ନିରପେକ୍ଷ ଆଲୋଚନାର ଯୁଗ ସରି ଆସୁଛି ?
ପ୍ରସାଦ ରାଓ
ଡ଼ିସେମ୍ବର ୦୧
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଶାସନ ପ୍ରତିଷ୍ଠା ହେବା ପରେ ଭାରତୀୟ ଗଣମାଧ୍ୟମର ଚରିତ୍ର ବହୁମାତ୍ରାରେ ବଦଳି ଯାଇଛି । ଅଧିକାଂଶ ଜାତୀୟ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ସରକାର-ବିରୋଧୀ ଆଲୋଚନା, ସମାଲୋଚନାରେ ଏକପ୍ରକାର ପୂର୍ଣ୍ଣଛେଦ ପଡି ଯାଇଛି । ଅପରପକ୍ଷରେ, କ୍ଷମତାରେ ଥିବା ଦଳର ନିକଟବର୍ତ୍ତୀ ହେବା ସକାଶେ ଗଣମାଧ୍ୟମରେ ଯେଉଁ ପ୍ରତିଯୋଗୀତା ଚାଲିଛି ସେଥିରୁ ‘ଗୋଦୀ ମିଡ଼ିଆ’ର ଜନ୍ମ ହୋଇଛି । ଯେଉଁ କିଛି ସାମ୍ବାଦିକ ନିଜର ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ବଜାୟ ରଖିବାକୁ ଚାହିଁଛନ୍ତି ସେମାନେ ମାଲିକଙ୍କ ଦ୍ୱାରା ବିତାଡିତ ହୋଇଛନ୍ତି ବା ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି । ଏହାର ଅନେକ ଉଦାହରଣ ରହିଛି । ତେବେ, ସଦ୍ୟ ଉଦାହରଣ ହେଉଛି, ନିଜର ନିରପେକ୍ଷତା ବଜାୟ ରଖିବାକୁ ଉଦ୍ୟମ କରିଥିବା ବୈଦ୍ୟୁତିକ ଗଣମାଧ୍ୟମ ଏନଡ଼ିଟିଭିର ମାଲିକାନା ମୋଦୀ ସରକାରଙ୍କ ସହ ଘନିଷ୍ଟ ଜଣେ ଶିଳ୍ପଦ୍ୟୋଗୀଙ୍କ ହାତକୁ ଚାଲିଯିବା ଏବଂ ଏହି ସଂସ୍ଥାର ପ୍ରତିଷ୍ଠାତା ପ୍ରଣୟ ରାୟ, ତାଙ୍କ ପତ୍ନୀ ରାଧିକା ରାୟ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ରଭିଶ କୁମାରଙ୍କ ଇସ୍ତଫା ।
ଦୀର୍ଘ ବର୍ଷ ଧରି ରଭିଶ କୁମାର ଏନଡ଼ିଟିଭି ସହ ଯୋଡି ହୋଇ ରହିଥିଲେ ଏବଂ ବିଭିନ୍ନ ସମ୍ବାଦ-ଭିତ୍ତିକ କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ । ସେଥିରୁ ଏନଡ଼ିଟିଭି ‘ପ୍ରାଇମଟାଇମ୍’ କାର୍ଯ୍ୟକ୍ରମ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ସେ ସିଧାସଳଖ କେନ୍ଦ୍ରରେ ଥିବା ସରକାର ଓ ଦଳର ନେତୃବର୍ଗଙ୍କୁ ଆଲୋଚନା ଓ ସମାଲୋଚନା କରୁଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟ ବଶ୍ ଲୋକପ୍ରିୟ ଥିଲା । ଦେଶର ପ୍ରମୁଖ ଶିଳ୍ପପତି ଆମ୍ବାନୀଙ୍କ ଜି-ନ୍ୟୁଜ୍ ନେଟୱାର୍କକୁ ଟକ୍କର ଦେବାକୁ ହେଉ ବା ସରକାର-ବିରୋଧୀ ସମାଲୋଚନାରେ ଲଗାମ ଲଗାଇବାକୁ ହେଉ ଅନ୍ୟତମ ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀ ପଛଦ୍ୱାର (?) ଦେଇ ଏନଡ଼ିଟିଭିକୁ ହାତେଇବା ପରେ ଏହାର ପ୍ରମୁଖ ଅଂଶୀଦାର ଓ ମାଲିକ ଥିବା ବରିଷ୍ଠ ରାଜନୈତିକ ବିଶ୍ଲେଷକ ପ୍ରଣୟ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ପରେ ପରେ ବୁଧବାର ଦିନ ଏହାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ରଭିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି ।
ତେବେ, ବିନା ଦର୍ଶକରେ ନିଜ କଥା ରଖିବା ସମ୍ଭବ ନଥିବାରୁ ରଭିଶ କୁମାର ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକ୍ ପୃଷ୍ଠା ମାଧ୍ୟମରେ ଦର୍ଶକଙ୍କ ସହ ଯୋଡି ହୋଇ ରହିବେ ବୋଲି ‘ପ୍ରାଇମଟାଇମ୍’ ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ବହୁ ବରିଷ୍ଠ ସାମ୍ବାଦିକ, ସଂପାଦକ ସରକାରଙ୍କୁ ସମାଲୋଚନା କରି ନିଜ ନିଜ ସଂସ୍ଥାରୁ ବିତାଡିତ ହୋଇଥିବା ବା ଇସ୍ତଫା ଦେଇଥିବାର ନଜରି ଥିଲେ ମଧ୍ୟ ଏନଡ଼ିଟିଭିରୁ ରଭିଶ କୁମାରଙ୍କ ଇସ୍ତଫା ତାଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବିଚଳିତ କରିଥିବା ଦେଖିବାକୁ ମିଳୁଛି । ସରକାରଙ୍କ ନୀତି ଓ କାର୍ଯ୍ୟକଳାପକୁ ନେଇ ନିରପେକ୍ଷ ଆଲୋଚନା ଓ ସମାଲୋଚନାକୁ ପସନ୍ଦ କରୁଥିବା ଟିଭି ଦର୍ଶକ ଓ ସାମ୍ବାଦିକମାନେ ଏନଡ଼ିଟିଭିର ଏଭଳି ଦୂରବସ୍ଥାକୁ ନେଇ ନିରାଶ ହୋଇଥିବା ସାମାଜିକ ଗଣମାଧ୍ୟମରେ ଆସୁଥିବା ପ୍ରତିକ୍ରିୟାରୁ ସ୍ପଷ୍ଟ ଅନୁମାନ କରି ହେଉଛି । ଅଧିକାଂଶ ଭାରତୀୟ ବୈଦ୍ୟୁତିକ ଗଣମାଧ୍ୟମ କେନ୍ଦ୍ର ସରକାରଙ୍କ ଗୋଡାଣିଆ ସାଜି ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତାଙ୍କ ଭାବମୂର୍ତ୍ତୀକୁ ଉଜ୍ୱଳ କରିବାରେ ମାତି ଥିବା ବେଳେ ପ୍ରଣୟଙ୍କ ମାଲିକାନାରେ ଏନଡ଼ିଟିଭି ଏକମାତ୍ର ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଥିଲା, ଯିଏକି ସରକାରଙ୍କ ନୀତି ଓ କାର୍ଯ୍ୟକୁ ଖୋଲାଖୋଲି ଆଲୋଚନା ଓ ସମାଲୋଚନା କରୁଥିଲା ।
ଏଥିସକାଶେ ପ୍ରଣୟ ରାୟ ସରକାରୀ ଆକ୍ରୋଶର ଶିକାର ହୋଇଥିଲେ ମଧ୍ୟ ଏନଡ଼ିଟିଭିର ନିରପେକ୍ଷତାକୁ ନେଇ ସାଲିସ କରିନଥିଲେ । ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ରଭିଶ କୁମାର ତାଙ୍କ ‘ପ୍ରଇମଟାଇମ୍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଣୟଙ୍କ ଆଜେଣ୍ଡାକୁ ଆଗକୁ ନେବା ସହ ମୋଦୀ ସରକାରଙ୍କୁ ଅଣନିଶ୍ୱାସୀ କରୁଥିଲେ । ଶିଳ୍ପପତି ଗୌତମ ଆଦାନୀ ଏନଡ଼ିଟିଭି ମାଲିକାନା ହାତେଇବା ପରେ ପ୍ରଣୟ ରାୟ ଓ ରାଧିକା ରାୟ ତାହାର ବିରୋଧ କରି ବିଫଳ ହୋଇଥିବା ବେଳେ ରଭିଶ କୁମାରଙ୍କ ଇସ୍ତଫା ନେଇ କିଛି ଦିନ ହେଲା ବେଶ୍ ଚର୍ଚ୍ଚା ଚାଲିଥିଲା । ତେବେ, ରଭିଶ ତାହାକୁ ଅସ୍ୱୀକାର କରି ଆସୁଥିଲେ ଏବଂ ଠିକ୍ ରାତି ୯ଟା ବାଜିଲେ ‘ପ୍ରାଇମଟାଇମ୍’ ଦେଖିବାକୁ ‘ପ୍ରମୋ’ ମାଧ୍ୟମରେ ଟିଭି ଦର୍ଶକଙ୍କୁ ନିବେଦନ କରୁଥିଲେ । ପ୍ରଥମେ ପ୍ରଣୟ ଓ ରାଧିକା ଏନଡ଼ିଟିଭିରୁ ଇସ୍ତଫା ଦେବା ଘୋଷଣା କରିବା ପରେ ବୁଧବାର ରଭିଶ କୁମାର ଇସ୍ତଫା ଘୋଷଣା ସାମ୍ନାକୁ ଆସିଛି ଓ ନିରପେକ୍ଷ ସାମ୍ବାଦିକତାକୁ ପସନ୍ଦ କରୁଥିବା ଦର୍ଶକଙ୍କୁ ହତାଶ କରିଛି ।
୨୦୧୪ ପରେ ଦେଶର ଅଧିକାଂଶ ଟିଭି ନ୍ୟୁଜ୍ ଚ୍ୟାନେଲ ପକ୍ଷଭୁକ୍ତ ରହି ସରକାରଙ୍କ ଗୁଣଗାନ କରୁଥିବାରୁ ଦର୍ଶକ ବିତସ୍ପୃହ ଥିଲେ । ଏନଡ଼ିଟିଭିର ନିରପେକ୍ଷତା ଦର୍ଶକଙ୍କ ଦ୍ୱାରା ଆଦୃତ ଥିଲା । ଏବେ, ଆଦାନୀଙ୍କ ମାଲିକାନାରେ ଏହି ସଂସ୍ଥା ଗୋଦୀ ମିଡ଼ିଆରେ ଅନ୍ତର୍ଭୁକ୍ତ ହୋଇଯିବା ସମ୍ଭାବନା ଦର୍ଶକଙ୍କୁ ବିବ୍ରତ କରୁଛି । ରଭିଶ କୁମାର ୧୯୯୬ରୁ ‘ନ୍ୟୁ ଦିଲ୍ଲୀ ଟେଲିଭିଜନ ନେଟୱାର୍କ’ ବା ଏନଡ଼ିଟିଭି ସହ ଯୋଡି ହୋଇ ରହି ଆଂକର ଭାବେ ବିଭିନ୍ନ ସମ୍ବାଦ-ଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉକ୍ରର୍ଷତା ପାଇଁ ତାଙ୍କୁ ଦୁଇ ଥର ରାମନାଥ ଗୋଏଙ୍କା ପୁରସ୍କାର ଓ ୨୦୧୯ରେ ରମନ ମାଗସେସେ ପରୁସ୍କାର ମିଳିଥିଲା । ରଭିଶ ଏନଡ଼ିଟିଭିରୁ ଇସ୍ତଫା ଦେବା ପରେ ଭାରତୀୟ ଗଣତନ୍ତ୍ର ପ୍ରତି ଗୁରୁତର ବିପଦ ଦେଖା ଦେଇଥିବା ଦର୍ଶାଇ ସରକାରଙ୍କୁ ପ୍ରଶ୍ନ କରୁଥିବା ସାମ୍ବାଦିକଙ୍କୁ ସମର୍ଥନ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
ଦେଶରେ ବିଚାର ବ୍ୟବସ୍ଥା ତୃଟିପୂର୍ଣ୍ଣ ଥିବା ବେଳେ କ୍ଷମତାରେ ଥିବା ଲୋକମାନେ ବିରୋଧର ସ୍ୱର ଦବାଇ ଦେବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି । ନିରପେକ୍ଷ ସାମ୍ବାଦିକତା ବଜାୟ ରଖିବା ପାଇଁ ଦର୍ଶକଙ୍କ ଆବଶ୍ୟକତା ଥିବାରୁ ସେ ନିଜ ୟୁଟ୍ୟୁବ ଚ୍ୟାନଲ୍ ଓ ଫେସବୁକ୍ ପୃଷ୍ଠା ମାଧ୍ୟମରେ ଏହି ଦାୟିତ୍ୱ ସଂପାଦନ କରିବେ ବୋଲି ମଧ୍ୟ ସମର୍ଥକଙ୍କୁ ଆଶ୍ୱସ୍ତ କରିଛନ୍ତି । ଆଜି ଦିନରେ ମୁଖ୍ୟସ୍ରୋତ ଗଣମାଧ୍ୟମ ପାଠକ ଓ ଦର୍ଶକଙ୍କୁ ନିୟନ୍ତ୍ରିତ କରୁଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମର ପ୍ରଭାବ ମଧ୍ୟ କିଛି କମ୍ ନଥିବାରୁ କେନ୍ଦ୍ର ସରକାର ତାହା ଉପରେ ଅଂକୁଶ ଲଗାଇବା ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟସ୍ରୋତ ଗଣମାଧ୍ୟମଗୁଡିକ ମଧ୍ୟ ସାମାଜିକ ଗଣମାଧ୍ୟମ ଉପରେ ଖପ୍ପା । ସରକାରଙ୍କ ଅଂକୁଶ ଲଗାଇବା ଉଦ୍ୟମକୁ ସେମାନେ ସମର୍ଥନ କରୁଛନ୍ତି । ନିରପେକ୍ଷ ଆଲୋଚନା ଓ ସମାଲୋଚନାର ଯୁଗ ସରି ଆସୁଛି ବୋଲି ଧାରଣା ସୃଷ୍ଟି ହୋଇଥିବା ବେଳେ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ରଭିଶ କୁମାର ନିଜର ନିରପେକ୍ଷତା ବଜାୟ ରଖିବାରେ କେତେଦୂର ସକ୍ଷମ ହେବେ ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS