ପ୍ରତିଭା ସିଂହ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ?
ପ୍ରସାଦ ରାଓ
ଡିସେମ୍ବର ୦୯
ନଭେମ୍ବର ୧୨ ତାରିଖରେ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗତକାଲି ପ୍ରକାଶ ପାଉ ପାଉ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଛକାପଂଝା ଆରମ୍ଭ ହୋଇଯାଇଛି । ୬୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୨୫ଟି ଆସନ ମିଳିଛି । ଅନ୍ୟମାନେ ତିନିଟି ଆସନରେ ବିଜୟୀ ହୋଇଛନ୍ତି । କଂଗ୍ରେସ ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାରୁ କମ୍ ଆସନ ପାଇଥିଲେ ବିଜେପି ‘ଅପରେସନ୍ ଲୋଟୋସ୍’ କଥା ଚିନ୍ତା କରିଥା’ନ୍ତା । ତେବେ, କଂଗ୍ରେସ ନିକଟରେ ଆବଶ୍ୟକ ସଂଖ୍ୟା ରହିଛି । ନିର୍ବାଚନରେ ପରାଜିତ ବିଜେପି ଜନମତକୁ ଗ୍ରହଣ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗତକାଲି ହିଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫାପତ୍ର ଦେଇ ସାରିଛନ୍ତି । ବିଜେପି ଆଡୁ କୌଣସି ବିପଦ ନଥିବା ଦେଖି କଂଗ୍ରେସ ନେତୃତ୍ୱ ଆଜି ନେତା ନିର୍ବାଚନ ପାଇଁ ସିମଲାରେ ବିଧାୟକ ଦଳ ବୈଠକ ଆୟୋଜନ କରଥିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବାକୁ ସିମିଲା ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ନାଟକର ସାମ୍ନା କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ଅଛନ୍ତି କଂଗ୍ରେସ ସାଂସଦ ପ୍ରତିଭା ସିଂହ । ତାଙ୍କ ସମର୍ଥକମାନେ ଆଜି ବାଘେଲାଙ୍କ ଗାଡିକୁ ରାସ୍ତାରେ ଅଟକାଇ ପ୍ରତିଭା ହିଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ସେମାନେ ଚାହୁଁଛନ୍ତି ବୋଲି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ନିକଟରେ ବାର୍ତ୍ତା ପହଂଚାଇଛନ୍ତି । ପ୍ରତିଭା ସିଂହ ହେଉଛନ୍ତି ହିମାଚଳ ପ୍ରଦେଶର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ବିଧବା ପତ୍ନୀ । ଗତ ବର୍ଷ ବୀରଭଦ୍ର ସିଂହଙ୍କ ଦେହାନ୍ତ ହାଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେ ଚାରି ଦଶନ୍ଧୀ ଧରି ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଇ ଆସୁଥିଲେ । ୨୦୨୨ ବିଧାନସଭା ନିର୍ବାଚନରେ ବୀରଭଦ୍ରଙ୍କ ଅବର୍ତ୍ତମାନରେ ପ୍ରତିଭା କଂଗ୍ରେସ ନେତୃତ୍ୱ ସମ୍ଭାଳି ରାଜ୍ୟ ବିଧାନସଭା ନିର୍ବାଚନ ଦାୟିତ୍ୱ ନେଇଥିଲେ । ସେ ନିଜେ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ନଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହୋଇଥିଲା । କଂଗ୍ରେସ ନେତୃତ୍ୱ ତାଙ୍କୁ ଦଳର ନିର୍ବାଚନ ଦାୟିତ୍ୱ ସମର୍ପି ଥିବା ବେଳେ ଷ୍ଟାର୍ କ୍ୟାମ୍ପେନର ଥିଲେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗନ୍ଧୀ ଭଦ୍ରା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା । ପ୍ରତିଭା ହିମାଚଳ ପ୍ରଦେଶ ମଣ୍ଡି ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ସାଂସଦ ଅଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୨୦୨୨ ବିଧାନସଭା ନିର୍ବାଚନରେ ସଫଳତା ସହ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାରୁ ଅଧିକ ଆସନ ପାଇଛି । ତେଣୁ, ପ୍ରତିଭା ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଦାବିଦାର ହେବା ସ୍ୱାଭାବିକ । ମୁଖ୍ୟମନ୍ତ୍ରୀ ଦୌଡରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି, ହିମାଚଳ ପ୍ରଦେଶର ପୂର୍ବତନ କଂଗ୍ରେସ ମୁଖ୍ୟ ସୁଖୱିନ୍ଦର ସିଂହ ସୁଖୁ, ଗତ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଥିବା ମୁକେଶ ଅଗ୍ନିହୋତ୍ରୀ ଓ କଂଗ୍ରେସ ନେତା ହର୍ଷବର୍ଦ୍ଧନ ଚୌହାନ । ଅପରାହ୍ନରେ ମିଳି ଥିବା ଖବର ଅନୁଯାୟୀ, ସିମଲାର ଓବରାଇ ସେସିଲ ହୋଟେଲରେ କଂଗ୍ରେସ ବିଧାୟକ ଦଳ ବୈଠକ ଆୟୋଜନ ହୋଇଥିବା ବେଳେ ସେଠାକୁ ଯାଉଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେଶ ବାଘେଲାଙ୍କ ସମେତ ଅନ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ହୋଟେଲ ବାହାରେ ଘେରାଉ କରାଯାଇଥିଲା । ସାଂସଦ ପ୍ରତିଭା ସିଂହଙ୍କ ସମର୍ଥକମାନେ ଏହି ଘେରାଉ କରିବା ସହ ପ୍ରତିଭାଙ୍କ ସପକ୍ଷରେ ସ୍ଲୋଗାନବାଜୀ କରିଥିଲେ । ପୂର୍ବରୁ ପ୍ରତିଭା ଗଣମାଧ୍ୟମକୁ କହିଥିଲେ, ରାଜ୍ୟ କଂଗ୍ରେସରେ କøଣସି ଗୋଷ୍ଠୀ ବିବାଦ ନାହିଁ । ଯେହେତୁ କଂଗ୍ରେସ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ରାଜ୍ୟରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଥିଲେ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ଅଧିକାର ଓ ସଂପୂର୍ଣ୍ଣ କ୍ଷମତା ରହିଛି । ତାଙ୍କ ସ୍ୱାମୀ ବୀରଭଦ୍ର ସିଂହଙ୍କ ନାମରେ ରାଜ୍ୟବାସୀ କଂଗ୍ରେସକୁ ସମର୍ଥନ କରି ଭୋଟ ଦେଇଛନ୍ତି । ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ତାହା ନିର୍ଣ୍ଣୟ କରିବା ଅଧିକାର କଂଗ୍ରେସ କଂଗ୍ରେସ ହାଇକମାଣ୍ଡଙ୍କ ରହିଛି । ତେବେ, ନିର୍ଣ୍ଣୟ ନେବା ସମୟରେ ତାଙ୍କ ପରିବାରକୁ ଅଣଦେଖା କରିବାକୁ ହେବ ନାହିଁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ସହ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ଏବଂ ହିମାଚଳ ପ୍ରଦେଶ ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ରାଜୀବ ଶୁକ୍ଳା ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସିମଲା ଯାଇଥିଲେ । ସେମାନେ ଓବରାଇ ସିସେଲ ହୋଟେଲରେ ସାଂସଦ ପ୍ରତିଭା ସିଂହଙ୍କୁ ଭେଟି ଆଲୋଚନା କରିଥିବା ଓ ପରେ ରାଜ୍ୟପାଳଙ୍କୁ ଭେଟି ଥିବା ସୂଚନା ମିଳିଛି । ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା କିଏ ହେବ ତାହା କଂଗ୍ରେସ ହାଇକମାଣ୍ଡ ନିର୍ଣ୍ଣୟ ନିଅନ୍ତୁ ବାଲି ଆଜିର ବିଧାୟକ ଦଳ ବୈଠକରେ ଧାଡିକିଆ ପ୍ରସ୍ତାବ ଗୃହୀତ କରାଯାଇଥିବା ସୂଚନା ମିଳିଛି । ହିମାଚଳ ପ୍ରଦେଶରେ ଗଲା ୩୭ ବର୍ଷ ହେଲା ଗୋଟିଏ ଟ୍ରେଣ୍ଡ୍ ଚାଲି ଆସିଛି । ତାହା ହେଉଛି, ପ୍ରତି ନିର୍ବାଚନରେ ସରକାର ବଦଳନ୍ତି । ଏଥର ମଧ୍ୟ ଏକଭଳି ହୋଇଛି । ବିଜେପି ସରକାରରେ ଥିଲା, କଂଗ୍ରେସ କ୍ଷମତାକୁ ଆସିଛି । ବିଧାନସଭାରେ ଆସନ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଓ ବିଜେପି ମଧ୍ୟରେ ୧୫ଟି ଆସନର ବ୍ୟବଧାନ ଥିଲେ ମଧ୍ୟ ଭୋଟ ହାର ଦୃଷ୍ଟିରୁ ଦୁଇ ଦଳ ମଧ୍ୟରେ ମାତ୍ର ଏକ ପ୍ରତିଶତ ବ୍ୟବଧାନ ଥିବା ଏବଂ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୪୪ ପ୍ରତିଶତ ଭୋଟ ମିଳି ଥିବା ବେଳେ ବିଜେପିକୁ ୪୩ ପ୍ରତିଶତ ଭୋଟ ମିଳି ଥିବା ଗତକାଲି ନିର୍ବାଚନ ଫଳାଫଳ ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୂଚନା ଦେଇଥିଲେ । ଗୁଜରାଟରେ ଲଜ୍ୟାଜନକ ପରାଜୟ ହୋଇଥିଲେ ମଧ୍ୟ ହିମାଚଳ ପ୍ରଦେଶ ବିଜୟକୁ ନେଇ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ । ତେବେ, ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଯେଉଁ ଛକାପଂଝା ଆରମ୍ଭ ହୋଇଯାଇଛି ତାହା କଂଗ୍ରେସ ନେତୃତ୍ୱ ପାଇଁ ସମସ୍ୟା ହୋଇଛି । କଂଗ୍ରେସ ନେତୃତ୍ୱ ପ୍ରତିଭା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ନ ପିନ୍ଧାଇଲେ ରାଜ୍ୟରେ ଭବିଷ୍ୟତ ରାଜନୈତିକ ପରିସ୍ଥିତି ଗୋଳିଆ ହୋଇପାରେ । ତେଣୁ, ପ୍ରତିଭା ହିଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS