ସୋମବାର ଗୁଜରାଟରେ ଶେଷ ପର୍ଯ୍ୟାୟ ଭୋଟ, ସହରାଂଚଳ ଭୋଟର ମତଦାନ ପ୍ରତି ବିମୁଖ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡିସେମ୍ବର ୦୪
ଆସନ୍ତା କାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ଭୋଟ ହେବାକୁ ଯାଉଛି । ମୋଟ ୯୩ ଆସନରେ ମତଦାନ ହେବ । ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ରାଜ୍ୟରେ ୨୭ ବର୍ଷ ହେଲା ବିଜେପି ଶାସନରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ଦଶ ବର୍ଷରୁ ଅଧିକ ସମୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଏବେ ମଧ୍ୟ ବିଜେପି ତାଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢୁଛି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ଦଳ ୧୫୦ ପାଖାପାଖି ଆସନ ପାଇ ପୁନର୍ବାର ସରକାରୁ ଆସିବ ବୋଲି ବିଜେପି ସମର୍ଥକମାନେ ଆକଳନ କରୁଥିବା ବେଳେ ବିଜେପିକୁ କ୍ଷମତାଚ୍ୟୁତ କରି ଶାସନକୁ ଫେରିବ ବୋଲି କଂଗ୍ରେସ ଆଶା ରଖିଛି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିପାକ୍ଷୀକ ଲଢେଇ ହୋଇଥିଲା ଏବଂ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା । ବିଜେପି ୯୯ ଆସନରେ ସୀମିତ ରହି ଶତକ ହାସଲରୁ ବଂଚିତ ହୋଇଥିବା ବେଳେ କଂଗ୍ରେସ ୭୭ ଆସନରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ କିନ୍ତୁ କଂଗ୍ରେସକୁ ଦୁର୍ବଳ ସ୍ଥିତିରେ ଦେଖିବାକୁ ମିଳୁଛି । ପ୍ରଚାର ମଇଦାନରୁ କଂଗ୍ରେସ ଏକପ୍ରକାର ଗାଏବ୍ ଥିବା ବେଳେ ଦିଲ୍ଲୀ ଭିତ୍ତିକ ଆଂଚଳିକ ଦଳ ‘ଆମ୍ ଆଦମୀ ପାର୍ଟି’ ବିଜେପିକୁ ଏକପ୍ରକାର ଚାପରେ ରଖିଛି । ‘ଆପ୍’ ପଂଜାବ ବିଜୟ ପରେ ଗୁଜରାଟରେ ଭଲ ପ୍ରଦର୍ଶନ କରି ସରକାର କରୁଥିବା ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଜୋରଦାର ଦାବି କରୁଛନ୍ତି । ଏଥିର ରାଜ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଗୁଜରାଟବାସୀ କାହା ମୁଣ୍ଡରେ କଳସ ଢାଳିବେ ତାହା ୮ ତାରିଖ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ଡ଼ିସେମ୍ବର ୧ ତାରିଖରେ ସରି ଥିବା ପ୍ରଥମ ପର୍ଯ୍ୟାୟ ଭୋଟକୁ ନେଇ ନିର୍ବାଚନ କମିଶନରୁ ଯାହା ରିପୋର୍ଟ ଆସୁଛି ରାଜ୍ୟର ସହରାଂଚଳ ଭୋଟର ଏହି ନିର୍ବାଚନରେ ମତଦାନ ପ୍ରତି ବିଶେଷ ଆଗ୍ରହ ଦେଖାଉ ନଥିବା ଜଣାପଡିଛି । ଫଳରେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପରିମାଣ ୬୩ ପ୍ରତିଶତରେ ସୀମିତ ରହି ଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅପେକ୍ଷାକୃତ ଭୋଟଦାନ ପରିମାଣ ଅଧିକ ରହିଛି । ସହରାଂଚଳରେ ଭୋଟଦାନ କମି ଥିବାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୬୩.୩ ପ୍ରତିଶତ ଭୋଟଦାନ ହୋଇଥିବା ଶନିବାର ଦିନ ନିର୍ବାଚନ କମିଶନ କହିଛନ୍ତି । କମିଶନଙ୍କ ସୂଚନା ଅନୁଯାୟୀ, ଗୁରୁବାର (ଡ଼ିସେମ୍ବର ୧ ତାରିଖ) ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗୁଜରାଟର ନର୍ମଦା ଜିଲ୍ଲା ଦେଡିଆପଡା ଗ୍ରାମାଂଚଳ ନିର୍ବାଚନ ମଣ୍ଡଳୀରେ ୮୨.୭ ପ୍ରତିଶତ ମତଦାନ ହୋଇଥିବା ସମୟରେ କଚ୍ଛ ଜିଲ୍ଲା ଗାନ୍ଧୀଧାମ ସହରାଂଚଳ ନିର୍ବାଚନ ମଣ୍ଡଳୀରେ ମତଦାନ ପରିମାଣ ମାତ୍ର ୪୭.୮ ପ୍ରତିଶତ ରହିଛି । କେବଳ ଗାନ୍ଧୀଧାମ ନୁହେଁ, ୧ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିବା ଗୁଜରାଟର ଅଧିକାଂଶ ସହରାଂଚଳ ନିର୍ବାଚନ ମଣ୍ଡଳୀରେ ଏକା ଅବସ୍ଥା ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ୨୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଗୋଟିଏ ହେଲେ ସହରାଂଚଳ ନିର୍ବାଚନ ମଣ୍ଡଳୀ ନଥିବା ନିର୍ବାଚନ କମିଶନ କହିଛନ୍ତି ।
ଗଲା ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଠି ମଧ୍ୟ ଏକାଭଳି ଅବସ୍ଥା ଦେଖିବାକୁ ମିଳିଛି । ସହରାଂଚଳ ମତଦାତାଙ୍କ ମଧ୍ୟରେ ଭୋଟଦାନ ପ୍ରତି ଆଗ୍ରହ କମ୍ ଥିବା ବେଳେ ଗ୍ରାମାଂଚଳରେ ଭୋଟ ହାର ଅଧିକ ରହିଛି । ହିମାଚଳ ପ୍ରଦେଶରେ ହାରାହାରି ମତଦାନ ୭୫.୬ ପ୍ରତିଶତ ରହି ଥିବା ବେଳେ ସିମଲାରେ ସର୍ବନିମ୍ନ ୬୨.୫ ପ୍ରତିଶତ ମତଦାନ ରହିଛି । ସେହିଭଳି, ଗୁଜରାଟର ସୁରଟ, ରାଜକୋଟ, ଜାମନଗର ସମେତ ୧ ତାରିଖ ଭୋଟ ହୋଇଥିବା ସହରାଂଚଳ ନିର୍ବାଚନ ମଣ୍ଡଳୀରେ ଭୋଟଦାନ ପରିମାଣ କମ୍ ଥିବା ଯୋଗୁଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ହାରାହାରି ୬୩.୩ ପ୍ରତିଶତ ଥିବା ଶନିବାର ଦିନ ନିର୍ବାଚନ କମିଶନଙ୍କଠାରୁ ଜଣାପଡିଛି । ଗୁରୁବାର ରାଜକୋଟ ୱେଷ୍ଟ୍ ନିର୍ବାଚନ ମଣ୍ଡଳୀରେ ୫୭.୧ ପ୍ରତିଶତ ମତଦାନ ହୋଇଛି, ଯାହାକି ୨୦୧୭ ତୁଳନାରେ ୧୦.୫ ପ୍ରତିଶତ କମ୍ । ସୁରଟର ସବୁ ଗ୍ରାମାଂଚଳ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ମତଦାନ ହାରରୁ ଅଧିକ ମତଦାନ ହୋଇଥିବା ବେଳେ ସହରାଂଚଳରେ ଭୋଟଦାନ ହାର କମିଛି । ସହରାଂଚଳ ଭୋଟରଙ୍କ ମଧ୍ୟରେ ନିର୍ବାଚନ ପ୍ରତି ଏଭଳି ଅନାଗ୍ରହର କାରଣ ହଠାତ୍ ସ୍ପଷ୍ଟ ହୋଇ ନାହିଁ । ଗୁଜରାଟରେ ୨୭ ବର୍ଷ ହେଲା ବିଜେପି ଶାସନକୁ କରୁଛି । ଗୁଜରାଟ ସହରାଂଚଳ ଭୋଟର ଏଥିରେ ପରିବର୍ତ୍ତନ ଚାହୁଁଥଲେ ମଧ୍ୟ ରାଜ୍ୟ ତଥା ଦେଶରେ କଂଗ୍ରେସର ଦୁର୍ବଳ ସ୍ଥିତିକୁ ନେଇ ନିରାଶ । ‘ଆପ୍’ ବିଜେପିର ବିକଳ୍ପ ହୋଇପାରିବ ବୋଲି ସେମାନେ ଭରସା କରିପାରୁ ନାହାନ୍ତି । ତେଣୁ, ଭୋଟଦାନରୁ ବିରତ ରହୁଛନ୍ତି ବୋଲି କୁହାଯାଇପାରେ । ୨୦୧୭ ନିର୍ବାଚନରେ ଗ୍ରାମାଂଚଳ ଭୋଟର ବିଜେପି ପ୍ରତି ବିମୁଖ ଥିଲେ ଏବଂ ସହରାଂଚଳ ଭୋଟର ବିଜେପିକୁ କ୍ଷମତାକୁ ଆଣି ଥିଲେ । ୨୦୨୨ ନିର୍ବାଚନରେ ସ୍ଥିତି ଓଲଟି ଯାଇଛି ବୋଲି ଭୋଟଦାନ ପ୍ୟାଟର୍ଣ୍ଣରୁ ଅନୁମାନ କରି ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS