ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ୫୦ତମ ପ୍ରଧାନ ବିଚାରପତି
ପ୍ରସାଦ ରାଓ
ଅକ୍ଟୋବର ୧୧
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତ ଆଜି ବରିଷ୍ଠ ବିଚାପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡଙ୍କ ନାମ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଜଷ୍ଟିସ ଲଳିତ ନଭେମ୍ବର ୮ ତାରିଖରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉ ଥିବାରୁ ଜଷ୍ଟିସ ଚନ୍ଦ୍ରଚୂଡ ନଭେମ୍ବର ୯ ତାରିଖରେ ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ । ସିଜେଆଇ ଜଷ୍ଟିସ ଲଳିତ ଆଜି ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ପ୍ରଧାନ ବିଚାରପତି ପଦ ପାଇଁ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିବା ସହ ସୁପାରିଶପତ୍ରର ନକଲ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ହସ୍ତାନ୍ତର କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ ହେଉଛନ୍ତି ଦେଶର ସର୍ବାଧିକ ସମୟ ପାଇଁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡଙ୍କ ପୁତ୍ର । ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ ୧୯୭୮ ଫେବୃୟାରୀ ୨୨ ତାରିଖରୁ ୧୯୮୫ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଥିଲେ । ପୁଅ ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ୨୦୧୬ ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ବିଚାରପତିମାନଙ୍କ ଅବସର ବୟସ ୬୫ ବର୍ଷ ଥିବାରୁ ପ୍ରଧାନ ବିଚାରପତି ହେବାକୁ ଥିବା ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ତାରିଖ, ଅର୍ଥାତ ଦୁଇ ବର୍ଷ ରହିବ । ନଭେମ୍ବର ୮ ତାରିଖରେ ଅବସର ନେବାକୁ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତ ମାତ୍ର ୭୪ ଦିନ ପାଇଁ ଦେଶର ପ୍ରଧାନ ବିଚାରପତି ହେବାର ସୁଯୋଗ ପାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ୨୦୧୪ ଅଗଷ୍ଟ ୧୩ ତାରିଖରେ ସୁପ୍ରିମ କୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ ସଂପାଦନ କରୁଥିଲେ । ‘ବାର’ରୁ ସୁଧାସଳଖ ‘ବେଂଚ’କୁ ଉନ୍ନିତ ହୋଇଥିବା ସୁପ୍ରିମ କୋର୍ଟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଲଲିତ ହେଉଛନ୍ତି ଦ୍ୱିତୀୟ । ତାଙ୍କ ପୂର୍ବରୁ ୧୯୬୪ ମାର୍ଚ୍ଚରେ ଜଷ୍ଟିସ ଏସ.ଏମ.ସିକ୍ରି ସିଧାସଳଖ ସୁପ୍ରିମ କୋର୍ଟ ‘ବାର’ରୁ ‘ବେଂଚ’କୁ ଉନ୍ନିତ ହୋଇଥିଲେ ଏବଂ ୧୯୭୧ ଜାନୁୟାରୀରେ ସେ ଦେଶର ୧୩ତମ ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଦେଶରେ ଥିବା ବିଚାର ବିଭାଗୀୟ ବିଧି ବ୍ୟବସ୍ଥାରେ ଅନୁଯାୟୀ ସର୍ବୋଚ୍ଚ ବିଚାରପତି ପଦରେ ନିଯୁକ୍ତି ପାଇଁ ମେମୋରାଣ୍ଡମ୍ ଅଫ୍ ପ୍ରୋସିଡିଓର (ଏମଓପି)କୁ ଅନୁସରଣ କରାଯାଏ । ଏମଓପି ଅନୁଯାୟୀ ଅବସର ଗ୍ରହଣ କରିବାକୁ ଥିବା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରବେ ନିଜର ଉତ୍ତରାଧିକାରୀ ଚୟନ କରି ସେହି ନାମଟି ବିଧିବଦ୍ଧ ଭାବେ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଥା’ନ୍ତି । ଆଇନ ମନ୍ତ୍ରଣାଳୟ ତାହାକୁ କାର୍ଯ୍ୟକାରୀ କରାଏ । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସିଜେଆଇ ଜଷ୍ଟିସ ଲଳିତ ଆଜି ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ସିଜେଆଇ ଜଷ୍ଟିସ ଲଳିତଙ୍କ ନାମ ତାଙ୍କ ପୂର୍ବରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ.ଭି.ରମଣା କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS