ଭାରତରେ ପ୍ରସ୍ତୁତ କଫ୍ ସିରପ ପିଇ ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ !
ପ୍ରସାଦ ରାଓ
ଅକ୍ଟୋବର ୦୬
ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଦକ୍ଷିଣ ଆଫ୍ରିକାର ଗାମ୍ବିଆରେ ୬୬ ଜଣ ଶିଶୁଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ଅଭିଯୋଗ କରିଛି । ‘ମେଇଡେନ୍ ଫାର୍ମା’ ନାମକ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ଦ୍ୱାରା ପ୍ରସ୍ତୁତ କଫ୍ ସିରପକୁ ନେଇ ‘ହୁ’ ବିଶ୍ୱବ୍ୟାପୀ ଆଲର୍ଟ ଜାରି କରିଛି । ସଂପୃକ୍ତ କଂପାନୀ ଏହି କଫ୍ ସିରପ୍ କେବଳ ଦକ୍ଷିଣ ଆଫ୍ରିକାକୁ ରପ୍ତାନୀ କରିଥିବା କୁହାଯାଉଛି । କଫ୍ ସିରପ୍ ପିଇବା ପରେ ଶିଶୁମାନଙ୍କ କିଡ଼ନୀ କ୍ଷତିଗ୍ରସ୍ତ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ତଦନ୍ତ ଏଜେନ୍ସୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ରିପୋର୍ଟ କରିବା ପରେ ‘ହୁ’ ଏହି ଆଲର୍ଟ ଜାରି କରିଛି । ଏନେଇ ସଂପୃକ୍ତ ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ଏବଂ ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ କର୍ତ୍ତପକ୍ଷ (ରେଗୁଲେଟାରୀ ଅଥରିଟି)ଙ୍କୁ ଯୋଗଯୋଗ କରାଯାଇ ତଦନ୍ତ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମହାନିର୍ଦେଶକ (ଡ଼ିଜି) ଟେଡରସ୍ ଆଡହାନମ ଫେବ୍ରେୟେସୁ ବୁଧବାର ଦିନ ଗଣମାଧ୍ୟମକୁ କହିଛନ୍ତି । ହରିୟାଣା ଭିତ୍ତିକ ଭାରତୀୟ କଂପାନୀ ମେଇଡେନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ଼ ଥଣ୍ଡା ଓ କାଶ ରୋଗ ପାଇଁ ଚାରିଟି ସିରପ୍ ପ୍ରେମେଥାଜିନ ଓରାଲ ସଲ୍ୟୁସନ, କୋଫେକ୍ସମାଲିନ ବେବି କଫ୍ ସିରପ୍, ମାକଅଫ୍ ବେବି କଫ୍ ସିରପ୍ ଏବଂ ମାଗ୍ରିପ ଏନ କୋଲ୍ଡ ସିରପ୍ ପ୍ରସ୍ତୁତ କରି ଦକ୍ଷିଣ ଆଫ୍ରିକା ପଠାଇ ଥିଲା । ଏହି ଚାରି ପ୍ରକାର ସିରପ୍ କୁ ନେଇ ତଦନ୍ତ ଚାଲିଛି । କଂପାନୀ ତାହାର ଉତ୍ପାଦର ଗୁଣବର୍ତ୍ତା ଏବଂ ସୁରକ୍ଷାକୁ ନେଇ ଏଯାବତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କିଛି ସୂଚିତ କରି ନାହିଁ ବୋଲି ‘ହୁ’ ମହାନିର୍ଦେଶକ କହିଛନ୍ତି । ଏହି ଅପମିଶ୍ରିତ କଫ୍ ସିରପ୍ ଏପର୍ଯ୍ୟନ୍ତ ଗାମ୍ବିଆରେ ଚିହ୍ନଟ ହୋଇଛି । ଅନ୍ୟ ଦେଶରେ ମଧ୍ୟ ତାହାର ବିତରଣ ହୋଇଥାଇପାରେ । ତେଣୁ, ସମସ୍ତ ଦେଶ ଏହାର ଯାଂଚ କରି ବଜାରରୁ ଏହି ଉତ୍ପାଦଗୁଡିକୁ ଚିହ୍ନଟ କରିବା ସହ ଥଣ୍ଡା ଓ କାଶ ରୋଗୀଙ୍କ ହାତରେ ସେସବୁ ସିରପ୍ ଯେପରି ଯେମିତି ନଲାଗେ ସେଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଫେବ୍ରେୟେସୁ ପରାମର୍ଶ ଦେଇଛନ୍ତି । ‘ମେଇଡେନ୍ ଫାର୍ମା’ର ଏହି ଚାରିଟି ଉତ୍ପାଦ ଅପମିଶ୍ରିତ ବୋଲି ଗାମ୍ବିଆରେ ଚିହ୍ନଟ ହେବା ପରେ ୟୁଏନ ଏଜେନ୍ସୀ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚିତ କରାଯାଇଥିଲା । ସେସବୁ ଉତ୍ପାଦର ଲାବୋରୋଟୋରି ପରୀକ୍ଷଣ ହୋଇଥିଲା ଏବଂ କଫ୍ ସିରପ୍ ରେ ମାତ୍ରାଧିକ ପରିମାଣର ଡାଇଥେଲେନ ଗ୍ଲାଇକଲ୍ ଓ ଏଥିଲେନ ଗ୍ଲାଇକଲ୍ ମିଶ୍ରଣ ଥିବା ପରୀକ୍ଷଣରୁ ଜଣାପଡିଛି । ଏହି ଦୁଇ ଉପାଦାନ ମଣିଷ ପେଟକୁ ଗଲେ ତାହାର ପ୍ରଭାବରେ ତଳିପେଟରେ ଯନ୍ତ୍ରଣା, ବାନ୍ତି, ଝାଡା, ପରିଶ୍ରା ଯିବାରେ କଷ୍ଟ, ମୁଣ୍ଡବ୍ୟଥା, ମନ ଅସ୍ଥିର ହେବା ଏବଂ କିଡ଼ନୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ଲକ୍ଷଣ ଦିଶିଥାଏ । ଏହା ସେବନକାରୀଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ବୋଲି ‘ହୁ’ କୁହିଛି । ସଂପୃକ୍ତ ରେଗୁଲେଟାରୀ ଅଥରିଟିଙ୍କ ଦ୍ୱାରା ଏହି ଚାରିଟି ଉତ୍ପାଦର ଲ୍ୟାବ୍ ପରୀକ୍ଷଣ ହୋଇ ରିପୋର୍ଟ ନ ଆସିବା ଯାଏଁ ସମସ୍ତ ଉତ୍ପାଦକୁ ଅସୁରକ୍ଷିତ ଧରି ନିଆଯିବାକୁ ଏବଂ ବିଶେଷକରି ଶିଶୁମାନଙ୍କୁ ଏହି କଫ୍ ସିରପ୍ ଦିଆନଯିବାକୁ ‘ହୁ’ ସତର୍କ କରାଇଛି । ‘ହୁ’ର ସତର୍କବାଣୀ ପରେ ‘ସେଂଟ୍ରାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍’ ବା ସିଡିଏସସିଓ ପକ୍ଷରୁ ଗାମ୍ବିଆ ଶିଶୁ ମୃତ୍ୟୁରେ କଫ୍ ସିରପ୍ ର ସଂପୃକ୍ତିକୁ ନେଇ ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣ ଅଧିକାରୀ ଆଜି ରଏଟରକୁ କହିଛନ୍ତି, ଦକ୍ଷିଣ ଏସୀୟ ରାଷ୍ଟ୍ରରେ ପ୍ରସ୍ତୁତ କଫ୍ ସିରପ ପିଇବାରୁ ଦକ୍ଷିଣ ଆଫ୍ରିକାର ଗାମ୍ବିବାରେ ବହୁ ସଂଖ୍ୟକ ଶିଶୁ ମୃତ୍ୟୁ ଘଟି ଥିବା ନେଇ ୟୁଏନ ଏଜେନ୍ସୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚିତ କରିବା ପରେ ‘ହୁ’ର ଆଲର୍ଟ ଜାରି ହୋଇଛି । କେନ୍ଦ୍ର ସରକାର ‘ହୁ’ ସହ ମିଳିତ ଭାବେ ଏସବୁ ମୃତ୍ୟୁର ତଦନ୍ତ କରୁଛନ୍ତି । ସଂପୃକ୍ତ ରାଜ୍ୟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଭାରତ ସରକାର ସୂଚନା ପାଇବା ପରେ ‘ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ’ ବା ଡ଼ିସିଜିଆଇ ଏହାର ତଦନ୍ତ କରୁଛନ୍ତି । ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ‘ମେଇଡେନ୍ ଫାର୍ମାସ୍ୟୁକାଲ୍ସ ଲିମିଟେଡ଼’ ଦ୍ୱାରା ଉତ୍ପାଦିତ ଏହି ଚାରି ପ୍ରକାର କଫ୍ ସିରପ୍୍ କେବଳ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ରପ୍ତାନୀ ହୋଇଛି । ତେଣୁ, ଭାରତୀୟ କଂପାନୀ ଦ୍ୱାରା ଉତ୍ପାଦିତ କଫ୍ ସିରପ ପିଇ ଗାମ୍ବିଆରେ ବହୁ ସଂଖ୍ୟାରେ ଶିଶୁଙ୍କ କିଡନୀ ନଷ୍ଟ ହୋଇଥିବା ଓ ମୃତ୍ୟୁ ଘଟିଥିବା ନେଇ ୟୁଏନ ଏଜେନ୍ସୀ ଦେଇଥିବା ତଦନ୍ତ ରିପୋର୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରୁ ମଗା ଯାଇଛି । ରିପୋର୍ଟର ନକଲ ମିଳିବା ପରେ ଭାରତ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଦୁଇ ଅଧିକାରୀ କହିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS