ଗୁଜରାଟରୁ ପଦ୍ମପୁର ପର୍ଯ୍ୟନ୍ତ, ଉତ୍କଣ୍ଠା ହିଁ ଉତ୍କଣ୍ଠା
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୩୦
୨୦୨୨ ବର୍ଷ ସୁରୁଛି । ଓଡ଼ିଶାର ପଦ୍ମପୁରରୁ ଆରମ୍ଭ କରି ଦିଲ୍ଲୀରେ ଏମସିଡ଼ି ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଡ଼ିସେମ୍ବର ପ୍ରଥମ ସପ୍ତାହରେ ଭୋଟ ହେବ ଏବଂ ୮ ତାରିଖ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ରାଜନୈତିକ ଦଳଙ୍କ ଭାଗ୍ୟ ସ୍ପଷ୍ଟ ହୋଇଯିବ । ପଦ୍ମପୁରରେ ଡ଼ିସମ୍ବେର ୫ ତାରିଖ ବିଧାନସଭା ଉପ ନିର୍ବାଚନ ଭୋଟ ହେବାକୁ ଥିବା ବେଳେ ଦିଲ୍ଲୀ ମହାନଗର ନିଗମର ୨୫୦ ଆସନ ପାଇଁ ୪ ତାରିଖ ଭୋଟ ହେବ । ସେହିଭଳି, ଡ଼ିସେମ୍ବର ୧ ଓ ୫ ତାରିଖରେ ଦୁଇ ପର୍ଯ୍ୟାୟରେ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ଭୋଟ ହେବାକୁ ଯାଉଛି । ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ହେବାକୁ ଯାଉଛି । ଏହି ସବୁ ନିର୍ବାଚନ ତିନିଟି ରାଜ୍ୟରେ ସୀମିତ ଥିଲେ ମଧ୍ୟ ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ରାଜସ୍ଥାନ, କର୍ଣ୍ଣାଟକ ସମତେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୨ ଶେଷ ଭାଗରେ ହେଉଥିବା ଗୁଜରାଟ ବିଧାନସଭା ନିର୍ବାଚନ ଶାସକ ବିଜେପି ପାଇଁ ବେଶ୍ ମହତ୍ତ୍ୱ ରଖୁଛି । କାରଣ, ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ । ୨୭ ବର୍ଷ ହେଲା ରାଜ୍ୟରେ ବିଜେପି ସରକାର ରହିଛି । ୨୦୨୨ରେ ମଧ୍ୟ ବିଜେପି ଗୁଜରାଟରେ ନିଜର ଶାସନକୁ ଅକ୍ଷୁର୍ଣ୍ଣ ରଖିବାକୁ ସବୁ ଶକ୍ତି ଖଟାଇଛି । ରାଜ୍ୟରେ କଂଗ୍ରେସ ଦଳ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଥିବା ବେଳେ ଏଥର ଦିଲ୍ଲୀ ଓ ପଂଜାବରେ କ୍ଷମତାରେ ଥିବା ‘ଆମ୍ ଆଦମୀ ପାର୍ଟି’ ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇ ନିର୍ବାଚନର ମାହୋଲକୁ ସରଗରମ ରଖିଛି ।
ଦିଲ୍ଲୀ ଏମସିଡ଼ି ନିର୍ବାଚନରେ ମଧ୍ୟ ‘ଆମ୍ ଆଦମୀ ପାର୍ଟି’ ବିଜେପିକୁ କଡା ଟକ୍କର ଦେଉଛି । ଏମସିଡ଼ିରେ ବିଜେପିର ନିର୍ବାଚିତ ପରିଷଦ ଥିଲା । ବିଜେପି ତାହାର କ୍ଷମତା ହାତଛଡା କରିବାକୁ ଚାହୁଁ ନଥିବାରୁ ‘ଆପ୍’କୁ କ୍ଷମତାଠାରୁ ଦୂରେଇ ରଖିବାକୁ ସଂପୂର୍ଣ୍ଣ ଶକ୍ତି ଲଗାଇଛି । ଓଡ଼ିଶାର ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁକାବିଲା ସରଗରମ ଥିବା ବେଳେ ବିଜେଡ଼ି ତାହାର ଗଡ଼ ରକ୍ଷା କରିବାକୁ ନିଜର ସମସ୍ତ ମନ୍ତ୍ରୀ ଓ ପ୍ରଶାସନିକ କଳକୁ ସେଠାରେ ନିୟୋଜିତ କରିଛି । ନିକଟରେ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପ ନିର୍ବାଚନରେ ଅଶାତୀତ ସମର୍ଥନ ପାଇ ବିଜୟ ହାସଲ କରିଥିବା ବିଜେପି ପଦ୍ମପୁର ଆସନ ଦଖଲ କରି ଏକ ନୂଆ ଇତିହାଶ ସୃଷ୍ଟି କରିବାକୁ କଡା ଟକ୍କର ଦେଉଥିବାରୁ ଶାସକ ବିଜେଡ଼ି ଏକପ୍ରକାର ଅଣ-ନିଶ୍ୱାସୀ ହୋଇ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ୨୦୨୪ରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବ । ତେଣୁ, ପଦ୍ମପୁର ବିଧାନସଭା ଉପ ନିର୍ବାଚନ ଫଳାଫଳ ଉଭୟ ବିଜେଡ଼ି ଓ ବିଜେପିର ଭାଗ୍ୟ ନିର୍ଣ୍ଣୟ କରିବ ।
ଗୁଜରାଟରେ ଆସନ୍ତା କାଲିଠାରୁ ବିଧାନସଭା ଭୋଟ ହେବାକୁ ଥିବା ସମୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହି ଆସି ଥିବା କଂଗ୍ରେସ ପ୍ରଚାର ମଇଦାନରେ ଦେଖିବାକୁ ମିଳୁ ନଥିବା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଚମ୍ବିତ କରିଛି । ତେବେ, କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିବ ବୋଲି ସେମାନେ ଆଶା କରୁଛନ୍ତି । କାରଣ, ୧୯୯୮ରୁ ରାଜ୍ୟରେ ଦଳ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଛି । କଂଗ୍ରେସ ଗୁଜରାଟର ୧୮୨ ବିଧାନସଭା ଆସନରୁ ୧୯୯୮ରେ ୫୩, ୨୦୦୨ରେ ୫୧, ୨୦୦୭ରେ ୫୯, ୨୦୧୨ରେ ୬୧ ଆସନ ଓ ୨୦୧୭ରେ ୭୭ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୯୯୮ରେ ୧୧୭, ୨୦୨୨ରେ ସର୍ବାଧିକ ୧୨୭, ୨୦୦୭ରେ ୧୧୭, ୨୦୧୨ରେ ୧୧୫ ଓ ୨୦୧୭ରେ ୯୯ ଆସନରେ ବିଜୟ ହାସଲ କରି ସରକାରରେ ରହିଛି । କେନ୍ଦ୍ରରେ ୨୦୧୪ରୁ କ୍ଷମତାରେ ଥିବା ବିଜେପି ଗୁଜରାଟରେ ୨୭ ବର୍ଷ ହେଲା କ୍ଷମତାରେ ଥିଲେ ସୁଦ୍ଧା ୨୦୧୭ ବିଧାନସଭା ନିର୍ବାଚନରେ ୧୦୦ ଅଙ୍କ ଛୁଇଁ ନଥିବା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ଅବଶୋଷର ବିଷୟ ହୋଇଛି ।
୨୦୨୨ ବିଧାନସଭା ନିର୍ବାଚନରେ ତିନି ଅଂକ ଆସନ ଦଖଲର ଲକ୍ଷ୍ୟ ନେଇ ବିଜେପି ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବେଳେ କଂଗ୍ରେସ ତାହାର ସଂଖ୍ୟା ବଢାଇବା ଦୂରେ ଥାଉ, ୨୦୧୭ରେ ପାଇଥିବା ସଂଖ୍ୟା ହାସଲ କରିବାକୁ ମଧ୍ୟ ଆଗ୍ରହ ଦେଖାଉ ନଥିବା ଦଳର ଆଭିମୁଖ୍ୟକୁ ଅସ୍ପଷ୍ଟ ରଖିଛି । ତେବେ, ଭୋଟ ସେୟାର ଦୃଷ୍ଟିରୁ ଗୁଜରାଟରେ କଂଗ୍ରେସର ୩୫ ପ୍ରତିଶତରୁ ୪୨ ପ୍ରତିଶତ ମଧ୍ୟରେ ରହିଛି । ୧୯୯୮ ନିର୍ବାଚନରେ କଂଗ୍ରେସର ଭୋଟ ସେୟାର ୩୪.୮୫ ପ୍ରତିଶତ ଥିବା ବେଳେ ୨୦୧୭ରେ ୪୧.୪୪ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ, ୧୯୯୮ରୁ ୨୦୧୭ ମଧ୍ୟରେ ବିଜେପିର ଭୋଟ ସେୟାର ୪୫ରୁ ୪୯ ପ୍ରତିଶତ ପର୍ଯ୍ୟନ୍ତ ରହି ଥିବା ଦେଖିବାକୁ ମିଳିଛି । ୨୦୨୨ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ୪୯ ପ୍ରତିଶତ ଭୋଟ ପାଇବ ବୋଲି ପ୍ରାକ୍ ନିର୍ବାଚନ ସର୍ଭେ ରିପୋର୍ଟ ସବୁରେ ଦାବି କରାଯାଇଛି । ଗୁଜରାଟରେ କଂଗ୍ରେସର ପଶ୍ଚାତମୁଖୀ ରାଜନୀତି ସତ୍ତ୍ୱେ ‘ଆମ୍ ଆଦମୀ ପାର୍ଟି’ର ଉପସ୍ଥିତି ନିର୍ବାଚନ ପ୍ରଚାରକୁ ସରଗରମ ରଖିଛି ।
୨୦୧୭ରେ ‘ଆପ୍’ ଗୁଜରାଟ ବିଧାନସଭା ନିର୍ବାଚନ ଲଢି ଗୋଟିଏ ହେଲେ ଆସନ ଜିତି ନଥିଲା ଓ ସବୁ ଆସନରେ ଅମାନତ ହରାଇ ଥିଲା । ୨୦୨୨ରେ ଏହି ଦିଲ୍ଲୀ ଭିତ୍ତିକ ଆଂଚଳିକ ଗୁଜରାଟର ପ୍ରାୟ ସମସ୍ତ ଆସନରେ ପ୍ରାର୍ଥୀ ଦେଇ ସରକାର ଗଠନ କରିବ ବୋଲି ଦାବି କରୁଥିବା ଓ ସେହି ଅନୁସାରେ ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବିଜେପିକୁ ବିବ୍ରତ କରିଛି । କାରଣ ହେଉଛି, ଟିକଟ ବଂଟନକୁ ନେଇ ବିଜେପି ଭିତରେ ଥିବା ଅସନ୍ତୋଷ ଏବଂ ସରକାର ବିରୋଧୀ ଜନମତ । କଂଗ୍ରେସ ଭୋଟରେ ବଳିୟାନ ହେଉଥିବା ‘ଆପ୍’ ଗୁଜରାଟ ନିର୍ବାଚନକୁ ସଂପୂର୍ଣ୍ଣ ନହେଲେ ମଧ୍ୟ ବହୁମାତ୍ରାରେ ପ୍ରଭାବିତ କରିବ ବୋଲି ବିଜେପି ବିଶ୍ୱାସ କରୁଛି । ରାଜ୍ୟରେ ସରକାର ବିରୋଧୀ ନୁହଁ, ସରକାର ସପକ୍ଷବାଦୀ ହାୱା ଥିବା ଅମିତ ଶାହାଙ୍କ ଭଳି ନେତାମାନେ ଦାବି କରୁଥିବା ବେଳେ ରାଜ୍ୟରେ ବିଜେପିର ଉପଯୁକ୍ତ ବିକଳ୍ପର ଅଭାବ ‘ଆପ୍’ର ଉତ୍ଥାନ ସହାୟକ ହେବ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ତେଣୁ, ଗୁଜରାଟ ନିର୍ବାଚନ ରୋଚକ ମୋଡରେ ରହିଛି ।
ଗୁଜରାଟରେ ବିଜେପିର ପ୍ରଚାର ମଂଗ ଧରି ଥିବା ପ୍ରଧାନମନ୍ତ୍ରୀ ମୋଦୀ ରେକର୍ଡ ସଂଖ୍ୟକ ନିର୍ବାଚନ ସଭା କରି ଆତଙ୍କବାଦରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବା ସହ ‘ହିନ୍ଦୁତ୍ୱ ଭୋଟ୍’ର ଧ୍ରୁବୀକରଣ ପାଇଁ ପ୍ରୟାସ କରୁଥିବା ବେଳେ ‘ଆମ ଆଦମୀ ପାର୍ଟି’ ଦିଲ୍ଲୀ ଓ ପଂଜାବ ଭଳି ଗୁଜରାଟରେ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ, ବେକାରଙ୍କ ପାଇଁ ନିଯୁକ୍ତି ଏବଂ ପ୍ରତ୍ୟେକ ମହିଳାଙ୍କୁ ନିର୍ଦ୍ଧିଷ୍ଟ ପରିମାଣର ଭତ୍ତା ଦେବାର ପ୍ରତିଶ୍ରୁତି ଦେଇ ପ୍ରଚାର ଅଭିଯାନକୁ ଶାଣିତ କରିଛି । ‘ଆପ୍’ର ‘ମାଗଣା ବଂଟା’ ପ୍ରତିଶ୍ରୁତି ଧୂଆଁବାଣ ଏବଂ ଅର୍ଥନୈତିକ ଦୃଷ୍ଟିରୁ କ୍ଷତିକାରକ କହି ବିଜେପି ଆକ୍ଷେପ କରୁଥିବା ସମୟରେ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରଧାନମନ୍ତ୍ରୀ ତାଙ୍କ ମିତ୍ରମାନଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ଋଣ ଛାଡ କରିଥିବା ବେଳେ ଦେଶବାସୀଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି କେମିତି ଅବାସ୍ତବ ହେଲା ବୋଲି ପାଲଟା ପ୍ରଶ୍ନ କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥାଇ କେଜରୀୱାଲ ଦିଲ୍ଲୀରେ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଇବା ମାଧ୍ୟମରେ ପଂଜାବବାସୀଙ୍କୁ ପ୍ରଭାବିତ କରିଥିଲେ ଓ ପଂଜାବରେ ‘ଆପ୍’ ସରକାର ପ୍ରତିଷ୍ଠା ସମ୍ଭବ ହୋଇଛି । ତେଣୁ, ଗୁଜରାଟବାସୀମଧ୍ୟ ‘ଆପ୍’ର ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ୨୭ ବର୍ଷର ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବେ ବୋଲି କେଜରୀୱାଲ ଆଶା କରୁଛନ୍ତି ।
ତେବେ, ଗୁଜରାଟ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ନିଜ ରାଜ୍ୟ ହୋଇଥିବା ଓ ରାଜ୍ୟରେ ବିଜେପିର ମୂଳଦୂଆ ସୁଦୃଢ ଥିବା କାରଣରୁ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ କିମ୍ବା ‘ଆପ୍’ ବିଜେପିକୁ କ୍ଷମତାଚ୍ୟୁତ କରିବା ସମ୍ଭାବନା କ୍ଷୀଣ ବୋଲି ରାଜନୈତିକ ସମୀକ୍ଷକମାନେ ଯୁକ୍ତି କରୁଛନ୍ତି । ପ୍ରଚାର ମଇଦାନରେ କଂଗ୍ରେସ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଗୁଜରାଟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଥିବ ବିଶ୍ୱାସ କରାଯାଉଛି । ‘ଆପ୍’ କେବଳ କଂଗ୍ରେସ ଭୋଟ ବିଭାଜନ କରିବାରେ ସକ୍ଷମ ହେବ ବୋଲି ପ୍ରାକ୍ ନିର୍ବାଚନ ସର୍ଭେ ଆକଳନ କହୁଛି । ଗୁଜରାଟ ଭଳି ଦିଲ୍ଲୀ ଏମସିଡ଼ି ନିର୍ବାଚନରେ କଂଗ୍ରେସ ଦୃଶ୍ୟମାନ ହେଉନଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପି, କଂଗ୍ରେସ ମଧ୍ୟରେ ହେବ ବୋଲି କଂଗ୍ରେସ ମୁଖ୍ୟପାତ୍ରମାନେ ଦାବି କରୁଛନ୍ତି । ସେମାନଙ୍କ ଯୁକ୍ତି ହେଉଛି, କଂଗ୍ରେସ ହେଉଛି ଦେଶରେ ମୁଖ୍ୟ ବିରୋଧୀ ଦଳ । ‘ଆପ୍’ ବେଲୁନ ଭଳି ଯେତେ ଫୁଲିଲେ ମଧ୍ୟ ଶେଷରେ ଫୁସୁୁକି ଯିବ ।
ଦିଲ୍ଲୀରେ ‘ଆପ୍’ କ୍ଷମତାରେ ରହିଛି । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଦଳର ୬୬ ବିଧାୟକ ରହିଛନ୍ତି । କିନ୍ତୁ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ମିଳି ନଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଜଣେ ଏଲଜି (ଲ୍ୟୁଟିନାଂଟ ଜେନେରାଲ)ଙ୍କୁ ନିଯୁକ୍ତି ଦେବା ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି । ଯାହାକି, ବିଜେପି ଓ ‘ଆପ୍’ ସରକାର ମଧ୍ୟରେ ବିବାଦର କାରଣ ରହିଛି । ଦିଲ୍ଲୀ ସରକାର ରାଜ୍ୟରେ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିବାକୁ ଚାହୁଁଥିବା ବେଳେ ଏଲଜି ସେଥିରେ ନାକ ପୁରାଇ ବିଭ୍ରାଟ କରୁଥିବାରୁ ରାଜ୍ୟ ସରକାର କ୍ଷୁବ୍ଧ । ନିର୍ବାଚନ ହେବାକୁ ଯାଉଥିବା ଦିଲ୍ଲୀ ଏମସିଡ଼ ତିନିଟି ଭାଗରେ ବିଭକ୍ତ ଅବସ୍ଥାରେ ବିଜେପିର ନିର୍ବାଚିତ ପରିଷଦ ଦ୍ୱାରା ପରିଚାଳିତ ହେଉଥିଲା । କେନ୍ଦ୍ର ସରକାର ଏମସିଡ଼ି ନିର୍ବାଚନ ଘୁଂଚାଇ ତିନି ଏମସିଡ଼ିର ଏକତ୍ରୀକରଣ କରିଛନ୍ତି ଏବଂ ପରେ ନିର୍ବାଚନ ତାରିଖ ଘୋଷଣା କରାଇଛନ୍ତି ।
ତିନି ଏମସିଡ଼କୁ ଏକତ୍ରୀକରଣ କରି ୱାର୍ଡ ସଂଖ୍ୟା ୨୫୦କୁ କମାଇ ଦିଆଯାଇଥିଲେ ମଧ୍ୟ ଦିଲ୍ଲୀର ମେୟର ଭାବେ ଯିଏ ନିର୍ବାଚିତ ହେବେ ତାଙ୍କ କ୍ଷମତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସମାନ ରହିବ । କେନ୍ଦ୍ର ସରକାର ସିଧାସଳଖ ଏମସିଡ଼ିକୁ ଅନୁଦାନ ଦେବା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ସଂକୁଚିତ କରିବା ଚକ୍ରାନ୍ତ କରିଛନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ଏମସିଡ଼ି ନିର୍ବାଚନ ‘ଆପ୍’ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏମସିଡ଼ି ଦଖଲ ପାଇଁ ବିଜେପି ଦିଲ୍ଲୀ ସରକାରରେ ଥିବା କଥିତ ଦୁର୍ନୀତି (ନୂତନ ଅବକାରୀ ନୀତିରେ ଦୁର୍ନୀତି ସହ ତିହାର ଜେଲରେ ‘ଆପ୍’ ମନ୍ତ୍ରୀଙ୍କୁ ମିଳୁଥିବା ଭିଆଇପି ସୁବିଧା)ର ଏକାଧିକ ଭିଡ଼ିଓ ଜାରି କରୁଛି ଓ ମୁଖ୍ୟମନ୍ତ୍ରୀ କେଜରୀୱାଲ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଲାଂଛନା ଦେଉଛି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଜେପି କ୍ଷମତାରେ ଥିବା ସମୟରେ ଏମସିଡ଼ିରେ ଚାଲି ଥିବା ଦୁର୍ନୀତି ଏବଂ କୁଢ କୁଢ ଅଳିଆ ଗଦାରେ ଥିବା ଦିଲ୍ଲୀ କଥା ଉଠାଇ ‘ଆପ୍’ କ୍ଷମତାକୁ ଆସିଲେ ସବୁ ଠିକ୍ କରି ଦେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଅଭିଯୋଗ ଓ ପ୍ରତିଶ୍ରୁତି ଲଢେଇରେ କେହି କାହାରିଠାରୁ କମ୍ ନଥିବା ସମୟରେ ଦିଲ୍ଲୀବାସୀ କାହାକୁ ଅଧିକ ଭରସାକୁ ନେବେ ତାହା ପ୍ରାୟ ୨୦ ଲକ୍ଷ ଭୋଟର ଆସନ୍ତା ୪ ତାରିଖ ଦିନ ନିର୍ଦ୍ଧାରଣ କରିବେ ।
ଏବେ ଆସିବା ଓଡ଼ିଶାକୁ । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ଆସନରେ ୫ ତାରିଖରେ ହେଉଥିବା ଉପ ନିର୍ବାଚନରେ ୨୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ ଏଥର ନିରଂକୁଶ ନଥିବା ଦେଖିବାକୁ ମିଳୁଛି । ୨୦୧୯ ନିର୍ବାଚନରେ ବିଜେଡ଼ି ଏହି ଆସରେ ଉଭୟ ବିଜେପି ଓ କଂଗ୍ରେସକୁ ପରାଜିତ କରିଥିଲା । ପଦ୍ମପୁର ବିଜେଡ଼ିର ଗଡ଼ ବୋଲି ମଧ୍ୟ ଜଣାଶୁଣା । ତେବେ, ବିଜେପି ପଦ୍ମପୁର ଦଖଲ ପାଇଁ କଳ, ବଳ, କୌଶଳ – ସବୁ ଲଗାଇ ଦେଇଛି । ନିକଟରେ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକାଠି ନିର୍ବାଚନୀ ସଭାରେ ଭାଷଣ ଦେବା ସହ ରାଜ୍ୟ ସରକାରଙ୍କୁ ମିଛୁଆ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲେ । କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ଏକପ୍ରକାର ଡେରା ପକାଇ ରହିଛନ୍ତି । ଏହାଛଡା, କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଓ ରାଜ୍ୟ ସରକାରଙ୍କ ବାଣିଜ୍ୟକର ବିଭାଗ ନିର୍ବାଚନରେ ପକ୍ଷଭୁକ୍ତ ହୋଇଥିବା ଦେଖିବାକୁ ମିଳିଛି । ସୋମବାର ଦିନ ଆୟକର ବିଭାଗ ଅଧିକାରୀମାନେ ପଦ୍ମପୁର ତିନି ଜଣ ବିଜେଡ଼ି ସମର୍ଥକ ବ୍ୟବସାୟୀଙ୍କ ଉପରେ ଚଢାଉ କରିଥିବା ବେଳେ ରାଜ୍ୟ ସରକାରଙ୍କ ଜିଏସଟି ଅଧିକାରୀମାନେ ବିଜେପି ସମର୍ଥକ କୁହାଯାଉଥିବା କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରିଛନ୍ତି । ଚଢାଉରୁ କଣ ମିଳିଲା, କେହି ଜାଣନ୍ତି ନାହିଁ । କିନ୍ତୁ, ଏହି ଚଢାଉ ପଦ୍ମପୁର ରାଜନୀତିକୁ ଅଧିକ ଆକ୍ରମଣାତ୍ମକ କରିଛି ।
୨୦୨୪ରେ ଓଡ଼ିଶା ଦଖଲ ପାଇଁ ବିଜେପି ରୋଡମ୍ୟାପ୍ ପ୍ରସ୍ତୁତ କରିଥିବାରୁ ଧାମନଗର (ଭଦ୍ରକ ଜିଲ୍ଲା) ପରେ ପଦ୍ମପୁରକୁ ପ୍ରୟୋଗଶାଳା କରିଥିବା ଆଲୋଚନା ହେଉଛି । ଅବଶ୍ୟ, ଧାମନଗର ଉପ ନିର୍ବାଚନରେ ବିଜେପିର ବିଜୟ ନେଇ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଏହି ବିଧାନସଭା ଆସନରୁ ୨୦୧୯ ନିର୍ବାଚନରେ ବିଜେପି ନେତା ବିଷ୍ଣୁ ସେଠୀ ବିଜୟୀ ହୋଇଥିଲେ । ତାଙ୍କ ଦେହାନ୍ତ କାରଣରୁ ହୋଇଥିବା ଉପ ନିର୍ବାଚନରେ ପୁଅ ସୁରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇ ନିର୍ବାଚିତ ହେଲେ । ପଦ୍ମପୁର ଆସନ ବିଜେଡ଼ି ଦଖଲରେ ଥିଲା । ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେଉଛି ଏବଂ ଦିବଂଗତ ବିଧାୟକଙ୍କ କନ୍ୟା ବର୍ଷାରାଣୀ ବିଜେଡ଼ି ପ୍ରାର୍ଥୀ ଅଛନ୍ତି । ୨୦୧୪ ନିର୍ବାଚନରେ ପଦ୍ମପୁରରୁ ବିଜୟୀ ହୋଇଥିବା ବିଜେପିର ପ୍ରଦୀପ ପୁରୋହିତ ଉପ ନିର୍ବାଚନରେ ଦଳର ପ୍ରାର୍ଥୀ ଅଛନ୍ତି । ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାରୁ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ ବିଜେଡ଼ି-ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ମତଦାତାଙ୍କ ମଧ୍ୟରୁ ୮୦ ପ୍ରତିଶତ ଚାଷୀ ହୋଇଥିବାରୁ ‘ଅନୁକଂପା’ ସହ ଚାଷୀଙ୍କ ସମର୍ଥନ ମଧ୍ୟ ଉଭୟ ବିଜେଡ଼ି, ବିଜେପି ପାଇଁ ବେଶ୍ ଗୁରୁତ୍ୱ ରଖୁଛି ।
ନିର୍ବାଚନ ମଣ୍ଡଳୀରେ ସେଚ ସୁବିଧାର ଅଭାବ, କାମଧନ୍ଦା ଅଭାବରୁ ବହୁ ସଂଖ୍ୟାରେ ଲୋକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ପ୍ରମୁଖ ପ୍ରସଙ୍ଗ ରହିଛି । ୨୦୨୧ ଖରିଫ ଋତୁରେ ମରୁଡ଼ିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ମଧ୍ୟ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଏହାଛଡା, ପଦ୍ମପୁରରୁ ନୂଆପଡାକୁ ରେଳପଥ ସଂଯୋଗରେ କେନ୍ଦ୍ରୀୟ ଅବହେଳା ଏବେ ଚର୍ଚ୍ଚାରେ ରହିଛି । ଉଭୟ ବିଜେଡ଼ି ଓ ବିଜେପି ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଏସବୁ ସମସ୍ୟା ପାଇଁ ପରସ୍ପରକୁ ଦାୟି କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଦ୍ୱୟ ପଦ୍ମପୁରରେ ନିର୍ବାଚନ ସଭା କରି ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଚାଷୀଙ୍କ ବୀମା ବାବଦ ଅର୍ଥ ରାଜ୍ୟ ସରକାରଙ୍କୁ ପୈଠ କରିସାରିଛନ୍ତି । ରାଜ୍ୟ ସରକାର ତାହା ଦେଇ ନାହାନ୍ତି ବୋଲି କୃଷି ମନ୍ତ୍ରୀ ତୋମର କହିଥିବା ବେଳେ ରେଳ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ରାଜ୍ୟ ସରକାର ରେଳପଥ ବିଛାଇବାକୁ ଜମି ଦେବାରେ ଅବହେଳା କରିଥିବାରୁ ପଦ୍ମପୁର-ନୂଆପଡା ରେଳପଥ ନିର୍ମାଣର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ ।
ପ୍ରଥମେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ବିଭ୍ରାନ୍ତିକର କହିଥିଲେ । ପରେ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଉଭୟ କେନ୍ଦ୍ର କୃଷି ମନ୍ତ୍ରୀ ତୋମର ଓ ରେଳ ମନ୍ତ୍ରୀ ବୈଷ୍ଣବଙ୍କ ଧଜ୍ଜିଆ ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କଂପାନୀମାନେ ବୀମାଭୁକ୍ତ ଚାଷୀଙ୍କଠାରୁ ବୀମା ରାଶି ସଂଗ୍ରହ କରିଥା’ନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବୀମା ରାଶି ବାବଦ ନିଜ ନିଜ ଅଂଶ ବୀମା କଂପାନୀରେ ଦାଖଲ କରନ୍ତି । ଫସଲ କ୍ଷତି ହେଲେ ସରକାର ନୁହେଁ,ବୀମା କଂପାନୀ ଚାଷୀଙ୍କୁ ଚୁକ୍ତି ମୁତାବକ ବୀମା ଅର୍ଥ ପୈଠ କରିଥା’ନ୍ତି । ଏହା ନିୟମ ଥିବା ବେଳେ କେନ୍ଦ୍ର ସରକାର ବୀମା ରାଶି ଅର୍ଥ ରାଜ୍ୟ ସରକାରଙ୍କୁ ଦେଇସାରିଛନ୍ତି, ରାଜ୍ୟ ସରକାର ତାହା ଚାଷୀଙ୍କୁ ନଦେଇ ରାଜନୀତି କରୁଛନ୍ତି ବୋଲି କୃଷି ମନ୍ତ୍ରୀ ତୋମର ଅଭିଯୋଗ କରିବା ଅମୂଳକ ଓ ବିଭ୍ରାନ୍ତିକର ବୋଲି ଆଚାର୍ଯ୍ୟ ଓ ମିଶ୍ର କହିଛନ୍ତି । ରେଳ ମନ୍ତ୍ରୀ ବୈଷ୍ଣବ ମଧ୍ୟ ମିଛ କହିଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ, ପ୍ରତ୍ୟାଭିଯୋଗ ମଧ୍ୟରେ ପ୍ରଦ୍ମପୁର ନିର୍ବାଚନ ହିଂସା ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଭୋଟର କାହାକୁ ବିଶ୍ୱାସକୁ ନେବେ, କାହାକୁ ଛାଡିବେ, ତାହା ୫ ତାରିଖ ମତଦାନରୁ ସ୍ପଷ୍ଟ ହୋଇଯିବ । ଡ଼ିସେମ୍ବର ୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ଉତ୍କଣ୍ଠାର ପରିସମାପ୍ତି ଘଟିବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS