ଓକିଲ ଆନ୍ଦୋଳନକୁ ସୁପ୍ରିମ କୋର୍ଟଙ୍କ ଶକ୍ତ ପ୍ରହାର !
ପ୍ରସାଦ ରାଓ
ନଭେମ୍ବର ୨୮
ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା ଚେତାବନୀ ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରଖି ଥିବା ଓକିଲ ସଂଗଠନଙ୍କ ପ୍ରତି ଆଜି ସୁପ୍ରିମ କୋର୍ଟ କଡା ଆଭିମୁଖ୍ୟ ଦେଖାଇଛନ୍ତି । ଆନ୍ଦୋଳନ ଚଳାଇ ଥିବା ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ସୁପ୍ରିମ କୋର୍ଟ ବାର୍ କାଉନସିଲ ଅଫ୍ ଇଣ୍ଡିଆକୁ ନିର୍ଦେଶ ଦେବା ସହ ବିଭିନ୍ନ ଅଦାଲତରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ମହକିଲଙ୍କୁ ଜିଲ୍ଲା ପ୍ରଶାସନମାନେ ପୁଲିସ ଜରିଆରେ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ବେଂଚ କହିଛନ୍ତି ।
ବେଂଚ କହିଛନ୍ତି, ହାଇକୋର୍ଟ ସ୍ଥାୟୀ ବେଂଚ ଦାବି କରି ଓକିଲମାନେ କୋର୍ଟ କାର୍ଯ୍ୟରେ ବିଘ୍ନ ଘଟାଇବା ଦ୍ୱାରା ମହକିଲମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓକିଲମାନେ ସେମାନଙ୍କ ଆନ୍ଦୋଳନରେ ପୂର୍ଣ୍ଣଛେଦ ପକାଇ କାର୍ଯ୍ୟରେ ଯୋଗ ଦେବା ସହ ଅଦାଲତଗୁଡିକୁ ସ୍ୱାଭାବିକ କରିବାକୁ ସୁପ୍ରିମ କୋର୍ଟ ପକ୍ଷରୁ ପୂର୍ବରୁ ନିର୍ଦେଶ ଦେଇଥିଲେ । ଏହାକୁ ଅମାନ୍ୟ କଲେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ମଧ୍ୟ ଚେତାଇ ଦିଆଯାଇଥିଲା । କିନ୍ତୁ, ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଓକିଲ ଆନ୍ଦୋଳନ ଜାରି ରହିବାରୁ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ସେମାନେ ସମୂହ ଭାବେ ଲାଇସେନ୍ସ ଫେରସ୍ତ ଦେବେ ବୋଲି ପାଲଟା ଚେତାବନୀ ଦେବାରୁ ସୁପ୍ରିମ କୋର୍ଟ ଏନେଇ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟ ପକ୍ଷରୁ ସୁପ୍ରିମ କୋର୍ଟରେ ସପ୍ଲିମେଂଟାରୀ ପିଟିସନ ଦାଖଲ ପରେ ତାହାକୁ ଆଧାର କରି ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ବେଂଚ ଆଜି ଏହି ନିର୍ଦେଶ ଦେଇଛନ୍ତି । ଆବଶ୍ୟକ ମନେ କଲେ ଅଦାଲତ କାର୍ଯ୍ୟରେ ବାଧା ଦେଉଥିବା ଓକିଲଙ୍କୁ ଗିରଫ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ବେଂଚ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ରାଜ୍ୟରେ ବିଭିନ୍ନ ଓକିଲ ସଂଗଠନ ପକ୍ଷରୁ ଦୀର୍ଘ ସମୟ ଧରି ଆନ୍ଦୋଳନ ଚାଲିବା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୈନନ୍ଦିନ ବିଚାରଣା କାର୍ଯ୍ୟ ବ୍ୟାହତ ହୋଇଥିବା ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୁପ୍ରିମ ମୋର୍ଟରେ ଦାଖଲ ସପ୍ଲିମେଂଟାରୀ ପିଟିସନରେ ଦର୍ଶାଯାଇଛି । ସୁପ୍ରିମ କୋର୍ଟ ବେଂଚ ଏଥିରେ କ୍ରୋଧ ପ୍ରକାଶ କରିବା ସହ କହିଛନ୍ତି, ରାଜ୍ୟରେ ଜିଲ୍ଲାୱାରୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ସମ୍ଭବ ନୁହେଁ । ମାନବ ସମ୍ଭଳ ଓ ଭିତ୍ତିଭୂମି ଦୃଷ୍ଟିରୁ ଏଭଳି ଦାବି ବାସ୍ତବବାଦୀ ନୁହେଁ । ବିହାର ଦେଶର ଏକ ବଡ଼ ରାଜ୍ୟ ହୋଇଥିଲେ ମଧ୍ୟ ପାଟନାରେ ଗୋଟିଏ ହାଇକୋର୍ଟ ରହିଛି । ହାଇକୋର୍ଟ ବେଂଚ ଦାବିରେ ଆନ୍ଦୋଳନ ଚାଲୁ ରଖି ଥିବା ଓକିଲମାନେ ଶତ ପ୍ରତିଶତ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କୁ ପରିଣତି ଭୋଗିବାକୁ ପଡିବ ବୋଲି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୟ କିଶନ କାଉଲ ଓ ଜଷ୍ଟିସ ଅଭୟ ଏସ. ଓକାଙ୍କୁ ନେଇ ଗଠିତ ବେଂଚ ଆଜି ଚେତାଇ ଦେଇଛନ୍ତି । ସୁପ୍ରିମ କୋର୍ଟ ବେଂଚ କହିଛନ୍ତି, ଓଡ଼ିଶା ବାର୍ ଆସୋସିଏସନ୍ ସଦସ୍ୟମାନଙ୍କୁ ପୂର୍ବରୁ ଏନେଇ ଚେତାବନୀ ଦିଆଯାଇଥିଲା । ତେବେ, ଓକିଲ ସଂଗଠନମାନେ ଅମାନିଆ ହୋଇ କାର୍ଯ୍ୟାନୁଷ୍ଠାନ ଚାହିଁଲେ ‘ଆମେ ନାଚାର’ ।
ଏଠାରେ ଉଲ୍ଲେଖନୀୟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଦୀର୍ଗ ବର୍ଷ ହେଲା ଆନ୍ଦୋଳନ ଚାଲିଛି । ଆନ୍ଦୋଲକାରୀ ଓକିଲମାନେ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ ଓ ମହକିଲଙ୍କୁ କୋର୍ଟ ପରିସରରେ ପ୍ରବେଶ କରିବାକୁ ଦେଉନାହାନ୍ତି । ଓକିଲଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଅଦାଲତଙ୍କ ସମୟ ଅଯଥାରେ ନଷ୍ଟ ହେଉଛି । ସୁପ୍ରିମ କୋର୍ଟ ବେଂଚ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି । ଆନ୍ଦୋଳନରତ ଓକିଲମାନେ ତୁରନ୍ତ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କ ଲାଇସେନ୍ସ ବାତିଲ ହେବ ଏବଂ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଲା ନଭେମ୍ବର ୧୪ ତାରିଖରେ ସୁପ୍ରିମ କୋର୍ଟ ଚେତାବନୀ ଦେଇଥିଲେ । ଜିଲ୍ଲା ବାର୍ ଆସୋସିଏସନଗୁଡିକ ସେମାନଙ୍କ ସଦସ୍ୟଙ୍କୁ ଠିକଣା ବାଟକୁ ଆଣିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଚେତାବନୀ ଓ ପରାମର୍ଶ ସତ୍ତ୍ୱେ ରାଜ୍ୟର ବିଭିନ୍ନ ଜିଲ୍ଲାର ଓକିଲ ସଂଗଠନମାନେ ଆନ୍ଦୋଳନ ଜାରି ରଖିବା ସହ ଅଦାଲତଗୁଡିକ କାର୍ଯ୍ୟରେ ବିଘ୍ନ ଘଟାଉ ଥିବା ଆଜି ସୁପ୍ରିମ କୋର୍ଟ ବେଂଚଙ୍କୁ ଦୃଷ୍ଟିକୁ ଆସିଛି । ଫଳରେ, ଜଷ୍ଟିସ କାଉଲଙ୍କ ବେଂଚ ଏଭଳି କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଗତ ଅକ୍ଟୋବର ମାସରେ ରାଜ୍ୟର ଅନ୍ୟୁନ ୨୦ଟି ଜିଲ୍ଲାରେ ଓକିଲମାନେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଆନ୍ଦୋଳନ ଚଳାଇ ଅଦାଲତ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବାରୁ ଅଦାଲତଗୁଡିକର ଦୀର୍ଘ କାର୍ଯ୍ୟ ସମୟ ନଷ୍ଟ ହୋଇଛି ।
ଗଲା ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟରେ ଓକିଲମାନଙ୍କ ପିକେଟିଂ ଯୋଗୁଁ ଅଦାଲତକୁ ଆସି ଥିବା ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ ଓ ମହକିଲମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କୁ ବଳପୂର୍ବକ କୋର୍ଟ ପରିସରରେ ପ୍ରବେଶ କରିବାକୁ ଦିଆଯାଇ ନଥିଲା ବୋଲି ଖୋର୍ଦ୍ଧା ଜିଲ୍ଲା ଜଜ୍ ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ ଏବଂ କୋର୍ଟକୁ ଆସୁଥିବା ମହକିଲଙ୍କ ଆବଶ୍ୟକ ସୁରକ୍ଷା ବନେ୍ଦାବସ୍ତ କରାଯିବାକୁ ନିବେଦନ କରିଥିଲେ । ୩୦୦ରୁ ୪୦୦ ଓକିଲ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ ଓ ଅଦାଲତକୁ ଆସିଥିବା ମହକିଲଙ୍କୁ କୋର୍ଟ ପରିସରରେ ପୁରାଇ ଦେଇ ନଥିବା ଏବଂ ପୁଲିସ ପହଂଚିବା ପରେ ମଧ୍ୟ ପରିସ୍ଥିତି ସୁଧୁରି ନଥିବା କ୍ଷୋଭର ବିଷୟ ବୋଲି ସୁପ୍ରିମ କୋର୍ଟ ବେଂଚ କହିଛନ୍ତି । ବେଂଚ ଏହା ମଧ୍ୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା କୋର୍ଟ ଓକିଲମାନେ ପିକେଟିଂ କରୁଥିବା ନେଇ ଜିଲ୍ଲ ଜଜ୍ ଙ୍କୁ ଆଗୁଆ ସୂଚିତ କରି ନଥିଲେ । କେବଳ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ ନୁହେଁ, ସମ୍ବଲପୁର, ବଡମ୍ବା ସମେତ ଓଡ଼ିଶାର ବିଭିନ୍ନ ଅଂଚଳରେ ଓକିଲମାନଙ୍କ ଏଭଳି ପିକେଟିଂ ଯୋଗୁଁ ଅଦାଲତଗୁଡିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୁପ୍ରିମ କୋର୍ଟଙ୍କୁ ଅବଗତ କରାଯାଇଛି ।
ହାଇକୋର୍ଟଙ୍କ ସପ୍ଲିମେଂଟାରୀ ଆଫିଡେଭିଟ ଆଧାରରେ ସୁପ୍ରିମ କୋର୍ଟ ବେଂଚ ଆଜର ନିର୍ଦେଶନାମା ଜାରି କରିଥିବା ବେଳେ ଓଡ଼ିଶାରେ ଓକିଲାତି ଲାଇସେନ୍ସ ନେଇଥିବା ଅନେକ ତଥାକଥିତ ଓକିଲଙ୍କ ମୁଖ୍ୟ ପେଶା ଓକିଲାତି ନଥିବା ସେମାନଙ୍କ ଆଚରଣରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି । ବିଚାରପତି ଜଷ୍ଟିସ କାଉଲ ତାଙ୍କ ନିର୍ଦେଶନାମାରେ କହିଛନ୍ତି, ବାର୍ ସଦସ୍ୟମାନଙ୍କ ବିରୋଧରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଯଥାଯଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଅନ୍ତତଃ ଅଦାଲତଗୁଡିକର କାର୍ଯ୍ୟ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସବୁ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବେ ବୋଲି ବେଂଚ ଆଶା କରୁଛନ୍ତି । ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କ ବିରୋଧରେ ମଧ୍ୟ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଅଦାଲତକୁ ଆସୁଥିବା ବିଚାରପତି, ବିଚାର ବିଭାଗୀୟ କର୍ମଚାରୀ, ଆଗ୍ରହୀ ଓକିଲ ଏବଂ ମହକିଲଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇବାକୁ ପୁଲିସ ବନେ୍ଦାବସ୍ତ ହେବ ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ବେଂଚ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS