ଚାଷୀ ରାଜନୀତି ସରଗରମ, ପଦ୍ମପୁର ଭୋଟର କାହାକୁ ବିଶ୍ୱାସକୁ ନେବେ ?


ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୧୯
ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ଚାଷୀ ସମସ୍ୟାକୁ ନେଇ ଅଚାନକ ସ୍ପର୍ଶକାତର ହୋଇ ଉଠନ୍ତି । ଅତୀତରେ ବିଭିନ୍ନ ନିର୍ବାଚନ ସମୟରେ ତାହା ଦେଖିବାକୁ ମିଳିଛି । ଏବେ ଓଡ଼ିଶାର ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ଉପ ନିର୍ବାଚନ ସମୟରେ ମଧ୍ୟ ତାହା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଶାସକ ବିଜେଡ଼ି ବରଗଡ଼ ଜିଲ୍ଲା ଚାଷୀଙ୍କ ଦାବିକୁ ନେଇ ଅଚାନକ ସ୍ପର୍ଶକାତର ହୋଇଥିବା ବେଳେ ବିଜେପି ମଧ୍ୟ ଚାଷୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଶାସକ ଦଳ ଉପରେ ବର୍ଷୁଛି । ରାଜ୍ୟ ଓ କେନ୍ଦ୍ରରେ ଶାସନରେ ଥିବା ଦୁଇ ଦଳ ପଦ୍ମପୁର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯେଭଳି କସରତ ଚଳାଇଛନ୍ତି ଦେଖିଲେ ସ୍ୱାଭାବିକ ମନରେ ପ୍ରଶ୍ନ ଉଠୁଛି – ଚାଷୀ ସମସ୍ୟାକୁ ନେଇ କାହାର ଦରଦ କେତେ ?
ଡ଼ିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପ ନିର୍ବାଚନ ହେବାକୁ ଥିବା ବେଳେ ଏହି ନିର୍ବାଚନରେ ଚାଷୀଙ୍କୁ ଫସଲ ବୀମା ରାଶି ଦେବାରେ ସରକାରୀ ଅବହେଳା ମୁଖ୍ୟ ପ୍ରସଙ୍ଗ ହୋଇଛି । ୨୦୨୧ ଖରିଫ ଋତୁରେ ମରୁଡ଼ି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ୨୦୨୨ ନଭେମ୍ବର ସୁଦ୍ଧା ଫସଲ ବୀମା ବାବଦ ଅର୍ଥ ପାଇ ନଥିବାରୁ ଆନ୍ଦୋଳନରେ ବସିଛନ୍ତି । ପଦ୍ମପୁର ସବ୍ ଡ଼ିଭିଜନ ଚାଷୀମାନେ ୨୦୨୧ ସେପ୍ଟେମ୍ବରରୁ ପ୍ରତିବାଦ ଧାରଣା ଜାରି ରଖି ଥିବା ବେଳେ ସରକାର ବା ବିରୋଧୀ କେହି ସେମାନଙ୍କୁ ଆଡ ଆଖିରେ ଚାହୁଁ ନଥିଲେ । ନିର୍ବାଚନ କମିଶନ ପଦ୍ମପୁର ବିଧାନସଭା ଉପ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଉଭୟ ବିଜେଡ଼ି ଓ ବିଜେପି ଚାଷୀଙ୍କ ତ୍ରାଣକର୍ତ୍ତାର ଅଭିନୟ ଆରମ୍ଭ କରିଛନ୍ତି । ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଦାୟୀ କରିଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ଦାୟୀ କରି ଅଭିଯୋଗ, ପ୍ରତ୍ୟାଭିଯୋଗରେ ମାତିଛନ୍ତି । ଏପରିକି, ରାଜଧାନୀରେ ବିଜେପି ନେତୃବର୍ଗ ରାଜ୍ୟ ସରକାରଙ୍କ ବିରୋଧରେ ଅନିର୍ଦ୍ଧିଷ୍ଟକାଳ ପାଇଁ ସତ୍ୟାଗ୍ରହ ମଧ୍ୟ ଆରମ୍ଭ କରିଛନ୍ତି ।
ଏହି ଉପ ନିର୍ବାଚନରେ ବିଜୟ ପାଇଁ ଚାଷୀଙ୍କ ଭୋଟ କେତେଦୂର ଗୁରୁତ୍ୱ ରଖୁଛି ତାହା ଜଣାପଡୁଛି ସବୁ ପ୍ରତ୍ୟାଶୀଙ୍କ ବିଳମ୍ବିତ ନାମାଙ୍କନପତ୍ର ଦାଖଲରୁ । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିଲା ନଭେମ୍ବର ୧୭ । ସ୍ୱାଭାବିକ ଭାବେ ଧାର୍ଯ୍ୟ ତାରିଖ ସୁଦ୍ଧା ଅଧିକାଂଶ ପ୍ରତ୍ୟାଶୀ ସେମାନଙ୍କ ପ୍ରାର୍ଥପତ୍ର ଦାଖଲ କରିଦେଇଥା’ନ୍ତି । ଶେଷ ତାରିଖ ଯାଏଁ କୌଣସି ନାମାଙ୍କନ ଦାଖଲ ନହେବା ବିରଳ ଘଟଣା । ତେବେ, ଏଭଳି ଦେଖିବାକୁ ମିଳିଛି ପଦ୍ମପୁର ଉପ ନିର୍ବାଚନରେ । ଫସଲ ବୀମା ରାଶି ମିଳି ନଥିବାରୁ ଗତ ବର୍ଷ ସେପ୍ଟେମ୍ବରରୁ ଧାରଣାରେ ବସି ଥିବା ଚାଷୀ ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାକୁ ଆହ୍ୱାନ ଦେବାରୁ ୧୬ ତାରିଖ ସୁଦ୍ଧା ଗୋଟିଏ ହେଲେ ପ୍ରାର୍ଥୀପତ୍ର ଦାଖଲ ହୋଇନଥିଲା । ବିଜେପି ପ୍ରାର୍ଥୀ ଥିବା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ଶୋଭାଯାତ୍ରାରେ ବାହାରି ଥିଲେ ସିନା ନାମାଙ୍କନ ଦାଖଲ ନକରି ଧାରଣାରତ ଚାଷୀଙ୍କ ନିକଟରେ ଅଟକି ଯାଇଥିଲେ ।
ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ, ଅର୍ଥାତ ନଭେମ୍ବର ୧୭ ତାରିଖ ଗୁରୁବାର ଦିନ ବିଜେଡ଼ି, ବିଜେପି, କଂଗ୍ରେସ ପ୍ରାର୍ଥୀଙ୍କ ସମତେ ଅନ୍ୟ ଆଶାୟୀମାନେ ଏକାଠି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାହା ମଧ୍ୟ ଧାରଣାରତ ଚାଷୀ ନେତାଙ୍କ ଆଶୀର୍ବାଦ ନେଇ । ଗୁରୁବାର ମୋଟ ୧୩ଟି ପ୍ରାର୍ଥୀପତ୍ର ଦାଖଲ ହେଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦୁଇ ଜଣ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ (କଂଗ୍ରେସ) ଓ ପ୍ରଦୀପ ପୁରୋହିତ (ବିଜେପି) ନିଜ ନିଜ ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦିବଂଗତ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ବଡ଼ ଝିଅ ବର୍ଷାରାଣୀ ସିଂହ ବରିହା ବିଜେଡ଼ିରୁ ନାମାଙ୍କନ ଦାଖଲ କରିଛନ୍ତି । ଚାଷୀ ନେତାଙ୍କୁ ମୁଣ୍ଡିଆ ମାରି ସେମାନେ ସମର୍ଥନ ଲୋଡିଛନ୍ତି । ଫସଲ ବୀମା ପ୍ରଦାନରେ ସରକାରୀ ଅବହେଳାର ପ୍ରତିବାଦରେ ଦୀର୍ଘ ମାସ ଧରି ଧାରଣାରେ ଥିବା ଚାଷୀ ସଂଗଠନ ଓ ନେତାଙ୍କ ପ୍ରତି ପ୍ରାର୍ଥୀଙ୍କ ଏପ୍ରକାର ଆନୁଗତ୍ୟର ବଡ଼ କାରଣ ହେଉଛି, ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ୮୦ ପ୍ରତିଶତ ମତଦାତା ହେଉଛନ୍ତି ଚାଷୀ ।
ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଥିବା ଚାଷୀ ନେତାଙ୍କ କହିବା ଅନୁଯାୟୀ, ୨୦୨୧ ଖରିଫ ଋତୁର ଫସଲ ବୀମା ଅର୍ଥ ମିଳିବାରେ ବିଳମ୍ବ ହେବାରୁ ରାଜବୋଡାସମ୍ବର କୃଷକ ସଂଗଠନର ସଦସ୍ୟମାନେ ସେହି ବର୍ଷ ସେପ୍ଟେମ୍ବର ୧ ତାରିଖରୁ ବିଭିନ୍ନ ପର୍ଯ୍ୟାୟ ଆନ୍ଦୋଳନରେ ଅଛନ୍ତି । ଆନ୍ଦୋଳନ ସମୟରେ କୌଣସି ଦଳର ନେତା ସେମାନଙ୍କ ପାଖକୁ ଯାଇ ନଥିଲେ । ଆନ୍ଦୋଳନକାରୀ ଚାଷୀ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨୦ ଦିନ ଅଚଳ କରିବା ସହ ରାସ୍ତା ଅବରୋଧ ଓ ‘ରେଳ ରୋକୋ’ ମଧ୍ୟ କରିଥିଲେ । ସେତେବେଳେ ଯେଉଁ ନେତାମାନେ ଆଡ ଆଖିରେ ଚାହିଁ ନଥିଲେ ସେମାନେ ପଦ୍ମପୁର ଉପ ନିର୍ବାଚନ ତାରିଖ ଘୋଷଣା ପରେ ନିଜକୁ ଚାଷୀଙ୍କ ତ୍ରାଣକର୍ତ୍ତା ଦର୍ଶାଇବାକୁ ପ୍ରତିଦ୍ୱନ୍ଦ୍ୱିତାରେ ମାତିଛନ୍ତି । ଉଭୟ ରାଜ୍ୟ ବିଜେଡ଼ି ଓ କେନ୍ଦ୍ର ବିଜେପି ସରକାର ଏବେ ନିର୍ବାଚନ ସମୟରେ ଚାଷୀଙ୍କ ପାଇଁ ଯେଉଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ତାହା ଉପ ନିର୍ବାଚନ ସରିବା ପରେ ମିଳିବ କି ନାହିଁ ସେନେଇ ସନ୍ଦେହ ରହିଛି । ତେଣୁ, ଚାଷୀଙ୍କ ବ୍ୟାଙ୍କ ଖାତାକୁ ସରକାର ଟଙ୍କା ନ ପଠାଇବା ଯାଏଁ ଆନ୍ଦୋଳନ ଚାଲୁ ରହିବ ।
ପଦ୍ମପୁର ଉପ ନିର୍ବାଚନ ତାରିଖ ଘୋଷଣା ପରେ ତୁରନ୍ତ ନିର୍ବାଚନ ଆଚରଣବିଧି ଲାଗୁ ହୋଇ ସାରିଛି । ଆଚରଣବିଧି ଲାଗୁ ଥିବା ସମୟରେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ କୌଣସି ପ୍ରକାର ଆର୍ଥିକ ସହାୟତା ଘୋଷଣା କରିବା ଆଚରଣ ବିଧି ଉଲଂଘନ କରୁଛି । ତେବେ, ତାହା ଉଭୟ ସରକାରଙ୍କ ପାଇଁ କିଛି ଫରକ ପଡୁନି । କାରଣ, ନିର୍ବାଚନରେ ବିଜୟ ପାଇଁ ଚାଷୀଙ୍କ ଭୋଟ ଜରୁରୀ । ଆଚରଣବିଧି ଉଲଂଘନକୁ ନେଇ ବିଜେଡ଼ି, ବିଜେପି ନିରବ ଥିବା ବେଳେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କିନ୍ତୁ ବିରୋଧ କରିଛନ୍ତି ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଶ୍ଚିମ ଓଡ଼ିଶାର ଏହି ବିଧାନସଭା ଆସନ ୧୯୮୦, ୧୯୮୫ ଓ ୨୦୦୪ରେ କଂଗ୍ରେସ ହାତରେ ଥିଲା । ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ ଆସନ୍ତା ଉପ ନିର୍ବାଚନରେ ଦଳର ପ୍ରାର୍ଥୀ ଅଛନ୍ତି । ବରଗଡ଼ ଜିଲ୍ଲା ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଜଳ ସେଚନରୁ ଆରମ୍ଭ କରି ଯାହା ବି ବିକାଶ କାର୍ଯ୍ୟ ହୋଇଛି ତାଙ୍କରି ଅମଳରେ ହୋଇଥିବା ପୂର୍ବତନ ବିଧାୟକ ସାହୁ ଦାବୀ କରିବା ସହ ଅନ୍ୟମାନଙ୍କ କାର୍ଯ୍ୟକାଳରେ କିଛି ହୋଇ ନଥିବା କହିଛନ୍ତି ।
ବିଜେପି ପ୍ରାର୍ଥୀ ପୁରୋହିତ ୨୦୧୪ ନିର୍ବାଚନରେ ପଦ୍ମପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ, ୨୦୧୯ ନିର୍ବାଚନରେ ପହ୍ମପୁର ମତଦାତା ପୁରୋହିତଙ୍କୁ ପ୍ରତ୍ୟାଖାନ କରି ବିଜେଡ଼ିର ବିଜୟ ରଂଜନ ସିଂହ ବରିହାଙ୍କୁ ନିର୍ବାଚିତ କରିଥିଲେ । ୨୦୦୯ ପରେ ବିଜେପି ରାଜ୍ୟରେ ସରକାରରେ ନାହିଁ । ତେଣୁ, ପଦ୍ମପୁରର ବିକାଶକୁ ନେଇ ସେ କୌଣସି ଦାବୀ କରୁନଥିଲେ ମଧ୍ୟ ଚାଷୀଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ବିଶେଷ ଅବଦାନ କଥା କହି ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରୁଛନ୍ତି । ତାଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଚାଷୀଙ୍କୁ ସବୁ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାର ତାହାର ବାଟମାରଣା କରୁଛନ୍ତି । କେନ୍ଦ୍ରୀୟ ସହାୟତା ଚାଷୀଙ୍କ ନିକଟରେ ପହଂଚୁ ନାହିଁ । ବିଜେଡ଼ି ୨୨ ବର୍ଷ ହେଲା ଶାସନରେ ଥାଇ ନିଜକୁ କେବଳ ଚାଷୀଙ୍କ ତ୍ରାଣକର୍ତ୍ତା ଦାବୀ କରୁଛି ।
୨୦୧୯ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଚାଷୀ ଓ କୃଷି ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଥିଲେ । ଇତିମଧ୍ୟରେ ଏହି ଯୋଜନା ବାବଦ ବ୍ୟୟବରାଦ କମିଛି ସିନା ବର୍ଷକୁ ଅନ୍ତତଃ ଦୁଇ ଥର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସରକାର କିଛି କିଛି ଆର୍ଥିକ ସାହାୟତା ପଠାଇବା ଜାରି ରଖିଛନ୍ତି । ପ୍ରାରମ୍ଭରେ କେନ୍ଦ୍ର ସରକାର ‘କାଳିଆ’ ଯୋଜନାକୁ ବିରୋଧ କରୁଥିଲେ ମଧ୍ୟ ପରେ ତାହାକୁ ଅନୁସରଣ କରି ‘ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କଲେ ଓ ଖରିଫ ଏବଂ ରବି ଋତୁରେ ଚାଷୀଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ନାମକୁମାତ୍ର ଆର୍ଥିକ ସହାୟତା ଦେଉଛନ୍ତି । ତେବେ, ଓଡ଼ିଶା ସମତେ ସମଗ୍ର ଦେଶର ଚାଷୀଙ୍କ ପ୍ରମୁଖ ଦାବି ହେଉଛି ଚାଷୀଙ୍କୁ କୃଷି ଉତ୍ପାଦନର ସର୍ବାଧିକ ସହାୟକ ମୂଲ୍ୟ (ଏମଏସପି) ଦିଆଯିବା ଏବଂ ଏମଏସପିକୁ ଆଇନଗତ ମାନ୍ୟତା ମିଳିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ କଲ୍ୟାଣ କଥା କହି ସଂସଦରେ ତିନିଟି ନୂଆ କୃଷି ଆଇନ ଗୃହୀତ କରାଇ ଆଇନରେ ପରିଣତ କରାଇ ଥିଲେ ମଧ୍ୟ ଚାଷୀ ନେତାଙ୍କ ଚାପରେ ବର୍ଷକ ପରେ ତାହା ପ୍ରତ୍ୟାହାର କରି ନେଇ ଥିଲେ । ସେହି ସମୟରେ ଚାଷୀଙ୍କ ଅନ୍ୟତମ ଦାବୀ ଥିଲା ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବା ।
ଚାଷୀଙ୍କୁ ଆନ୍ଦୋଳନରୁ ନିବୃତ୍ତ କରିବା ପାଇଁ ମୋଦୀ ସରକାର ଏମଏସପି ଦାବୀ ଉପରେ ବିଚାର କରିବାକୁ ବିଶେଷଜ୍ଞ କମିଟି ଗଠନର ପ୍ରତିଶ୍ରୁତି ଦେଲେ । ବହୁ ବିଳମ୍ବରେ କେନ୍ଦ୍ର ସରକାର ବିଶେଷଜ୍ଞ କମିଟି ଗଠନ କଲେ । କିନ୍ତୁ, କମିଟିରେ ତିନି କୃଷି ଆଇନର ସମର୍ଥନ କରି ଆସି ଥିବା ବିଶେଷଜ୍ଞଙ୍କୁ ଅଧିକ ସଂଖ୍ୟାରେ ରଖା ଯାଇଥିବା ବେଳେଚାଷୀ ନେତାଙ୍କ ପ୍ରତିନିଧିତ୍ୱ କମ୍ ଥିବାରୁ ଚାଷୀ ସଂଗଠନମାନେ ଗଠିତ କମିଟିର ବିରୋଧ କରୁଛନ୍ତି । ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବାର ବର୍ଷାଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏମଏସପିକୁ ଆଇନଗତ ମାନ୍ୟତା ମିଳି ପାରି ନାହିଁ । କେନ୍ଦ୍ର ସରକାରଙ୍କ ମଧ୍ୟ ସେଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି । ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆଡୁ ଦିଲ୍ଲୀ ସୀମାନ୍ତରେ ଯେତେବେଳେ ଅବରୋଧ ଜାରି ଥିଲା ଓଡ଼ିଶା ସରକାର ନିରବରେ କେନ୍ଦ୍ରକୁ ସମର୍ଥନ ଦେଇଥିଲେ । ଓଲଟା, ଓଡ଼ିଶାରେ ଆନ୍ଦୋଳନରେ କରିଥିବା କୃଷକ ସଂଗଠନଙ୍କୁ ଦମନ ଉଦ୍ୟମ ହୋଇଥିଲା । ତିନି କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ‘ଚାଷୀ’ ନୁହନ୍ତି, ‘ଦଲାଲ’ ବୋଲି ମଧ୍ୟ ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତମାନେ ଆକ୍ଷେପ କରିଥିଲେ । ଆଜି ଅଚାନକ ଉଭୟ ବିଜେଡ଼ି ଓ ବିଜେପି ନିଜକୁ ଚାଷୀଙ୍କ ରକ୍ଷକ ଦାବି କରି ବୟାନବାଜୀ କରୁଛନ୍ତି ଏବଂ ମରୁଡ଼ିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ଓ ଇନପୁଟ୍ ସବସିଡ଼ି ମିଳିବାରେ ବିଳମ୍ବ ପାଇଁ ପରସ୍ପରକୁ ଦୋଷାରୋପ କରୁଛନ୍ତି ।
ଚାଷୀଙ୍କୁ ତୁରନ୍ତ ଫସଲ ବୀମା ଅର୍ଥ ପୈଠ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ମାସ ୨୯ ତାରିଖ ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଚିଠି ଲେଖି ଅନୁରୋଧ କରି ଥିଲେ । ତେବେ, କେନ୍ଦ୍ର ସରକାରଙ୍କ ଆଡୁ ତାହାର ଜବାବ ମିଳି ନଥିଲା । ପଦ୍ମପୁର ଉପ ନିର୍ବାଚନ ତାରିଖ ଘୋଣୋ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ନଭେମ୍ବର ୧୬ ତାରିଖ ଦିନ କେନ୍ଦ୍ର କୃଷି ମନ୍ତ୍ରୀ ତୋମରଙ୍କୁ ଦିଲ୍ଲୀରେ ଭେଟି ଆଲୋଚନା କରିବା ପରେ ୧୭ ତାରିଖ ଦିନ ତୋମର ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡ଼ିଶା ଚାଷୀଙ୍କୁ ବୀମା ରାଶି ମିଳିବାରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ତୋମରଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଏଥିପାଇଁ ଟେଣ୍ଡର କରିବା, ବୀମା କଂପାନୀଙ୍କୁ ‘କ୍ଲଷ୍ଟର ଅଫ୍ ଡ଼ିଷ୍ଟ୍ରିକ୍ସ୍’ ପ୍ରଦାନ କରିବା ଏବଂ ବୀମା ରାଶି ହାର ନେଇ ଚୁକ୍ତି କରିବା ଦାୟିତ୍ୱ ରାଜ୍ୟର ହୋଇଥିବା ବେଳେ ଓଡ଼ିଶା ସରକାର ସେହି ନିୟମକୁ ଅନୁସରଣ କରୁନଥିବାରୁ ଚାଷୀଙ୍କୁ ବୀମା ଅର୍ଥ ମିଳିବା ବିଳମ୍ବିତ ହୋଇଛି ।
ମରୁଡ଼ିଗ୍ରସ୍ତ ଚାଷୀଙ୍କୁ ବୀମା ଅର୍ଥ ମିଳିବାରେ ବିଳମ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଦାୟୀ କରି ନିକଟରେ ଚାଷୀଙ୍କ ନିମନ୍ତେ ୨୦୦ କୋଟି ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଂଗିଛି । ଇନପୁଟ୍ ସବସିଡି ରାଜ୍ୟ ସରକାର ନିଜ ପାଂଠିରୁ ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ପରେ କେନ୍ଦ୍ର ମନ୍ତ୍ରୀ ତୋମର ସାମାଜିକ ଗଣମାଧ୍ୟମ ଜରିଆରେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଡୁ ଆର୍ଥିକ ସହାୟତା ଦିଆଯିବା ଘୋଷଣା କରିଛନ୍ତି । କେନ୍ଦ୍ର ଓ ବୀମା କଂପାନୀଙ୍କୁ ନେଇ ଗଠିତ ବୈଷୟିକ ପରାମର୍ଶଦାତା କମିଟିର ନିଷ୍ପତ୍ତି ପରେ ସେ ଏହି ଘୋଷଣା କରିଥିବା ତୋମର ଟ୍ୱିଟ୍ କରିବା ପରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଛକାପଂଝା ଜୋର୍ ହୋଇଛି । ତୋମରଙ୍କ କହିବା ଅନୁସାରେ ମରୁଡ଼ିଗ୍ରସ୍ତ ଚାଷୀଙ୍କ ମୋଟ ବୀମା କ୍ଲେମ୍ ୭୨୩ କୋଟି ଟଙ୍କା ରହି ଥିବା ବେଳେ ସେମାନଙ୍କୁ ୬୨୨ କୋଟି ଟଙ୍କା ପୈଠ ହୋଇସାରିଛି, ବଳକା ଟଙ୍କା ତୁରନ୍ତ ପୈଠ କରିବାକୁ ବୀମା କଂପାନୀଙ୍କୁ କୁହାଯାଇଛି । ବର୍ତ୍ତମାନ ବିବାଦର ବିଷୟ ହୋଇଛି, କେନ୍ଦ୍ର କୃଷି ମନ୍ତ୍ରୀ ତୋମର ଓଡ଼ିଶା ସରକାରଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଅଗଷ୍ଟ ୨୯ ତାରିଖ ଚିଠି କଥା କାହିଁକି ଉଲ୍ଲେଖ ନାହିଁ । ତୋମରଙ୍କ ଏହି ଚିଠି ତୃଟୀପୂର୍ଣ୍ଣ ବୋଲି ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମାଲୋଚନା କରିଛନ୍ତି ।
ପଦ୍ମପୁର ଉପ ନିର୍ବାଚନ ଯେତିକି ପାଖଉଛି ଚାଷୀଙ୍କୁ ନେଇ ବିଜେଡ଼ି-ବିଜେପି ରାଜନୀତିର ସେତିକି ଗରମ ହେଉଥିବା ଦେଖିବାକୁ ମିଳୁଛି । ପଦ୍ମପୁର ତାତି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭବ କରି ହେଉଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀ ନେତାମାନେ କିନ୍ତୁ ବିଜେପି-ବିଜେଡ଼ି ଦାବିଦାରୀରେ ପ୍ରଭାବିତ ନୁହନ୍ତି । ସେମାନେ ଫସଲ ବୀମା ତୁରନ୍ତ ପୈଠ କରାଯିବା ଦାବୀରେ ଆନ୍ଦୋଳନ ଜାରି ରଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତି ସେମାନଙ୍କ ଅନାସ୍ଥା ଭାବକୁ ପ୍ରତିଫଳିତ କରୁଛି । ନାମାଙ୍କନପତ୍ର ଯାଂଚ ପରେ ଏବେ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି । ପ୍ରତିଦ୍ୱନ୍ଦ୍ୱତା ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଥିବା ବେଳେ ପୂର୍ବରୁ ରାଜ୍ୟରେ ହୋଇଥିବା ବିଭିନ୍ନ ଉପ ନିର୍ବାଚନରେ କଂଗ୍ରେସର ସ୍ଥିତି କିଭଳି ଶୋଚନୀୟ ରହିଛି ତାହା କାହାରିକୁ ଅଛପା ନାହିଁ । ତେଣୁ, ପଦ୍ମପୁର ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେଡ଼ି ଓ ବିଜେପି ମଧ୍ୟରେ ହେବା ଅନୁମାନ କରାଯାଇପାରେ । ଏହି ଉପ ନିର୍ବାଚନରେ ଚାଷୀଙ୍କ ଭୋଟ ନିର୍ଣ୍ଣାୟକ ହେବ । ତେବେ, ବିଜେଡ଼ି ସପକ୍ଷରେ ‘ଅନୁକଂପା’ ମଧ୍ୟ ଥିବାରୁ ବିଜେପି ବିଚଳିତ ଥିବା ସ୍ୱାଭାବିକ ବୋଲି ରାଜଧାନୀର ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS