ଗେହଲୋଟଙ୍କୁ ଭୟ କରୁଛି କି କଂଗ୍ରେସ ନେତୃତ୍ୱ ?
ପ୍ରସାଦ ରାଓ
ନଭେମ୍ବର ୨୬
ଇତିମଧ୍ୟରେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ହୋଇଛି ଓ ଗାନ୍ଧୀ ପରିବାର ବାହାରୁ ଜଣେ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ହୋଇଛନ୍ତି । ଏହାସତ୍ତ୍ୱେ କଂଗ୍ରେସରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳୁ ନାହିଁ । ଗୁଜରାଟ ବିଧାନସଭା ନିର୍ବାଚନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଡ଼ିସେମ୍ବର ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ପାଇଁ ଦୁଇ ଦିନିଆ ଭୋଟ ହେବାକୁ ଥିବା ସମୟରେ କଂଗ୍ରେସ ପକ୍ଷରୁ ସେଭଳି କୌଣସିି ପ୍ରଭାବଶାଳୀ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ନଥିବା ରାଜନୈତିକ ସମୀକ୍ଷଙ୍କୁ ବିସ୍ମିତ କରିଛି । ଦଳର ନୂତନ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ସଭାରୁ ଆସୁଥିବା କଂଗ୍ରେସ ବିରୋଧୀ ସମାଲୋଚନା ସବୁର ଜବାବ ଦେଉଥିବା ବେଳେ ଗୁଜରାଟରେ କଂଗ୍ରେସର ନିର୍ବାଚନ ଦାୟିତ୍ୱରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ୨୭ ବର୍ଷ ହେଲା ଲଗାତର କ୍ଷମତାରେ ଥିବା ବିଜେପିକୁ ଆକ୍ରମଣ କରିବା ବଦଳରେ ରାଜସ୍ଥାନରେ ଥିବା କଂଗ୍ରେସ କନ୍ଦଳକୁ ଅଧିକ ବିବାଦୀୟ କରି କଂଗ୍ରେସ ନେତୃତ୍ୱର ଅଡୁଆ ବଢାଇ ଥିବା ଏବଂ ଏଆଇସିସି ନେତୃତ୍ୱ ଗେହଲୋଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସାଲିସର ବାର୍ତ୍ତା ଦେଉଥିବା କେବଳ ଗୁଜରାଟବାସୀଙ୍କୁ ନୁହେଁ, ସମଗ୍ର ଦେଶକୁ ବିସ୍ମିତ କରିଛି ।
ଏକଦା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କଂଗ୍ରେସ ପାଇଁ ‘ସଂକଟ ମୋଚକ’ ଥିଲେ । ପରେ, ଦଳର ଦିବଂଗତ ନେତା ଅହମ୍ମଦ ପଟେଲ ୨୦୨୦ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ । ଏଇ କିଛି ମାସ ତଳେ କଂଗ୍ରେସ ଛାଡି ଥିବା ଗୁଲାମ ନବୀ ଆଜାଦ ମଧ୍ୟ ବିଭିନ୍ନ ସମୟରେ ଏହି ଭୂମିକାରେ ରହି ଥିଲେ । ଆଜି ଦିନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ ସେହି ଗୁରୁଦାୟିତ୍ୱ ନେଇଛନ୍ତି । ତେବେ, ଦଳକୁ ସଂକଟରୁ ଉଦ୍ଧାର କରିବା ପରିବର୍ତ୍ତେ ଗେହଲୋଟ ଦଳ ପାଇଁ ଅଧିକ ସଂକଟ ସୃଷ୍ଟି କରିବା ଏବଂ ଏଆଇସିିସି ନେତୃତ୍ୱ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୂରେ ଥାଉ, ତାଙ୍କୁ କଡା ଶବ୍ଦରେ ତାଗିଦ କରିପାରୁ ନଥିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି । ଗେହଲୋଟଙ୍କ ଗଲା କିଛି ମାସର କାର୍ଯ୍ୟକଳାପ ଓ କଂଗ୍ରେସ ନେତୃତ୍ୱର ତାଙ୍କ ପ୍ରତି କୋହଳ ମନୋଭାବ ଆଲୋଚକ ମହଲକୁ ନେତୃତ୍ୱର ଦୁର୍ବଳତାକୁ ନେଇ ସମାଲୋଚନା କରିବାର ସୁଯୋଗ ସୃଷ୍ଟି କରିଛି । କେତେକ ପ୍ରଶ୍ନ କଲେଣି, କଂଗ୍ରେସ ନେତୃତ୍ୱ ଗେହଲୋଟଙ୍କୁ ଭୟ କରିବା ଆରମ୍ଭ କଲାଣି କି ?
ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପ୍ରଶଂସା କରିବା ପରେ ତାଙ୍କ (ଗେହଲୋଟଙ୍କ) ରାଜନୈତିକ ଶତୃ ଭାବେ ପରିଚିତ କଂଗ୍ରେସ ଯୁବ ନେତା ରାଜେଶ ପାଇଲଟଙ୍କ ତୁରନ୍ତ ପ୍ରତିକ୍ରିୟା ହେଉଛି, ଗୁଲାମ ନବୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ସଂପୂର୍ଣ୍ଣ ହେବା ଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ବିଦାୟ ସଂବର୍ଦ୍ଧନା ଦେବାକୁ ଯାଇ ଯେଭଳି ପ୍ରଶଂସାରେ ଶତମୁଖ ହୋଇଥିଲେ ତାହାର ପରିଣତ କଣ ହେଲା ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲି ଥିବା ବେଳେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିବା ସେଭଳି କିଛି ସଂକେତ ଦେଉନି ତ ? ପାଇଲଟଙ୍କ ଏହି ପ୍ରଶ୍ନ ହିଁ ଗେହଲୋଟଙ୍କୁ ଉତ୍କ୍ଷୀପ୍ତ କରିଛି ଏବଂ ସେ ପାଇଲଟଙ୍କ ପ୍ରତି ‘ଗଦ୍ଦାର’ ଭଳି ଅପଶବ୍ଦ ପ୍ରୟୋଗ କରି କଂଗ୍ରେସ ନେତୃତ୍ୱକୁ ଅଡୁଆରେ ପକାଇଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ମୋର୍ଚ୍ଚା ସମ୍ଭାଳୁ ଥିବା ବେଳେ ଦଳର ପ୍ରଚାର ଅଭିଯାନ ଯେତିକି ଶାଣିତ ହେବା କଥା ତାହା ଦେଖିବାକୁ ମିଳୁ ନାହିଁ । ଗେହଲୋଟ ଗୁଜରାଟ ଅପେକ୍ଷା ତାଙ୍କ ରାଜ୍ୟ ରାଜନୀତିକୁ ନେଇ ଅଧିକ ବ୍ୟସ୍ତ ଥିବା ଦେଖିବାକୁ ମିଳୁଥିବା ବେଳେ ଦଳର ଅନ୍ୟ କୌଣସି ପ୍ରମୁଖ ନେତା ମୋର୍ଚ୍ଚା ସମ୍ଭାଳିବାକୁ ଗୁଜରାଟ ଯାଉ ନାହାନ୍ତି । ଏକତା ସତ ଯେ, ଦିନେ ସମଗ୍ର ଦେଶରେ ରାଜତ୍ୱ କରୁଥିବା କଂଗ୍ରେସ ଏବେ ଦୁଇଟି ରାଜ୍ୟରେ ସୀମିତ ରହିଛି । ରାଜସ୍ଥାନ ଓ ଛତିଶଗଡ଼ରେ ଦଳର ସରକାର ଅଛି । ଝାଡଖଣ୍ଡରେ ଦଳ ସରକାର ରହିଛି ସିନା ସେଠାକାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସହଯୋଗୀ ଦଳ ଭାବେ । ନଭେମ୍ବର ୧୨ରେ ସରିଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇସିସି ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ । ଡ଼ିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ପାଇଁ ଭୋଟ ହେବାକୁ ଥିବା ସମୟରେ ନଭେମ୍ବର ୨୫ ସୁଦ୍ଧା ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ କେହି ବରିଷ୍ଠ ନେତା ପ୍ରଚାର ମଇଦାନକୁ ଯାଇ ନାହାନ୍ତି । ବିଶେଷକରି, ଗାନ୍ଧୀ ପରିବାରରୁ ।
ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଗତ ସେପ୍ଟେମ୍ବର ୭ ତାରିଖରୁ ‘ଭାରତ ଯୋଡୋ’ ଯାତ୍ରାରେ ଅଛନ୍ତି । ତାମିଲାନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରାୟ ୧୫୦୦ କିମି ଅତିକ୍ରମ କରି ମଧ୍ୟ ପ୍ରଦେଶରେ ପହଂଚି ସାରିଛି । ରାହୁଲ ଚଳିତ ମାସରେ ତାଙ୍କ ଯାତ୍ରାକୁ ଦୁଇ ଦିନ ସ୍ଥଗିତ ରଖି ଗୁଜରାଟ ଯାଇଥିଲେ ଦୁଇଟି ନିର୍ବାଚନ ସଭା କରିବାକୁ । ତେବେ, ଏଆଇସିସିର ପୂର୍ବତନ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ନୂତନ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଭଳି ନେତା ଏଯାବତ୍ ଗୁଜରାଟରେ ପାଦ ପକାଇ ନଥିବା କଂଗ୍ରେସର ମତିଗତିକୁ ନେଇ ସନ୍ଦେହ ସୃଷ୍ଟି କରିଛି । ବାସ୍ତବରେ କଂଗ୍ରେସ ନେତୃତ୍ୱ ଗୁଜରାଟରେ ବିଜୟକୁ ନେଇ ଉଦାସୀନ ନା ବିଧାନସଭା ନିର୍ବାଚନକୁ ନେଇ ଭିତିରି କିଛି ରଣନୀତି ପ୍ରସ୍ତୁତ କରିଛି (!) – ତାହା ଏବେ ସମୀକ୍ଷକଙ୍କ ପାଇଁ ବଡ ପ୍ରଶ୍ନ ହୋଇଛି ।
୨୦୧୭ ବିଧାନସଭା ନିର୍ବାଚନରେ ତତ୍କାଳୀନ ଏଆଇସିିସି ସଭାପତି ରାହୁଲ ଗାନ୍ଧୀ ଗୁଜରାଟରେ କଂଗ୍ରେସ ପ୍ରଚାରର ମଂଗ ଧରି ଥିଲେ ଏବଂ ଆକ୍ରମଣାତ୍ମକ ପ୍ରଚାର କରି ଶାସକ ବିଜେପିକୁ କଡା ମୁକାବିଲା ଦେଇଥିଲେ । ମୋଦୀ ସରକାରଙ୍କ ବିରୋଧରେ ସେତେବେଳ ବିମୁଦ୍ରୀକରଣ, ଜିଏସଟିକୁ ଜନସାଧାରଣରେ ବିରୋଧ ଭଳି ପ୍ରସଙ୍ଗ ଥିଲା ଏବଂ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଗୁଜରାଟରେ ଚାଲିଥିବା ସଂରକ୍ଷଣ ସପକ୍ଷରେ ଆନ୍ଦୋଳନ କଂଗ୍ରେସକୁ ସାହାଯ୍ୟ କରିଥିଲା । ହାର୍ଦ୍ଦିକଙ୍କ ସହ ଆଉ ଦୁଇ ଜଣ ଯୁବ ନେତା ଅଳ୍ପେଶ ଠାକୁର ଓ ଜିଗ୍ସେସ ମେୱାନୀ ବିଜେପି ବିରୋଧୀ ଅଭିଯାନରେ ସାମିଲ ଥିବାରୁ କଂଗ୍ରେସକୁ ସେମାନଙ୍କ ସମର୍ଥନ ମିଳିଥିଲା । ତେବେ, ରାହୁଲ ରାଜ୍ୟରେ ଗୁଜରାଟକୁ କ୍ଷମତାସୀନ କରିବାରେ ସଫଳ ହୋଇ ନଥିଲେ ମଧ୍ୟ ଦଳକୁ ସମ୍ମାନଜନକ ସ୍ଥିତିରେ ପହଂଚାଇ ଥିଲେ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପି ଶହେ ତଳକୁ ଅର୍ଥାତ ୯୯ ଆସନରେ ସଂକୁଚିତ ହୋଇଯିବା ବେଳେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇ ବିଜେପିକୁ ବଡ ଝଟକା ଦେଇଥିଲା । ଆଜି ସୁଦ୍ଧା ବିଜେପି ସେହି ‘ରାହୁଲ ଝଟକା’କୁ ପାଶୋରୀ ନାହିଁ ।
୨୦୨୨ ନିର୍ବାଚନରେ ବିଜେପି ୧୫୦ ଟାର୍ଗେଟ ନେଇ ଚାଲିଛି । ଦଳ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ପ୍ରଚାରକ ଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀମାନେ ଗୁଜରାଟରେ ଡ଼େରା ପକାଇ ପ୍ରଚାରକୁ ସରଗରମ ରଖିଛନ୍ତି । ପ୍ରତିଦିନ ସେମାନେ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ମଇଦାନରେ କଂଗ୍ରେସ ନେତାଙ୍କ ମରୁଡି ଦେଖିବାକୁ ମିଳୁଛି । ଜାତୀୟସ୍ତରରେ ଗୁଜରାଟ ନିର୍ବାଚନର ବିଶ୍ଲେଷଣ କରୁଥିବା ବିଶ୍ଲେଷକଙ୍କ ମତରେ ବିଜେପି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଚାରି ଜଣ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ମଇଦାନରେ ଓହ୍ଲାଇ ଯେଭଳି ମିଡ଼ିଆ ପ୍ରଚାର ପାଉଛି କଂଗ୍ରେସକୁ ଏଯାବତ୍ ତାହା ମିଳି ନାହିଁ । ସୋନିଆ, ପ୍ରିୟଙ୍କା ଓ ଖାର୍ଗେଙ୍କ ଭଳି ନେତା ନିର୍ବାଚନ ପ୍ରଚାରକୁ ଆସି ଥିଲେ କଂଗ୍ରେସ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏକା ଭଳି ପ୍ରଚାର ସୁଯୋଗ ପାଇଥା’ନ୍ତା । କଂଗ୍ରେସର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ମଧ୍ୟ ବିଜେପି ଭଳି ଆକ୍ରମଣାତ୍ମକ ହୋଇପାରୁ ନାହିଁ ।
ଅପରପକ୍ଷରେ, ମାତ୍ର ଦଶ ବର୍ଷର ଦିଲ୍ଲୀ ଭିତ୍ତିକ ଆଂଚଳିକ ଦଳ ‘ଆମ୍ ଆଦମୀ ପାର୍ଟି’ (ଆପ୍) ଦିଲ୍ଲୀ ଓ ପଂଜାବରେ ସରକାର ଚଳାଇବା ସହ ୨୦୨୨ରେ ଗୁଜରାଟ ଦଖଲ କରିବାକୁ ସମସ୍ତ ଶକ୍ତି ଲଗାଇଛି । ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ହେଉଛନ୍ତି ଦଳର ଏକମାତ୍ର ଷ୍ଟାର୍ ପ୍ରଚାରକ । ତାଙ୍କ ସହ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ପଂଜାବ ମୁଖମନ୍ତ୍ରୀ ଭଗୱନ୍ତ ମାନ୍ ମଝିରେ ମଝିରେ ଗୁଜରାଟ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି । ସମ୍ଭାବନା କ୍ଷୀଣ ଥିଲେ ସୁଦ୍ଧା ଗୁଜରାଟ ଦଖଲ ପାଇଁ ‘ଆପ୍’ ଯେତିକି କସରତ କରୁଛି ସେତିକି କସରତ କଂଗ୍ରେସ ଆଡୁ ହେବା ଦୂରେ ଥାଉ, ଦଳର ବରିଷ୍ଠ ନେତାମାନେ ନିର୍ବାଚନ ମଇଦାନର ଛାଇ ମଧ୍ୟ ମାଡୁ ନଥିବା ରାଜନୈତିକ ସମୀକ୍ଷକଙ୍କୁ ବିସ୍ମିତ କରିଛି । ଗୁଜରାଟ ପାଇଁ କଂଗ୍ରେସର ରଣନୀତି କଣ ରହିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ୨୦୧୭ରେ ଗୁଜରାଟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ୨୦୨୨ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ନେଇ ଚର୍ଚ୍ଚା ହେଉଥିବା କଂଗ୍ରେସ ଶିବିରରେ ଉତ୍ସାହର ଅଭାବ ଉଭୟ ବିଜେପି ଓ ‘ଆପ୍’କୁ ଉତ୍ସାହିତ କରିଛି ।
‘ଆପ୍’ ଗୁଜରାଟ ନିର୍ବାଚନରେ କଂଗ୍ରସକୁ ପଛରେ ପକାଇ ଭଲ ଫଳାଫଳ କରିବ ବୋଲି ଦଳର ନେତୃବର୍ଗ ଅନୁମାନ କରୁଥିବା ସମୟରେ ବିଜେପି ଏହି ଦୁଇ ଦଳଙ୍କୁ ବହୁ ପଛରେ ଛାଡି ପୁନର୍ବାର ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ହାସଲ କରିବାକୁ ପୂର୍ଣ୍ଣ ଶକ୍ତି ଲଗାଇ କାର୍ଯ୍ୟ କରୁଛି । ଏଭଳି ସ୍ଥିତିରେ ଗୁଜରାଟରେ କଂଗ୍ରେସର ଦାୟିତ୍ୱ ନେଇ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଭୂମିକା କଣ (?) ହେବା ଆବଶ୍ୟକ ତାହା ୭୧ ବର୍ଷ ବୟସ୍କ ଏହି ଅଭିଜ୍ଞ ରାଜନେତାଙ୍କୁ କେହି ବୁଝାଇବାର ଆବଶ୍ୟକତା ନାହିଁ । ତେବେ, ଗୁଜରାଟ ନିର୍ବାଚନ ସମୟରେ ରାଜସ୍ଥାନ କଂଗ୍ରେସ ରାଜନୀତିକୁ ନେଇ ସେ ନିଜ ଦଳର ଯୁବ ନେତା ପାଇଲଟଙ୍କୁ ‘ବିଶ୍ୱାସଘାତକ’ ବୋଲି ଗାଳି କରିବା ଏବଂ କୌଣସି ପରିସ୍ଥିତିରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଦୃଢୋକ୍ତି ପ୍ରକାଶ କରିବା ଗୁଜରାଟ ନିର୍ବାଚନରେ କେତେ ସହାୟକ ହେବ ଏବଂ ରାଜ୍ୟର କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କୁ କେତେମାତ୍ରାରେ ଉତ୍ସାହିତ କରିବାରେ ସହାୟକ ହେବ ବୋଲି ପ୍ରଶ୍ନ ହେଉଛି । ପାଇଲଟଙ୍କ ପ୍ରତି ଗେହଲୋଟଙ୍କ ଅପଶବ୍ଦ କଂଗ୍ରେସ ନେତୃତ୍ୱ ପାଇଁ ମଧ୍ୟ ଅଶ୍ୱସ୍ତିକର ହୋଇଥିବା ଦେଖିବାକୁ ମିଳୁଛି । କଂଗ୍ରେସ ସଭାପତି ଖାର୍ଗେ ଏନେଇ ମୁହଁ ଖୋଲି ନଥିବା ବେଳେ ଗେହଲୋଟଙ୍କ ‘ଅପଶବ୍ଦ’କୁ ନେଇ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ଗେହଲୋଟଙ୍କ ଅପଶବ୍ଦକୁ ନିନ୍ଦା କରିଛନ୍ତି । ତେବେ, ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରାଯିବ କହି କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ।
ନିକଟ ଅତୀତରେ, କଂଗ୍ରେସ ନେତୃତ୍ୱ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବତ୍ତନ ପାଇଁ ବିଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗେହଲୋଟ କଂଗ୍ରେସ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ତାଙ୍କୁ ଏଆଇସିସି ସଭାପତି କରି ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ଚାହୁଁଥିଲା ଓ ଏଥି ସକାଶେ ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ କରିବାକୁ ନିର୍ଦେଶ ଦେଇଥିଲା । ଗେହଲୋଟ ଏଆଇସିସି ସଭାପତି ପଦକୁ କେବଳ ପ୍ରତ୍ୟାକାନ କରିନଥିଲେ, ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ ଆୟୋଜନ ଉଦ୍ୟମକୁ ଭଣ୍ଡୁର କରିବା ସକାଶେ ରାଜ୍ୟର ୧୦୨ ଜଣ କଂଗ୍ରେସ ବିଧାୟକଙ୍କୁ ବ୍ୟବହାର କରିଥିଲେ । କଂଗ୍ରେସ ନେତୃତ୍ୱ ଦିଲ୍ଲୀରୁ ପଠାଇ ଥିବା ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ଅପମାନିତ ହୋଇ ଫେରିବାକୁ ପଡିଥିଲା । କଂଗ୍ରେସ ସଭାପତି ଖାର୍ଗେ ଜୟପୁର ଯାଇଥିବା କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଅପମାନିତ ହୋଇ ଫେରିବା ପରେ କଂଗ୍ରେସ ପର୍ଯ୍ୟବେକ୍ଷକମାନେ ଏଆଇସିସିର ଅନ୍ତରୀଣ ସଭାପତି ଥିବା ସୋନିଆ ଗାନ୍ଧୀଙ୍କୁ ଲିଖିତ ଭାବେ ସବୁ କିଛି ଜଣାଇ ଥିଲେ ମଧ୍ୟ ଆଜି ସୁଦ୍ଧା ଗେହଲୋଟ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।
ଉଲ୍ଲେନୀୟ ଯେ, ସଚିନ ପାଇଲଟ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ଦଳର ରାଜ୍ୟ ସଭାପତି ଥିଲେ ଓ କଂଗ୍ରେସକୁ କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ନେଇଥିଲେ । ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସେ ଆଶା କରିଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱ ଅଭିଜ୍ଞଙ୍କୁ କ୍ଷମତା ଦେବାକୁ ଯାଇ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ସଚିନ ଅସନ୍ତୋଷ ବ୍ୟକ୍ତ କରିବାରୁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡି ଥିଲା । ସେହି ଦିନରୁ ଗେହଲୋଟ-ପାଇଲଟ୍ ତୀକ୍ତତା ରହିଛି । ପାଇଲଟ ୨୦୨୦ରେ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରି ସଫଳ ହୋଇ ନଥିଲେ ଓ ଉଭୟ କଂଗ୍ରେସ ରାଜ୍ୟ ସଭାପତି ଏବଂ ଉପ ମୁଖ୍ୟମନ୍ତ୍ରୀ ପଦ ହରାଇ ଥିଲେ । ବିଜେପି ପ୍ରରୋଚନାରେ ପାଇଲଟ ନଜ ଦଳର ସରକାରର ପତନ ଘଟାଇବାକୁ ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଗେହଲୋଟ ଅଭିଯୋଗ କରିଛନ୍ତି ଏବଂ ପାଇଲଟଙ୍କୁ ‘ଗଦ୍ଦାର’ ବା ‘ବିଶ୍ୱାସଘାତକ’ ବୋଲି ଆକ୍ଷେପ କରୁଛନ୍ତି ।
ତେବେ, ଗୁଜରାଟରେ ନିର୍ବାଚନ ପ୍ରଚାର ସରଗରମ ଥିବା ସମୟରେ ଗେହଲୋଟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜ ଦଳର ନେତା ପାଇଲଟଙ୍କ ବିରୋଧରେ ବିଷୋଦ୍ଗାର କରିବା ପଛରେ କି ଉଦ୍ଦେଶ୍ୟ ରହିଛି, ସେନେଇ ପ୍ରଶ୍ନ ଉଠିଲାଣି । ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ । ପାଇଲଟ-ଗେହଲୋଟ ବିବାଦ ଆଗାମୀ ନିର୍ବାଚନରେ ମଧ୍ୟ ଦଳକୁ ଅଡୁଆରେ ପକାଇବ, ଏକଥା କଂଗ୍ରେସ ନେତୃତ୍ୱ ଏହା ଭଲରେ ଜାଣନ୍ତି । ତେବେ, ଗେହଲୋଟଙ୍କ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ହେଲେ ଗୁଲାମ ନବୀଙ୍କ ଭଳି ସେ ମଧ୍ୟ ବିଜେପି ଆଡକୁ ପଳାଇ ପାରନ୍ତି, ଏଭଳି ଆଶଙ୍କା କଂଗ୍ରେସ ନେତୃତ୍ୱକୁ ଶିଥିଳ କରିଥିବା ଅନୁମାନ କରାଯାଉଛି । ଆପୋଷ ସମାଧାନ କଥା କହି କଂଗ୍ରେସ ନେତୃତ୍ୱ ଗଣମାଧ୍ୟମକୁ ଚୁପ୍ କରିଥିଲେ ମଧ୍ୟ ତଳସ୍ତରର କଂଗ୍ରେସ କର୍ମୀଙ୍କୁ କେତେଦୂର ଶାନ୍ତ ରଖି ପାରିବ ତାହା ଗୁଜରାଟ ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS