ଦିଲ୍ଲୀ ଏମସିଡ଼ି ନିର୍ବାଚନ ସରିଲା, ଫଳାଫଳ ୭ରେ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡିସେମ୍ବର ୦୪
୨୫୦ ୱାର୍ଡ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମ (ଏମସିଡି) ପାଇଁ ଆଜି ମତଦାନ ସରିଛି । ମୋଟ ୧୩୪୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ବେଳେ ୧.୪୫ କୋଟି ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରୁଥିବା ସୂଚନା ମିଳିଛି । ୨୦୦୭ରୁ ଏହି ମହାନଗର ନିଗମରେ ବିଜେପିର ଶାସନ ଚାଲି ଥିଲା । ତିନି ଭାଗରେ ବିଭକ୍ତ ଥିବା ଦିଲ୍ଲୀ ମହାନଗର ନିଗମରେ କେନ୍ଦ୍ର ସରକାର ଚଳିତ ବର୍ଷ ୱାର୍ଡ ପୁନର୍ଗଠନ କରାଇବା ସହ ତିନିଟି ଏମସିଡ଼ିକୁ ମିଶାଇ ଗୋଟିଏ ଏମସିଡ଼ି କରିଛନ୍ତି । ଏହି ପୁନର୍ଗଠନ ପରେ ନିର୍ବାଚନ ହୋଇଛି । ପୂର୍ବରୁ ଦିଲ୍ଲୀ ମହାନଗର ନିଗମ ଅଂଚଳରେ ୨୭୨ଟି ୱାର୍ଡ ଥିବା ବେଳେ ୱାର୍ଡ ପୁନର୍ଗଠନ ପରେ ସେହି ସଂଖ୍ୟାକୁ ୨୫୦ରେ ସୀମିତ କରାଯାଇଛି । ବିଜେପି ପୁନର୍ବାର ଏମସିଡ଼ି ଦଖଲ କରିବାକୁ ନିଜର ସଂପୂର୍ଣ୍ଣ ଶକ୍ତି ଖଟାଇ ଥିବା ବେଳେ ଦିଲ୍ଲୀରେ ଶାସନରେ ଥିବା ‘ଆମ୍ ଆଦମୀ ପାର୍ଟି’ (ଆପ୍) ପ୍ରଥମ କରି ଏମସିଡି ଦଖଲ ପ୍ରୟାସରେ ରହିଛି । ଏମସିଡ଼ି ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ ଅଂଚଳରେ ବିଜେପି ଓ ଆମ୍ ଆଦମୀ ପାର୍ଟିର ପ୍ରଚାର ହିଁ ସରଗରମ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅଧିକାଂଶ କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ନେତା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏମସିଡ଼ି ପ୍ରଚାରରେ ନିର୍ବାଚନ ପ୍ରଚାରକୁ ସରଗରମ କରିଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମୁଖ ମୋର୍ଚ୍ଚା ସମ୍ଭାଳି ଥିଲେ । ଦୁଇ ଦଳର ନେତା ପରସ୍ପରକୁ ଆକ୍ଷେପ କରିବା ଓ ଦୁର୍ନୀତି ଅଭିଯୋଗ ଆଣିବା ଭିତରେ ବାକ୍ ଯୁଦ୍ଧ ଚରମରେ ପହଂଚି ଥିଲା । ବିଜେପି ଆପ୍ ନେତାଙ୍କ ଦୁର୍ନୀତି ଓ ଅୟାଶି ସଂପର୍କିତ କେତେକ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ଜାତୀୟ ଗଣମାଧ୍ୟମରେ ପ୍ରସାରିତ କରାଇ ଆପ୍ ନେତାଙ୍କୁ ଘେରିବାକୁ ଉଦ୍ୟମ କରିଥିବା ବେଳେ ‘ଆପ୍’ ପକ୍ଷରୁ ସେସବୁ ଭିଡ଼ିଓକୁ ଜାଲ୍ ଦର୍ଶାଇ ବିଜେପି ଏକ ନକଲି ଭିଡ଼ିଓ ତିଆରି କଂପାନୀ ଖୋଲିଛି ବୋଲି ଆକ୍ଷେପ କରିବାକୁ ପଛାଇ ନଥିଲା । ଏମସିଡିି ନିର୍ବାଚନ ଅବସରରେ ବିଜେପି ଓ ତାହାର ନେତାମାନେ ଦିଲ୍ଲୀରେ ୨୦୦ରୁ ଅଧିକ ସଭା ଓ ‘ରୋଡ୍ ସୋ’ କରିଛନ୍ତି । ଆପ୍ ମଧ୍ୟ ସମାନ ସଂଖ୍ୟାରେ ନହେଲେ ମଧ୍ୟ ବିଜେପିକୁ ଟକ୍କର ଦେବା ଭଳି ପ୍ରଦର୍ଶନ ଦେଖାଇଛି । ବିଜେପି ପ୍ରଚାରରେ ଉଭୟ କଂଗ୍ରେସ ଓ ‘ଆପ୍’ ନେତା ତାହାର ଟାର୍ଗେଟ୍ ହୋଇଥିବା ବେଳେ ‘ଆପ୍’ ପକ୍ଷରୁ କଂଗ୍ରେସ ଓ ବିଜେପିକୁ ସମାନ ଭାବେ ଟାର୍ଗଟ୍ କରାଯାଇଛି । କଂଗ୍ରେସ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଓ ଦିଲ୍ଲୀରେ ସରକାରରେ ଥିବା ‘ଆପ୍’କୁ ଟାର୍ଗେଟ କରି ଦିଲ୍ଲୀର ଦୂରବସ୍ଥା ପାଇଁ ଉଭୟଙ୍କୁ ଦାୟି କରିଛି । ଏମସିଡି ଦଖଲ ପାଇଁ ଦିଲ୍ଲୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ କଂଗ୍ରେସ ପ୍ରଚାର ଆଖିଦୃଶିଆ ନଥିଲା । ଏମସିଡ଼ି ନିର୍ବାଚନ ତାରିଖ ଘୋଷଣା ବେଳକୁ ଅଧିକାଂଶ କଂଗ୍ରେସ ନେତା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ଯାତ୍ରରେ ରାଜ୍ୟ ବାହାରେ ଥିବାରୁ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ସେଭଳି ବଡ ଧରଣର ସୋ’ବାଜୀ ଦେଖିବାକୁ ମିଳି ନଥିଲା । ବିଜେପି ଦିଲ୍ଲୀରେ ‘ଆପ୍’ ସରକାରଙ୍କ ନୂଆ ଅବକାରୀ ନୀତି ଏବଂ ତାହାର କାର୍ଯ୍ୟକାରିତାରେ ହୋଇଥିବା କଥିତ ଦୁର୍ନୀତିକୁ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଥିଲା । ମନିଲଂଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଗଲା କିଛି ମାସ ହେଲା ତିହାର ଜେଲରେ ଥିବା ରାଜ୍ୟ ଜେଲ ବିଭାଗ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜେଲ୍ ଭିତରର ଅୟାଶିର ଭିଡ଼ିଓକୁ ବିଜେପି ପକ୍ଷରୁ ଜାତୀୟ ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ କରାଯାଇ ‘ଆପ୍’କୁ ଦୁର୍ନୀତିଗ୍ରସ୍ତ ପ୍ରମାଣିତ କରିବାର ଉଦ୍ୟମ କରାଯାଇଛି । ସେହିଭଳି, କେନ୍ଦ୍ରରେ ଏବଂ ଏମସିଡିରେ ବିଜେପି କ୍ଷମତାରେ ଥାଇ ମଧ୍ୟ ଦିଲ୍ଲୀକୁ ପ୍ରଦୂଷଣ-ମୁକ୍ତ କରିବାରେ ବିଫଳ ହୋଇଥିବା ଏବଂ ବିଜେପି ଶାସନରେ ଏମସିଡି ଦୁର୍ନୀତିର ଗନ୍ତାଘର ପାଲଟି ଥିବା ନେଇ ‘ଆପ୍’ ନେତାଙ୍କ ଲଗାତର ପ୍ରଚାର ବିଜେପି ନେତୃତ୍ୱକୁ ନାକେଦମ୍ କରିଥିଲା । ଦିଲ୍ଲୀ ଜନସାଧାରଣଙ୍କ ଦୂରବସ୍ଥା ପାଇଁ କଂଗ୍ରେସ ଉଭୟ ବିଜେପି ଓ ‘ଆପ୍’କୁ ଦାୟି କରିଛି । ଦିଲ୍ଲୀ ଭୋଟର ତିନିଟି ଦଳର କଥା ମନଧ୍ୟାନ ଦେଇ ଶୁଣିଛନ୍ତି ଓ ଆଜି ସେମାନଙ୍କ ମତଦାନ କରିଛନ୍ତି । ପୂର୍ବରୁ ୨୦୧୭ରେ ଦିଲ୍ଲୀ ଏମସିଡ଼ି ନିର୍ବାଚନ ହୋଇଥିଲା । ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ୨୭୨ ୱାର୍ଡ ପାଇଁ ନିର୍ବାଚନ ହୋଇଥିବା ବେଳେ ବିଜେପି ୧୮୧ଟି, ‘ଆପ୍’ ୪୯ଟି ଓ କଂଗ୍ରେସ ୩୧ଟି ଆସନରେ ବିଜୟୀ ହୋଇଥିଲେ । ଅନ୍ୟମାନଙ୍କୁ ୧୧ଟି ଆସନ ମିଳିଥିଲା । ପୂର୍ବ ଦିଲ୍ଲୀର ୬୪ଟି ୱାର୍ଡ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ୪୭, ‘ଆପ୍’ ୧୨ ଓ କଂଗ୍ରେସ ୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଦକ୍ଷିଣ ଦିଲ୍ଲୀର ୧୦୪ ଆସନରୁ ବିଜେପିକୁ ୭୦, ‘ଆପ୍’କୁ ୧୬ ଓ କଂଗ୍ରେସକୁ ୧୨ ଆସନ ଏବଂ ଉତ୍ତର ଦିଲ୍ଲୀର ୧୦୪ ଆସନରୁ ବିଜେପିକୁ ୬୪ଟି, ‘ଆପ୍’କୁ ୨୧ଟି ଓ କଂଗ୍ରେସକୁ ୧୬ଟି ଆସନ ମିଳି ଥିଲା । ୨୦୨୨ରେ ତିନି ଏମସିଡ଼ିକୁ ଏକତ୍ରୀକାରଣ କରି ସରକାର ୨୫୦ ୱାର୍ଡରେ ନିର୍ବାଚନ କରାଇଛନ୍ତି । ୨୦୧୭ ଏମସିଡି ନିର୍ବାଚନରେ ବିଜେପି ପଛକୁ ଥିବା ‘ଆପ୍’ ୨୦୨୨ରେ ସର୍ବାଧିକ ସଂଖ୍ୟକ ଆସନ ପାଇ ପ୍ରଥମ ସ୍ଥାନରେ ପହଂଚିବାକୁ ଯେଭଳି ପ୍ରୟାସ କରିଛି ସେଥିରେ କେତେ ସଫଳ ହେଉଛି ତାହା ୭ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିଲେ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS