ନିର୍ବାଚନ ରାଜନୀତିରେ ‘ଅପଶବ୍ଦ’ର ଖେଳ..
ପ୍ରସାଦ ରାଓ
ଡ଼ିସେମ୍ବର ୦୨
ଆଜିର ଦିନରେ ଭାରତୀୟ ରାଜନୀତି ଆଉ ‘ପ୍ରସଙ୍ଗ’ ଭିତ୍ତିକ ରହି ନାହିଁ, ‘ଶବ୍ଦ’ ଓ ‘ଅପଶବ୍ଦ’କୁ ନେଇ ରାଜନୀତି ଚାଲିଛି । ଶାସକ ଓ ବିରୋଧୀ ସର୍ବସାଧାରଣରେ ନିଜର ପାରିବା ପଣିଆକୁ ସାବ୍ୟସ୍ତ କରିବା ପାଇଁ ‘କାର୍ଯ୍ୟ’ ଅପେକ୍ଷା ‘ଶବ୍ଦ’ର ଅଧିକ ପ୍ରୟୋଗ କରୁଛନ୍ତି । କାରଣ, ‘କାମ’ ଅପେକ୍ଷା ‘ଭାବପ୍ରବଣତା’ ରାଜନୀତିରେ ଅଧିକ ମାଇଲେଜ୍ ଦେଉଛି, ତାହା ଗଲା ଆଠ ବର୍ଷ ମଧ୍ୟରେ ପ୍ରମାଣିତ ହେଲାଣି । କେଉଁ ନେତାଙ୍କ ପାଟିରୁ କେତେବେଳେ କେଉଁ ଆକ୍ଷେପାତ୍ମକ ଶବ୍ଦ ଖସିବ, ତାହାକୁ ଚାହିଁ ବସିଛନ୍ତି ରାଜନେତାମାନେ । ଯଦି କିଛି ମିଳି ଗଲା, ସେଥିରୁ କେମିତି ରାଜନୈତିକ ଫାଇଦା ହାସଲ ହୋଇପାରିବ ଦେଖୁଛନ୍ତି ସେମାନେ । ବିଭିନ୍ନ ରାଜନୈତିକ ଦଳର ଆଇଟି ସେଲ୍ ଏବେ ଏହି କାର୍ଯ୍ୟରେ ମାତିଛନ୍ତି । କାରଣ, ନିର୍ବାଚନ ସମୟ ଆସିଲେ ନିଜ ନିଜ ଦଳର ନେତାଙ୍କୁ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରିବା ପାଇଁ ସେମାନଙ୍କ ନିକଟରେ ସକାରାତ୍ମକ କାର୍ଯ୍ୟର କୌଣସି ତାଲିକା ରହୁ ନାହିଁ । ନକାରାତ୍ମକ ପ୍ରଚାର ହିଁ ଜନତାକୁ ପ୍ରଭାବିତ କରି ପାରିବ ଓ ଜନତା ଭାବପ୍ରବଣ ହେଲେ ଧ୍ରୁବୀକରଣ ସହଜ ହୋଇପାରିବ, ତାହା ପରୀକ୍ଷା କରି ସାରିଲେଣି ରାଜନେତାମାନେ ।
‘ଶବ୍ଦ’କୁ ନେଇ ଦେଶରେ ଯେଉଁ ରାଜନୀତିର ଖେଳ ଚାଲିଛି ତାହାର ସଦ୍ୟ ଉଦାହରଣ ହୋଇଛି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସ ସଭାପତି ଏମ.ମଲ୍ଲିକାର୍ଜୁନ ଖାର୍ଗେ ପ୍ରୟୋଗ କରିଥିବା ‘ରାବଣ’ ଶବ୍ଦ । ଏଆଇସିସି ସଭାପତି ହେବା ପରେ ଖାର୍ଗେ ପ୍ରଥମ କରି ନିର୍ବାଚନ ସଭାରେ ଭାଷଣ ଦେବାକୁ ଗୁଜରାଟ ଯାଇଥିଲେ । ଖାର୍ଗେଙ୍କ ଭାଷଣର ସାରମର୍ମ ଥିଲା, ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, କୌଣସି ଦଳର ପ୍ରଧାନମନ୍ତ୍ରୀ ବା ପ୍ରଚାରକ ନୁହନ୍ତି । ତଥାପି ନିର୍ବାଚନ ଆସିଲେ ସେ ଦେଶର ସମସ୍ୟାକୁ ଛାଡି ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ବାହାରି ଯାଉଛନ୍ତି । ସେ କାଉନସିଲ୍ ନିର୍ବାଚନ ହେଉ ବା ଲୋକସଭା, ବିଧାନସଭା ନିର୍ବାଚନ ହେଉ । ସବୁ ନିର୍ବାଚନରେ ତାଙ୍କୁ ଦେଖିବାକୁ ମିଳୁଛି । ରାବଣ ଭଳି ତାଙ୍କର ଶହେ ମୁଣ୍ଡ ଅଛି କି, ଯାହାକୁ ସବୁ ବେଳେ ଆମକୁ ଦେଖିବାକୁ ପଡିବ ? ଦକ୍ଷିଣ ଭାରତୀୟ ନେତା ଖାର୍ଗେଙ୍କ ପାଟିରୁ ‘ରାବଣ’ ଶବ୍ଦ ଖସିଛି ଯେ, ପାନରୁ ଚୁନ ଖସିଲା ଭଳି ବିଜେପି ନେତାଏ ତାହାକୁ ଅସ୍ତ୍ର କରି କଂଗ୍ରେସକୁ ବହେ ଛେଚୁଛନ୍ତି ।
ଦକ୍ଷିଣ ଭାରତୀୟ ନେତା ଖାର୍ଗେଙ୍କ ହିନ୍ଦି ଭାଷା ଉପରେ ନିୟନ୍ତ୍ରଣ କମ୍ । ରାଜ୍ୟସଭାରେ ସେ ବିରୋଧୀ ଦଳ ନେତା ଥିଲେ ଏବଂ ଯେତିକି ଆବଶ୍ୟକ ସେତିକି କହୁଥିଲେ । କଂଗ୍ରେସ ସଭାପତି ହେବା ପରେ ସେ ପ୍ରଥମ କରି ଗୁଜରାଟ ନିର୍ବାଚନ ସଭାରେ ହିନ୍ଦିରେ ଭାଷଣ ଦେଇ ମୋଦୀଙ୍କ ଶହେ ମୁଣ୍ଡ ଅଛି କି ବୋଲି ପ୍ରଶ୍ନ କରି ଦେବାରୁ ବାକ୍ ପଟୁ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ଜନତାଙ୍କୁ ନିଜ ମାତୃଭାଷାରେ ଭାଷଣ ଦେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କଂଗ୍ରେସ ତାଙ୍କୁ ‘ରାବଣ’ କହିଲା । ବିରୋଧୀ କଂଗ୍ରେସ ନେତା ଖାର୍ଗେଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, ତାଙ୍କ ପ୍ରତି ପ୍ରୟୋଗ କରାଯାଇଥିବା ‘ରାବଣ’ ଶବ୍ଦ ଗାନ୍ଧୀ ପରିବାର ଦ୍ୱାରା ପ୍ରରୋଚିତ, ଯାହାକି ନିନ୍ଦନୀୟ କହି ସେ ଗୁଜରାଟ ଭୋଟରଙ୍କୁ କଂଗ୍ରେସ ପ୍ରତି ବିମୁଖ କରିବାକୁ ଉଦ୍ୟମ କରୁଛନ୍ତି ।
ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ସରିଛି । ୧୮୨ ବିଧାନସଭା ଆସନରୁ ୮୯ ଆସନରେ ଗତକାଲି ଭୋଟ ହୋଇଛି । ସୋମବାର (୫ ତାରିଖ) ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ କଂଗ୍ରେସର ‘ରାବଣ’ ଶବ୍ଦ ବିଜେପିକୁ ବେଶ୍ ରାଜନୈତିକ ମାଇଲେଜ୍ ଦେଉଥିବା ଦେଖିବାକୁ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗୁଜରାଟରେ ପ୍ରଚାର ଅଭିଯାନରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଅହମ୍ମଦାବାଦରେ ୫୦ କିମି ‘ରୋଡ୍ ସୋ’ କରି ଅହମ୍ମଦାବାଦର ୧୬ଟି ବିଧାନସଭା ଆସନରୁ ୧୩ଟିକୁ ଅତିକ୍ରମ କରିଥିଲେ । ସାଢେ ଚାରି ଘଂଟା ଧରି ଏହି ‘ରୋଡ୍ ସୋ’ ବା ଭବ୍ୟ ପଟୁଆର ଚାଲିଥିଲା । ପଂଚମହଲ ଜିଲ୍ଲାର କାଲୋଲ ସହରରେ ପ୍ରଧାନମନ୍ତ୍ରୀ ନିର୍ବାଚନ ସଭାରେ ଭାଷଣ ଦେଇଥିଲେ ଓ ଏଆଇସିସି ସଭାପତି ଖାର୍ଗେଙ୍କ ‘ରାବଣ’ ଉକ୍ତିର ବ୍ୟବଚ୍ଛେଦ କରିଥିଲେ ।
ଗୁଜରାଟ ହେଉଛି ରାମ ଭକ୍ତଙ୍କ ମାଟି । ତାଙ୍କୁ ‘ରାବଣ’ ବୋଲି ଆକ୍ଷେପ କରାଯିବା ଗୁଜରାଟବାସୀଙ୍କ ପାଇଁ ମଧ୍ୟ ଅପମାନସୂଚକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ତାଙ୍କ ପ୍ରତି କିଏ କେତେ ଅପଶବ୍ଦ ପ୍ରୟୋଗ କରି ପାରିବ ସେନେଇ ବିରୋଧୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିିଛି । କଂଗ୍ରେସ ଭଗବାନ ରାମଚନ୍ଦ୍ରଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଥିଲେ ମଧ୍ୟ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣକୁ ସମର୍ଥନ କରି ପାରୁନି । ରାମ ସେତୁକୁ ମଧ୍ୟ କଂଗ୍ରେସ ବିରୋଧ କରୁଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ମୁଖ୍ୟ ଖାର୍ଗେଙ୍କ ‘ରାବଣ’ ଉକ୍ତିକୁ ନେଇ ଗୁଜରାଟ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ୟମ ଜାରି ରଖିଥିବା ବେଳେ ବିଜେପି ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଏଆଇସିସିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ‘ମୌତ କି ସୌଦାଗର’ ମନ୍ତବ୍ୟରୁ ଆରମ୍ଭ କରି ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀଙ୍କ ‘ଔକାତ୍’ ମନ୍ତବ୍ୟ ପର୍ଯ୍ୟନ୍ତ ଯେତେସବୁ ଅପଶବ୍ଦ ପ୍ରୟୋଗ ହୋଇଛି ସେସବୁକୁ ଦୋହରାଉଛନ୍ତି । ଏସବୁ ପାଇଁ କଂଗ୍ରେସ ନେତୃତ୍ୱ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ବୋଲି ସେମାନେ ଦାବି କରୁଛନ୍ତି ।
ବିଜେପିର ଏହି ରଣନୀତିକୁ ନେଇ କଂଗ୍ରେସ ନେତୃତ୍ୱ ନୀରବ ଥିଲେ ମଧ୍ୟ ଗୁଜରାଟର କଂଗ୍ରେସ ନେତ୍ରୀ ମୁମତାଜ ପଟେଲ ନିଜର ପ୍ରତିକ୍ରିୟା ରଖି କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପର୍କରେ କିଛି କହିବା ବେଳେ ସତର୍କ ହୋଇ ଶବ୍ଦ ଚୟନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ମୁହଁରୁ ଖସୁଥିବା ପ୍ରତ୍ୟେକ ଶବ୍ଦକୁ ବିଜେପି ନିଜର ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଥିବାରୁ କଂଗ୍ରେସ ଓ ଅନ୍ୟ ଦଳର ନେତାମାନେ ସତର୍କ ହୋଇ ଶବ୍ଦର ବ୍ୟବହାର କରିବା ଆବଶ୍ୟକ । ମୁମତାଜ ହେଉଛନ୍ତି, ଗୁଜରାଟ କଂଗ୍ରେସର ଦିବଂଗତ ନେତା ଅହମ୍ମଦ ପଟେଲଙ୍କ କନ୍ୟା । ଅହମ୍ମଦ ପଟେଲ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ଏବଂ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୭୧ ବର୍ଷ ବୟସରେ ପଟେଲଙ୍କ ୨୦୨୦ରେ କୋଭିଡ଼ରେ ଦେହାନ୍ତ ହୋଇଥିଲା ।
ଗୁଜରାଟର ଭାରୁଚରୁ କଂଗ୍ରେସ ନେତ୍ରୀ ଥିବା ମୁମତାଜ ପଟେଲ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳରୁ ପ୍ରାର୍ଥୀ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରି ନଥିବା କହିଛନ୍ତି । ଦଳ ପାଇଁ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିନଥିଲେ ମଧ୍ୟ ଦିବଂଗତ ନେତା ଅହମ୍ମଦ ପଟେଲଙ୍କ କନ୍ୟା ଭାବେ କଂଗ୍ରେସରେ ତାଙ୍କର ପ୍ରଭାବ ରହିଛି । ଭାଷଣ ଦେବା ସମୟରେ କଂଗ୍ରେସ ଓ ଅନ୍ୟ ବିରୋଧୀ ନେତାମାନେ ସତର୍କତାର ସହ ଶବ୍ଦ ଚୟନ କରିବାକୁ ମୁମତାଜଙ୍କ ପରାମର୍ଶରେ ପରିପକ୍ୱତା ରହିଛି । ବିଜେପି ବିରୋଧୀ ନେତାମାନେ ସତର୍କ ହେବେ ବୋଲି ମଧ୍ୟ ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମଧୁସୂଦନ ମିସ୍ତ୍ରୀଙ୍କ ‘ଔକାତ୍’ ଶବ୍ଦ ଏବଂ ଏଆଇସିସି ସଭାପତି ଖାର୍ଗେଙ୍କ ‘ରାବଣ’ ଶବ୍ଦ ଗୁଜରାଟବାସୀଙ୍କୁ କେତେ ପରିମାଣରେ ପ୍ରଭାବିତ କରିଛି, ତାହା ୮ ତାରିଖ ଭୋଟ ଫଳାଫଳରୁ ସ୍ପଷ୍ଟ ହୋଇଯିବ । ତଥାପି, କଂଂଗ୍ରେସ ଓ ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ମନ୍ତବ୍ୟ ଦେବା ବେଳେ ସତର୍କତାର ସହ ଶବ୍ଦ ଚୟନ ନକଲେ ଶାସକ ଦଳ ‘କଥାରୁ ନଥା’ କାଢିବ ଏବଂ ବିରୋଧୀଙ୍କ ପାଇଁ ତାହା ବୁମେରାଂ ହେବ, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS