କଂଗ୍ରେସରେ ପ୍ରିୟଙ୍କା ଯୁଗର ଆରମ୍ଭ !


ପ୍ରସାଦ ରାଓ
ଡିସେମ୍ବର ୧୦
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନିଷ୍ପତ୍ତି ପ୍ରିୟଙ୍କା ଗାନ୍ଧୀ ନେବେ । ଏଭଳି ଏକ ଖବର ଆଜି ସାମ୍ନାକୁ ଆସିଛି । ଗତ ନଭେମ୍ବର ୧୨ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନରେ ହିମାଚଳ ପ୍ରଦେଶରେ କଂଗ୍ରେସକୁ ୬୮ରୁ ୪୦ ଆସନ ମିଳିଥିବା ବେଳେ ବିଜେପି ୨୫ଟି ଆସନରେ ସୀମିତ ରହିଛି । ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଦଳ ରାଜ୍ୟରେ ସରକାର ଗଠନ କରିବାକୁ ପୂର୍ଣ୍ଣ ସକ୍ଷମ । ତେବେ, ଡ଼ିସେମ୍ବର ୮ ତାରିଖରେ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଂଝା ଆରମ୍ଭ ହୋଇଯିବାରୁ ୯ ତାରିଖ ସିମଲାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ କାହାକୁ ବିଧାୟକ ଦଳ ନେତା ବା ମୁଖ୍ୟମନ୍ତ୍ରୀ ଚୟନ କରାଯିବ ସେ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନାହିଁ । କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ପ୍ରେରିତ ଏଆଇସିସି ପର୍ଯ୍ୟବେକ୍ଷକମାନେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସିମଲାରେ ଦଳର ସମସ୍ତ ୪୦ ଜଣ ବିଧାୟକଙ୍କ ସହ ଅଲଗା ଅଲଗା ଆଲୋଚନା କରି ସେମାନଙ୍କ ମନୋଭାବ ଠଉରାଇବା ପରେ ପରଂପରା ରକ୍ଷା କଲା ଭଳି ଧାଡିକିଆ ପ୍ରସ୍ତାବ ଗୃହୀତ କରାଇ ଥିଲେ । ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ବା ମୁଖ୍ୟମନ୍ତ୍ରୀ କିଏ ହେବେ ଦଳର ହାଇକମାଣ୍ଡ ତାହା ନିର୍ଣ୍ଣୟ କରିବେ ବୋଲି ବିଧାୟକ ଦଳ ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ କଂଗ୍ରେସର ଦିଲ୍ଲୀ ଦରବାରକୁ ସ୍ଥାନାନ୍ତର ହୋଇଯାଇଛି । ଯେହେତୁ ଏଆଇସିସି ସାଧାରଣ ସଂପାଦକ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିମାଚଳ ପ୍ରଦେଶରେ କଂଗ୍ରେସର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ ଏବଂ ଏଆଇସିସିର ନବନିର୍ବାଚିତ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ସଂପର୍କରେ ରହି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ, ଦଳର ବିଜୟ ପରେ ରାଜ୍ୟରେ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ପ୍ରିୟଙ୍କା ନିଷ୍ପତ୍ତି ନେବେ ବୋଲି ଆଜି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ରବିବାର ଏହି ନିଷ୍ପତ୍ତି ହୋଇଯିବା ଆଶା କରାଯାଉଛି । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିମାଚଳ ପ୍ରଦେଶ ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକାକୀ କଂଗ୍ରେସର ନିର୍ବାଚନ ପ୍ରଚାର ଓ ପରିଚାଳନା ଦାୟିତ୍ୱ ତୁଲାଇ ଥିଲେ ମଧ୍ୟ ସଫଳତା ପାଇ ନଥିଲେ । ଦଳକୁ ମାତ୍ର ଦୁଇଟି ବିଧାନସଭା ଆସନ ମିଳି ଥିଲା । କିନ୍ତୁ, ହିମାଚଳ ପ୍ରଦେଶରେ ତାଙ୍କୁ ସଫଳତା ମିଳିଛି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ ଯାତ୍ରାରୁ ଦୁଇ ଦିନ ସମୟ ବାହାର କରି ଗୁଜରାଟରେ ନିର୍ବାଚନ ସଭା କରିଥିଲେ ମଧ୍ୟ ହିମାଚଳ ପ୍ରଦେଶ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରିୟଙ୍କାଙ୍କ ଉପରେ ଛାଡି ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିରମୋର, କାଂଗ୍ରା, ସୋଲାନ ଓ ଉନାରେ ନିର୍ବାଚନ ସମାବେଶମାନ କରି ସେନାରେ ନିଯୁକ୍ତି ପାଇଁ କେନ୍ଦ୍ରର ଅଗ୍ନିପଥ ଯୋଜନା, ଦେଶରେ ମୁଦ୍ରାସ୍ଫୀତି ଓ ବେକାରୀ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନାର ପୁନଃ ପ୍ରଚଳନ କରିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ପ୍ରିୟଙ୍କାଙ୍କ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପ୍ରତିଶ୍ରୁତି ହିମାଚଳ ପ୍ରଦେଶରେ ବିଜେପିର ନିର୍ବାଚନ ମେସିନାରୀକୁ ରୋକିବା ସହ କଂଗ୍ରେସକୁ କ୍ଷମତାକୁ ଆଣିଛି ବୋଲି କେବଳ ଜାତୀୟ ଗଣମାଧ୍ୟମରେ ନୁହେଁ, କଂଗ୍ରେସ ନେତୃମହଲରେ ଆଲୋଚିତ ହେଉଛି । କଂଗ୍ରେସ ରାଜ୍ୟର ୬୮ ବିଧାନସଭା ଆସନରୁ ୪୦ଟିରେ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟ କଂଗ୍ରେସ ନେତୃବର୍ଗଙ୍କ ମଧ୍ୟରେ ଛକାପଂଝା ବଢିଛି । ଗତକାଲି ସିମଲାରେ ନେତା ନିର୍ବାଚନ ପାଇଁ ନବନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କ ବୈଠକ ଆୟୋଜନ କରାଯାଇଥିବା ବେଳେ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ସମସ୍ତ ଶ୍ରେୟ ନେବାକୁ ଚାହୁଁଥିବା ଦଳର ସାଂସଦ ପ୍ରତିଭା ସିଂହ ବୈଠକ ପୂର୍ବରୁ ନିଜ ସମର୍ଥକମାନଙ୍କୁ ଧରି ହୋଟେଲ ବାହାରେ ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ରତିଭା ହେଉଛନ୍ତି ହିମାଚଳ ପ୍ରଦେଶରେ ଚାରି ଦଶକ ଧରି କଂଗ୍ରେସର ନେତୃତ୍ୱ ନେଇ ଆସି ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ । ପ୍ରତିଭା ମଧ୍ୟ ମଣ୍ଡିରୁ ତିନି ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବାକୁ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ଗାଡିକୁ ପ୍ରତିଭାଙ୍କ ସମର୍ଥକମାନେ ହୋଟେଲ ସାମ୍ନାରେ ଘେରିବା ସହ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଦାବି କରିଥିଲେ । ସେମାନଙ୍କ ଦାବି ହେଉଛି,ରାଜ୍ୟରେ ବୀରଭଦ୍ର ସିଂହଙ୍କ ନାମରେ କଂଗ୍ରେସ ନିର୍ବାଚନ ଲଢିଛି ଏବଂ ପ୍ରତିଭାଙ୍କ ନେତୃତ୍ୱରେ ଦଳ ସରକାର ଗଢିଲା ଭଳି ସଂଖ୍ୟା ପାଇଛି । ତେଣୁ, ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ । ହିମାଚଳ ପ୍ରଦେଶର ପୂର୍ବତନ କଂଗ୍ରେସ ମୁଖ୍ୟ ସୁଖୱିନ୍ଦର ସିଂହ ସୁଖୁ ଓ ପୂର୍ବତନ ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀ ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ ମଧ୍ୟ ସେମାନେ ଦୂରଦୂରାନ୍ତରୁ ଆସି ଥିବାରୁ ଗତକାଲି ଶକ୍ତି ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରତିଭା ସିଂହ ସାଂସଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ଦଳକୁ ଦୁଇଟି ଉପ ନିର୍ବାଚନର ସାମ୍ନା କରିବାକୁ ପଡିବ । ତେଣୁ, ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରି ପ୍ରତିଭାଙ୍କ ପୁତ୍ର ତ୍ରିବିକ୍ରମ ସିଂହଙ୍କୁ ପ୍ରଭାବଶାଳୀ ପଦବୀରେ ଥଇଥାନ କରିବାକୁ କଂଗ୍ରେସ ହାଇକମାଣ୍ଡ ବିଚାର କରୁଥିବା ସୂଚନା ମିଳିଛି । ନବ ନିର୍ବାଚିତ କଂଗ୍ରେସ ବିଧାୟକମାନେ ଧାଡିକିଆ ପ୍ରସ୍ତାବ ଗୃହୀତ କରି ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ କଂଗ୍ରେସ ହାଇକମାଣ୍ଡ ଉପରେ ନ୍ୟସ୍ତ କରିବା ପରେ ଏବେ ନିଷ୍ପତ୍ତି ଏଆଇସିସି ନେତୃତ୍ୱ ହାତରେ ରହିଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଦଳର ଅଧିକାଂଶ ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ୱକୁ ଶ୍ରେୟ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ଚୟନରେ ପ୍ରିୟଙ୍କା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଚର୍ଚ୍ଚାକୁ ଆସିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସିର ନିର୍ବାଚିତ ସଭାପତି ଥିଲେ ମଧ୍ୟ କଂଗ୍ରେସ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଛି । କଂଗ୍ରେସର ଦୁଇ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଆଗକୁ ବଢୁ ନଥିବା ବେଳେ ପ୍ରିୟଙ୍କାଙ୍କ ନେତୃତ୍ୱ ହିମାଚଳ ପ୍ରଦେଶରେ କଂଗ୍ରେସକୁ ସଫଳତା ଦେଇଛି । ଏହି ସଫଳତାରୁ କଂଗ୍ରେସରେ ପ୍ରିୟଙ୍କା ଯୁଗର ଆରମ୍ଭ ହୋଇଥିବା ଅନେକ ବିଶ୍ୱାସ କରୁଛନ୍ତି । ଆସନ୍ତା ବର୍ଷ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲେଂଗାନା, ରାଜସ୍ଥାନ, ତ୍ରିପୁରା, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସବୁ ନିର୍ବାଚନରେ ଦଳ ପ୍ରିୟଙ୍କାକୁ କିଭଳି ଭାବେ ବ୍ୟବହାର କରିବ ଏବଂ କେତେ ସଫଳତା ପାଇବ ତାହା ଉପରେ ଅନେକ କିଛି ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS