ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ପୂର୍ଣ୍ଣଛେଦ ପଡିଲା !
ପ୍ରସାଦ ରାଓ
ଭୁବନେଶ୍ୱର
ଡିସେମ୍ବର ୧୫
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲ ଆନ୍ଦୋଳନ ହିଂସାତ୍ମକ ମୋଡ ନେବା ପରେ ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ ସ୍ଥାୟୀ ବେଂଚ ପ୍ରତିଷ୍ଠା ସ୍ୱପ୍ନରେ ପୂର୍ଣ୍ଣଛେଦ ଟାଣି ଦେଇଛି । ଆନ୍ଦୋଳନକାରୀ ଓକିଲମାନେ ଆନ୍ଦୋଳନ ଛାଡି ଅଦାଲତଗୁଡିକର କାର୍ଯ୍ୟ ସ୍ୱାଭାବିକ କରିବାକୁ ସୁପ୍ରିମ କୋର୍ଟ କଡା ଚେତାବନୀ ଦେଇଥିଲେ । ତଥାପି, ଓକିଲମାନେ ହିଂସାର ଆଶ୍ରୟ ନେଇ ସମ୍ବଲପୁର ଜିଲା ଜଜଙ୍କ ଅଦାଲତରେ ବ୍ୟାପକ ଭଂଗାରୁଜା କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସୁୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏସ.କେ.କାଉଲ ଓ ଜଷ୍ଟିସ ଏ.ଏସ.ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ ଓଡ଼ିଶାର କୌଣସି ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେବା ସହ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ହୋଇଥିବା ଭଂଗାରୁଜା ଘଟଣାରେ ପୁଲିସ ନିଷ୍କ୍ରିୟତାକୁ କଠୋର ଭାଷାରେ ଆଲୋଚନା କରିଛନ୍ତି । ହିଂସାରେ ଲିପ୍ତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ବିଫଳ ହୋଇଥିବା ଦର୍ଶାଇ ରାଜ୍ୟ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରି ନ ପାରିଲେ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯିବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଚେତାବନୀ ଦେବା ପରେ ଓଡ଼ିଶା ପୁଲିସ ଆକ୍ସନ୍ ମୋଡକୁ ଆସିଛି ।
ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ନିର୍ଦେଶ ଅନୁଯାୟୀ ବୁଧବାର ଦିନ ଓଡ଼ିଶା ପୁଲିସ ଡ଼ିଜି ଓ ଉତ୍ତରାଂଚଳ ରେଂଜ ଆଇଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇଥିଲେ ଏବଂ ନିଜ ପକ୍ଷ ରଖି ଥିଲେ । ତେବେ, ସୁପ୍ରିମ କୋର୍ଟ ସେଥିରେ ସନ୍ତୁଷ୍ଟ ହୋଇନଥିଲେ । କେନ୍ଦ୍ରୀୟ ଫୋର୍ସ ମୁତୟନ ଚେତାବନୀ ପରେ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ଭଂଗାରୁଜା ଘଟଣାରେ ସଂପୃକ୍ତ ଲୋକଙ୍କୁ ଗିରଫ କରିବା ଦିଗରେ ପୁଲିସ ତତ୍ପରତା ଦେଖାଇଛନ୍ତି । ଆଜି ସମ୍ବଲପୁର ବାର ଆସୋସିଏସନ୍ ସଭାପତି ସୁରେଶ୍ୱର ମିଶ୍ର ଏବଂ ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ପୁଲିସ ଗିରଫ କରିଛି । ପୂର୍ବରୁ ୧୫ ଜଣ ଓକିଲଙ୍କୁ ପୁଲିସ ଗିରଫ କରିଥିଲା । ଫଳରେ, ଗିରଫ ସଂଖ୍ୟା ୨୩ରେ ପହଂଚିଛି । ଜିଲ୍ଲା ଜଜ୍ କୋର୍ଟରେ ଲାଗି ଥିବା ସିସିଟିଭି ଫୁଟେଜ ଆଧାରରେ ଆଗକୁ ଅଧିକ ଗିରଫଦାରୀ ହେବ ବୋଲି ପୁଲିସ ସୂଚନା ଦେଇଛି ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି କରି ଦୀର୍ଘ ବର୍ଷ ହେଲା ଓକିଲ ଆନ୍ଦୋଳନ ଚାଲି ଥିଲା । ଓକିଲମାନେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନିଷ୍ପତ୍ତିରେ ବିଳମ୍ବ ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ଦାୟି କରୁଥିଲେ । ଓକିଲଙ୍କ ଦୀର୍ଘ ଦିନର ଆନ୍ଦୋଳନ ସତ୍ତ୍ୱେ ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟ ବିଭିନ୍ନ ଉପାୟରେ ସେମାନଙ୍କ ଦାବିକୁ ଟାଳି ଆସୁଥିବା ଏବଂ କେଉଁଠି କେଉଁଠି ସ୍ଥାୟୀ ବେଂଚ ପ୍ରତିଷ୍ଠା ହେବ, ତାହାର ସଠିକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରୁନଥିବା ଅଭିଯୋଗ ହୋଇ ଆସୁଥିଲେ । ଓକିଲ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ଅଦାଲତରେ ଅଚଳାବସ୍ଥା ସୃଷ୍ଟି ହେବା ସହ ବଳପୂର୍ବକ ବିଚାରପତି, ବିଚାର ବିଭାଗୀୟ କର୍ମଚାର ଓ ମହକିଲଙ୍କୁ କୋଟରେ ହାଜରେ ହେବାକୁ ଦିଆଯାଉନଥିବା ସୁପ୍ରିମ କୋର୍ଟ ଅବଗତ ହେବା ପରେ ଏଥିରେ ହସ୍ତକ୍ଷେପ କରିଥିଲେ । ଓକିଲମାନେ ଅଦାଲତଗୁଡିକୁ ସୁଚାରୁ ରୂପେ କାର୍ଯ୍ୟ କରିବାକୁ ଦେବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେବା ସହ ଏହା ନହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ।
ଦକ୍ଷିଣ ଓଡ଼ିଶାର ଓକିଲମାନେ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ହିଂସାଠାରୁ ଦୂରେଇ ଥିବା ବେଳେ ପଶ୍ଚିମ ଓଡ଼ିଶାର ଓକିଲମାନେ ହଠାତ୍ ହିଂସାତ୍ମକ ହୋଇ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ଭଂଗାରୁଜା କରିବାରୁ ସୁପ୍ରିମ କୋର୍ଟ କଠୋର ଆଭିମୁଖ୍ୟ ଦେଖାଇବା ସହ ରାଜ୍ୟର ସବୁ ଅଦାଲତ ଇ-ଟେକନୋଲୋଜି ମାଧ୍ୟମରେ ହାଇକୋର୍ଟ ସହ ଯୋଡି ହୋଇଥିବାରୁ କୌଣସି ଅଂଚଳରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ କହି ଓକିଲ ଆନ୍ଦୋଳନରେ ପୂର୍ଣ୍ଣଛେଦ ପକାଇଛନ୍ତି । ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ ଦେଖି ପଶ୍ଚିମ ଓଡ଼ିଶା ଓକିଲମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିବା ସହ ସୁପ୍ରିମ କୋର୍ଟରେ ଏନେଇ ଯେଉଁ ଆବେଦନ କରିଥିଲେ ତାହାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ଖାରଜ କରିଛନ୍ତି । ଓକିଲମାନେ କୌଣସି ସର୍ତ୍ତ ନରଖି ଆନ୍ଦୋଳନରୁ ସଂପୂର୍ଣ୍ଣ ଭାବେ ଓହରିବାକୁ ଖଣ୍ଡପୀଠ ନିର୍ଦେଶ ଦେବା ସହ ସମ୍ବଲପୁର ବାର ଆସୋସିଏସନ ସମସ୍ତ କର୍ମକର୍ତ୍ତାଙ୍କ ସହ ହାଇକୋର୍ଟ ବେଂଚ ଦାବିରେ ଆନ୍ଦୋଳନ କରୁଥିବା ୨୬ଟି ଜିଲ୍ଲାର ବାର କର୍ମକର୍ତ୍ତାଙ୍କ ବିରୋଧରେ ଅଦାଳତ ଅବମାନନା ନୋଟିସ ଜାରି କରିବାକୁ ଚେତାଇ ଦେଇଛନ୍ତି ।
ବୁଧବାର ଦିନ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ କଠୋର ଆଭିମୁଖ୍ୟ ଦେଖି ଓଡ଼ିଶା ପୁଲିସ ଆକ୍ସନ୍ ମୋଡକୁ ଆସି ସମ୍ବଲପୁରରେ ଗିରଫଦାରୀକୁ ତ୍ୱରାନ୍ୱିତ କରିଥିବା ବେଳେ ଅନ୍ୟ ଜିଲ୍ଲାର ବାର କର୍ମକର୍ତ୍ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିବା ସୂଚନା ମିଳିଛି । ସମ୍ବଲପୁର ଏସପି ବି.ଗଂଗାଧର ଆଜି ସେଠାକାର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲା ଜଜ କୋର୍ଟରେ ଲାଗି ଥିବା ସିସିଟିଭି ଫୁଟେଜ ଆଧାରରେ ଅଦାଲତରେ ଭଂଗାରୁଜା କରିଥିବା ଲୋକଙ୍କୁ ଚିହ୍ନଟ କରି ଗିରଫ କରାଯାଉଛି । ଆଜି ୮ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ କିଛି ଅଣ-ଓକିଲ ଥିବା ଜଣାପଡିଛି । ସମ୍ବଲପୁର କେଚେରୀ ଛକ ଓ ଓକିଲଙ୍କ ଧାରଣା ସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଜାରି ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି । ପୂର୍ବରୁ, ବାର କାଉନସିଲ ଅଫ୍ ଇଣ୍ଡିଆ ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସପେଣ୍ଡ କରିଛନ୍ତି । ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ବାର୍ ବାଉନସିଲ ଅଫ୍ ଓଡ଼ିଶାର ସଭ୍ୟମାନଙ୍କୁ ଧମକ ଦିଆଯାଉଥିବା ଜାଣିବା ପରେ ସେମାନଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି ।
ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ କଠୋର ଆଭିମୁଖ୍ୟ ଏବଂ ରାଜ୍ୟର କୌଣସି ଅଂଚଳରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ ବୋଲି ମତ ପରେ ଓକିଲ ସଂଗଠନଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏବେ ପୁଲିସ ଗିରଫଦାରୀ ବ୍ୟାପକ ହୋଇଥିବାରୁ ନେତାମାନେ ଜଗି ରଖି ମନ୍ତବ୍ୟ ରଖୁଥିବା ଏବଂ ‘ବିରି ମାଡରେ କୋଳଥ ଚେପା’ ନ୍ୟାୟରେ ଅନ୍ୟ ଜିଲ୍ଲାରେ ଓକିଲଙ୍କ ଆନ୍ଦୋଳନ ଶିଥିଳ ପଡୁଥିବା ଦେଖିବାକୁ ମିଳିଛି । ରାଜ୍ୟର ଜିଲ୍ଲାସ୍ତରୀୟ ଅଦାଲତଗୁଡିକ ଇ-ଟେକନୋଲୋଜି ମାଧ୍ୟମରେ ଓଡ଼ିଶା ହାଇକୋର୍ଟ ସହ ଯୋଡି ହେଲାଣି । ତେଣୁ, ଜିଲ୍ଲାସ୍ତରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିର ଆଉ କିଛି ଯଥାର୍ଥତା ନାହିଁ ବୋଲି ବୁଧବାର ସୁପ୍ରିମ କୋର୍ଟ କହି ଦେବା ପରେ ଦୀର୍ଘ ବର୍ଷ ଧରି ଚାଲି ଥିବା ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡିବା ନିଶ୍ଚିତ ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS