ମୁକାବିଲା, ସରକାର ବନାମ ସୁପ୍ରିମ କୋର୍ଟ !
ପ୍ରସାଦ ରାଓ
ନଭେମ୍ବର ୨୪
ଦେଶର ଅନ୍ୟତମ ପ୍ରମୁଖ ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟ ମଧ୍ୟରେ ଏକ ମୁକାବିଲାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ନିରପେକ୍ଷତା ଓ ପାରଦର୍ଶୀତା ରକ୍ଷା କରି ବିଭିନ୍ନ ନିର୍ବାଚନର ପରିଚାଳନା କରିବା ମାଧ୍ୟମରେ ଦେଶରେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ନିର୍ବାଚନ କମିଶନଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ମାନେ କେନ୍ଦ୍ର୍ର ସରକାରଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେଉଥିବାରୁ କେନ୍ଦ୍ରରେ ଯେଉଁ ସରକାର ରହୁଛି ନିର୍ବାଚନ କମିଶନକୁ ନିଜ ସ୍ୱାର୍ଥରକ୍ଷା ଦିଗରେ ପରିଚାଳିତ କରିବାକୁ ସକ୍ଷମ ହେଉଛି ବୋଲି ସୁପ୍ରିମ କୋର୍ଟ ଅନୁଭବ କରିବା ପରେ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବାକୁ ଚାହୁଁ ଥିବା ବେଳେ ଏକକ ଅଧିକାର ଥିବା ଏହି କ୍ଷେତ୍ରକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ସରକାର ଚାହୁଁ ଥିବାରୁ ବିଚାର ବିଭାଗ ଓ ସରକାର ମୁହାଁମୁହିଁ ହୋଇଛନ୍ତି ।
ସିଇସି ଓ ଇସି ନିଯୁକ୍ତିରେ ସୁପ୍ରିମ କୋର୍ଟ ଦଖଲ ନ ଦେଇ ନିଜ ପରିସର ମଧ୍ୟରେ ସୀମିତ ରହିବାକୁ କେନ୍ଦ୍ର ସରକାର ତାଗିଦ କରିଥିବା ବେଳେ ସିବିଆଇ ନିର୍ଦେଶକ ନିଯୁକ୍ତି ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିରେ ଯେଭଳି ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ରହୁଛନ୍ତି ଓ ସେମାନଙ୍କ ମତାମତ ଗୁରୁତ୍ୱ ଦିଆଯାଉଛି ସେଭଳି ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ କଲିଜିୟମ ଗଠନ କରାଯାଇ ସେଥିରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ରଖା ଯିବାକୁ ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ମତ ରଖିଛନ୍ତି । ଏହା ହେଲେ ନିର୍ବାଚନ କମିଶନ୍ ରେ ଅଣ-ରାଜନୈତିକ ଓ ଉତ୍ତମ ଚରିତ୍ରସଂପନ୍ନ ବ୍ୟକ୍ତି ସିଇସି ଓ ଇସି ଭାବେ ନିଯୁକ୍ତି ପାଇ ପାରିବେ ଏବଂ ନିର୍ବାଚନଗୁଡିକ ଅଧିକ ନିରପେକ୍ଷ ଓ ପାରଦର୍ଶୀ ହୋଇପାରିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟକ ଅନୁଭବ କରୁଛନ୍ତି ।
ସ୍ୱାଧୀନତାର ସତୁରୀ ବର୍ଷ ପରେ ମଧ୍ୟ ଦେଶରେ ଏକ ପାରଦର୍ଶୀ ନିର୍ବାଚନ ବ୍ୟବସ୍ଥା ନାହିଁ । ଯେତେବେଳେ ଯେଉଁ ଦଳ କେନ୍ଦ୍ରରେ କ୍ଷମତାରେ ରହିଛନ୍ତି କ୍ଷମତାକୁ ଫେରିବା ପାଇଁ ନିର୍ବାଚନକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପଛାଇ ନାହାନ୍ତି । ବିଭିନ୍ନ ସମୟରେ ବିରୋଧୀ ଦଳମାନେ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ବେଳେ ସେଥିରେ କୌଣସିି ଆଧାର ନାହିଁ କହିି କ୍ଷମତାରେ ଥିବା ସରକାର ଅଭିଯୋଗକୁ ଏଡାଇ ଆସିଛନ୍ତି । କେବଳ ସାଧାରଣ ନିର୍ବାଚନରେ ନୁହେଁ, ବିଧାନସଭା ଓ ଅନ୍ୟାନ୍ୟ ନିର୍ବାଚନ ସମୟରେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷପାତିକା ଏବଂ ଇଭିଏମ୍ (ଇଲୋକ୍ଟ୍ରୋନିକ ଭୋଟିଂ ମେସିନ) ଜାଲିଆତି ଭଳି ଅଭିଯୋଗ ହୋଇ ଆସିଛି । ତେବେ, ନିର୍ବାଚନ କମିଶନଙ୍କ ପକ୍ଷପାତ ଅଭିଯୋଗକୁ କ୍ଷମତାସୀନ ଦଳ ବିରେଧୀଙ୍କ ‘ପରାଜୟ ଆଶଙ୍କା’ ବା ‘ପରାଜୟ ଗ୍ଲାନି’ କହି ନିଜକୁ ଓ ନିର୍ବାଚନ କମିଶନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି ।
ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ଅତିକ୍ରମ ହୋଇଥିବାରୁ କେନ୍ଦ୍ର ସରକାର ଅମୃତ ମହୋତ୍ସବ ପାଳନ କରୁଛନ୍ତି । ତେବେ, ଦେଶରେ ନିର୍ବାଚନ ପରିଚାଳନାରେ ସତୁରୁ ବର୍ଷ ପୁରୁଣା ବ୍ୟବସ୍ଥା ଚାଲିଛି । ନିର୍ବାଚନ ଆୟୋଗ ଏଯାବତ୍ ରାଜନୈତିକ ବା ପ୍ରଶାସନିକ ହସ୍ତକ୍ଷେପରୁ ମୁକ୍ତ ହୋଇ ପାରିନି । ତେଣୁ, ନିର୍ବାଚନକୁ ନିରପେକ୍ଷ ଓ ପାରଦର୍ଶୀ କରିବା ସକାଶେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମଂଗଳବାର (୨୨ ତାରିଖ) ଦିନ ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ବେଂଚ୍ ସ୍ପଷ୍ଟ ମତ ରଖିବା ପରେ କେନ୍ଦ୍ର ସରକାରଙ୍କ ଅଡୁ ତାହାର ବିରୋଧ ଆରମ୍ଭ ହୋଇଛି । ସିଇସି ଓ ଇସି ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶୀତା ରହିଛି ଓ ଦେଶରେ ନିର୍ବାଚନ ପରିଚାଳନାରେ ମଧ୍ୟ କୌଣସି ପ୍ରକାର ପକ୍ଷପାତିତା ହେଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ଉପସ୍ଥାପନ କରାଯାଇଛି । ସୁପ୍ରିମ କୋର୍ଟ ନିଜ ପରିଧୀ ଭିତରେ ରହି କାର୍ଯ୍ୟ କରୁ, ନିର୍ବାଚନ କମିଶନରେ ନିଯୁକ୍ତି ବ୍ୟବସ୍ଥାରେ ହସ୍ତକ୍ଷେପରୁ ଦୂରରେ ରହୁ ବୋଲି କେନ୍ଦ୍ର ସରକାର ଚେତାଇ ଦେଇଥିବାବେଳେ ସତୁରୀ ବର୍ଷ ହେଲା ଦେଶରେ ଯେଉଁ ନିଯୁକ୍ତି (ସିଇସି/ଇସି) ନିଯୁକ୍ତି ବ୍ୟବସ୍ଥା ଚାଲିଛି ସେଥିରେ ପରିବର୍ତ୍ତନ ହେବା ଏବଂ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ କହିଛନ୍ତି । ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଅଦାଲତ ସେଥିରେ ହସ୍ତକ୍ଷେପ କରିବେ ବୋଲି ମଧ୍ୟ ଶୁଣାଣୀ ସମୟରେ ସ୍ପଷ୍ଟ କରିଛନ୍ତି ।
ନିର୍ବାଚନ ଆୟାଗରେ ସିଇସି ଓ ଇସି ନିଯୁକ୍ତି ବ୍ୟବସ୍ଥାକୁ ପାରଦର୍ଶୀ କରାଯାଇ ରାଜନୈତିକ ବା ପ୍ରଶାସନିକ ହସ୍ତକ୍ଷେପରୁ ଆୟୋଗକୁ ମୁକ୍ତ କରାଯିବା ଦିଗରେ ସୁୁପ୍ରିମ କୋର୍ଟ ନିର୍ଦେଶ ଦେବାକୁ ଅଦାଲତରେ ଏକାଧିକ ଆବେଦନ ହୋଇଥିଲା । ଦୀର୍ଘ ବର୍ଷ ହେଲା ସେସବୁ ଆବେଦନର ଶୁଣାଣୀ ହୋଇପାରୁ ନଥିଲା । ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ ଦେଶର ମୁଖ୍ୟ ବିଚାରପତି ଦାୟିତ୍ୱ ନେବା ପରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ କେ.ଏମ.ଯୋଶେଫ, ଜଷ୍ଟିସ ଅଜୟ ରସ୍ତୋଗି, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ସି.ଟି.ରବିକୁମାରଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଆବେଦନଗୁଡିକ ଉପରେ ଶୁଣାଣୀ ଆରମ୍ଭ କରିଛନ୍ତି । ଶୁଣାଣୀ ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ କହିଛନ୍ତି, ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥା ପାରଦର୍ଶୀତା ରହିଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦର ସୁପାରିଶକ୍ରମେ ରାଷ୍ଟ୍ରପତି ସିଇସି ଓ ଇସିଙ୍କୁ ନିଯୁକ୍ତି ହେଉଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ କୌଣସି ଫାଙ୍କ ନଥିବାରୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ ନ କରି ନିଜ ସୀମା ମଧ୍ୟରେ ରହିବା ଆବଶ୍ୟକ ।
ତେବେ, ଜଷ୍ଟିସ କେ.ଏମ.ଯୋଶେଫଙ୍କ ସାମ୍ବିଧାନିକ ପୀଠ ଏଥିରେ ସହମତ ହୋଇ ନାହାନ୍ତି । ସାମ୍ବିଧାନିକ ପୀଠ କହିଛନ୍ତି, ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥାରେ ସିଇସି ଓ ଇସି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହେଉଥିବାରୁ ସରକାରଙ୍କ ପ୍ରତି ସେମାନଙ୍କ ଉତ୍ତରଦାୟିତ୍ୱ ରହୁଛି । ଦେଶ ସ୍ୱାଧୀନ ହେବା ଦିନରୁ ଏଭଳି ଚାଲିଛି । ଏହାର କାରଣ ହେଉଛି, ନିର୍ବାଚନ ଆୟୋଗର ସିଇସି ଓ ଇସି ନିଯୁକ୍ତି ପାଇଁ ସାମ୍ବିଧାନରେ କୌଣସି ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା ନାହିଁ । ଯେହେତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସିଇସି ଓ ଇସି ନିଯୁକ୍ତ ହେଉଛନ୍ତି ନିର୍ବାଚନ ପରିଚାଳନା ଯେତିକି ପାରଦର୍ଶୀ ହେବା କଥା ହେଉ ନାହିଁ । ସିଇସି ଓ ଇସି ପଦରେ ଜଣେ ଅଣ ରାଜନୈତିକ ଓ ଉତ୍ତମ ଚରିତ୍ର ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଲେ ନିର୍ବାଚନ କମିଶନ କାହାରି ଦ୍ୱାରା ପ୍ରଭାମିତ ନହୋଇ ଦାୟିତ୍ୱ ସଂପାଦନ କରି ପାରିବ । ବତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଭାରସାମ୍ୟ ନଥିବାରୁ ସରକାର ଇଚ୍ଛା ମୁତାବକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଉଛନ୍ତି ଏବଂ ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସିଇସି ଓ ଇସିଙ୍କୁ ଚୟନ କରିବା ନିମନ୍ତେ ଆବଶ୍ୟକ ବିଧି ବ୍ୟବସ୍ଥା ରହିବା ପାଇଁ ସମ୍ବିଧାନର ଧାରା ୩୪୨(୨)ରେ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ତାହାକୁ କାର୍ଯ୍ୟକାରୀ କରି ନାହାନ୍ତି ।
ନିର୍ବାଚନ ଆୟାଗରେ ସିଇସି ଓ ଇସି ନିଯୁକ୍ତି ପାଇଁ ଏକ ସ୍ୱାଧୀନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୌଣସି ରାଜନୈତିକ ଦଳ ରାଜି ହୋଇନପାରନ୍ତି । କାରଣ, ଏଭଳି ବ୍ୟବସ୍ଥା ହେଲେ ସେମାନଙ୍କ କ୍ଷମତା ସଂକୁଚିତ ହୋଇଯିବ । ଯେତେବେଳେ ଯେଉଁ ଦଳ କେନ୍ଦ୍ରରେ କ୍ଷମତାରେ ରହୁଛନ୍ତି ସେମାନେ ପୁନଃ କ୍ଷମତାକୁ ଫେରିବାକୁ ଚାହାଁନ୍ତି ଏବଂ ନିଜ ମନମୁତାବକ ବ୍ୟକ୍ତିଙ୍କୁ ସିଇସି ଓ ଇସି ପଦରେ ଅଧିଷ୍ଠିତ କରି ଏହି ଲକ୍ଷ୍ୟ ହାସଲର ପ୍ରୟାସ କରନ୍ତି । ସିଇସି ଓ ଇସିଙ୍କୁ ନିଯୁକ୍ତି ଦେବା ସମୟରେ ସେମାନଙ୍କ ଜନ୍ମ ତାରିଖକୁ ଦେଖି ନଦେଖିଲା ଭଳି ଏଡାଇ ଯାଆନ୍ତି । ଏହାଦ୍ୱାରା, ୧୯୯୬ ପରେ ଦେଶରେ କୌଣସି ସିଇସି ଛଅ ବର୍ଷ ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରି ନାହାନ୍ତି । ସିଇସି ଓ ଇସି ନିଯୁକ୍ତି ପାଇଁ କଲିଜିୟମ ବ୍ୟବସ୍ଥା ହେଲେ ଉପଯୁକ୍ତ ବ୍ୟକ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀରେ ନିଯୁକ୍ତି ପାଆନ୍ତେ ଏବଂ ନିର୍ବାଚନ ପରିଚାଳନାରେ ପାରଦର୍ଶୀତା ରୁହନ୍ତା ବୋଲି ସୁପ୍ରିମ କୋର୍ଟ ସାଂବିଧାନିକ ବେଂଚ କହିଛନ୍ତି ।
ନବେ ଦଶକରେ ବରିଷ୍ଠ ବିଜେପି ନେତା ଏଲ.କେ.ଆଡଭାନୀଙ୍କ ସମେତ ଅନେକ ନେତା ସିଇସି, ଇସି ନିଯୁକ୍ତି ପାଇଁ କଲିଜିୟକ ବ୍ୟବସ୍ଥା ସପକ୍ଷରେ ମତ ଦେଇଥିଲେ । ତେବେ, କେହି ସେଥିପ୍ରତି ଧ୍ୟାନ ଦେଇନାହାନ୍ତି । ଗଣତନ୍ତ୍ର ହେଉଛି ସମ୍ବିଧାନର ମୂଳଦୁଆ । ଯଦି ସଂସଦ କିଛି କରୁନି ଏବଂ ସର୍ବୋଚ୍ଚ ନ୍ୟାୟାଳୟ କିଛି କରିପାରିବ ନାହିଁ ଦେଶରେ ଗଣତନ୍ତ୍ରର କେମିତି ସୁରକ୍ଷା ରହିବ ବୋଲି ସାଂବିଧାନିକ ବେଂଚ ପ୍ରଶ୍ନ କରିଛନ୍ତି । ଏହି ବେଂଚ କହିଛନ୍ତି, ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆଣିବାକୁ ଅଦାଲତ ଉଦ୍ୟମ କରିବା ଶାସକ ଦଳ ଚାହିଁବ ନାହିଁ । ୨୦୦୪ରୁ ଦେଶର କୌଣସି ସିଇସି ଛଅ ବର୍ଷ କ୍ଷମତାରେ ରହି ନାହନ୍ତି । ୟୁପିଏ ସରକାରର ୧୦ ବର୍ଷ ଶାସନରେ ଛଅ ଜଣ ସିଇସି ବଦଳି ଥିବା ବେଳେ ଏନଡ଼ିଏ ସରକାରର ୮ ବର୍ଷ ଶାସନରେ ୮ ଜଣ ସିଇସି ବଦଳିଛନ୍ତି । ସରକାର ସିଇସି ଓ ଇସିଙ୍କ କାର୍ଯ୍ୟକାଳ ଏତେ ଛୋଟ କରି ଦେଉଛନ୍ତି ଯେ ସେମାନେ କିଛି କରିବାକୁ ଚାହିଁଲେ ମଧ୍ୟ କରି ପାରୁ ନାହାନ୍ତି । ତେଣୁ, ଅଦାଲତକୁ ହିଁ କିଛି କରିବାକୁ ପଡିବ । ତେବେ, କଲିଜିୟମ ବ୍ୟବସ୍ଥାରେ ସିଇସି ଓ ଇସିଙ୍କୁ ନିଯୁକ୍ତି ଉଦ୍ୟମ ହେଲେ ତାହା ସମ୍ବିଧାନରେ ସଂଶୋଧନ ଭଳି ହେବ ବୋଲି କେନ୍ଦ୍ର ସରକାର ଚେତାଇ ଦେଇଛନ୍ତି ।
ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ନିମନ୍ତେ ପ୍ରଚଳିତ ନିଯୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ କଲିଜିୟମ ଭଳି ବ୍ୟବସ୍ଥା ପ୍ରଚଳନ କରିବାକୁ ଆବେଦନ କରିଥିବା ଆବେଦନକାରୀଙ୍କ ଯୁକ୍ତି ହେଉଛି, ସରକାର ନିଜର ବୋଲକରା ଅଧିକାରୀଙ୍କୁ ସିଇସି ଓ ଇସି ଭାବେ ନିଯୁକ୍ତି ଦେଉଥିବାରୁ ନିର୍ବାଚନରେ ନିରପେକ୍ଷତା ଓ ପାରଦର୍ଶୀତା ରହୁନି । ତେଣୁ, ସିବିଆଇ ନିର୍ଦେଶକ ଓ ଲୋକପାଳ ନିଯୁକ୍ତି ନିମନ୍ତେ ଯେଭଳି ଭାରସାମ୍ୟ ରକ୍ଷା ବ୍ୟବସ୍ଥା ରହିଛି ତାହା ସିଇସି ଓ ଇସି ନିଯୁକ୍ତିରେ ରହିବା ଆବଶ୍ୟକ । ସୁପ୍ରିମ କୋର୍ଟ ସାଂବିଧାନିକ ବେଂଚ କଲିଜିୟମ ମାଧ୍ୟମରେ ସିଇସି ଓ ଇସିଙ୍କୁ ନିଯୁକ୍ତି ଦିଆଯିବା ସପକ୍ଷରେ ମଂଗଳବାର ଦିନ ସହମତ ଥିବା ସୂଚାଇ ଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଦାଲତ ହସ୍ତକ୍ଷେପ ନ କରିବାକୁ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ବଲବୀର ସିଂହ ସାଂବିଧାନିକ ବେଂଚକୁ ପ୍ରବର୍ତ୍ତାଇବାକୁ ଉଦ୍ୟମ କରିଛନ୍ତି ।
କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ସିଇସି ଓ ଇସି ପଦବୀରେ ନିଯୁକ୍ତି ଦେଉଥିବାଓ ଏଥିରେ କୌଣସି ମନମୁଖୀ କାର୍ଯ୍ୟ ହେଉ ନଥିବା ଦର୍ଶାଇ କେନ୍ଦ୍ର ସରକାର ସିଇସି ଓ ଇସି ନିଯୁକ୍ତି ପ୍ରକ୍ରିୟାରେ ଦେଶର ପ୍ରଧାନ ବିଚାରପତିଙ୍କୁ ସଂଶ୍ଲିଷ୍ଟ କରାଯିବା ବିଚାର ବିଭାଗର ମାତ୍ରାଧିକ ହସ୍ତକ୍ଷେପ ସଦୃଶ ହେବ ବୋଲି ରୋକଠୋକ୍ କହିଥିବା ବେଳେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ କେ.ଏମ.ଯୋଶେଫଙ୍କ ସାମ୍ବିଧାନିକ ବେଂଚ ନିକଟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ନିର୍ବାଚନ କମିଶନର (ଇସି) ଅରୁଣ ଗୋଏଲଙ୍କ ଫାଇଲ ମଗାଇ ନିଯୁକ୍ତି କେତେଦୂର ପାରଦର୍ଶୀ ହୋଇଛି ତାହା ତର୍ଜମା କରାଯିବ ବୋଲି କହିବା ନିର୍ବାଚନ ଆୟାଗର ପାରଦର୍ଶୀତାକୁ ନେଇ ସରକାର ଓ ସୁପ୍ରିମ କୋର୍ଟ ମଧ୍ୟରେ ଆରମ୍ଭ ହୋଇଥିବା ଟକରାଟକରି ଅଧିକ ସ୍ପଷ୍ଟ କରିଛି । ଏଥିରେ ଅଦାଲତର ଜିତାପଟ ହେବ କି ସରକାରଙ୍କ – ତାହା ସମୟ କହିବ । ତେବେ, ନିର୍ବାଚନ ଆୟୋଗଙ୍କ ପକ୍ଷପାତକୁ ନେଇ ସର୍ବଦା ସମାଲୋଚନା କରି ଆସୁଥିବା ବିରୋଧୀ ରାଜନୈତିକ ଦଳଙ୍କ ନିରବତା ସମସ୍ତଙ୍କୁ ସନ୍ଦେହରେ ପକାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS