ମୁଲାୟମଙ୍କ ଶେଷକୃତ୍ୟ ସଂପନ୍ନ
ପ୍ରସାଦ ରାଓ
ଅକ୍ଟୋବର ୧୧
ଦେଶର ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ ଆଜି ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲାରେ ଥିବା ତାଙ୍କ ପୈତୃକ ଗ୍ରାମ ସଇଫେଇରେ ସମାପନ ହୋଇଯାଇଛି । ରାଷ୍ଟ୍ରୀୟ ସମ୍ମାନ ସହ ମୁଲାୟମଙ୍କୁ ବିଦାୟ ଦିଆଯାଇଛି । ଗତକାଲି ସକାଳେ ଗୁରଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୮୨ ବର୍ଷ ବୟସରେ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଘଟିଥିଲା । ଏହି ଖବର ଦଳମତ ନିର୍ବିଶେଷରେ ଭାରତୀୟ ରାଜନେତାଙ୍କ ମଧ୍ୟରେ ଶୋକାକୂଳ ବାତାବରଣ ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଶୋକ ବ୍ୟକ୍ତ କରିବା ସହ ତାଙ୍କ ପୁତ୍ର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟକୁ ଶୋକବାର୍ତ୍ତା ପଠାଇ ଥିଲେ । ଭାରତୀୟ ରାଜନୀତିରେ ‘ନେତାଜୀ’ ଭାବେ ପରିଚିତ ମୁଲାୟମ ସିଂହ ଯାଦବ ତିନି ଥର ୟୁପିର ମୁଖ୍ୟମନ୍ତ୍ରୀ ଥିଲେ । ସେ ଆଠ ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଦୁଇ ଥର ଏମଏଲସି ଥିଲେ । ସାତ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗତକାଲି ତାଙ୍କ ବାସଭବନରେ ଓ ଆଜି ଶେଷକୃତ୍ୟ ସ୍ଥଳରେ ଲକ୍ଷାଧିକ ଶୋକାକୂଳ ସମର୍ଥକଙ୍କ ସମାଗମ ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଶେଷକୃତ୍ୟ ସମୟରେ ଉପସ୍ଥିତ ଥାଇ ନେତାଜୀଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଟିଆରଏସ ନେତା ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ଆରଜେଡ଼ି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, କଂଗ୍ରେସ ନେତା କମଳନାଥ, କଂଗ୍ରେସ ସଭାପତି ପ୍ରାର୍ଥୀ କେ.ମଲ୍ଲିକାର୍ଜୁନ ଖାର୍ଗେ, ଆନ୍ଧ୍ର ପ୍ରଦେଶ ତେଲୁୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏନ.ଚନ୍ଦ୍ରବାବୁ ନାଇଡୁ, ୟୁପି ଉପ ମୁଖ୍ୟମନ୍ତ୍ରୀ ଦ୍ୱୟ ବ୍ରଜେଶ ପାଠକ ଓ କେଶବ ପ୍ରସାଦ ମୌର୍ଯ୍ୟ, ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ସମତେ ବହୁ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ନେତା, ଲଡକ୍ଷାଧିକ ସମର୍ଥକ ଆଜିର ଶେଷକୃତ୍ୟରେ ଯୋଗଦେଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ମୁଲାୟମ ସିଂହ ଯାଦବ ଜଣେ ଲୋହିଆବାଦୀ ଓ ସମାଜବାଦୀ ନେତା ଭାବେ ଦେଶରେ ପରିଚିତି ରଖିଛନ୍ତି । ଷାଠିଏ ଦଶକରେ ସେ ରେସଲିଂ ଓ ଶିକ୍ଷକତାରୁ କ୍ୟାରିୟର ଆରମ୍ଭ କରି ରାଜନୀତିରେ ପ୍ରବେଶ କରିଥିଲେ ଓ ସମାଜବାଦୀ ନେତା ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ୧୯୯୨ରେ ସେ ତାଙ୍କ ନିଜ ଦଳ ‘ସମାଜବାଦୀ ପାର୍ଟି’ ପ୍ରତିଷ୍ଠା କରିଥିଲେ । ତାଙ୍କ ପୁଅ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଆଜି ଦିନରେ ତାହାର ମୁଖ୍ୟ ଅଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS