୩୦ ବର୍ଷ ପରେ ନଳିନୀ ଶ୍ରୀହରନ ଜେଲରୁ ମୁକୁଳିଲେ
ପ୍ରସାଦ ରାଓ
ନଭେମ୍ବର ୧୨
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥାଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଆଜି ଭେଲୋର ଜେଲରୁ ମୁକୁଳିଛନ୍ତି । ନଳିନୀଙ୍କ ସମେତ ୩୦ ବର୍ଷରୁ ଅଧିକ ସମୟ ହେଲା ଆଜୀବନ କାରାଦଣ୍ଡ ଭୋଗୁ ଥିବା ଶେଷ ଛଅ ଜଣଙ୍କୁ ଗତକାଲି ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ମୁକ୍ତି ଦେବା ପରେ ନଳିନୀ ଆଜି ସ୍ଥାନୀୟ ଏକ ଥାନାକୁ ଯାଇ ହାଜିରା ଦେବା ପରେ ଭୋଲୋର ଜେଲକୁ ଯାଇଥିଲେ ଏବଂ ଆବଶ୍ୟକ ବିଧିବ୍ୟବସ୍ଥା ସଂପୂର୍ଣ୍ଣ କରିବା ପରେ ଜେଲରୁ ମୁକ୍ତ ହୋଇଥିଲେ । ତାମିଲନାଡୁ ସସ୍ପେନସନ୍ ଅଫ୍ ସେଂଟେନ୍ସ ରୁଲ, ୧୯୮୨ ଆଧାରରେ ତାମିଲନାଡୁ ସରକାର ଗତ ବର୍ଷ ଡ଼ିସେମ୍ବର ୨୭ ତାରିଖରେ ନଳିନୀଙ୍କୁ ପାରୋଲରେ ଛାଡିବା ପରେ ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟ ଆସିବା ପର୍ଯ୍ୟନ୍ତ ସେ ପାରୋଲରେ ବାହାରେ ଥିଲେ । ପାରୋଲରେ ଥିବା ସର୍ତ୍ତ ଅନୁଯାୟୀ ସେ ସ୍ଥାନୀୟ ଥାନାକୁ ଯାଇ ହାଜିରା ଦେଉଥିଲେ । ନଳିନୀ ଦୀର୍ଘ ୩୧ ବର୍ଷ ହେଲା ଜେଲରେ ଥିଲେ । ଗତକାଲି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନଳିନୀଙ୍କ ସମେତ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶେଷ ଛଅ ଜଣଙ୍କୁ ଜେଲରୁ ମୁକ୍ତ କରାଯିବାକୁ ରାୟ ଦେଇଥିଲେ । ଏହି ରାୟ ବଳରେ ଜେଲରୁ ମୁକ୍ତ ହୋଇଥିବା ଅନ୍ୟ ପାଂଚ ଜଣ ହେଉଛନ୍ତି, ରବିଚନ୍ଦ୍ରନ, ସନ୍ଥାନ, ମୁରୁଗନ, ରବର୍ଟ ପାୟସ ଓ ଜୟକୁମାର । ପୂର୍ବରୁ ଏ.ଜି.ପେରାରିଭଲନଙ୍କୁ ସୁପ୍ରିମ କୋର୍ଟ ମୁକ୍ତ କରିସାରିଥିଲେ । ୨୦୧୮ରେ ତାମିଲନାଡୁ ସରକାର ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୦ ବର୍ଷରୁ ଅଧିକ ସମୟ ହେଲା ଜେଲରେ ଥିବା ଦୋଷୀଙ୍କ ମୁକ୍ତି ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ରାଜ୍ୟପାଳ ସେହି ସୁପାରିଶପତ୍ର ସୁପ୍ରିମ କୋର୍ଟରେ ଉପସ୍ଥାପନ କରିଥିଲେ । ରାଜ୍ୟପାଳଙ୍କ ସୁପାରିଶକୁ ଆଧାର କରି କୋର୍ଟ ନଳିନୀଙ୍କ ସମେତ ସାତ ଜଣଙ୍କୁ ମୁକ୍ତ କରିଥିବା ଅଦାଲତ କହିଛନ୍ତି । ଜେଲରେ ଥିବା ସମୟରେ ଦଣ୍ଡିତ ବ୍ୟକ୍ତିମାନଙ୍କ ବ୍ୟବହାର ଉତ୍ତମ ଥିଲା, ସେମାନେ ପାଠପଢି ବିଭିନ୍ନ ଡିଗ୍ରୀ ହାସଲ କରିଛନ୍ତି, ବହି ଲେଖିଛନ୍ତି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି । ୧୯୯୧ ମେ’ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କଂଗ୍ରେସର ଏକ ନିର୍ବାଚନ ସମାବେଶରେ ଯୋଗ ଦେବାକୁ ତାମିଲନାଡୁର ପେରୁମବୁଦ୍ଦୁରରେ ଥିବା ବେଳେ ସେହି ରାତିରେ ଭିଡ଼ ଭିତରେ ମାନବ ବୋମା ସହାୟତାରେ ତାଙ୍କୁ ହତ୍ୟା କରାଯାଇଥିଲା । ଦୀର୍ଘ ୩୧ ବର୍ଷ ପରେ ଜେଲରୁ ମୁକୁଳି ଥିବା ନଳିନୀ ଶ୍ରୀହରନଙ୍କ ପ୍ରତି ରାଜୀବ ଗାନ୍ଧୀଙ୍କ ବିଧବା ପତ୍ନୀ ସୋନିଆ ଗାନ୍ଧୀଙ୍କ ସହାନୁଭୂତି ଥିଲା । ମାନବିକତା ଦୃଷ୍ଟିରୁ ତାଙ୍କୁ ମୁକ୍ତି ଦିଆଯିବାକୁ ସୋନିଆ ନିଦେନ କରିଥିଲେ । ତେବେ, ଏହା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ଭାବାବେଗ କହିଛି କଂଗ୍ରେସ ଏବଂ ସୁପ୍ରିମ କୋର୍ଟ ରାୟକୁ ବିରୋଧ କରିଛି । ରାଜୀବ ଗାନ୍ଧୀଙ୍କ ହତ୍ୟା ଏକ ସାଧାରଣ ହତ୍ୟାକାଣ୍ଡ ନଥିଲା, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଥିଲା ଏବଂ ଦେଶର ଶାସନ ବ୍ୟବସ୍ଥା ପ୍ରତି ଗୁରୁତର ଚ୍ୟାଲେଂଜ ଥିଲା । ତେଣୁ, ସେହି ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ସୁପ୍ରିମ କୋର୍ଟ ଆଗତୁରା ଖଲାସ କରି ଦେବା ଅଗ୍ରହଣୀୟ ବୋଲି କଂଗ୍ରେସ ଗତକାଲି ରାୟ ଆସିବା ପରେ ପରେ କହି ସାରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS