ଓକିଲ ଆନ୍ଦୋଳନ ନିୟନ୍ତ୍ରଣରେ ପୁଲିସ ବିଫଳ, ପୁଲିସ ଡ଼ିଜିଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୧୨
ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା ନିର୍ଦେଶ ସତ୍ତ୍ୱେ ଓଡ଼ିଶା ପୁଲିସ ରାଜ୍ୟର ବିଭିନ୍ନ ଅଂଚଳରେ, ବିଶେଷକରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଚାଲି ଥିବା ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଓ ଆନ୍ଦୋଳନରେ ସଂପୃକ୍ତ ଓକିଲମାନେ ବିଭିନ୍ନ ଅଦାଲତରେ ଅଚଳାବସ୍ଥା ଜାରି ରଖି ଥିବାରୁ ସୁପ୍ରିମ କୋର୍ଟ ଆଜି ଓଡ଼ିଶା ପୁଲିସ ମହାନିର୍ଦେଶକ (ଡ଼ିଜି) ଓ ସମ୍ବଲପୁର ପୁଲିସ ଆଇଜିଙ୍କୁ ତାଗିଦ କରିଛନ୍ତି । ଉଭୟ ଡ଼ିଜିପି ଓ ସମ୍ବଲପୁର ଆଇଜିପି ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦର୍ଶାଇ ବୁଧବାର ଦିନ ନିଜ ପକ୍ଷ ରଖିବାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖଣ୍ଡପୀଠ ସମ୍ମୁଖରେ ହାଜର ହେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ପୁଲିସ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଓଡ଼ିଶା ପୁଲିସ ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଲେ ରାଜ୍ୟରେ କେନ୍ଦ୍ରୀୟ ପୁଲିସ ବାହୀନୀ ମୁତୟନ କରିବା ବ୍ୟବସ୍ଥା ହେବ ।
ଏଠାରେ ସୂଚନାଯୋଗ୍ୟ କି, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ, ବିଶେଷକରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି କରି ଓକିଲ ଆନ୍ଦୋଳନ ଜାରି ରହି ଥିବାରୁ ଅଦାଲତଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆନ୍ଦୋଳନକାରୀ ଓକିଲମାନେ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଜୋର ଜବରଦସ୍ତ ଅଦାଲତକୁ ଯିବାକୁ ଦେଉ ନାହାନ୍ତି । ସୁପ୍ରିମ କୋର୍ଟ ଏହା ଜାଣିବା ପରେ ବିରକ୍ତି ପ୍ରକାଶ କରି ଗତ ମାସରେ ଭାରତୀୟ ବାର କାଉନସିଲ ଏବଂ ଓଡ଼ିଶା ବାର କାଉନସିଲକୁ ନୋଟିସ ଜାରି କରିଥିଲେ । ଆନ୍ଦୋଳନରେ ସଂପୃକ୍ତ ଓକିଲମାନେ ରାଜ୍ୟର ବିଭିନ୍ନ ଅଂଚଳରେ ଅଦାଲତ ସମ୍ମୁଖରେ ପିକେଟିଂ କରି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଅଦାଲତକୁ ଛାଡୁ ନଥିବା ଯୋଗୁଁ ବିଚାରଣା କାର୍ଯ୍ୟ ବ୍ୟାହତ ହେଉଥିବା ଜାଣି ସୁପ୍ରିମ କୋର୍ଟ ବିଭିନ୍ନ ଜିଲ୍ଲା ବାର ଆସୋସିଏସନକୁ ମଧ୍ୟ ନୋଟିସ ଜାରି କରି ସେମାନଙ୍କ ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲେ । ଅଦାଲତଗୁଡିକରେ ଅଚଳାବସ୍ଥା ସୃଷ୍ଟି କରୁଥିବା ଓକିଲମାନଙ୍କ ଲାଇସେନ୍ସ ରଦ୍ଦ କରାଯିବାକୁ, ଆବଶ୍ୟକ ମନେ କଲେ ସେମାନଙ୍କୁ ଗିରଫ କରାଯିବାକୁ ମଧ୍ୟ ସୁପ୍ରିମ କୋର୍ଟ ଓଡ଼ିଶା ପୁଲିସ ଓ ଜିଲ୍ଲା ପ୍ରଶାସନଗୁଡିକୁ ନିର୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଏଭଳି କଠୋର ଆଭିମୁଖ୍ୟ ସତ୍ତ୍ୱେ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନ ଏବଂ ଅଦାଲତଗୁଡିକରେ ଅଚଳାବସ୍ଥା ଜାରି ଥିବାରୁ ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ ଓଡ଼ିଶା ପୁଲିସ ଉପରେ ବର୍ଷିଛନ୍ତି ।
ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ରାଜ୍ୟର ବିଭିନ୍ନ ଅଂଚଳରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଅଦାଲତଗୁଡିକରେ ଗତ ନଅ ମାସରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟ ଦିବସ ନଷ୍ଟ ହୋଇଛି ବୋଲି ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏଭଳି ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଆଜି ସୁପ୍ରିମ କୋର୍ଟ ରାଜ୍ୟ ପୁଲିସ ଡ଼ିଜି ଓ ସମ୍ବଲପୁର ପୁଲିସ ଆଇଜିଙ୍କୁ ଓକିଲ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ବିଫଳତାକୁ ନେଇ ନୋଟିସ ଜାରି କରିଥିବା ବେଳେ ସମ୍ବଲପୁର କଚେରୀ ଛକରେ ପୁଲିସ ଓ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି । ସମ୍ବଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁ ରଖି ଥିବା ଓକିଲମାନେ ପୁଲିସ ବ୍ୟାରିକେଡ ଭାଂଗି କୋର୍ଟ ପରିସରରେ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସମ୍ବଲପୁର କଚେରୀ ଛକରେ ବିଭିନ୍ନ ପାରଂପରିକ ସଂଗୀତ ଓ ବାଦ୍ୟ ବଜାଇ ସତ୍ୟାଗ୍ରହ କରୁଥିବା ଓକିଲମାନେ କଚେରୀ ନିକଟରେ ହୋଇଥିବା ପୁଲିସ ବ୍ୟାରିକେଡକୁ ଭାଂଗି ଜବରଦସ୍ତ କୋର୍ଟ ପରିସରରେ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ସେମାନଙ୍କ ହାତହାତି ହୋଇଥିଲା ।
ଇତିମଧ୍ୟରେ, ସମ୍ବଲପୁର ଘରୋଇ ବସ ମାଲିକ ସଂଘ, ନାଗରିକ କମିଟି, ବିଭିନ୍ନ ସାଂସ୍କୃତିକ ସଂଘ ଓ ବ୍ୟବସାୟୀ ସଂଘ ଓକିଲଙ୍କ ଦାବି ସପକ୍ଷରେ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ସତ୍ୟାଗ୍ରହୀ ଓକିଲ ଓ ସମର୍ଥକମାନେ କଚେରୀ ଛକ ରାସ୍ତାରୁ ଅଦାଲତ ଆଡକୁ ଯାଉଥିବା ରାସ୍ତାକୁ ଅବରୋଧ କରି ରଖିଛନ୍ତି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସେହି ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଅଧିକ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି । ସମ୍ବଲପୁରରେ ଓଡିଶା ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିକୁ ନେଇ ରାଜ୍ୟ ସରକାର ଉଦାସୀନ । ଓଡ଼ିଶା ହାଇକୋର୍ଟ ମଧ୍ୟ ନିରବଦ୍ରଷ୍ଟା ରହିଛି । ତେଣୁ, ପଶ୍ଚିମ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଇ ଅଧିକରୁ ଅଧିକ ସଂଖ୍ୟାରେ ଓକିଲଙ୍କ ସତ୍ୟାଗ୍ରହରେ ସାମିଲ ହେଉଛନ୍ତି । ଫଳରେ, ସମ୍ବଲପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ପଶ୍ଚିମ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ଦାବିରେ ରୂପାନ୍ତରିତ ହୋଇ ସାରିଛି ବୋଲି ସମ୍ବଲପୁର ବାର ଆସୋସିଏସନ ସଭାପତି ଆଜି ଗଣମାଧ୍ୟମକୁ କହିଥିବା ଜଣାପଡିଛି ।
କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଇକୋର୍ଟର ସ୍ଥାୟୀ ବେଂଚ ଦାବିରେ ଗଂଜାମ ଜିଲ୍ଲା ଓକିଲ ସଂଘ ସମେତ ଅନ୍ୟାନ୍ୟ ସଂଘ ପକ୍ଷରୁ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ଜିଲ୍ଲାର ବାର ଆସୋସିଏସନ ସଦସ୍ୟମାନେ ଏଥିରେ ସାମିଲ ହୋଇ ଆନେ୍ଦୋଳନ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ତେବେ, ସୁପ୍ରିମ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି, ଦେଶର ସବୁ ଜିଲ୍ଲାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିକୁ ବାସ୍ତବ ରୂପାୟନ ଦେବା ଅସମ୍ଭବ ବ୍ୟାପାର । ମାନବ ସମ୍ବଳ ଓ ଭିତ୍ତିଭୂମି ଦୃଷ୍ଟିରୁ ଏଭଳି ଦାବି ମାନି ନେବା ଅବାସ୍ତବ । ବିହାର ଦେଶର ଗୋଟିଏ ବଡ ରାଜ୍ୟ ହୋଇଥିଲେ ମଧ୍ୟ ରାଜ୍ୟରେ ଏକମାତ୍ର ହାଇକୋର୍ଟ ପାଟନାରେ ରହିଛି । ଓଡ଼ିଶାର ବିଭିନ୍ନ ଅଂଚଳରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି କରୁଥିବା ଆନ୍ଦୋଳନରୁ ଓହରି ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଓ ଅଦାଲତଗୁଡିକୁ କାର୍ଯ୍ୟକ୍ଷମ ରଖି ସେମାନଙ୍କ ମହକିଲଙ୍କୁ ନ୍ୟାୟ ମିଳିବାରେ ସହଯୋଗ କରିବାକୁ ନିଜେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଅନୁରୋଧ କରିଥିଲେ । ଏହାସତ୍ତ୍ୱେ ଓକିଲମାନେ ଆନ୍ଦୋଳନ ଜାରି ରଖି ଅଦାଲତଗୁଡିକୁ ଅଚଳ କରି ଥିବାରୁ ସୁପ୍ରିମ କୋର୍ଟ ଆନ୍ଦୋଳନ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS