‘ମେଇଡେନ ଫାର୍ମା’ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?
ପ୍ରସାଦ ରାଓ
ଅକ୍ଟୋବର ୦୮
କାହାରିକୁ କିଛି ରୋଗ ହେଲେ ପରିବାର ଲୋକ ତାହାର ନିଦାନ ପାଇଁ ରୋଗୀଙ୍କୁ ଡ଼ାକ୍ତରଙ୍କ ପାଖକୁ ନେଇଥା’ନ୍ତି ଏବଂ ଡ଼ାକ୍ତରଙ୍କ ପ୍ରେସକ୍ରିପ୍ସନ୍ ଆଧାରରେ ରୋଗୀଙ୍କୁ ଔଷଧ ଦିଆଯାଇଥାଏ । ସାଧାରଣତଃ ଔଷଧ ଦୋକାନରୁ ଖର୍ଦ୍ଦି କରାଯାଉଥିବା ଔଷଧ ଉପରେ ଭାରସା କରିବା ବ୍ୟତୀତ ରୋଗୀ ବା ସେମାନଙ୍କ ପରିବାର ନିକଟରେ ଅନ୍ୟ ବିକଳ୍ପ ନଥାଏ । ତେବେ, ଔଷଧ ଉତ୍ପାଦନ କରୁଥିବା କେତେକ ସଂସ୍ଥା ଯେ ଅପମିଶ୍ରିତ ଓ ନିମ୍ନମାନର ଔଷଧ ଉତ୍ପାଦନ ଓ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି, ତାହା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ରିତିମତ ଜବତ ହେଉଥିବା ଅପମିଶ୍ରିତ ଓ ନିମ୍ନମାନର ଔଷଧରୁ ସ୍ପଷ୍ଟ ହେଉଛି । ନିକଟରେ, ଓଡ଼ିଶାରୁ ଏକ ନାମୀ କଂପାନୀର ରକ୍ତଚାପ ନିୟନ୍ତ୍ରଣକାରୀ ଔଷଧ (ବଟିକା) ନକଲି ହୋଇ ବିକ୍ରି ହେଉଥିବା ଧରି ପଡିଥିଲା । ନକଲି ଔଷଧ ଯୋଗାଣ ଓ ବିକ୍ରି ଅଭିଯୋଗରେ ଦୁଇଟି ଫାର୍ମାସିର ମାଲିକଙ୍କୁ ଗିରଫ କରି ଜେଲ ପଠାଯାଇଛି । ଏହାର ଚେର ବିହାର, ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଥିବା ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ କହିଛନ୍ତି । ଓଡ଼ିଶାରୁ ନକଲି ବିପି (ରକ୍ତଚାପ) ନିୟନ୍ତ୍ରଣକାରୀ ବଟିକା ଜବତ ହେବା ରୋଗୀ ଓ ସେମାନଙ୍କ ପରିବାରର ନିଦ ହଜାଇ ଥିବା ବେଳେ ଏବେ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ଦ୍ୱାରା ଉତ୍ପାଦିତ ଓ ରପ୍ତାନୀ ହୋଇଥିବା ଅନ୍ୟୁନ ଚାରି ପ୍ରକାର କଫ୍ ସିରପ୍ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା ଖବର କେବଳ ଭାରତୀୟ ଫାର୍ମାସୀ କଂପାନୀଙ୍କୁ ନୁହେଁ, ଦେଶର ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ମଧ୍ୟ କାଠଗଡ଼ାରେ ଠିଆ କରାଇଛି । ଯେଉଁ ଫାର୍ମାସୀ କଂପାନୀର କଫ୍ ସିରପ ଗାମ୍ବିଆ ଶିଶୁଙ୍କ ମୃତ୍ୟୁର କାରଣ ହୋଇଛି ସେହି କଂପାନୀ ପୂର୍ବରୁ ମଧ୍ୟ ଅପମିଶ୍ରିତ ଓ ନିମ୍ନମାନର ଔଷଧ ଉତ୍ପାଦନ ଓ ବିକ୍ରି କରି ଦେଶ ଭିତରେ ଓ ବାହାରେ କଳାତାଲିକାଭୁକ୍ତ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଭାରତୀୟ ଔଷଧ ନିୟନ୍ତ୍ରଣକାରୀ ସଂସ୍ଥା ଦ୍ୱାରା ଉପଯୁକ୍ତ ଭାବେ ଦଣ୍ଡିତ ହୋଇନଥିବାରୁ ଏବେ ବିଶ୍ୱ ଔଷଧ ବଜାରରେ ଭାରତୀୟ ଫାର୍ମା କଂପାନୀମାନଙ୍କୁ ଓ ଭାରତ ସରକାରଙ୍କୁ ନିନ୍ଦିତ ହେବାକୁ ପଡିଛି ।
ଗାମ୍ବିଆରେ ବହୁ ସଂଖ୍ୟକ ଶିଶୁଙ୍କ ଅକାଳ ମୃତ୍ୟୁ ପଛରେ ‘ମେଇଡେନ ଫାର୍ମା’ ନାମକ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କଂପାନୀ ଦ୍ୱାରା ଉତ୍ପାଦିତ କଫ୍ ସିରପର ଭୂମିକା ରହିଛି ବୋଲି ୟୁଏନ ଏଜେନ୍ସିର ରିପୋର୍ଟ ଭିତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସରକାରଙ୍କୁ ଚେତାଇବା ସହ ସଂପୃକ୍ତ କଂପାନୀ ଦ୍ୱାରା ଉତ୍ପାଦିତ କଫ୍ ସିରପ୍ ସେବନ ଅନୁପଯୁକ୍ତ ବୋଲି ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିବା ପରେ ଭାରତ ସରକାରଙ୍କ ନିଦ ଭାଂଗିଛି । ଦେଶର ଅନ୍ୟ ଫାର୍ମା କଂପାନୀମାନେ ମଧ୍ୟ ବିଶ୍ୱ ବଜାରରେ ସେମାନଙ୍କ ବିଶ୍ୱସନୀୟତା ହରାଇବା ଆଶଂକାରେ ଆତଙ୍କିତ ରହିଛନ୍ତି । ‘ମେଇଡେନ ଫାର୍ମାସ୍ୟୁଟିକା ଲିମିଟେଡ଼’ ନାମକ ହରିଆନା ଭିତ୍ତିକ ଫାର୍ମା କଂପାନୀ ଗାମ୍ବିଆକୁ ଚାରି ପ୍ରକାର କଫ୍ ସିରପ୍ ରପ୍ତାନୀ କରିଥିଲା, ଯେଉଁଥିରେ କି ମାତ୍ରାଧିକ ପରିମାଣର ‘ଡାଇଥେଲେନ ଗ୍ଲାଇକଲ୍’ ଓ ‘ଏଥିଲେନ ଗ୍ଲାଇକଲ୍’ ମିଶ୍ରଣ ଥିବାରୁ ଶିଶୁଙ୍କ କିଡ଼ନୀ ଉପରେ ତାହାର ଗୁରୁତର ପ୍ରଭାବ ପଡି ମୃତ୍ୟୁର କାରଣ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅଭିଯୋଗ କରିଛି । ଏହା ଉପଯୁକ୍ତ ପରୀକ୍ଷଣରୁ ଜଣାପଡିଥିବା ‘ହୁ’ ପକ୍ଷରୁ କୁହାଯାଇଛି । ମାତ୍ରାଧିକ ଡ଼ିଇଜି ମିଶ୍ରିତ ଔଷଧ ସେବନ କଲେ ବିଷ କ୍ରିୟା ସୃଷ୍ଟି ହେବା ସହ ତଳିପେଟରେ ଯନ୍ତ୍ରଣା, ବାନ୍ତି, ଝାଡା, ପରିଶ୍ରା ଯିବାରେ କଷ୍ଟ, ମୁଣ୍ଡବ୍ୟଥା, ମନ ଅସ୍ଥିର ହେବା ଭଳି ଲକ୍ଷଣ ଦେଖିବକୁ ମିଳିଥାଏ ଏବଂ ତାହା କିଡ଼ନୀକୁ ଗୁରୁତର ଭାବେ ପ୍ରଭାବିତ କରି ମୃତ୍ୟୁର କାରଣ ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ‘ମେଇଡେନ ଫାର୍ମାସ୍ୟୁଟିକାଲ ଲିମିଟେଡ଼’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଔଷଧ ନିମ୍ନମାନର ବା ଅପମିଶ୍ରିତ ବୋଲି ପୂର୍ବରୁ ମଧ୍ୟ ଦେଶ ଭିତରେ ଓ ବାହାରେ ଅଭିଯୋଗ ହୋଇଛି ଏବଂ କଂପାନୀ କଳାତାଲିକାଭୁକ୍ତ ହୋଇଛି । ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଭିଏତନାମ ମେଇଡେନ ଫାର୍ମାକୁ ସେହି ଦେଶରେ ନିଷିଦ୍ଧ କରିଥିଲା ।
୨୦୦୮ ଓ ୨୦୧୧ରେ ଏହି କଂପାନୀ ଦ୍ୱାରା ପ୍ରସ୍ତୁତ ଏକ ସିରପ୍ ଓ ଏକ ବଟିକା (ଟାବଲେଟ) ନିମ୍ନମାନର ବୋଲି ପରୀକ୍ଷଣରୁ ଜଣାପଡିବା ପରେ ବିହାରରେ କଂପାନୀର ଔଷଧକୁ ନିଷିଦ୍ଧ କରାଯାଇଥିଲା । ୨୦୧୩ରେ ଗୁଜରାଟ, ୨୦୨୦ରେ ଜମ୍ମୁ-କଶ୍ମୀର, ୨୦୨୧ରେ କେରଳରେ ମଧ୍ୟ ଏହି କଂପାନୀ ଦ୍ୱାରା ଯୋଗାଣ ହୋଇଥିବା କେତେକ ଔଷଧ ନିମ୍ନମାନର ବୋଲି ଧରାପଡିଛି । ୨୦୧୧ରେ କଂପାନୀ ବିହାରରେ କଳାତାଲିକାଭୁକ୍ତ ହୋଇଥିବା ବେଳେ ୨୦୧୪ରେ ଭିଏତନାମ ନିମ୍ନମାନର ଔଷଧ ଯୋଗାଉ ଥିବା ଅଭିଯୋଗରେ ନିଷିଦ୍ଧ କରିଥିବା ୩୯ ଫାର୍ମା କଂପାନୀଙ୍କ ମଧ୍ୟରେ ‘ମେଇଡେନ ଫାର୍ମା’ ଥିଲା । ୨୦୧୫ରେ ଗୁଜରାଟରେ କଂପାନୀ ଦ୍ୱାରା ଉତ୍ପାଦିତ ଔଷଧ ନିମ୍ନମାନର ବୋଲି ଚିହ୍ନଟ ହୋଇଥିବା ବେଳେ ୨୦୧୭ରେ କେରଳରେ ନିମ୍ନମାନର ଔଷଧ ଯୋଗାଣ ପାଇଁ କଂପାନୀକୁ ଜରିମାନା କରାଯାଇଥିଲା । ତଥାପି କଂପାନୀ କେରଳକୁ ଔଷଧ ଯୋଗାଣ ଜାରି ରଖିଥିଲା । ୨୦୨୧ ଓ ୨୦୨୨ରେ କଂପାନୀ କେରଳକୁ ଯୋଗାଇ ଥିବା ଔଷଧ ଅଧିକ ପାଂଚଗୁଣ ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା । ୧୯୯୦ରେ ପ୍ରତିଷ୍ଠିତ ମେଇଡେନ ଫାର୍ମା ହରିୟାଣା ରାଜ୍ୟର କୁଣ୍ଡଳି ଓ ପାନିପଥ ଏବଂ ହିମାଂଚଳ ପ୍ରଦେଶର ସୋଲାନରେ ଥିବା ଉତ୍ପାଦନ କେନ୍ଦ୍ରରୁ ଔଷଧ ଉତ୍ପାଦନ କରୁଛି । କଂପାନୀର କର୍ପୋରେଟ ଅଫିସ ଦିଲ୍ଲୀର ପିତମପୁରାରେ ରହିଛି ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଔଷଧରେ ମାତ୍ରାଧିକ ଡାଇଥେଲେନେ ଗ୍ଲାଇକଲ୍ (ଡ଼ିଇଜି) ମିଶ୍ରଣ କାରଣରୁ ଭାରତରେ ଶିଶୁ ମୃତ୍ୟୁ ଘଟିବା କିଛି ନୂଆ କଥା ନୁହେଁ । ୨୦୨୦ ଜାନୁୟାରୀରେ ଜମ୍ମୁରେ ଔଷଧରେ ଡ଼ିଇଜିର ମାତ୍ରାଧିକ ମିଶ୍ରଣ କାରଣରୁ ବହୁ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ହିମାଚଳ ପ୍ରଦେଶର ମେସର୍ସ ଡ଼ିଜିଟାଲ ଭିଜନ ନାମକ ଫାର୍ମା କଂପାନୀ ଏହି କଫ୍ ସିରପ୍ ଉତ୍ପାଦନ ଓ ବିକ୍ରି କରିଥିଲା । ଡ୍ରଗ୍ସ ଏଣ୍ଡ କସ୍ମେଟିକ୍ସ ଆକ୍ଟ, ୧୯୪୦ରେ ମୃତ୍ୟୁର କାରଣ ହେଉଥିବା ଅପମିଶ୍ରିତ ଔଷଧ ଉତ୍ପାଦନ ଓ ବିକ୍ରି କରୁଥିବା ଲୋକଙ୍କୁ ୧୦ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଏହାଛଡା, ୧୦ ଲକ୍ଷ ଟଙ୍କା କିମ୍ବା ଜବତ ହୋଇଥିବା ଔଷଧ ମୂଲ୍ୟର ତିନି ଗୁଣ ପର୍ଯ୍ୟନ୍ତ ଜରିମାନା କରାଯିବାକୁ ଆଇନ କହୁଛି । ତେବେ, ଦେଶରେ ଏହି ଆଇନ ଆଜି ସୁଦ୍ଧା କଡାକଡି ଭାବେ କାର୍ଯ୍ୟକାରୀ ହୋଇନି । ଜମ୍ମୁରେ ଶିଶୁ ମୃତ୍ୟୁର କାରକ ହୋଇଥିବା ମେସର୍ସ ଡ଼ିଜିଟାଲ ଭିଜନର ଜଣେ ହେଲେ କାହାକୁ ଜରିମାନା ହୋଇ ନାହିଁ । ଅପରପକ୍ଷରେ, ଅଭିଯୁକ୍ତମାନେ ଜାମିନରେ ଆସି ବାହାରେ ଅଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ଏହି କଂପାନୀ ବିରୋଧରେ ନିମ୍ନମାନର ଔଷଧ ଉତ୍ପାଦନ ଓ ବିକ୍ରିର ଏକାଧିକ ଅଭିଯୋଗ ରହିଛି । ମାତ୍ରାଧିକ ପରିମାଣର ଡ଼ିଇଜି ମିଶ୍ରିତ ଔଷଧ ସେବନ କାରଣରୁ ୨୦୨୦ରେ ଜମ୍ମୁରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୯୮ରେ ଦିଲ୍ଲୀରେ ୩୩ଟି, ୧୯୮୬ରେ ମୁମ୍ବାଇରେ ୧୪ଟି ଓ ୧୯୭୩ରେ ଚେନ୍ନାଇରେ ୧୪ଟି ମୃତ୍ୟୁ ଘଟିଥିବା ଗବେଷକମାନେ କହିଛନ୍ତି ।
ଦେଶରେ ଅପମିଶ୍ରିତ ବା ନିମ୍ନମାନର ଔଷଧ ଉତ୍ପାଦନ ଓ ବିକ୍ରିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି ସେଂଟ୍ରାଲ ଡ଼୍ରଗ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍ (ସିଡ଼ିଏସସିଓ)ର । ସିଡ଼ିଏସସିଓ କହିବା ଅନୁସାରେ, କିଛି ଔଷଧରେ ଡ଼ିଇଜିକୁ ସଲଭେଂଟ ଆକାରରେ ବ୍ୟବହାର କରାଯାଇଥାଏ । ତେବେ, ଏହାର ପରିମାଣ ୦.୧ ପ୍ରତିଶତରୁ ୦.୨ ପ୍ରତିଶତ ମଧ୍ୟରେ ସୀମିତ ରହିବା ପାଇଁ ନିୟାମକ ରହିଛି । ଅନ୍ୟପକ୍ଷରେ ବିଶେଷଜ୍ଞମାନେ କହୁଛନ୍ତି, ଭାରତରେ ଔଷଧ ଉତ୍ପାଦନ ଓ ବିକ୍ରି ସମୟରେ ନିୟାମକକୁ ସଠିକ ଭାବେ ଯାଂଚ କରିବା ପାଇଁ ସେଭଳି କିଛି ରେଗୁଲେଟରୀ ବ୍ୟବସ୍ଥା ନଥିବାରୁ ଅପମିଶ୍ରିତ ଔଷଧ ଅବାଧରେ ବିକ୍ରି ପାଇଁ ବଜାରକୁ ଚାଲି ଯାଉଛି । ଜାତୀୟସ୍ତରରେ ସିଡିଏସସିଓ ଔଷଧର ମାନ ଯାଂଚ କରିବା ଦାୟିତ୍ୱରେ ଥିବା ବେଳେ ବିଭିନ୍ନ ରାଜ୍ୟରେ ସେମାନଙ୍କ ନିଜସ୍ୱ ଯାଂଚ ବ୍ୟବସ୍ଥା ରହିଛି । କେରଳ ଓ ଗୁଜରାଟରେ ଔଷଧ ମାନ ଯାଂଚ କରିବା ପାଇଁ ଥିବା ସଂସ୍ଥାମାନେ ମେଇଡ଼େନ ଫାର୍ମାର ଉତ୍ପାଦ ନିମ୍ନମାନର ଦର୍ଶାଇ ଥିଲେ । ସେହିଭଳି, ବିହାରରେ ଔଷଧ କ୍ରୟ କରୁଥିବା ସଂସ୍ଥା ମେଇଡେନ କଂପାନୀର ଏକ କଫ୍ ସିରପକୁ ନିମ୍ନମାନର ଦର୍ଶାଇ କଳାତାଲିକାଭୁକ୍ତ କରିଥିଲା । କିନ୍ତୁ, ଜାତୀୟସ୍ତରରେ କଡାକଡି ଯାଂଚ ବ୍ୟବସ୍ଥା ନଥିବାରୁ କଳାତାଲିକାଭୁକ୍ତ ହେଇଥିବା କଂପାନୀମାନେ ମଧ୍ୟ ସେମାନଙ୍କ ଉତ୍ପାଦନକୁ ଅବାଧରେ ଦେଶ, ବିଦେଶକୁ ପଠାଉଛନ୍ତି । ତେଣୁ, ଦେଶରେ ଔଷଧ ଉତ୍ପାଦନ ଓ ବିକ୍ରି ରେଗୁଲେଟରୀ ବ୍ୟବସ୍ଥା ଅଧିକ କଡାକଡି ହେବା ଆବଶ୍ୟକ ବୋଲି ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣା ପରେ ଜୋରଦାର ମତପ୍ରକାଶ ପାଉଛି ।
ଗାମ୍ବିଆରେ ‘ମେଇଡେନ ଫାର୍ମା’ ଦ୍ୱାରା ଉତ୍ପାଦିତ କଫ୍ ସିରପ ପିଇ କିଡନୀ ନଷ୍ଟ କାରଣରୁ ୬୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ସେଠାକର କର୍ତ୍ତୃପକ୍ଷ ଘର ଘର ବୁଲି ଏହି କଂପାନୀର ସଂପୃକ୍ତ ବ୍ୟାଚ୍ ର କଫ୍ ଓ କୋଲ୍ଡ ସିରପ୍ ସବୁ ସଂଗ୍ରହ କରି ନିଜ କବ୍ଚାକୁ ନେଇ ଯାଉଥିବା ସୂଚନା ମିଳିଛି । ଗାମ୍ବିଆରୁ ମିଳିଥିବା କଫ୍ ସିରପ୍ କେବଳ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରଙ୍କୁ ରପ୍ତାନୀ କରାଯାଇଥିବା ମେଇଡେନ ଫାର୍ମା କହୁଥିବା ବେଳେ ଏହି ବ୍ୟାଚ୍ ର କଫ୍ ଓ କୋଲ୍ଡ ସିରପ୍ କଂପାନୀ ଭାରତରେ ବିତରଣ କରି ନାହିଁ ବୋଲି ଭାରତୀୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଫେଇ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେଇଡିନ୍ କଂପାନୀ ସଂପର୍କରେ ଭାରତକୁ ସୂଚୀତ କରି ବିଶ୍ୱବ୍ୟାପୀ ଆଲର୍ଟ ଜାରି କରିବା ପରେ ଏବେ ଭାରତ ସରକାର କଂପାନୀ ଦ୍ୱାରା ଉତ୍ପାଦିତ ସଂପୃକ୍ତ ବ୍ୟାଚ୍ ର କଫ୍ ଓ କୋଲ୍ଡ ସିରପକୁ ପରୀକ୍ଷଣ ପାଇଁ ପଠାଇଛନ୍ତି । ତେବେ, କେବେ ପରୀକ୍ଷଣ ସରିବ ଏବଂ କଂପାନୀ ଭିତରେ କାର୍ଯ୍ୟାନୁଷ୍ଠାନ କେବେ (?), ତାହା ବଡ ପ୍ରଶ୍ନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS