ପଦ୍ମପୁରରେ ଦେଖିବାକୁ ମିଳିବ ‘ଅନୁକଂପା’ ବନାମ ‘ଅଭିଜ୍ଞତା’ ଲଢେଇ
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୧୬
ନଭେମ୍ବରରେ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପ ନିର୍ବାଚନରେ ଅନୁକଂପାର ବିଜୟ ହେଲା । ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁତ୍ର ସୁରଜ ସୂର୍ଯ୍ୟବଂଶୀ ଉପ ନିର୍ବାଚନରେ ବିଜୟୀ ହୋଇ ଶାସକ ବିଜେଡ଼ିର ଉପ ନିର୍ବାଚନ ବିଜୟ ଧାରାରେ ପ୍ରଥମ କରି ରୋଡା ପକାଇଲେ । ବିଜେପି ଏହି ବିଜୟକୁ ନେଇ ଯେତେ ଉଲ୍ଲିସତ ହେଲେ ମଧ୍ୟ ଏହା ସୁରଜଙ୍କ ପ୍ରତି ଭୋଟରଙ୍କ ଅନୁକଂପା ବ୍ୟତୀତ ଆଉ କିଛି ନଥିଲା । ବିଷ୍ଣୁ ସେଠୀଙ୍କ ଭଳି ଜଣେ ଦକ୍ଷ ଓ ଜନପ୍ରିୟ ନେତାଙ୍କୁ ହରାଇ ଥିବା ଧାମନଗର ଭୋଟର ସୁରଜଙ୍କ ମାଧ୍ୟମରେ ତାଙ୍କୁ ଫେରି ପାଇବା ସକାଶେ ସୁରଜଙ୍କୁ ଆଶୀର୍ବାଦ ଦେଇଛନ୍ତି । ଶାସକ ବିଜେଡ଼ି ମହିଳା ଓ ଏସଏଚଜି ଭୋଟ ହାତେଇବା ଆଶାରେ ଅବନ୍ତୀ ଦାସଙ୍କ ପରି ଜଣେ ମିଶନ ଶକ୍ତି ନେତ୍ରୀଙ୍କୁ ପ୍ରାର୍ଥୀ କରିବା ସହ ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ହତାଦାର କରି ସ୍ୱାଧୀନ ପ୍ରାର୍ଥୀ ହେବାକୁ ବାଧ୍ୟ କରିବାରୁ ଉପ ନିର୍ବାଚନ ବିଜୟ ଧାରାରେ ଭଟ୍ଟା ପଡିଲା, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ନହେଲେ ମଧ୍ୟ ପରୋକ୍ଷରେ ତାହା ସ୍ୱୀକାର କରିଛନ୍ତି । ଡ଼ିସେମ୍ବର ୫ ତାରିଖରେ ହେବାକୁ ଥିବା ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ଉପ ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଚୟନରୁ ତାହା ସ୍ପଷ୍ଟ ହୋଇଛି । ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଦେହାନ୍ତରୁ ଏହି ଉପ ନିର୍ବାଚନ ହେଉଛି । ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ବହୁ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମନ ସ୍ଥିର କରି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଦିବଂଗତ ବିଜେଡ଼ି ବିଧାୟକ ବରିହାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ ନକଲେ ବିଂଝଲ ସଂପ୍ରଦାୟ ଆଦିବାସୀଙ୍କ ବିରୋଧ ଭୟରେ ବିଜୟ ରଂଜନଙ୍କ ବିବାହିତା ଝିଅ ବର୍ଷାରାଣୀଙ୍କୁ ପ୍ରାର୍ଥୀ କରିଛନ୍ତି । ଧାମନଗର ଉପ ନିର୍ବାଚନରେ ବିଜେପି ଅନୁକଂପା ଭୋଟ ହାସଲ କଲା ଭଳି ପଦ୍ମପୁର ଉପ ନିର୍ବାଚନରେ ବିଜେଡ଼ି ଅନୁକଂପାକୁ ଆଧାର କରି ବର୍ଷାଙ୍କୁ ପ୍ରାର୍ଥୀ କରିବା ସହ ବିଜୟ ଆଶା ରଖିଛି ।
ତେବେ, ବିଜେଡ଼ି ପାଇଁ ଚ୍ୟାଲେଂଜ ରହିଛି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ରାଜନୈତିକ ଅଭିଜ୍ଞତା । ବିଜେପି ଦଳର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଆସନରୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ତାହାର ଜଣେ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ପ୍ରଦୀପ ଓ ସତ୍ୟ ଭୂଷଣ ଉଭୟେ ଅଭିଜ୍ଞ । ପୁରୋହିତ ପଶ୍ଚିମ ଓଡ଼ିଶାର ଜଣେ ଆଗ ଧାଡିର କୃଷକ ନେତା । ୨୦୧୪ ବିଧାନସଭା ନିର୍ବାଚନରେ ସେ ବରିହାଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ, ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇ ବରିହା ତାଙ୍କୁ ପରାଜିତ କରିଥିଲେ । କଂଗ୍ରେସରୁ ପ୍ରାର୍ଥୀ ଥିବା ସତ୍ୟ ଭୂଷଣ ସାହୁ ମଧ୍ୟ ପଦ୍ମପୁର ଆସନରୁ ତିନି ଥର ୧୯୮୦, ୧୯୮୫ ଓ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସାହୁ ବିଜେଡ଼ିରୁ ପ୍ରାର୍ଥୀ ଥିବା ବରିହାଙ୍କ ନିକଟରୁ ପରାଜିତ ହୋଇଥିଲେ । ଡ଼ିସେମ୍ବର ୫ ତାରିଖ ଉପ ନିର୍ବାଚନ ପାଇଁ ଏଆଇସିସି ତାଙ୍କୁ ପ୍ରାର୍ଥୀ କରି ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି କରିଛି ।
ପୁରୋହିତ ଓ ସାହୁଙ୍କ ପ୍ରତ୍ୟକ୍ଷ ନିର୍ବାଚନୀ ଅଭିଜ୍ଞତା ଥିବା ସମୟରେ ବିଜେଡ଼ି ପ୍ରାର୍ଥୀ ବର୍ଷାରାଣୀଙ୍କ ସେଭଳି ଅଭିଜ୍ଞତା ନାହିଁ । ତଥାପି, ସେ ଦିବଂଗତ ପିତା ବିଜୟ ରଂଜନଙ୍କ ପୁତ୍ରୀ ଭାବେ ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି ଓ ଅନେକ କିଛି ଶିଖି ଥିବା ଦାବି କରୁଛନ୍ତି । ତାଙ୍କ ଶ୍ୱଶୁର ରମାରଂଜନ ବଳିଆରସିଂହ ମଧ୍ୟ ରାଜନୀତିରେ ଅଛନ୍ତି । ବଳିଆରସିଂହ ୨୦୦୪ ନିର୍ବାଚନରେ ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ, ପରେ ବିଜେଡ଼ିକୁ ସମର୍ଥନ ଦେଇଥିଲେ । ୨୦୦୮-୦୯ରେ ସେ ଶ୍ରେଷ୍ଠ ବିଧାୟକ ଭାବେ ‘ଗୋପବନ୍ଧୁ ପ୍ରତିଭା ସମ୍ମାନ’ ପାଇଥିଲେ । କିନ୍ତୁ, ୨୦୧୪ ନିର୍ବାଚନରେ ସେ ବିଜେଡ଼ି ଟିକଟ ପାଇ ସୁଦ୍ଧା ନିର୍ବାଚନ ହାରିଥିଲେ । ଦଳ ଓ ସରକାର ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ତ୍ତୃତ୍ୱ ନଥିବା ଏବଂ କିଛି ବରିଷ୍ଠ ପ୍ରଶାସକ ଓ ତୃତୀୟ ମହଲାର ନିକଟତମ ବ୍ୟକ୍ତିଙ୍କ (କୋଟେରୀ) ଦ୍ୱାରା ବିଜେପି ପରିଚାଳିତ ହେଉଥିବା ଅଭିଯୋଗ କରି ସେ ୨୦୧୮ରେ ବିଜେଡ଼ିରୁ ଇସ୍ତଫା ଦେବା ପରେ ବିଜେପି ସହ ଅଛନ୍ତି ।
ବିଜେଡ଼ି ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ ତାଙ୍କ ବୋହୂ ବର୍ଷାରାଣୀଙ୍କୁ ପ୍ରାର୍ଥୀ କରି ବଳିଆରସିଂହଙ୍କ ଅଡୁଆ ବଢାଇଛି । ବୋହୂ ବିରୋଧୀଙ୍କ ଆଡୁ ପ୍ରାର୍ଥୀ ହୋଇଥିବା କଥା ସେ ସୋମବାର ଗଣମାଧ୍ୟମରୁ ଜାଣିଲେ, ଏନେଇ ଘରେ ଆଗରୁ କିଛି ଆଲୋଚନା ହୋଇନଥିଲା ବୋଲି ବିଜେପି ନେତା ବଳିଆରସିଂହ ସଫେଇ ଦେଇଥିବା ବେଳେ ବିଜେପି ଓ ଦଳର ପ୍ରାର୍ଥୀ ପୁରୋହିତଙ୍କୁ ଅଡୁଆରେ ପକାଇବା ପାଇଁ ବିଜେଡ଼ି ଏହି ରଣନୀତି ପ୍ରସ୍ତୁତ କରିଛି ବୋଲି କଂଗ୍ରେସ କହିଛି । ଉପ ନିର୍ବାଚନ ପ୍ରଚାରରେ ବର୍ଷାଙ୍କ ଶ୍ୱଶୁର ବଳିଆରସିଂହଙ୍କ ଭୂମିକା କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ବଳିଆରସିଂହ କହିଛନ୍ତି, ବର୍ଷାଙ୍କ ଦାୟିତ୍ୱ ବିଜେଡ଼ିର । ତାଙ୍କ ଦଳ (ବିଜେପି) ଯେଉଁ ଦାୟିତ୍ୱ ଦେବ ସେ ତାହା ତୁଲାଇବେ ।
୨୦୦୯ ପରଠାରୁ ରାଜ୍ୟରେ ହୋଇଥିବା କୌଣସି ବିଧାନସଭା ଉପ ନିର୍ବାଚନରେ ବିଜେଡ଼ି ହାରି ନଥିଲା । ଗଲା ଧାମନଗର ବିଧାନସଭା ଉପ ନିର୍ବାଚନରେ ଦଳ ହାରିବା ପଛରେ ଦଳରେ ବିଦ୍ରୋହ ଓ ବିଜେପି ପ୍ରତି ଅନୁକଂପାର ପ୍ରମୁଖ ଭୂମିକା ରହିଥିଲା । ପଦ୍ମପୁର ଉପ ନିର୍ବାଚନରେ ତାହାର ପୁନରାବୃତ୍ତି ନ ଘଟିବା ବିଜେଡ଼ି ଚାହିଁଛି ଓ ଦଳର ଦିବଂଗତ ବିଧାୟକ ବରିହାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିଛି । ବରିହାଙ୍କ ବିଧବା ପତ୍ନୀ ତିଳୋତ୍ତମା ଓ ସାନ ଝିଅ କାଦମ୍ବିନୀ ମଧ୍ୟ ଦଳୀୟ ଟିକଟ ଦୌଡରେ ଥିଲେ । ତେବେ, ବଡ଼ ଝିଅ ବର୍ଷାରାଣୀଙ୍କୁ ପ୍ରାର୍ଥୀ କରି ବିଜେଡ଼ି ଘର ଭିତରେ ଥିବା ଛକାପଂଝାକୁ ଶାନ୍ତ କରିବା ସହ ବିଜେପିକୁ ମଧ୍ୟ ହରଡଘଣାରେ ପକାଇଛି । ଧାମନଗର ଉପ ନିର୍ବାଚନରେ ବିଜେପି ଦିବଂଗତ ବିଧାୟକଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରି ନିଜ ସପକ୍ଷରେ ଯେଉଁ ଅନୁକଂପାର ସ୍ରୋତ ସୃଷ୍ଟିି କରିଥିଲା ପଦ୍ମପୁରରେ ବିଜେଡ଼ି ସେହି ଅନୁକଂପା ଭୋଟକୁ ଆଶ୍ରୟ କରିଛି ।
ତେଣୁ, ପଦ୍ମପୁର ଉପ ନିର୍ବାଚନରେ ‘ଅଭିଜ୍ଞତା’ ଓ ‘ଅନୁକଂପା’ ମଧ୍ୟରେ ଲଢେଇ ନିଶ୍ଚିତ ହୋଇଯାଇଛି । ବିଜେପି ଆଶା କରୁଛି, ଦଳର ପ୍ରାର୍ଥୀ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ‘ଅଭିଜ୍ଞତା’ ସହ ପଶ୍ଚିମ ଓଡ଼ିଶାରେ ଦଳ ପ୍ରତି ଥିବା ସହାନୁଭୂତି ବିଜେପି ସପକ୍ଷରେ କାମ କରିବ । ସେହିଭଳି, କଂଗ୍ରେସ ଆଶା ରଖିଛି ଦଳର ପ୍ରାର୍ଥୀ ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ‘ଅଭିଜ୍ଞତା’ ଦଳ ପାଇଁ ସହାୟକ ହେବ । ତେବେ, ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ସାଂଗଠନିକ ଓ ଆର୍ଥିକ ଶକ୍ତି ଯାହା ସାହୁଙ୍କ ଅଭିଜ୍ଞତାକୁ କଂଗ୍ରେସ କେତେଦୂର ଭୋଟରେ ରୂପାନ୍ତରିତ କରି ପାରିବ ତାହା ଯେକେହି ଅନୁମାନ କରି ପାରିବ । ଲଢେଇ ତ୍ରୀକୋଣିୟ ହେଲେ ମଧ୍ୟ ବାସ୍ତବ ଲଢେଇରେ ବିଜେଡ଼ି ଓ ବିଜେପି ରହିବେ । ବିଜେପି ଚାଷୀ କାର୍ଡ ଖେଳିବା ଆରମ୍ଭ କରିଥିଲେ ମଧ୍ୟ ବିଜେଡ଼ି ଅନୁକଂପାକୁ ଅସ୍ତ୍ର କରିଥିବାରୁ ଦିବଂଗତ ବିଧାୟକ ବରିହା ଦଳର ଟ୍ରଂପ୍ କାର୍ଡ ହେବ । ବରିହା ୧୯୯୦, ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ରେ ପଦ୍ମପୁର ବିଧାୟକ ଥାଇ ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଯେଉଁ ଛାପ ଛାଡିଛନ୍ତି ଝିଅ ବର୍ଷା ସେଥିରୁ ଫାଇଦା ପାଇ ବିଜୟୀ ହେବା ନିଶ୍ଚିତ ବୋଲି ବିଜେଡ଼ି ସମର୍ଥକ ଆଶା କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS