ରାଷ୍ଟ୍ରପତିଙ୍କୁ କଟାକ୍ଷ କରି ଟିଏମସି ମନ୍ତ୍ରୀ ବାରୁଦ ଗଦାରେ !


ପ୍ରସାଦ ରାଓ
ନଭେମ୍ବର ୧୨
ଓଡ଼ିଶାର ଝିଅ ତଥା ଭାରତର ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଅନେକ ସୁଖଦ ଅନୁଭବ ଛାଡି ଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ପଶ୍ଚିମ ବଂଗରେ କ୍ଷମତାରେ ଥିବା ଟିଏମସିର ଜଣେ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ରାଜ୍ୟବାସୀଙ୍କୁ ଦୁଃଖୀ କରିଛି । ଦଳମତ ନିର୍ବିଶେଷରେ ରାଜ୍ୟ ବିଜେଡ଼ି, ବିଜେଡ଼ି ଓ କଂଗ୍ରେସ ନେତୃବର୍ଗ ଟିଏମସି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟକୁ ଦୃଢ ଭାବେ ନିନ୍ଦା କରିବା ସହ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ଗିରିଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିବାକୁ ଦାବି ରଖିଛନ୍ତି । ବିଜେପିର ବଂଗଳା ଶାଖା ମଧ୍ୟ ଟିଏମସି ମନ୍ତ୍ରୀ ଗିରିଙ୍କ ରାଷ୍ଟ୍ରପତିଙ୍କ ପ୍ରତି ଅରୁଚିକର ଏବଂ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଛି ଓ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫଦାରୀ ଦାବି କରିଛି । ଟିଏମସି ମନ୍ତ୍ରୀ ଅଖିଳ ଗିରି ପଶ୍ଚିମ ବଂଗର ନନ୍ଦିଗ୍ରାମରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେବା ସମୟରେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଦଳମତ ନିର୍ବିଶେଷରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ନନ୍ଦିଗ୍ରାମରେ ମନ୍ତ୍ରୀ ଅଖିଳ ଗିରି ଭାଷଣ ଦେଉଥିବା ବେଳେ ନନ୍ଦିଗ୍ରାମ ବିଜେପି ବିଧାୟକ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ କଟାକ୍ଷ କରିବାକୁ ଯାଇ ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ । ସେ (ମନ୍ତ୍ରୀ ଗିରି) ଦେଖିବାକୁ ଅସୁନ୍ଦର ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହୁଥିବା ଦର୍ଶାଇ ଟିଏମସି ମନ୍ତ୍ରୀ ଗିରି ‘କିଏ କେମିତି ଦେଖାଯାଉଛି ତାହାକୁ ନେଇ କାହାରି ଦକ୍ଷତା ପରଖିବା ଠିକ୍ ନୁହେଁ, ରାଷ୍ଟ୍ରପତି ଆସନ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ, ତୁମ ରାଷ୍ଟ୍ରପତି ଦେଖିବାକୁ କେମିତି ?’ ବୋଲି କଟାକ୍ଷ କରିଥିଲେ । ଏହି କଟାକ୍ଷ ହିଁ ମନ୍ତ୍ରୀ ଗିରିଙ୍କୁ ଅଡୁଆରେ ପକାଇଛି । ବିଜେପି ବଂଗଳା ଶାଖା ଏହି ଭିଡ଼ିଓକୁ ‘ଟ୍ୱିଟର’ ମାଧ୍ୟମରେ ସେୟାର କରିବା ସହ ରାଷ୍ଟ୍ରପତି ମୁର୍ମୁ ଆଦିବାସୀ ସଂପ୍ରଦାୟର ବୋଲି ଟିଏମସିକୁ ମନେ ପକାଇ ଦେଇଛି । ଟିଏମସି ମନ୍ତ୍ରୀ ଅଖିଳ ଗିରି ନନ୍ଦିଗ୍ରାମ ଜନସଭାରେ ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ବେଳେ ସେହି ସଭାରେ ରାଜ୍ୟ ମହିଳା କଲ୍ୟାଣ ବିଭାଗ ମନ୍ତ୍ରୀ ଶଶି ପାଂଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ଆଦିବାସୀ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛନ୍ତି । ବିଜେପିର ଜାତୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟିଏମସି ମନ୍ତ୍ରୀ ଗିରିଙ୍କ ମନ୍ତବ୍ୟର ନିନ୍ଦା କରିବା ସହ ସେ କ୍ଷଣମାତ୍ରେ ମନ୍ତ୍ରୀ ପଦରେ ରହିବା ଉଚିତ ନୁହଁ, ତାଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି । ଇତିମଧ୍ୟରେ, ବିଜେପି ସାଂସଦ ସୌମିତ୍ରା ଖାନ ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି ରାଷ୍ଟ୍ରପତି ମୁର୍ମୁଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଟିଏମସି ମନ୍ତ୍ରୀ ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ କରାଯିବା ସହ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିବେଦନ କରିଛନ୍ତି । ଓଡ଼ିଶାରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ପ୍ରତି ଟିଏମସି ମନ୍ତ୍ରୀ ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ବିଜେଡ଼ିର ବରିଷ୍ଠ ମୁଖପାତ୍ର ମୁନା ଖାନ କହିଛନ୍ତି, ରାଷ୍ଟ୍ରପତି ଦ୍ରøପଦୀ ମୁର୍ମୁ ହେଉଛନ୍ତି ଓଡ଼ିଶାର ଜଣେ ଓ ଆଦିବାସୀ ସଂପ୍ରଦାୟର । ସେ ତୃଣମୂଳସ୍ତରରୁ ରାଜନୀତିରେ ରହି ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦରେ ଆସୀନ ହୋଇଛନ୍ତି । ତାଙ୍କ ସଂପର୍କରେ ଜଣେ ଟିଏମସି ମନ୍ତ୍ରୀ ଆପତ୍ତିଜନକ ମନ୍ତବ୍ୟ ଦେବା ଅଶୋଭନୀୟ । ଗିରି ମନ୍ତ୍ରୀ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି । ଦଳ ତାଙ୍କୁ ଅବିଳମ୍ବେ ବହିଷ୍କାର କରୁ ବୋଲି ଖାନ ଦାବି କରିଛନ୍ତି । ସେହିପରି, କଂଗ୍ରେସ ନେତା ସୁର ରାଉତରାୟ, ବିଜେପି ବିଧାୟିକା କୁସୁମ ଟେେ. କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ପଶ୍ଚିମ ବଂଗ ମନ୍ତ୍ରୀ ଗିରିଙ୍କୁ କଡା ସମାଲୋଚନା କରି ତାଙ୍କ ବହିଷ୍କାର ଦାବି କରିଛନ୍ତି । ପରିସ୍ଥିତି ବିଗିଡି ଯିବା ଦେଖି ଟିଏମସି ମନ୍ତ୍ରୀ ଅଖିଳ ଗିରି ଆଜି ସ୍ପଷ୍ଟୀକରଣ ଦେଇଛନ୍ତି, ସେ ନନ୍ଦିଗ୍ରାମ ଜନସଭାରେ ଭାଷଣ ଦେବା ସମୟରେ ରାଗରେ ଏଭଳି କହିଥିଲେ । ଦେଶର ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି । ଦେଇଥିବା ମନ୍ତବ୍ୟ ପାଇଁ ଗିରି କ୍ଷମା ମାଗିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ତଥା ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀ ରଂଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସଂପର୍କରେ ଅସୌଜନ୍ୟ ମନ୍ତବ୍ୟ ଦେଇ ଶେଷରେ ରାଷ୍ଟ୍ରପତିଙ୍କୁ କ୍ଷମତା ମାଗିବାକୁ ବାଧ୍ୟ ହୋଇଥିଲେ । ଭୁଲରେ ସେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଦେଇଥିଲେ ବୋଲି ଅଧୀ ରଂଜନ ସେତେବେଳେ ଗଣମାଧ୍ୟମରେ ସଫେଇ ଦେଇଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS