ସୁଖଭିନ୍ଦର ସିଂହ ସୁଖୁ ହେଲେ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ ଉତ୍ସବରେ ଥିଲେ ଗାନ୍ଧୀ ପରିବାର
ପ୍ରସାଦ ରାଓ
ଡିସେମ୍ବର ୧୧
ଶେଷରେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ କିଛି କଂଗ୍ରେସ ନେତାଙ୍କ ମଧ୍ୟରେ ଦୁଇ ଦିନ ଧରି ଚାଲି ଥିବା ଛକାପଂଝାର ଅବସାନ ଘଟିଛି । କଂଗ୍ରେସ ହାଇକମାଣ୍ଡ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ହିମାଚଳ ପ୍ରଦେଶର ୫୮ ବର୍ଷ ବୟସ୍କ ନେତା, ଚାରି ଥରର ବିଧାୟକ ତଥା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରଚାର କମିଟିର ଅଧ୍ୟକ୍ଷ ରହି ଥିବା ସୁଖବିନ୍ଦର ସିଂହ ସୁଖୁଙ୍କ ନାମରେ ମୋହର ମାରିବାରୁ ସୁଖୁ ଆଜି ସିମଲାର ରିଜ୍ ମଇଦାନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ରହି ଥିବା ଅନ୍ୟତମ ନେତା ମୁକେଶ ଅଗ୍ନିହୋତ୍ରୀଙ୍କୁ ପ୍ରଥମ ଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ସନ୍ତୁଷ୍ଟ କରାଯାଇଛି । ଆଜିର ଶପଥ ଗ୍ରହଣ ଉତ୍ସବରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ସମେତ ଗାନ୍ଧୀ ପରିବାରର ସଦସ୍ୟ ଉପସ୍ଥିତ ରହି ଉତ୍ସବକୁ ଅଧିକ ବର୍ଣ୍ଣାଢ୍ୟ କରିଥିଲେ ।
ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୧୨ରେ ନିର୍ବାଚନ ହୋଇଥିବା ବେଳେ ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇଥିଲା । ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୪୦ ଓ ବିଜେପିକୁ ୨୫ ଆସନ ମିଳିଛି । ୮ତାରିଖ ଫଳାଫଳ ଆସିବା ପରେ ସରକାର ଗଠନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ୯ ତାରିଖ ଦିନ ସିମଲାଠାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ବୈଠକ ରଖା ଯାଇ ନେତା ନିର୍ବାଚନ ଉଦ୍ୟମ ଆରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳର ନେତାଙ୍କ ଭିତରେ ଛକାପଂଝା ଆରମ୍ଭ ହୋଇଥିଲା । ଫଳରେ, ୯ ତାରିଖ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ସମ୍ଭବ ହୋଇ ନଥିଲା । ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସେଦିନ ଏକ ଧାଡିକିଆ ପ୍ରସ୍ତାବ ଗୃହୀତ କରାଯାଇ ବୈଠକ ଶେଷ କରାଯାଇଥିଲା । ବିଧାୟକ ଦଳର ଏହି ଧାଡିକିଆ ପ୍ରସ୍ତାବ ଆଧାରରେ କଂଗ୍ରେସ ହାଇକମାଣ୍ଡ ଗତକାଲି ସୁଖବିନ୍ଦର ସିଂହ ସୁଖୁଙ୍କ ନାମରେ ମୋହର ମାରିବା ପରେ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ବିଧାୟକ ଦଳ ବୈଠକ ହୋଇ ସୁଖୁଙ୍କୁ ନେତା ନିର୍ବାଚନ କରାଗଲା ଓ ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ରଖା ଯାଇଥିଲା ।
ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନର ବଡ ଦାବିଦାର ଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପତ୍ନୀ ତଥା ମଣ୍ଡି ସାଂସଦ ପ୍ରତିଭା ସିଂହ । ତେବେ, ତାଙ୍କ ପଛରେ ନିବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସମର୍ଥନ ନଥିବା ଦର୍ଶାଇ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଦୌଡରୁ ତାଙ୍କୁ ହଟାଇ ଦେଇଥିଲେ । କିନ୍ତୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନଗଲେ ବୀରଭଦ୍ରଙ୍କ ନିକଟତର ଥିବା ପୂର୍ବତନ ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ପ୍ରତିଭା ଅଡି ବସିବାରୁ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂହ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କରି ପ୍ରତିଭାଙ୍କୁ ସନ୍ତୁଷ୍ଟ କରିଛନ୍ତି । କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିମାଚଳ ପ୍ରଦେଶକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଆଜି ରିଜ୍ ମଇଦାନରେ ଆୟୋଜିତ ଉତ୍ସବରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଏଆଇସିସିର ପୂର୍ବତନ ସଭାପତି ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତରେ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମଖ୍ୟମନ୍ତ୍ରୀ ସୁଖୁ ଓ ଉପ ମୁଖ୍ୟମନ୍ତ୍ରୀ ଅଗ୍ନିହୋତ୍ରୀଙ୍କୁ ଶପଥ ପାଠ କରାଇ ଥିଲେ ।
ଶପଥ ଗ୍ରହଣ ଉତ୍ସବ ପାଇଁ ତିଆରି ହୋଇଥିବା ମଂଚରେ ହିମାଚଳ ପ୍ରଦେଶର ପୂର୍ବତନ ରାଜ ପରିବାର ସଦସ୍ୟ ଓ ଛଅ ଥରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ବିରାଟ ଫଟୋଚିତ୍ର ରଖାଯାଇ ସେଥିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ନବ ନିର୍ବାଚିତ କଂଗ୍ରେସ ବିଧାୟକ ଓ ଉପସ୍ଥିତ କଂଗ୍ରେସ ନେତାମାନେ ବୀରଭଦ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ଶପଥ ପାଠ ମଂଚରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସ୍ୱର୍ଗତ ନେତା ବୀରଭଦ୍ରଙ୍କ ବିଧବା ପତ୍ନୀ ପ୍ରତିଭା ସିଂହଙ୍କୁ କୋଳେଇ ଧରି ଶାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳି ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଦୀର୍ଘ ୪୦ ବର୍ଷ ଧରି ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଇ ଆସଥିଲେ । ଗତ ବର୍ଷ ତାଙ୍କ ଦେହାନ୍ତ ହୋଇଛି । ବୀରଭଦ୍ର ସିଂହଙ୍କ ଅବର୍ତ୍ତମାନରେ କଂଗ୍ରେସ ଦଳ ତାଙ୍କରି ନାମରେ ନଭେମ୍ବର ୧୨ ତାରିଖ ନିର୍ବାଚନରେ ଲଢି ନିର୍ବାଚନ ବୈତରଣୀ ପାର ହୋଇଥିବାରୁ ସେ (ପ୍ରତିଭା) ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ବୋଲି ପ୍ରତିଭା ସିଂହ ଦାବି କରୁଥିଲେ । ୯ ତାରିଖ ଦିନ ସିମଲା ସ୍ଥିତ ହୋଟେଲ ଓବରାଇ ସେସିଲରେ ଆୟୋଜିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯୋଗଦେବାକୁ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ରାଜ୍ୟ ପାଇଁ ନିଯୁକ୍ତ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳାଙ୍କୁ ପ୍ରତିଭାଙ୍କ ସମର୍ଥକମାନେ ଘେରାଉ କରିବାରୁ ସେଦିନ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ସମ୍ଭବ ହୋଇ ନଥିଲା ।
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ସୁଖବିନ୍ଦର ସିଂହ ସୁଖୁ ଜଣେ ବସ୍ ଡ୍ରାଇଭରଙ୍କ ପୁଅ ଏବଂ ନିଜେ ଦୁଗ୍ଧ ବ୍ୟବସାୟ କରୁଥିଲେ । ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଭାବେ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ସେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଥିଲେ ।ନିର୍ବାଚନରେ କଂଗ୍ରେସକୁ ରାଜ୍ୟର ୬୮ବିଧାନସଭା ଆସନରୁ ୪୦ଟି ମିଳିଥିବା ବେଳେ ସେଥିରୁ ୧୫ଟି ଆସନରେ ବିଜୟ ବ୍ୟବଧାନ ଦୁଇ ହଜାରରୁ କମ୍ ଥିବା ଜଣାପଡିଛି । ବିଜେପିକୁ ୨୫ଟି ଆସନ ମିଳି ଥିଲେ ମଧ୍ୟ କଂଗ୍ରେସ ଓ ବିଜେପିକୁ ମିଳିଥିବା ଭୋଟ ହାର ବ୍ୟବଧାନ ମାତ୍ର ୦.୯୦ ପ୍ରତିଶତ ରହିଛି । ତେଣୁ, ବିଜେପି କଂଗ୍ରେସର ବିଜୟକୁ ଗୁରୁତ୍ୱ ଦେଉ ନାହିଁ । ରାଜ୍ୟରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ବଦଳିବାର ପରଂପରା ରହିଛି କହି ବିଜେପି ହିମାଚଳରେ କଂଗ୍ରେସର ବିଜୟକୁ ଅଣଦେଖା କରୁଥିବା ବେଳ କଂଗ୍ରେସ ନେତୃବର୍ଗ ହିମାଚଳ ବିଜୟର ସଂପୂର୍ଣ୍ଣ ଶ୍ରେୟ ଦଳର ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦେଇ କଂଗ୍ରେସରେ ତାଙ୍କୁ ଗୁରୁତ୍ୱ ବଢାଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS