର୍ବରୁ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଟି.ରାମାରାଓ ଓ ତାଙ୍କ ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ନେତୃତ୍ୱ ନେଇ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଆଂଚଳିକ ରାଜନୈତିକ ଦଳ ଟିଡ଼ିପି ଏଯାବତ୍ ତାହାର ‘ଆଂଚଳିକ ଦଳ’ ଚରିତ୍ର ବଦଳାଇବାରେ ସକ୍ଷମ ହୋଇନାହିଁ । କିନ୍ତୁ, ଆନ୍ଧ୍ର ପ୍ରଦେଶ ବିଭାଜିତ ହୋଇ ତେଲେଙ୍ଗାନା ରାଜ୍ୟ ଗଠନ ପରେ ଶାସକ ‘ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି’ ତାହାର ‘ଆଂଚଳିକ ଦଳ ଚରିତ୍ର’ ବଦଳାଇ ଜାତୀୟ ରାଜନୈତିକ ଦଳରେ ରୂପାନ୍ତରିତ ହୋଇଛି । ଟିଆରଏସ୍ ଗଠନର ୨୧ ବର୍ଷ ପରେ କେସିଆର ଏହା କରିବାରେ ସକ୍ଷମ ହୋଇଛନ୍ତି । ଏସବୁ ସତ୍ତ୍ୱେ କେସିଆର ତାଙ୍କ ଜାତୀୟ ରାଜନୈତିକ ଦଳ ଭାରତ ରାଷ୍ଟ୍ରୀୟ ସମିତିକୁ ନେଇ ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ କେତେ ପରିମାଣରେ ସଫଳ ହେବେ, ତାହା ୨୦୨୪ ନିର୍ବାଚନ ସମୟରେ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS