ଏମସିଡିରେ ବିଜୟ, ଇତିହାସ ରଚିଲା ‘ଆମ୍ ଆଦମୀ ପାର୍ଟି’ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡିସେମ୍ବର ୦୭
ଦଶ ବର୍ଷ ତଳେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଦିଲ୍ଲୀ ଭିତ୍ତିକ ରାଜନୈତିକ ଦଳ ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ଆଜି ନୂଆ ଇତିହାସ ରଚନା କରିଛି । ୧୫ ବର୍ଷ ଧରି ଦିଲ୍ଲୀ ଏମସିଡିକୁ କବ୍ଚାରେ ରଖି ଥିବା ବିଜେପିକୁ ଆଜି ‘ଆପ୍’ କ୍ଷମତାଚ୍ୟୁତ କରିବା ସହ ଦିଲ୍ଲୀ ମହାନଗର ନିଗମରେ ନିଜ ଶାସନର ପ୍ରତିଷ୍ଠା କରିଛି । ‘ଆପ୍’ ଭଳି ଏକ ଶିଶୁ ସଂଗଠନ ପ୍ରବଳ ପରାକ୍ରମୀ ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଏମସିଡିରୁ କ୍ଷମତାଚ୍ୟୁତ କରିବା ଇତିହାସ ହିଁ କୁହାଯିବ ।
୨୫୦ ୱାର୍ଡ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମ ପାଇଁ ଡିସେମ୍ବର ୪ ତାରିଖରେ ନିର୍ବାଚନ ହୋଇଥିଲା । ଆଜି ଫଳାଫଳ ଆସିଛି । ଆପ୍ ୧୩୪ ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି । ନିର୍ବାଚନରେ ‘ଆପ୍’ ବହୁମତ ପାଇବ ବୋଲି ବୁଥ୍ ଫେରନ୍ତା ଜନମତରୁ ସ୍ପଷ୍ଟ ସୂଚନା ମିଳୁଥିଲା । ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥା ମଧ୍ୟ ସେମାନଙ୍କ ରିପୋର୍ଟରେ ଏହାର ଆଭାସ ଦେଇଥିଲେ । ତଥାପି, ମନରେ ଶଂକା ଥିଲା, ସତରେ କଣ ‘ଆପ୍’ ବିଜେପିର ସଂଗଠିତ ଓ ଆକ୍ରମଣାତ୍ମକ ରାଜନୀତିର ମୁକାବିଲା କରି କେନ୍ଦ୍ରରେ କ୍ଷମତାରେ ଥିବା ଦଳକୁ ଧୁଳି ଚଟାଇ ପାରିବ ! ଫଳାଫଳ ‘ଆପ୍’ ସପକ୍ଷରେ ଏକପାଖିଆ ହେବା ନେଇ ଆକଳନ ମଧ୍ୟ ଅବିଶ୍ୱସନୀୟ ଥିଲା । ତେବେ, ଫଳାଫଳ ଆସିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଏମସିଡ଼ି ନିର୍ବାଚନରେ ‘ଆପ୍’ ବିଜେପିକୁ କଡା ଟକ୍କର ଦେଇଛି ।
ଏମସିଡ଼ି ନିର୍ବାଚନରେ କଂଗ୍ରେସର ଫଳାଫଳ ଦୟନୀୟ ଥିବା ବେଳେ ‘ଆପ୍’ ବିଜେତା ଓ ବିଜେପି ରନର୍ ହୋଇଛି । ଦିଲ୍ଲୀର ତିନି ଏମସିଡ଼ିର ମିଶ୍ରଣ ପରେ ଏହା ଥିଲା ପ୍ରଥମ ନିର୍ବାଚନ । ମୋଟ ୨୫୦ ୱାର୍ଡରୁ ୧୩୪ଟିରେ ‘ଆପ୍’ ବିଜୟୀ ହୋଇଥିବା ବେଳେ ବିଜେପି ୧୦୪ଟି, କଂଗ୍ରେସ ୯ଟି ଓ ଅନ୍ୟମାନେ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି । ଏମସିଡ଼ିରେ ବହୁମତ ପାଇଁ ୧୨୬ ଆସନର ଆବଶ୍ୟକତା ଥିବା ବେଳେ ‘ଆପ୍’ ବେଂଚ ମାର୍କରୁ ଅଧିକ ଆଠଟି ଆସନ ପାଇଛି । ୨୦୧୭ରେ ତିନି ଭାଗରେ ବିଭକ୍ତ ଦିଲ୍ଲୀ ମହାନଗର ନିଗମର ୱାଡ ସଂଖ୍ୟା ଥିଲା ୨୭୨ ୱାର୍ଡ । ମିଶ୍ରଣ ପରେ ୱାର୍ଡ ସଂଖ୍ୟା ୨୫୦କୁ କମା ଯାଇଛି । ୨୦୧୭ ନିର୍ବାଚନରେ ‘ଆପ୍’କୁ ଏମସିଡିରେ ଯେତିକି ସଂଖ୍ୟକ ଆସନ ମିଳି ଥିଲା ୨୦୨୨ରେ ତା’ଠାରୁ ୯୦ଟି ଅଧିକ ଆସନ ମିଳିଥିବା ବେଳେ ବିଜେପି ୨୦୧୭ ତୁଳନାରେ ୬୪ଟି ଆସନ କମ୍ ପାଇଛି । ସେହିଭଳି, କଂଗ୍ରେସକୁ ୨୦୧୭ ତୁଳନାରେ ୧୯ଟି କମ୍ ଆସନ ମିଳିଛି । ଏମସିଡ଼ି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ଆଡମ୍ବରପୂର୍ଣ୍ଣ ନିର୍ବାଚନ ସଭା ଓ ସମାବେଶମାନ କରି ସାଧାରଣ ନିର୍ବାଚନର ଭ୍ରମ ସୃଷ୍ଟି କରିଥିଲେ ।
ପ୍ରଚାରରେ ଗୁଜରାଟ ତୁଳନାର ଦିଲ୍ଲୀ ଏମସିଡିର ରାଜନୈତିକ ବାତାବରଣ କୌଣସି ଗୁଣରେ କମ୍ ନଥିଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାର ବିରୋଧରେ ଦୁର୍ନୀତିର ଫୁଲଝଡି ଫୁଟାଇ ବିଜେପି ନେତାମାନେ ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଜାରି କରୁଥିଲେ । ତେବେ, ଏସବୁ କଥିତ ଷ୍ଟିଂଗ୍ ଅପରେସନ୍ ଓ ଭିଡ଼ିଓ ‘ଜାଲ୍’ ବୋଲି ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପାଲଟା ଅଭିଯୋଗ କରିବା ସହ ତାଙ୍କୁ ଓ ତାଙ୍କ ଦଳକୁ ନିନ୍ଦିତ କରିବା ପାଇଁ ବିଜେପି ଦିଲ୍ଲୀରେ ନକଲି ଭିଡ଼ିଓ ପ୍ରସ୍ତୁତି କାରଖାନା ଖୋଲିଛି ବୋଲି କହିଥିଲେ । କେଜରୀୱାଲଙ୍କ ସହ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମାନ୍ ‘ଆପ୍’ର ଷ୍ଟାର୍ ପ୍ରଚାରକ ଥିଲେ । ବିଜେପି ଓ ‘ଆପ୍’ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପର ଝଡ ଯେଭଳି ବାତାବରଣ ସୃଷ୍ଟି କରିଥିଲା ତାହା କିଛି ସମୟ ପାଇଁ ଦେଶବାସୀଙ୍କୁ ଭୁଲାଇ ଦେଇଥିଲା ଯେ କଂଗ୍ରେସ ହେଉଛି ଦେଶର ମୁଖ୍ୟ ବିରୋଧୀ ଦଳ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ପ୍ରଚାର ଯେମିତି ମାନ୍ଦା ଥିଲା ଫଳାଫଳ ମଧ୍ୟ ସେମିତି ମାନ୍ଦା ରହିଛି । ‘ଆପ୍’ ଆଂଚଳିକ ଦଳ ହୋଇ ମଧ୍ୟ ଦିଲ୍ଲୀ ମହାନଗର ନିଗମ ପରେ ଜାତୀୟ ଦଳର ମାନ୍ୟତା ପାଇବା ଦିଗକୁ ଯାଉଛି ।
ମାତ୍ର ୧୦ ବର୍ଷ ଭିତରେ ‘ଆପ୍’ ଦିଲ୍ଲୀ ବାହାରେ ପଂଜାବରେ ନିଜ ଉଦ୍ୟମରେ ସରକାର ପ୍ରତିଷ୍ଠା କରିଛି । କାଲି ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ସେଠାକାର ଭୋଟର ‘ଆପ୍’କୁ କେତେ ବିଶ୍ୱାସକୁ ନେଇଛନ୍ତି ତାହା କାଲି ସ୍ପଷ୍ଟ ହୋଇଯିବ । ବିରୋଧୀଙ୍କୁ ଗାଳି ଗୁଲଜ କରି ରାଜନୀତି କରିବାରେ ‘ଆପ୍’ ବିଶ୍ୱାସ କରେ ନାହିଁ, ସକାରାତ୍ମକ ରାଜନୀତିରେ ବିଶ୍ୱାସ କରେ ବୋଲି ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏମସିଡ଼ି ନିର୍ବାଚନ ଫଳାଫଳ ଆସିବା ପରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଦିଲ୍ଲୀବାସୀଙ୍କୁ ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ତାଙ୍କ ସରକାର ବିଶ୍ୱାସଭାଜନ ହୋଇଛନ୍ତି । ଏମସିଡ଼ି ନିର୍ବାଚନରେ ମଧ୍ୟ ‘ଆପ୍’ ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କଥା କହିଛି । ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି । ନିର୍ବାଚନ ପର୍ଯ୍ୟନ୍ତ ରାଜନୀତି ଚାଲି ଥିଲା, ନିର୍ବାଚନ ସରି ଥିବାରୁ ସମସ୍ତେ ରାଜନୀତି ଛାଡି ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ଓ ବିକାଶ ଧାରାକୁ ଆଗେଇ ନେବାରେ ସହଯୋଗ କରିବାକୁ ସେ ସବୁ ଦଳର ନିର୍ବାଚିତ ପ୍ରତିନିଧି, ୱାର୍ଡ ବାସିନ୍ଦା ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ସହଯୋଗ ବିନା କିଛି ସମ୍ଭବ ନୁହେଁ ବୋଲି କେଜରୀୱାଲ କହିଛନ୍ତି । ଦିଲ୍ଲୀ ମହାନଗର ନିଗମର ୨୫୦ ୱାର୍ଡରେ ହୋଇଥିବା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି ସିନା ଏମସିଡି ରାଜନୀତି ସରି ନାହିଁ । ଆଗକୁ ମେୟର ନିର୍ବାଚନ ରହିଛି । ମେୟର ପଦ ପାଇଁ ଛକାପଂଝା ଚାଲିବା ସ୍ୱାଭାବିକ । ‘ଆପ୍’ର ସଂଖ୍ୟାଗରିଷ୍ଠତା ଥିବାରୁ ମେୟର ପଦ ଆପ ହାତରେ ରହିବା ସ୍ୱାଭାବିକ । ତଥାପି, ୧୦୪ ଆସନରେ ବିଜୟୀ ହୋଇଥିବା ବିଜେପି ମେୟର ପଦ ହାତେଇବାକୁ ଯେ ବିଭାଜନ ରାଜନୀତି କରିବ ନାହିଁ, ଏକଥା କିଏବା ବିଶ୍ୱସ କରିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS