ପଦ୍ମପୁର ଅଗ୍ନି ପରୀକ୍ଷା ନବୀନ ବନାମ ବିଜେପି !
ପ୍ରସାଦ ରାଓ
ଡିସେମ୍ବର ୦୩
ଗୋଟିଏ ପଟେ ବରିହା ପରିବାରର ଝିଅ ବର୍ଷାରାଣୀ, ଅନ୍ୟପଟେ ଅଂଚଳବାସୀଙ୍କ ସୁଖ, ଦୁଃଖର ସାଥୀ ରହି ଥିବା କୁନା (ପ୍ରଦୀପ) ପୁରୋହିତ । ବର୍ଷା ବିଜେଡ଼ିରୁ ପ୍ରାର୍ଥୀ ଥିବା ବେଳେ କୁନା ପୁରୋହିତ ବିଜେପିରୁ ପ୍ରାର୍ଥୀ । ଓଡ଼ିଶା ବରଗଡ ଜିଲ୍ଲାର ମତଦାତା ସୋମବାର ଦିନ ବାଛିବେ ଦୁହିଁଙ୍କ ମଧ୍ୟରୁ ଜଣକୁ । ଜନସଂପର୍କ ଓ ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ପ୍ରଦୀପ ପୁରୋହିତ ଆଗୁଆ ଥିବା ବେଳେ ବର୍ଷାଙ୍କ ପରିଚୟ, ସେ ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବିଜୟ ରଂଜନ ସିଂହ ବରିହାଙ୍କ ବଡ଼ ଝିଅ । ବାହା ହୋଇଛନ୍ତି ପୁରୀ ଜିଲ୍ଲାର ଜଣେ ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହଙ୍କ ପୁଅକୁ । ବର୍ଷା ନିର୍ବାଚିତ ହେଲେ ବାପ ଘରେ ରହି ଅଂଚଳବାସୀଙ୍କ ଦୁଃଖ, ସୁଖର ସାଥୀ ହେବେ ନା ଶ୍ୱଶୁର ଘରୁ ବିଧାୟକ କାର୍ଯ୍ୟ ସଂପାଦନ କରିବେ ? ଏହି ପ୍ରଶ୍ନକୁ ନେଇ ବିଜେଡ଼ିକୁ ଘେରିଛି ବିଜେପି । ଅପରପକ୍ଷରେ, ନିର୍ବାଚିତ ହେଲେ ବାପା ଘରେ ରହି ଲୋକଙ୍କ ସେବା କରିବେ ବୋଲି ବର୍ଷା ସଫେଇ ଦେବାରେ ଦିନ ବିତି ଯାଇଛି ।
୨୦୧୯ରେ ପଦ୍ମପୁର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ବିଜୟ ରଂଜନ ସିଂହ ବରିହାଙ୍କ ଗଲା ଅକ୍ଟୋବର ୩ ତାରିଖରେ ଦେହାନ୍ତ ହେବାରୁ ସେହି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । ସୋମବାର ଭୋଟ ହେବାକୁ ଥିବା ବେଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର (୨ ତାରିଖ) ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରଚାରର ମୁଣ୍ଡି ମାରିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରଚାର ଆରମ୍ଭରୁ ବିଜେପିର ମଂଗ ଧରି ଥିବା ବେଳେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର (କୃଷି ମନ୍ତ୍ରୀ) ଓ ଅଶ୍ୱୀନି ବୈଷ୍ଣବ (ରେଳ ଓ ଆଇଟି ମନ୍ତ୍ରୀ) ପଦ୍ମପୁରରେ ନିର୍ବାଚନୀ ସଭା କରି ବିଜେଡ଼ି ବିରୋଧରେ ବର୍ଷି ଥିଲେ । ରାଜ୍ୟରେ ୨୨ ବର୍ଷରୁ ଅଧିକ ସମୟ ହେଲା ଶାସନରେ ଥିବା ବିଜେଡ଼ି ଉପ ନିର୍ବାଚନରେ ବିଜୟ ପାଇଁ ଅଂଚଳବାସୀଙ୍କୁ ଭଣ୍ଡାଇ ଚାଲିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଶୁକ୍ରବାର ଦିନ ପଦ୍ମପୁର ଯାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ରାଲି କରିବା ସହ ଝିଅ-ବୋହୂ ମଧ୍ୟରେ ଥିବା ଫରକ ଭୋଟରଙ୍କୁ ବୁଝାଇଛନ୍ତି ।
ଝିଅ ବାହା ହେଲା ପରେ ଶାଶୁ ଘରର ହୋଇଗଲା । ତା’ ପାଇଁ ବାପ ଘର ହେଉଛି କୁଣିଆ । ବର୍ଷାରାଣୀ ପଦ୍ମପୁରରୁ ବିଧାୟିକା ନିର୍ବାଚିତ ହେଲେ ମଧ୍ୟ କଣ ଶାଶୁ ଘର ଛାଡି ବାପ ଘରେ ରହି ପାରିବେ ନା ଅଂଚଳବାସୀଙ୍କ ଦୁଃଖ, ସୁଖର ସାଥୀ ହୋଇପାରିବେ ? ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏହି ପ୍ରଶ୍ନ ବିଜେଡ଼ି ଓ ତାହାର ପ୍ରାର୍ଥୀ ବର୍ଷାରାଣୀ ବରିହାଙ୍କ ପାଇଁ ଅଡୁଆ ବଢାଇଛି । ସେ ବାପାଙ୍କ ସହ ଥିବା ବେଳେ ଅଂଚଳ ରାଜନୀତିକୁ ଭଲରେ ବୁଝିଛନ୍ତି । ବାପା ତାଙ୍କର ଅଂଚଳବାସୀଙ୍କ ସେବା କରି ଆସୁଥିଲେ । ସେ ନିର୍ବାଚିତ ହେଲେ ବାପ ଘରେ ରହି ସେହି ସେବା କାର୍ଯ୍ୟକୁ ଆଗେଇ ନେବେ ବୋଲି ବର୍ଷାରାଣୀ କାନ୍ଦିକୁନ୍ଦି ପ୍ରଚାର କରୁଥିଲେ ମଧ୍ୟ ଅଂଚଳବାସୀ
ତାହାକୁ କେତେଦୂର ବିଶ୍ୱାସକୁ ନେବେ, ତାହା ବଡ ପ୍ରଶ୍ନ ହୋଇଛି । ତଥାପି, ନିର୍ବାଚନ ପ୍ରଚାର ସମୟରେ ଦିବଂଗତ ବିଧାୟକ ବିଜୟ ରଂଜନଙ୍କ କନ୍ୟା ଭାବେ ବର୍ଷାଙ୍କୁ ମିଳୁଥିବା ଆଦର, ସମ୍ମାନ ବିଜେଡ଼ିର ବଡ ପୁଂଜି ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଦ୍ମପୁର ଯାଇ ବିଜେଡ଼ି ପ୍ରଚାରରେ ମୁଣ୍ଡି ମାରିଛନ୍ତି । ବିଭିନ୍ନ ସ୍ଥାନରେ ତିନିଟି ସଭା କରି କେନ୍ଦ୍ର ଉପରେ ବର୍ଷିଛନ୍ତି । ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ସଭା କରି ରାଜ୍ୟର ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଓ ପଦ୍ମପୁର ଦେଇ ନୂଆପଡାକୁ ରେଳ ଲାଇନ ବିଛା କାର୍ଯ୍ୟରେ ଅଗ୍ରଗତି ନହେବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବିଭ୍ରାନ୍ତିକର ବୋଲି କହିଛନ୍ତି । କେନ୍ଦ୍ର ସରକାର ଫସଲ ବୀମା ଅର୍ଥ ଦବାଇ ରଖିଥିଲେ । ପଦ୍ମପୁର ଚାଷୀ ବିଜେପି ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନ ଦେବାରୁ କେନ୍ଦ୍ର ସରକାର ବାଧ୍ୟ ହୋଇ ବୀମା ଅର୍ଥ ରିଲିଜ୍ କଲେ ବୋଲି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କହିଛନ୍ତି । କେନ୍ଦ୍ର ସରକାର ସୁନା ଉପରେ ୩ ପ୍ରତିଶତ ଜିଏସଟି ନେଉଥିବା ବେଳେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ଥିବା କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇବା କେତେଦୂର ଯୁକ୍ତି ସଂଗତ ବୋଲି ପ୍ରଶ୍ନ କରିଛନ୍ତି ।
ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଗଲା ବୋଲି ସରକାରୀ ବିଜ୍ଞପ୍ତି ଧରି ପଦ୍ମପୁର ଆସିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଆହ୍ୱାନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଶୁକ୍ରବାର ସଭାରେ ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଘୋଷଣା କରି ବିଜେପିର ମୁହଁ ବନ୍ଦ କରିଛନ୍ତି । ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳ ବିଜେଡ଼ି ପ୍ରାର୍ଥୀ ବର୍ଷରାଣୀଙ୍କ ସଂପର୍କରେ ବିଜେପି ନେତାମାନେ ବ୍ୟକ୍ତିଗତ ଟିପ୍ପଣୀ ଦେଉଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ସେଥିରୁ କ୍ଷାନ୍ତ ରହି କାମ କରନ୍ତୁ ବୋଲି ମଧ୍ୟ କଡା ଭାଷାରେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ଓ ସେଠାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ୨୦୧୪ ପାଇଁ ବିଜେଡ଼ିର ରଣନୀତିକୁ ଉଜାଗର କରିଥିବା ବେଳେ ପଦ୍ମପୁର ଉପ ନିର୍ବାଚନରେ ବିଜୟ ପାଇଁ ମଧ୍ୟ ସହାୟକ ହେବ ବୋଲି ବିଜେଡ଼ି ଆଶା ରଖିଛି ।
ପଦ୍ମପୁର ବିଧାନସଭା ଉପ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୃତିକଟୁ ପ୍ରଚାର ଚାଲି ଥିଲା । ଶାସକ ବିଜେଡ଼ି ରାଜ୍ୟ ଶାସନ ଓ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ପଦ୍ମପୁର ସବ୍ ଡିଭିଜନକୁ ଉଠାଇ ନେଇଥିବା ବେଳେ ବିଜେପି ମଧ୍ୟ ପଛରେ ନଥିଲା । ଦଳର ପ୍ରାୟ ସମସ୍ତ ବିଧାୟକ, ନେତା ଓ କର୍ମୀ ପଦ୍ମପୁରରେ ଡେରା ପକାଇ ଥିଲେ । ଓଡ଼ିଶାରେ ବିଜେପିର ମୁହଁ କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଆରମ୍ଭରୁ ସେଠାରେ ଡେରା ପକାଇଛନ୍ତି । ବିଜେପି ପ୍ରାର୍ଥୀ କୁନା ପୁରୋହିତ ବା ପ୍ରଦୀପ ପୁରୋହିତ ବିଭିନ୍ନ ଜନଆନ୍ଦୋଳନରୁ ନିଜ ରାଜନୈତିକ ଜୀବନ ଗଢି ଥିବାରୁ ପଦ୍ମପୁର ବିଧାୟକ ହେବାକୁ ସେ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଦାବି କରିବା ସହ ଭୋଟରମାନେ ତାଙ୍କୁ ନିର୍ବାଚିତ କରି ସୁଖ, ଦୁଃଖର ସାଥୀ କରିବାକୁ ଆହ୍ୱାନ ଦେଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚ୍ୟାଲେଂଜ କରି ପ୍ରଧାନ ବିଜେପିର ପ୍ରଚାର ଅଭିଯାନକୁ ବିଜେଡ଼ି ସମତୁଲ କରିବାରେ ସଫଳ ହୋଇଛନ୍ତି ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ବୋଲି ଦୃଢତାର ସହ କହିଛନ୍ତି ଓ ବର୍ଷାରାଣୀ ପଦ୍ମପୁର ବିଧାୟିକା ନିର୍ବାଚିତ ହେଲେ ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରିଥିବା ଓ ନିଜେ କରିଥିବା ନେଇ ଶ୍ରେୟ ନେଉଥିବା ଅଭିଯୋଗ କରି ରାଜ୍ୟରେ ଯାହା କିଛି ବିକାଶ ହୋଇଛି ତାହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଦେବାକୁ ଉଦ୍ୟମ କରିଛନ୍ତି । ଏହି ଦୁଇ ପରସ୍ପର ବିରୋଧୀ ପ୍ରଚାରରୁ ପଦ୍ମପୁର ମତଦାତା କାହାକୁ ଗ୍ରହଣ କରିଛନ୍ତି ଓ କାହାକୁ ପରିତ୍ୟାଗ କରିଛନ୍ତି ତାହା ଆସନ୍ତା ସୋମବାରର ମତଦାନ ଓ ୮ ତାରିଖ ପ୍ରକାଶ ପାଇବାକୁ ଥିବା ଫଳାଫଳରୁ ସ୍ପଷ୍ଟ ହୋଇଯିବ ।
ପଦ୍ମପୁର ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଦଳର ସମସ୍ତ ନେତା ତାଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ନିର୍ବାଚନ ମଣ୍ଡଳୀରେ ଯାହା କିଛି ବିକାଶ କାର୍ଯ୍ୟ ହୋଇଛି ସେସବୁ ତାଙ୍କରି ଅମଳର, ପରେ କିଛି ହୋଇ ନାହିଁ ବୋଲି କଂଗ୍ରେସ ପ୍ରାର୍ଥୀ ସାହୁ ଦାବି କରୁଛନ୍ତି । ତେବେ, ବିଜେଡ଼ି, ବିଜେପିର ଉଗ୍ର ପ୍ରଚାର ସାମ୍ନାରେ କଂଗ୍ରେସ ପ୍ରାର୍ଥୀ ସାହୁଙ୍କ ପ୍ରଚାର ମଳିନ ଦିଶୁଛି । ବିଜେଡ଼ି ୨୨ ବର୍ଷରୁ ଅଧିକ ହେଲା ରାଜ୍ୟରେ ଶାସନ କରୁଛି । କେନ୍ଦ୍ରରେ ଆଠ ବର୍ଷରୁ ଅଧିକ ସମୟ ହେଲା ବିଜେପି ସରକାର ରହିଛି । ଆର୍ଥିକ ସ୍ୱଚ୍ଛଳତା ଓ ସାଂଗଠନିକ ସକ୍ରିୟତା ଦୃଷ୍ଟିରୁ କଂଗ୍ରେସ ବିଜେଡ଼ି, ବିଜେପିଠାରୁ ବହୁ ପଛରେ ଥିବାରୁ ସତ୍ୟ ଭୂଷଣ ଅଭିଜ୍ଞ ହେଲେ ମଧ୍ୟ ନିଷ୍ପ୍ରଭ ଦିଶୁଥିବା ଅନୁଭବ କରି ହେଉଛି । ତେଣୁ, ଉପ ନିର୍ବାଚନ ଲଢେଇ ନବୀନ ବନାମ ବିଜେପି ହେଉଥିବ ରାଜନୈତିକ ମହଲ ବିଶ୍ୱାସ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS