ମୋର୍ବି ଦୁର୍ଘଟଣା ବନାମ ଗୁଜରାଟ ନିର୍ବାଚନ…
ପ୍ରସାଦ ରାଓ
ନଭେମ୍ବର ୨୨
ଗୁଜରାଟର ମୋର୍ବି ପୌରାଂଚଳରେ ଅକ୍ଟୋବର ୩୦ରେ ଘଟି ଥିବା ମଚ୍ଛୁ ନଦୀ ଝୁଲା ପୋଲ ଦୁର୍ଘଟଣା ଡ଼ିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ପ୍ରଭାବିତ କଲା ଭଳି ମନେ ହେଉ ନାହିଁ । ବିତର୍କ ସମୟରେ ବିରୋଧୀ ଏହି ପ୍ରସଙ୍ଗକୁ ଉଠାଉଛନ୍ତି ସିନା ଫଳପ୍ରଦ ଭାବେ ବିଜେପିକୁ ଘେରିବାକୁ ସକ୍ଷମ ହେଉ ନାହାନ୍ତି । ବିଜେପି ନେତୃତ୍ୱ ଅନ୍ୟ ପ୍ରସଙ୍ଗ ଉଠାଇ ମୋର୍ବିର୍ ପୋଲ ଦୁର୍ଘଟଣାକୁ ଗୌଣ କରି ଦେଉଥିବା ଦେଖିବାକୁ ମିଳୁଛି । ମୋର୍ବି ଝୁଲା ପୋଲ ଦୁର୍ଘଟଣା ପଛରେ ଗୁରୁତର ମାନବିକ ଅବହେଳା ସହ ଦୁର୍ନୀତି ଯୋଡି ହୋଇ ରହିଛି, ତାହା କାହାରିକୁ ଅଛପା ନାହିଁ । ମାନିବକ ଅବହଳା ପ୍ରସଙ୍ଗ ଫୋରେନ୍ସିକ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହାସତ୍ତ୍ୱେ ବିରୋଧୀ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିପାରୁନଥିବା ସେମାନଙ୍କ ଦୁର୍ବଳତାକୁ ସ୍ପଷ୍ଟ କରୁଛି । ଭୋଟ ପ୍ରଚାରରେ ସାମିଲ ଥିବା ବିଜେପି ମୁଖିଆମାନେ କିଛି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧୀଙ୍କୁ ମାତ୍ ଦେଉଥିବା ବିଧାନସଭା ନିର୍ବାଚନ ପ୍ରଚାରକୁ ଦେଖିଲେ ବୁଝି ହେଉଛି ।
ଅକ୍ଟୋବର ୩୦ ମୋର୍ବିର୍ ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟି ଥିବା ସମୟରେ ଶତାଧିକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୪୭ଜଣ ଛୋଟ ପିଲା ଥିଲେ । ଦୁର୍ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କୋର୍ଟରେ ଦାଖଲ କରିଥିବା ଫେରେନ୍ସିକ ରିପୋର୍ଟରେ ଗୁରୁତର ମାନବିକ ଅବହେଳା ଓ ଦାୟିତ୍ୱହୀନତା କଥା କୁହାଯାଇଛି । ପୌର ପ୍ରଶାସନ ନିୟନ୍ତ୍ରଣରେ ଥିବା ଏହି ଝୁଲା ପୋଲଟି ଯେ ଅତ୍ୟନ୍ତ ଦୁର୍ବଳ ଓ ଅସୁରକ୍ଷିତ ଥିଲା, ତାହା ମୋର୍ବି ପୌର ପ୍ରଶାସନ ଭଲ ଭାବେ ଜାଣି ଥିଲେ । ତଥାପି, ପୂର୍ବଭଳି ପୋଲ ମରାମତି, ରକ୍ଷଣାବେକ୍ଷଣ ଓ ନିରାପତ୍ତା ଠିକା ‘ଓରେଭା’ (ଏକ ଘଂଟା ତିଆରି କଂପାନୀ)କୁ ଦେଇ ନିଶ୍ଚିନ୍ତ ବସି ଯାଇଥିଲେ । ୭୬୫ ଫୁଟ ଲମ୍ବା ଝୁଲା ପୋଲର ମରାମତି, ରକ୍ଷଣାବେକ୍ଷଣ ଓ ନିରାପତ୍ତା ଠିକା ନେଇଥିବା ‘ଓରେଭା’ ଛଅ ମାସ ପୋଲକୁ ବନ୍ଦ ରଖି ସବ୍ କଂଟ୍ରାକ୍ଟରଙ୍କ ମାଧ୍ୟମରେ କାମ କରାଇବା ସହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଦର୍ଶାଇ ଅକ୍ଟୋବର ୨୬ ତାରିଖରେ (ଗୁଜରାଟୀ ନବ ବର୍ଷ ଅବସରରେ) ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦେଇଥିଲା । ଯାତାୟତ ପାଇଁ ଖୋଲିବାର ଠିକ୍ ପଂଚମ ଦିନ ପୋଲଟି ମଧ୍ୟଭାଗରୁ ଛିଣ୍ଡି ପଡି ନଦୀଗର୍ଭକୁ ଖସି ପଡିବାରୁ ଶତାଧିକ ମୃତ୍ୟୁ ଘଟି ଥିଲା ।
ଦୁର୍ଘଟଣା ପରେ ଗିରଫ ହୋଇଥିବା ନଅ ଜଣଙ୍କ ମଧ୍ୟରୁ ଆଠ ଜଣଙ୍କ ଜାମିନ ଆବେଦନର ଶୁଣାଣୀ ସମୟରେ ତଦନ୍ତକାରୀ ଟିମ୍ ପକ୍ଷରୁ ମୋର୍ବିର ଏକ ଅଦାଲତରେ ଫୋରେନ୍ସିକ ରିପୋର୍ଟ ଦାଖଲ ହୋଇଛି । କଳଙ୍କି ଧରି ନଷ୍ଟ ହୋଇଯାଇଥିବା କେବୁଲ, ଠିକ୍ ଭାବେ ଭିଡାଯାଇ ନଥିବା ବୋଲ୍ଟ୍ ଓ ଅକ୍ଟୋବର ୩୦ ତାରିଖ ଦିନ ଝୁଲା ପୋଲ ଉପରେ ମାତ୍ରାଧିକ ଭିଡ଼ ଦୁର୍ଘଟଣାର କାରଣ ବୋଲି ଏଥିରେ କୁହାଯାଇଛି । ଏକା ସମୟରେ ୧୩୫ ଜଣଙ୍କ ଭାର ସମ୍ଭାଳିବା କ୍ଷମତା ଥିବା ଏହି ପୋଲ ଉପରେ ସେଦିନ ଦୁର୍ଘଟଣା ସମୟରେ ପ୍ରାୟ ୩୦୦ ଲୋକ ଥିଲେ । ଫଳରେ, ପୋଲକୁ ଧରି ରଖି ଥିବା ବୋଲ୍ଟ ଖୋଲି ଯିବା ଏବଂ କଳଙ୍କି ଲାଗି ସାରି ଥିବା କେବୁଲଗୁଡିକ ଛିଣ୍ଡି ଯିବାରୁ ସସପେନସନ୍ ପୋଲଟି ମଛିରୁ ଛିଣ୍ଡି ପଡି ଥିଲା ଓ ତାହା ଉପରେ ଥିବା ଲୋକମାନେ ନଦୀକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପୋଲର ରକ୍ଷଣାବେକ୍ଷଣ ଓ ନିରାପତ୍ତା ଠିକା ନେଇ ଥିବା ‘ଓରେଭା’ କର୍ତ୍ତୃପକ୍ଷ ମରାମତି ସାରି (!) ପୋଲଟି ଖୋଲି ଥିବା କହିଥିଲେ ମଧ୍ୟ ବ୍ରିଟିଶ ଅମଳର ଏହି ଝୁଲା ପୋଲଟି ଏକା ସମୟରେ କେତେ ଲୋକଙ୍କ ଭାର ସମ୍ଭାଳିବାକୁ ସକ୍ଷମ, ତାହା ଯାଂଚ କରି ନଥିଲେ । ଘଟଣା ଦିନ ପୋଲ ଅତିକ୍ରମ କରିବାକୁ ୩,୧୬୫ଟି ଟିକଟ ବିକ୍ରି ହୋଇଥିବା ଏବଂ ପୋଲ ଉପରେ ଭିଡ଼ ନିୟନ୍ତ୍ରଣ ପାଇଁ ଘରୋଇ ସଂସ୍ଥା ଆବଶ୍ୟକ ବ୍ୟବସ୍ଥା କରି ନଥିବା ଅଦାଲତରେ ଦାଖଲ ଫୋରେନ୍ସକ ରିପୋର୍ଟରୁ ସୂଚନା ମିଳୁଛି ।
ଝୁଲା ପୋଲଟି ସର୍ବସାଧାରଣଙ୍କ ପାଇଁ ଖୋଲିବା ଦିନ ‘ଓରେଭା’ କର୍ତ୍ତୃପକ୍ଷ ସୂଚିତ କରିଥିଲେ- ପୋଲର ମରାମତି, ରକ୍ଷଣବେକ୍ଷଣ ପାଇଁ ସଂସ୍ଥାକୁ ମିଳି ଥିବା ଦୁଇ କୋଟି ଟଙ୍କା ସଂପୂର୍ଣ୍ଣ ଭାବେ ବିନିଯୋଗ ହୋଇଛି । ତେବେ, ପୋଲଟି ଛିଣ୍ଡି ନଦୀ ଗର୍ଭକୁ ଖସି ପଡିବା ପରେ ହୋଇଥିବା ତଦନ୍ତରୁ ଜଣାପଡିଛି, ପୋଲଟିକୁ ଦୃଢତାର ସହ ଝୁଲାଇ ରଖିବାରେ ଯେଉଁ କେବୁଲଗୁଡିକର ପ୍ରମୁଖ ଭୂମିକା ରହିଛି ସେସବୁ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲେ ମଧ୍ୟ ଠିକା ସଂସ୍ଥା ସେଗୁଡିକୁ ବଦଳାଇ ନାହିଁ । କେବଳ ପଲିସ୍ ଓ ରଂଗ ମାରି ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସାରିଛି । ନିଧାର୍ଯ୍ୟ ସମୟର ବହୁ ପୂର୍ବରୁ ଝୁଲା ପୋଲକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ଯାଇଥିଲେ ସୁଦ୍ଧା ମୋର୍ବି ପୌରପାଳିକା ବା ଠିକାଦାର ସଂସ୍ଥା ‘ଓରୋଭା’ ତାହାର ସୁରକ୍ଷା ଦିଗକୁ ଯାଂଚ୍ କରି ନାହାନ୍ତି । ଏପରିକି, ‘ଓରେଭା’ ପୋଲଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବା ପୂର୍ବରୁ ପୌରପାଳିକାରୁ ଯେଉଁ ସୁରକ୍ଷା ପ୍ରମାଣପତ୍ର ଆଣିବା କଥା ତାହା ମଧ୍ୟ ଆଣି ନାହିଁ । ଦୁର୍ଘଟଣା ପରେ ପୁଲିସ ‘ଓରେଭା’ର କିଛି ତଳିଆ ଅଧିକାରୀଙ୍କୁ ଗିରଫ କରି ତଦନ୍ତ କରୁଥିଲେ ମଧ୍ୟ ପୌରପାଳିକାର ମୁଖ୍ୟ ଅଧିକାରୀଙ୍କୁ ସ୍ଥାନାନ୍ତର କରିବା ବ୍ୟତୀତ ଅନ୍ୟ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ଯାହାକି ସରକାରଙ୍କ ଏକପାଖିଆ କାର୍ଯ୍ୟାନୁଷ୍ଠାନର ଉଦାହରଣ ହୋଇଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ପରେ ଗୁଜରାଟ ହାଇକୋର୍ଟ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ତାହା ବିଚାର କରୁଥିବା ବେଳେ ମୃତାହତଙ୍କ ପାଇଁ ଘୋଷିତ କ୍ଷତିପୂରଣ ପରିମାଣ ବୃଦ୍ଧି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିର୍ଦେଶ ଦେବାକୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଆବେଦନରେ ସେ ଦର୍ଶାଇଛନ୍ତି ଯେ, ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯଥାକ୍ରମେ ୨ ଲକ୍ଷ ଓ ୪ ଲକ୍ଷ ଟଙ୍କାର ଯେଉଁ ସହାୟତା ଘୋଷଣା ହୋଇଛି, ତାହା ଖୁବ କମ୍ । ତେଣୁ, କ୍ଷତିପୂରଣ ପରିମାଣ ବୃଦ୍ଧି କରାଯିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେବା ଉଚିତ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ଜଷ୍ଟିସ ହୀମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହାର ଶୁଣାଣୀ କରି ମୋର୍ବି ଦୁର୍ଘଟଣା ‘ଅତ୍ୟନ୍ତ ଦୁଃଖଦ ଘଟଣା’ ବୋଲି ମନ୍ତବ୍ୟ ରଖିଛନ୍ତି । ତେବେ, ଝୁଲା ପୋଲ ଦୁର୍ଘଟଣା ପରେ ଦୀପାବଳୀ ଛୁଟୀ ସତ୍ତ୍ୱେ ଗୁଜରାଟ ହାଇକୋର୍ଟ ତୁରନ୍ତ ନିଜ ଆଡୁ ମାମଲା କରି ବିଭିନ୍ନ ଦିଗରୁ ଯାଂଚ କାର୍ଯ୍ୟ କରୁଥିବାରୁ ସ୍ୱାଧୀନ ଏଜେନ୍ସୀଙ୍କ ଦ୍ୱାରା ଏହାର ତଦନ୍ତ କରାଯିବା, ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ବୃଦ୍ଧି, ଝୁଲା ପୋଲ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଥିବା ଠିକାରେ କିଛି ଅବହେଳା ଅଛି କି ନାହିଁ ଏବଂ ଯଦି ଅବହେଳା ଥିବ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ହାଇକୋର୍ଟ ହିଁ ନିର୍ଣ୍ଣୟ କରିବା ଉଚିତ ହେବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ସୁପ୍ରିମ କୋର୍ଟରେ ଏକା ଭଳି ଯୁକ୍ତି ରଖିଥିଲେ । ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଗୁଜରାଟ ହାଇକୋର୍ଟରେ ନିଜ ଯୁକ୍ତି ରଖି ପାରିବେ ବୋଲି ସଲିସିଟର ଜେନେରାଲ ପରାମର୍ଶ ଦେବା ପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ମଧ୍ୟ ତାହା ମାନି ନେଇଛନ୍ତି । ମୋର୍ବି ଝୁଲା ପୋଲ ଦୁର୍ଘଟଣାର ବିଭିନ୍ନ ଦିଗକୁ ନେଇ ଗୁଜରାଟ ହାଇକୋର୍ଟ ସ୍ୱତଃ ମାମଲା କରି ଯାଂଚ କରୁଥିବାରୁ ଏହି ଦୁର୍ଘଟଣା ଆଲୋଚନା ପରିସରରେ ଅଛି । ସେହିଭଳି, ସ୍ୱାଧୀନ ସଂସ୍ଥାଙ୍କ ଦ୍ୱାରା ଦୁର୍ଘଟଣାର ଯାଂଚ କରାଯିବା ଏବଂ ମୃତକଙ୍କ ପରିବାରଙ୍କ ପାଇଁ ଘୋଷିତ କ୍ଷତିପୂରଣର ପରିମାଣ ବୃଦ୍ଧି କରାଯିବା ନିମନ୍ତେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନଙ୍କ ସୁପ୍ରିମ କୋର୍ଟରେ ଆବେଦନ କାରଣରୁ ମାମଲା ସୁପ୍ରିମ କୋର୍ଟଙ୍କ ନଜରରେ ରହିଛି । ନହେଲେ, କେଉଁ ଦିନରୁ ଶାସକ ଦଳ ନେତାମାନେ ଏହାକୁ କବର ଭିତରକୁ ଠେଲି ସାରନ୍ତେଣି ଓ ରାଜ୍ୟର ଜନତା ମଧ୍ୟ ଅନ୍ୟ ଘଟଣା ଭଳି ଏହାକୁ ଭୁଲି ସାରନ୍ତେଣି ବୋଲି ଆଲୋଚନା ହେଉଛି ।
ଗୁଜରାଟରେ ଡ଼ିସେମ୍ବର ୧ ଓ ୫ ତାରିଖରେ ବିଧାନସଭା ଭୋଟ ହେବାକୁ ଥିବାରୁ ପ୍ରାକ୍ ନିର୍ବାଚନ ସର୍ଭେ କରିଥିବା ସଂସ୍ଥାମାନେ ତାହା ଉପରେ ଆଲୋଚନା ଓ ବିତର୍କ ଆରମ୍ଭ କଲେଣି । ସେମାନଙ୍କ ଦ୍ୱାରା ସଂଗ୍ରହ କରାଯାିଥିବା ନିର୍ବାଚନ ପୂର୍ବ ଜନମତ କହୁଛି, ଡ଼ିସେମ୍ବର ନିର୍ବାଚନରେ ମୋର୍ବି ଝୁଲା ପୋଲ ଦୁର୍ଘଟଣା ଓ ଶତାଧିକ ମୃତ୍ୟୁର ବିଶେଷ ପ୍ରଭାବ ରହିବା ମନେ ହେଉ ନାହିଁ । ମୋର୍ବି ସମେତ ସୌରାଷ୍ଟ୍ର ଅଂଚଳରେ ହିଁ ପ୍ରଭାବ କିଛି ମାତ୍ରାରେ ରହିବ । ବିଜେପି ରାଜ୍ୟରେ ୨୭ ବର୍ଷ ହେଲା କ୍ଷମତାରେ ରହିଛି । ୨୦୨୨ରେ ପୁଣି ଥରେ କ୍ଷମତାକୁ ଫେରିବାକୁ ଅଂଟା ଭିଡ଼ିଛି । ରାଜ୍ୟରେ ସରକାର-ବିରୋଧରେ ଅସନ୍ତୋଷ ଥିବା ଆଲୋଚନା ହେଉଥିଲେ ମଧ୍ୟ ପ୍ରାକ୍ ନିର୍ବାଚନ ସର୍ଭେ ରିପୋର୍ଟରେ ତାହା ପ୍ରତିଫଳିତ ହେଉ ନାହିଁ । ଶାସକରେ ଥିବା ଦଳ ୨୦୧୭ ବିଧାନସଭା ନିର୍ବାଚନରେ ଯେତିକି ଆସନ (୯୯) ପାଇଥିଲେ ୨୦୨୨ ନିର୍ବାଚନରେ ତାହାଠାରୁ ଢେର ଅଧିକ ଆସନ ପାଇବେ ବୋଲି ଏହି ସର୍ବେକ୍ଷଣ ରିପୋର୍ଟରେ ଦାବି କରାଯାଇଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଦ୍ୱିତୀୟ ଓ ‘ଆପ୍’ର ସ୍ଥିତି ତୃତୀୟ ରହିବ ବୋଲି ମଧ୍ୟ ସର୍ଭେ ରିପୋର୍ଟ କହୁଛି । ଡ଼ିସେମ୍ବର ୮ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବାକୁ ଥିବାରୁ ସେହି ଦିନ ବିଜେପିର ସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS